ଲାପ୍ରୋସ୍କୋପି ସବୁଠାରୁ ସରଳ ଏବଂ ସୁବିଧାରେ ହୋଇପାରୁଥିବା ଅସ୍ତ୍ରୋପଚାର। ତେବେ, ଆସନ୍ତୁ ଡାକ୍ତର ନୟନ ରଞ୍ଜନ ନନ୍ଦଙ୍କଠାରୁ ଜାଣିବା ଲାପ୍ରୋସ୍କୋପିକ ସର୍ଜରୀ କ’ଣ ଏବଂ ଏହା କାହିଁକି ଭଲ?

‘ଲାପ୍ରୋସ୍କୋପିକ’ ଗ୍ରୀକ ଶବ୍ଦ ଲାପାରୋରୁ ଆସିଛି। ଲାପାରୋ ଶବ୍ଦର ଅର୍ଥ ହେଉଛି ପେଟ ଏବଂ ସ୍କୋପିର ଅର୍ଥ ‘ଦେଖିବା’। ଲାପ୍ରୋସ୍କୋପି ସର୍ଜରୀରେ ପେଟରେ କୌଣସି ଅଂଶ ନ କଟାଯାଇ ଛୋଟ ଛିଦ୍ର କରାଯାଏ। ଏହି ଛିଦ୍ର ମାଧ୍ୟମରେ ପେଟ ଭିତରକୁ ଏକ ଟେଲିସ୍କୋପିକ କ୍ୟାମେରା ଛଡ଼ାଯାଏ। ପେଟ ଭିତରେ ଥିବା ବିଭିନ୍ନ ଅଙ୍ଗର ବର୍ଦ୍ଧିତ ଫଟୋ କ୍ୟାମେରାରେ କଏଦ ହୋଇ କମ୍ପ୍ୟୁଟର ସ୍କ୍ରିନରେ ଦେଖିବାକୁ ମିଳେ। ଫଟୋ ଦେଖିବା ପରେ ଡାକ୍ତରମାନେ ଯେଉଁ ସ୍ଥାନରେ ଅପରେସନ ହେବ ସେଠାରେ କେତୋଟି ନିର୍ଦ୍ଦିଷ୍ଟ ପଏଣ୍ଟ ସ୍ଥିର କରନ୍ତି। ଏହାପରେ ବିଭିନ୍ନ ପ୍ରଣାଳୀରେ ଅପରେସନ କରାଯାଏ।

Laparoscopic Surgery

ଲାପ୍ରୋସ୍କୋପିକ ସର୍ଜରୀର ଉପାଦେୟତା (Benefits of laparoscopic surgery in Odia)

ଲାପ୍ରୋସ୍କୋପିକ ସର୍ଜରୀ ଏକ ନୂତନ ଧରଣର ସର୍ଜରୀ ଯେଉଁଥିରେ ଶରୀରର କୌଣସି ଅଶଂକୁ କାଟିବାକୁ ପଡ଼ିନଥାଏ। ରୋଗୀର ସୁରକ୍ଷା, ସ୍ଥିତି, ସର୍ଜରୀ ଗାଇଡଲାଇନ ସବୁକିଛି ଦୃଷ୍ଟିରେ ରଖି ଏହି ସର୍ଜରୀ କରାଯାଏ। ସାଧାରଣତଃ ନର୍ମାଲ ଅପରେସନରେ ରୋଗୀର ପେଟ କଟାଯାଇ ପେଟରେ ଦୁଇ ତିନି ସ୍ତର ବିଶିଷ୍ଟ ସିଲେଇ କରାଯାଏ। ଏହା ଫଳରେ ରୋଗୀକୁ ଅଧିକ ଯନ୍ତ୍ରଣା ହୋଇଥାଏ ଏବଂ ରୋଗୀ କଷ୍ଟ ପାଏ। ଅନେକ ସମୟରେ ଏହି ଅପରେସନ କରିବା ପରେ ବିଭିନ୍ନ କାରଣରୁ ସଂକ୍ରମଣ ହୋଇଯାଏ ଏବଂ ରୋଗୀ ଗୁରୁତର ହୋଇପଡ଼େ। ଅପରେସନର ଅନେକ ଦିନ ପର୍ଯ୍ୟନ୍ତ ରୋଗୀ କିଛି ଖାଦ୍ୟ ଖାଇପାରେ ନାହିଁ। ଫଳରେ ରୋଗୀ ବିଛଣାରେ ପଡ଼ରହେ। କିନ୍ତୁ ଲାପ୍ରୋସ୍କୋପି ସର୍ଜରୀରେ ଏସବୁର ଚିନ୍ତା ନଥାଏ। ରୋଗୀ ୮ରୁ ୧୦ ଦିନ ଭିତରେ ଭଲ ହୋଇଯାଏ ଓ କମ କଷ୍ଟ ଅନୁଭବ କରିପାରେ।

ଲାପ୍ରୋସ୍କୋପିକ ସର୍ଜରୀ କେଉଁଠି କରାଯାଏ? (Where is laparoscopic surgery happen in Odia)

