ସ୍ୱାସ୍ଥ୍ୟ ପ୍ଲସ୍ ବ୍ୟୁରୋ
କିଡ୍ନି ରୋଗର କାରଣ, ଏହାର ଲକ୍ଷଣ ଓ ଚିକିତ୍ସା ସଂପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ନନ୍ଦଙ୍କ ପରାମର୍ଶ। (Kidney Failure – Causes, Symptoms and Treatment in Odia)
- କିଡ୍ନି ଖରାପ ହେବାର ପ୍ରମୁଖ କାରଣଗୁଡ଼ିକ କ’ଣ?
- ଡାଏବେଟିସ୍ ଓ ବ୍ଲଡ୍ ପ୍ରେସର ନିୟନ୍ତ୍ରଣ ନହେଲେ କିଡ୍ନି ବିଗିଡ଼ିଥାଏ କି?
- କୌଣସି ଔଷଧର କୁପ୍ରଭାବରୁ କିଡ୍ନି ଖରାପ ହୋଇପାରେ କି?
- କିଡ୍ନି ରୋଗର ଲକ୍ଷଣଗୁଡ଼ିକ କ’ଣ?
- ଡାଏଲିସିସ୍ କ’ଣ, କାହିଁକି କରାଯାଏ?
- କିଡ୍ନି ଟ୍ରାନ୍ସପ୍ଲାଣ୍ଟେସନ କ’ଣ, କେମିତି କରାଯାଏ?
- କ’ଣ କଲେ ଆମେ ନିଜକୁ କିଡ୍ନି ସମସ୍ୟାରୁ ଦୂରେଇ ରଖିପାରିବା?
ଆମ ଶରୀରରେ ଦୁଇଟି କିଡ୍ନି ରହିଛି। ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ଛାଣି ଶରୀରରୁ ନିଷ୍କାସନ କରିବା ହେଉଛି କିଡ୍ନିର ମୁଖ୍ୟ କାମ। ଉଦାହରଣ ସ୍ୱରୂପ, ଆମେ ଆମ ଘରକୁ ସଫା ନକଲେ ଏହା ଅପରିଷ୍କାର ହୋଇପଡ଼େ, ଦୁର୍ଗନ୍ଧ ହୁଏ। ସେମିତି ଆମ ଶରୀରରେ ଯଦି କିଡ୍ନି ଠିକ୍ ଭାବେ କାମ କରିବା ବନ୍ଦ କରିଦିଏ, ତା’ ହେଲେ ଆମ ଶରୀର ଉପରେ ତା’ର ବଡ଼ ପ୍ରଭାବ ପଡ଼ିଥାଏ।
ଆସନ୍ତୁ ଜାଣିବା କିଡ୍ନି କିପରି ଖରାପ ହୋଇଥାଏ, ଏହି ରୋଗର ଲକ୍ଷଣ ସବୁ କ’ଣ ଏବଂ ଏହାର ତୁରନ୍ତ ଚିକିତ୍ସା କରାଯିବା କାହିଁକି ଜରୁରୀ?
କିଡ୍ନି ରୋଗର କାରଣ (Causes of Kidney Failure in Odia)
ଅନେକଙ୍କ ମନରେ କିଡ୍ନି ରୋଗକୁ ନେଇ ଡର ଥାଏ। ଏଥିରେ ଡରିବାର କିଛି ନାହିଁ। କିଡ୍ନି ଖରାପ ହେବାର ଗୋଟିଏ ବଡ଼ କାରଣ ହେଉଛି ଡାଏବେଟିସ୍। ଯଦି କୌଣସି ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ଡାଏବେଟିସ ରୋଗରେ ପୀଡ଼ିତ ତେବେ ତାଙ୍କର କିଡ୍ନି ଖରାପ ହେବାର ସମ୍ଭାବନା ଥାଏ। ତେଣୁ ଡାଏବେଟିସକୁ ନିୟନ୍ତ୍ରଣ କରିବା ନିହାତି ଦରକାର।