ପୂର୍ବରୁ ଲାପ୍ରୋସ୍କୋପିକ ସର୍ଜରୀ ମାଧ୍ୟମରେ କେବଳ ପିତ୍ତକୋଷ, ଆପେନଡିକ୍ସ ଏହଂ ଷ୍ଟୋନ ଅପରେସନ କରାଯାଉଥିଲା। ପରେ ପେଟ ଭିତରର ହାଇଟାଲ ହାର୍ନିଆ, ହାଇଟସ ହାର୍ନିଆ ଭଳି ବିଭିନ୍ନ ପ୍ରକାରର ହାର୍ନିଆର ମଧ୍ୟ ସର୍ଜରୀ ହେଉଥିଲା। ଛାତି ଭିତରକୁ ଷ୍ଟୋମାକ ପଶିଯାଇଥିଲେ ଏବଂ ମଳଦ୍ଵାରରେ ସମସ୍ୟା ଥିଲେ ଲାପ୍ରୋସ୍କୋପିକ ସର୍ଜରୀ କରାଯାଏ। ବର୍ତ୍ତମାନ ସମସ୍ତ କ୍ୟାନସରର ପ୍ରାଥମିକ ଅବସ୍ଥାରୁ ଏହି ସର୍ଜରୀ କରାଯାଉଛି।

କେମିତି ହୁଏ ଲାପ୍ରୋସ୍କୋପିକ ସର୍ଜରୀ? (How does laparoscopic surgery happen in Odia)

ଲାପ୍ରୋସ୍କୋପିକ ସର୍ଜରୀରେ ପେଟରେ ୫ ରୁ ୬ ମିଲିମିଟରର ଏକ ଛୋଟ ଛିଦ୍ର କରାଯାଏ। ପରେ ଡାକ୍ତରମାନେ ପେଟକୁ ଫୁଲେଇ ରଖିବା ପାଇଁ କାର୍ବନ ଡାଇଅକ୍‌ସାଇଡ୍‌ ଗ୍ୟାସ ଦେଇଥାଆନ୍ତି। ପେଟ ଭିତରକୁ ଏକ କ୍ୟାମେରା ପ୍ରବେଶ କରାଯାଇଥାଏ ଯାହା ଅପରେସନ ହେବାକୁ ଥିବା ସ୍ଥାନର ବହୁବର୍ଦ୍ଧିତ ଫୋଟ ଉଠାଇ କମ୍ପ୍ୟୁଟରକୁ ପଠାଏ। ଡାକ୍ତର ଏହି ଫୋଟକୁ ଦେଖି ରୋଗୀର ଶଲ୍ୟ ଚିକିତ୍ସା କରିଥାଆନ୍ତି। ଲାପ୍ରୋସ୍କୋପିକ ସର୍ଜରୀ ସମୟରେ ଅନ୍ୟ ରୋଗ ବାବଦରେ ଜଣାପଡ଼ିଲେ ତାର ତୁରନ୍ତ ନିରାକରଣ ମଧ୍ୟ କରିହୁଏ।

Laparoscopic Surgery

କାହିଁକି ଭଲ ଲାପ୍ରୋସ୍କୋପିକ ସର୍ଜରୀ? (Why laparoscopic surgery is good in Odia)

ନର୍ମାଲ ସର୍ଜରୀରେ ରୋଗୀକୁ ଏକକାଳୀନ ଖର୍ଚ୍ଚ କରିବାକୁ ହୁଏ କିନ୍ତୁ ରୋଗୀ ଅଧିକ ଦିନ ପର୍ଯ୍ୟନ୍ତ ବିଛଣାରେ ପଡ଼ିରହେ। ଫଳରେ ପରୋକ୍ଷ ଭାବେ ତା’ର ରୋଜଗାର ଉପରେ ପ୍ରଭାବ ପଡ଼େ। କିଛି ଦିନ ଯାଏଁ ରୋଗୀ ଶାରୀରିକ କାର୍ଯ୍ୟ କରିପାରେ ନାହିଁ ଏବଂ କଷ୍ଟ ପାଏ। ଏପରିସ୍ଥଳେ ଲାପ୍ରୋସ୍କୋପିକ ସର୍ଜରୀ ନର୍ମାଲ ସର୍ଜରୀଠାରୁ ଢେର ଗୁଣରେ ଭଲ। ଲାପ୍ରୋସ୍କୋପିକ ସର୍ଜରୀରେ ଅଧିକ ଖର୍ଚ୍ଚ ହୋଇଥାଏ। କିନ୍ତୁ ରୋଗୀର ଜୀବନ ପ୍ରତି କୌଣସି ରିସ୍କ ନଥାଏ ଏବଂ ରୋଗୀ ଶୀର୍ଘ ଭଲ ହୋଇ ଘରକୁ ଫେରିପାରେ। ଲାପ୍ରୋସ୍କୋପିକ ସର୍ଜରୀ ଶାରୀରିକ, ମାନସିକ ଏବଂ ଆର୍ଥିକ ସ୍ତରରେ ଲାଭଦାୟକ ହୋଇଥାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନୟନ ରଞ୍ଜନ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Laparoscopic Surgery, in Odia language, is based on an extensive interview with Sr Consultant, Gastro, Laparoscopic, Bariatric Surgery Dr Nayan Ranjan Nanda.