ତେବେ ଆଜି ଡାଏବେଟିସ ହେଲେ କାଲି କିଡ୍ନି ଖରାପ ହେବ, ଏଭଳି କଥା କୁହାଯାଇପାରିବ ନାହିଁ। ଲମ୍ବା ସମୟ ଧରି ଯଦି କେହି ଡାଏବେଟିସରେ ପୀଡ଼ିତ ଥା’ନ୍ତି ଏବଂ ତାକୁ ନିୟନ୍ତ୍ରଣ କରୁନାହାନ୍ତି, ତେବେ କିଡ୍ନି ରୋଗ ହେବାର ଆଶଙ୍କା ରହିଥାଏ।
କିଡ୍ନି ରୋଗ ହେବାର ଅନ୍ୟ ଏକ କାରଣ ହେଉଛି ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସର। ଯଦି ଜଣଙ୍କର ବ୍ଲଡ୍ ପ୍ରେସର ବଢ଼ି ଯାଇଥିବ ଏବଂ ସେ ଏ ବାବଦରେ ସଚେତନ ନାହାନ୍ତି କି ଚିକିତ୍ସା କରୁ ନାହାନ୍ତି, ତେବେ ତାଙ୍କର କିଡ୍ନି ରୋଗ ହୋଇପାରେ।
ସେହିପରି କାହାର କୋଲେଷ୍ଟ୍ରଲ୍, ଟ୍ରାଇଗ୍ଲିସେରାଇଡ୍ ଯଦି ଲମ୍ବା ସମୟ ଯାଏଁ ବଢ଼ି ରହିଥାଏ, ତେବେ କିଡ୍ନି ଖରାପ ହେବାର ମଧ୍ୟ ସମ୍ଭାବନା ରହିଛି। ଏହାଛଡ଼ା ବାରମ୍ବାର ୟୁରିନ୍ ଇନ୍ଫେକ୍ସନ ବା ମୂତ୍ର ସଂକ୍ରମଣ ସହିତ ଜ୍ୱର ହେଉଥିଲେ କିଡ୍ନି ସମସ୍ୟାର ଆଶଙ୍କା ଥାଏ।
କିଡ୍ନି ଖରାପ ହେବାର ଅନ୍ୟ ଏକ ଜଣାଶୁଣା କାରଣ ହେଉଛି ପେନ୍କିଲର। ଯଦି ଆପଣ ଲମ୍ବା ସମୟ ଧରି କିଛି ପେନ୍କିଲର ଖାଉଥାନ୍ତି ତେବେ ଆପଣଙ୍କ କିଡ୍ନି ଉପରେ ଏହାର ପ୍ରଭାବ ପଡ଼ିପାରେ। ସେହିପରି ଅନ୍ୟାନ୍ୟ ନେଫ୍ରୋଟକ୍ସିକ୍ ଔଷଧ ଖାଇବା ଦ୍ୱାରା ମଧ୍ୟ କିଡ୍ନି ଖରାପ ହେବାର ସମ୍ଭାବନା ଥାଏ। ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଗ୍ରହଣ କରନ୍ତୁ ନାହିଁ।
କିଡ୍ନି ରୋଗର ଲକ୍ଷଣ (Symptoms of Kidney Failure in Odia)
- ଦୁର୍ବଳ ଲାଗିବା।
- ମୁହଁ ପାଦ ଫୁଲିବା
- ପରିସ୍ରାର ପରିମାଣ କମିଯିବା
- ଧଇଁସଇଁ ଲାଗିବା
- ରକ୍ତହୀନତା ଦେଖାଯିବା
ଏସବୁ ହେଉଛି କିଡ୍ନି ଖରାପ ହେବାର ଲକ୍ଷଣ। ତେବେ ଯେ କୌଣସି ବ୍ୟକ୍ତି ଦୁର୍ବଳ ଅନୁଭବ କଲେ ଯେ କିଡ୍ନି ରୋଗ ହୋଇଛି ସେଭଳି ଭାବିବା ଠିକ୍ ନୁହେଁ। ଧରନ୍ତୁ ଆଗରୁ ଆପଣ ଗୋଟିଏ ଦିନରେ ୪ କିଲୋମିଟର ଚାଲୁଥିଲେ, ତାହା ଧିରେ ଧିରେ କମିଯାଇ ୨ରୁ ୧ କିଲୋମିଟର ହୋଇଯାଉଛି।
ଏହା ସହିତ ଯଦି ମୁହଁ ବା ପାଦ ଇତ୍ୟାଦି ଫୁଲି ଯାଇଛି, ରକ୍ତରୁ ହିମୋଗ୍ଲୋବିନ କମି ଯାଇଛି, ବ୍ଲଡ୍ ପ୍ରେସର ବଢ଼ିଯାଇଛି ଏବଂ ପରିସ୍ରାର ପରିମାଣ ମଧ୍ୟ କମି ଯାଉଛି ତେବେ ଏସବୁ କିଡ୍ନି ଖରାପ ହେବାର ସଂକେତ ବୋଲି ଭାବିବା। ତେବେ ନିଶ୍ଚିତ ହେବା ପାଇଁ ଆପଣଙ୍କୁ ଏକ ପରୀକ୍ଷା କରିବାକୁ ପଡ଼ିବ।
ପରୀକ୍ଷା କରି ଜାଣନ୍ତୁ କିଡ୍ନି ସମସ୍ୟା
ସାଧାରଣ ରକ୍ତ ପରୀକ୍ଷାରୁ ଜାଣି ହେବ ଯେ ଜଣଙ୍କ କିଡନି ସୁସ୍ଥ ଅଛି କି ନାହିଁ। ରକ୍ତରେ ୟୁରିଆ ଏବଂ କିଏଟିନ୍ର ମାତ୍ରା ବଢ଼ି ଯାଇଥିଲେ କିଡ୍ନି ଖରାପ ହୋଇଥିବା ଜଣାପଡ଼ିଥାଏ। ତେବେ ଜଣେ ରୋଗୀର ଅବସ୍ଥା ଦେଖି ହିଁ ଭିନ୍ନ ଭିନ୍ନ ଚିକିତ୍ସା କରାଯାଇଥାଏ।
କିଡ୍ନି ରୋଗର ଚିକିତ୍ସା (Treatment of Kidney diseases in Odia)
ସାଧାରଣତଃ କିଡ୍ନି ଖରାପ ହେବା ଶୁଣିଲେ ଲୋକେ ଡରିଯାଇଥାନ୍ତି। ତେବେ ଏଥିରେ ଡରିବାର କିଛି ନାହିଁ। ଏହା ଏକ ରୋଗ ଏବଂ ଏହାର ଚିକିତ୍ସା ସମ୍ଭବ। ଯଦି କାହାର କିଡ୍ନି ଖରାପ ହେଉଛି ଏହାକୁ ୩ଟି ଷ୍ଟେଜ୍ରେ ବିଭକ୍ତ କରିପାରିବା। ଯେଉଁ ବ୍ୟକ୍ତିଙ୍କ କିଡ୍ନି ସାମାନ୍ୟ ଖରାପ ହୋଇଛି, ସେମାନଙ୍କୁ କୌଣସି ଔଷଧ ନେବାକୁ ପଡ଼ିବ ନାହିଁ। ଯେଉଁ କାରଣ ପାଇଁ କିଡ୍ନି ଖରାପ ହୋଇଛି, ତାହାକୁ ନିୟନ୍ତ୍ରଣ କରିବାକୁ ହେବ। ଉଦାହରଣ ସ୍ୱରୂପ, ଆପଣଙ୍କର ଡାଏବେଟିସ ଏବଂ ବ୍ଲଡ୍ ପ୍ରେସର ବଢ଼ିଯାଇଛି, ତେବେ ଆପଣ ତାହା ନିୟନ୍ତ୍ରଣ କଲେ ସୁସ୍ଥ ହେବାର ସମ୍ଭାବନା ରହିଛି।
କିଛି ଲୋକଙ୍କର କ୍ଷେତ୍ରରେ ଆବଶ୍ୟକ ଔଷଧ ଦେଇ କିଡ୍ନି ରୋଗର ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ କିଛି ବ୍ୟକ୍ତିଙ୍କଠାରେ ସମସ୍ୟା ଅଧିକ ଗୁରୁତର ହୋଇଥାଇପାରେ। ତେଣୁ ସେମାନଙ୍କର ଡାଏଲିସିସ୍ କରାଯାଇଥାଏ।
ଡାଏଲିସିସ୍ କୌଣସି ଜଟିଳ ଜିନିଷ ନୁହେଁ। ଡାଏଲିସିସ୍ ଜରିଆରେ ଆମେ କୃତ୍ରିମ ଭାବେ ମେସିନ୍ ସାହାଯ୍ୟରେ ଶରୀରର ରକ୍ତକୁ ଛଣା ଯାଇଥାଏ ବା ସଫା କରାଯାଇଥାଏ। ଯଦି ଆପଣଙ୍କ ଡାଏଲେସିସ୍ ଦରକାର ହେଉଛି ତେବେ ନିଶ୍ଚିତ କରାନ୍ତୁ। ନଚେତ୍ ସମସ୍ୟା ଜଟିଳ ହେବାର ସମ୍ଭାବନା ରହିଛି।
ରୋଗୀଙ୍କର ଅବସ୍ଥା ଦେଖି ସପ୍ତାହକୁ ୧ରୁ ୩ଥର ଯାଏଁ ଡାଏଲିସିସ୍ କରିବାକୁ ପଡ଼ିଥାଏ। ତେବେ ଡାଏଲିସିସ୍ କିଡ୍ନି ରୋଗର ସ୍ଥାୟୀ ଚିକିତ୍ସା ନୁହେଁ। ଏହାର ମୂଳ ଲକ୍ଷ୍ୟ ହେଉଛି କିଡ୍ନି କାମ କରୁନଥିବାରୁ କୃତ୍ରିମ ଉପାୟରେ ରକ୍ତ ଶୋଧନ କରିବା ଯାହାକି ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ତେବେ କିଡ୍ନି ଖରାପ ହେବାର ସ୍ଥାୟୀ ଚିକିତ୍ସା ହେଉଛି କିଡ୍ନି ଟ୍ରାନ୍ସପ୍ଲାଣ୍ଟେସନ ବା ପ୍ରତିରୋପଣ।
କିଡ୍ନି ଟ୍ରାନ୍ସପ୍ଲାଣ୍ଟେସନ କ’ଣ? (Kidney Transplantation in Odia)
ଜଣେ ସୁସ୍ଥ ଲୋକଠାରୁ କିଡ୍ନି ଆଣି ରୋଗୀର ଦେହରେ ପ୍ରତିରୋପଣ କରିବାକୁ କିଡ୍ନି ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ। ତେବେ ପ୍ରଥମେ ଆମେ ଜାଣି ରଖିବା ଦରକାର କି କେଉଁ ବ୍ୟକ୍ତି କିଡ୍ନି ଦାନ କରିପାରିବେ?
ସାଧାରଣତଃ ୧୮ରୁ ୬୦ ବର୍ଷର କୌଣସି ସୁସ୍ଥ ବ୍ୟକ୍ତି କିଡ୍ନି ଦାନ କରିପାରିବେ। ଅର୍ଥାତ୍ ତାଙ୍କର ଡାଏବେଟିସ୍ କିମ୍ବା ବ୍ଲଡ୍ ପ୍ରେସର ନଥିବ ବା ଅନ୍ୟ କୌଣସି ଜଟିଳ ରୋଗ ହୋଇନଥିବା। ତା’ ଛଡ଼ା ରୋଗୀର ବ୍ଲଡ୍ଗ୍ରୁପ୍ ସହିତ ସୁସ୍ଥ ବ୍ୟକ୍ତିଙ୍କ ବା ଦାତାଙ୍କ ବ୍ଲଡ୍ଗ୍ରୁପ୍ ମ୍ୟାଚ୍ କରୁଥିବା ଆବଶ୍ୟକ।
ବିଭିନ୍ନ ପରୀକ୍ଷା ପରେ ଡାକ୍ତର ଯଦି ନିଶ୍ଚିତ ହେବେ ଯେ କିଡନି ଦାନ କରିବାକୁ ଆଗ୍ରହୀ ଥିବା ବ୍ୟକ୍ତି ଜଣକ ଗୋଟିଏ କିଡ୍ନିରେ ସୁସ୍ଥ ଭାବେ ବଞ୍ଚିପାରିବେ, ତେବେ ଯାଇ ତାଙ୍କଠାରୁ କିଡ୍ନି ନେଇ ଟ୍ରାନ୍ସପ୍ଲାଣ୍ଟେସନ କଥା ଆଗକୁ ବଢ଼ିପାରିବ। ଏହାପରେ ଅତ୍ୟାଧୁନିକ ଅପରେସନ ସାହାଯ୍ୟରେ ସୁସ୍ଥ ବ୍ୟକ୍ତିର ଶରୀରରୁ କିଡ୍ନି ଆଣି ରୋଗୀ ଶରୀରରେ ପ୍ରତିରୋପଣ କରାଯାଇଥାଏ।
ସୁସ୍ଥ କିଡ୍ନି ପାଇଁ ଦରକାର ସୁସ୍ଥ ଲାଇଫ୍ଷ୍ଟାଇଲ (Impact of Lifestyle on Kidney in Odia)
କିଡ୍ନି ଆମ ଶରୀରର ବର୍ଜ୍ୟବସ୍ତୁ ନିଷ୍କାସନ କରେ। ତେବେ ଆମେ କିଭଳି ଜୀବନଶୈଳୀ ଆପଣାଇଲେ ଆମ କିଡ୍ନି ସୁସ୍ଥ ଭାବରେ କାର୍ଯ୍ୟ କରିବ? ଆସନ୍ତୁ ଏ ବିଷୟରେ ଜାଣିବା।
ନିୟମିତ ଭାବେ ପ୍ରତିଦିନ ୩୦ ମିନିଟ୍ରୁ ୧ ଘଣ୍ଟା ଯାଏଁ ଶାରୀରିକ ବ୍ୟାୟାମ କରିବା ଆବଶ୍ୟକ। ଏହା ସହ ଆପଣଙ୍କୁ ହେଲ୍ଦି ଡାଏଟ୍ ବା ସୁସ୍ଥ ଓ ସନ୍ତୁଳିତ ଆହାର ଆପଣାଇବାକୁ ପଡ଼ିବ। କିଡ୍ନିକୁ ସୁସ୍ଥ ରଖିବାକୁ ଆପଣଙ୍କ ଖାଦ୍ୟ ତାଲିକାରେ ଶ୍ୱେତସାର ଏବଂ ଚର୍ବିଜାତୀୟ ଖାଦ୍ୟ କମ୍ ରହିବା ଦରକାର। ସେହିପରି ପ୍ରୋଟିନ୍ ଏବଂ ତନ୍ତୁଜାତୀୟ ଖାଦ୍ୟ (ଫାଇବର୍) ଅଧିକ ରହିବା ଦରକାର। ଆମିଷ ଖାଦ୍ୟ କମ୍ ଖାଇବେ। ଚୁନା ମାଛ ଅଧିକ ଖାଇପାରିବେ। ତେବେ ମଟନ୍ ଏବଂ ଚିକେନ୍ କମ୍ ଖାଇବେ। ଯଥେଷ୍ଟ ପରିମାଣର ଶାଗ, ପନିପରିବା ଏବଂ ଫଳମୂଳ ଖାଇବା ଉଚିତ୍।
ସୁସ୍ଥ କିଡ୍ନି ପାଇଁ ଆପଣ ଯେ କୌଣସି ଟବାକୋ ଜାତୀୟ ପଦାର୍ଥଠାରୁ ଦୂରେଇ ରହନ୍ତୁ। ଧୂମପାନ, ମଦ୍ୟପାନ, ପାନ, ଗୁଟ୍ଖା ଖାଆନ୍ତୁ ନାହିଁ। ଏହା ବ୍ଲଡ୍ ପ୍ରେସର ଏବଂ ଡାଏବେଟିସକୁ ବଢ଼ାଇ ଦେଇଥାଏ, ଯାହା କିଡ୍ନି ପାଇଁ କ୍ଷତିକାରକ। ଏହା ସିଧାସଳଖ ମଧ୍ୟ କିଡ୍ନିକୁ ପ୍ରଭାବିତ କରିଥାଏ। ଯେଉଁମାନେ ଅଧିକ ଧୂମପାନ କରନ୍ତି, ସେମାନଙ୍କ କିଡ୍ନି ଖରାପ ହେବାର ଅଧିକ ସମ୍ଭାବନା ଥାଏ।
ଡାଏବେଟିସ୍ କିମ୍ବା ବ୍ଲଡ ପ୍ରେସର ଥିବା ବ୍ୟକ୍ତି ନିୟମିତ ବ୍ୟାୟାମ କରିବା ଆବଶ୍ୟକ। ଏଥିସହିତ ଔଷଧ ଖାଇ ଏବଂ ଉପଯୁକ୍ତ ଖାଦ୍ୟପେୟ ନେଇ ଏହାକୁ ନିୟନ୍ତ୍ରଣରେ ରଖିବା ଦରକାର।
କିଡ୍ନି ରୋଗୀ ଲୁଣ ଜାତୀୟ ଖାଦ୍ୟ ନିହାତି ଭାବେ କମ୍ ଖାଇବା ଉଚିତ। ଅନ୍ୟପକ୍ଷରେ ଜଙ୍କ୍ ଫୁଡ୍ଠାରୁ ଦୂରେଇ ରହିବା ଦରକାର। ଜଙ୍କ୍ ଫୁଡ୍ରେ ଥିବା ବିଭିନ୍ନ ଅସ୍ୱାସ୍ଥ୍ୟକର ପଦାର୍ଥ କିଡ୍ନିକୁ ଖରାପ କରିବାର ସମ୍ଭାବନା ଥାଏ। ତେଣୁ ଜଙ୍କ୍ ଫୁଡ୍ଠାରୁ ଦୂରେଇ ରହିବା ଏବଂ ସତେଜ ଖାଦ୍ୟ ଖାଇବା ଉଚିତ୍।
ବର୍ତ୍ତମାନ ସମୟରେ ଲୋକମାନେ ମାନସିକ ଭାବେ ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି। ଚିନ୍ତାଗ୍ରସ୍ତ ରହିଲେ ଆପଣଙ୍କ ବ୍ଲଡ୍ ପ୍ରେସର ବଢ଼ିବ। ତେଣୁ ମାନସିକ ଭାବେ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତୁ। ସେହିପରି ବର୍ତ୍ତମାନର ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନ୍ର ବହୁଳ ବ୍ୟବହାର ହେଉଛି। ଏହା ଲୋକଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପକାଉଛି। ଯୁବାପିଢ଼ିଙ୍କ ନିଦ୍ରା ଉପରେ ଏହା ବିଶେଷ ଭାବେ ପ୍ରଭାବ ପକାଉଛି। କମ୍ ଶୋଇବା ଫଳରେ ବ୍ଲଡ୍ପ୍ରେସରଜନିତ ରୋଗ ହୋଇପାରେ, ଯାହା କିଡ୍ନିକୁ ପ୍ରଭାବିତ କରିଥାଏ।
ଡାକ୍ତରଙ୍କ ଉପଦେଶ ହେଉଛି ନିୟମିତ ଯୋଗ, ବ୍ୟାୟାମ କରନ୍ତୁ। ଦିନକୁ ୪ରୁ ୬ଥର ଖାଦ୍ୟ ଖାଆନ୍ତୁ। ନିୟମିତ ଭାବେ ୬ରୁ ୮ ଘଣ୍ଟା ଶୋଇବା ଉଚିତ୍।
ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା (Routine Health Checkup in Odia)
କିଡନି ରୋଗର କୌଣସି ଲକ୍ଷଣ ଦେଖାଗଲେ ମାତ୍ରେ ଅବହେଳା କରନ୍ତୁ ନାହିଁ, ଚିକିତ୍ସା କରନ୍ତୁ। ଅନ୍ୟପକ୍ଷରେ ବେଳେବେଳେ ଆମ ଶରୀରରେ ରୋଗର ଭଲ ଭାବରେ ଲକ୍ଷଣ ଦେଖାଦେଇ ନଥାଏ କିମ୍ବା ରୋଗୀ ତାହା ଜାଣି ପାରି ନଥାଏ। ତେବେ ଆମେ ଲକ୍ଷଣକୁ ଜାଣି ନପାରିଲେ ମଧ୍ୟ ରୋଗ ଭିତରେ ଭିତରେ ବଢ଼ିବାରେ ଲାଗେ।
ଏହି ସମସ୍ୟାକୁ ଦୂର କରିବାର ଗୋଟିଏ ସମାଧାନ ହେଉଛି ନିୟମିତ ହେଲ୍ଥ ଚେକ୍ଅପ୍। ଆପଣ ସୁସ୍ଥ ଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ରୁଟିନ୍ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥାଏ। ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ନିୟମିତ ହେଲ୍ଥ ଚେକ୍ଅପ୍ ନିହାତି ଦରକାର। ସେହିପରି ସୁସ୍ଥ ବ୍ୟକ୍ତି ମଧ୍ୟ ବର୍ଷକୁ ଥରେ ହେଲ୍ଥ ଚେକ୍ଅପ୍ କରିବା ଦରକାର।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବିଶ୍ୱଜିତ୍ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on Kidney ailments with their symptoms & treatment and the option for Kidney transplantation based on the interview with Dr Biswajit Nanda, Consultant Urology, Andrology and Kidney Transplant Surgeon.