ସ୍ୱାସ୍ଥ୍ୟପ୍ଲସ୍ ବ୍ୟୁରୋ
- ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍
- ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
- ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ଜରୁରୀ ସେବା’
କୋଭିଡ୍ ମହାମାରୀ ଉଭୟ ଜୀବନ ଓ ଜୀବିକା ଉପରେ ଶକ୍ତ ପ୍ରହାର କରିଛି। ଗୋଟେ ପଟେ ସଂକ୍ରମଣରେ ଲୋକେ ପ୍ରାଣ ହରାଉଥିବା ବେଳେ ଅନ୍ୟପଟେ ଲକଡାଉନ୍ ଓ ସଟଡାଉନ୍ କାରଣରୁ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି। ଲୋକେ ହାତ ବାନ୍ଧି ଘରେ ବସିଛନ୍ତି। ହେଲେ ଏହି ଜଟିଳ ସମୟରେ ବିଭିନ୍ନ ଜନକଲ୍ୟାଣ ଯୋଜନା ନିରନ୍ତର ଚାଲିଛି। ଶିଶୁ, ମହିଳା, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ସାଧାରଣ ବର୍ଗର ଲୋକ ଯେମିତ ଅସୁବିଧା ନ ଭୋଗିବେ ସେଥିପାଇଁ ପ୍ରୟାସ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍ ୨’ ଭିଡିଓ ସିରିଜର ତୃତୀୟ ଅଧ୍ୟାୟରେ ପ୍ରସଙ୍ଗ ଥିଲା ‘କୋଭିଡ୍ ସମୟରେ ଜରୁରୀ ସେବା’।
ୟୁନିସେଫ୍ ସହାୟତାରେ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।
ଜୁନ ୨୬ ତାରିଖ, ଶନିବାର ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଆପଣ ଦେଖିଛନ୍ତି ‘କେତେ ନୂଆ ବାଟ ସିଜିନ୍ ୨’ର ତୃତୀୟ ଭିଡିଓ ସିରିଜ ‘କୋଭିଡ୍ ସମୟରେ ଜରୁରୀ ସେବା’। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍ ଏବଂ ଓଡ଼ିଶାଲାଇଭ୍ର ୟୁଟ୍ୟୁବ୍ ଏବଂ ଫେସ୍ବୁକ୍ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯାଇଛି।
ଭିଡିଓ ସିରିଜର ତୃତୀୟ ଅଧ୍ୟାୟରେ ସାମିଲ ହୋଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ, ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସ, ବ୍ରହ୍ମାକୁମାରୀ ଦୁର୍ଗେଶ ନନ୍ଦିନୀ, ଅଙ୍ଗନବାଡ଼ିକର୍ମୀ ଛାୟା ମହାନନ୍ଦ, ସ୍ୱେଚ୍ଛାସେବୀ ଡିମ୍ପଲ ନାଗ।
‘‘ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଭୁକ୍ତ ରାଜ୍ୟର ପାଖାପାଖି ୯୨ ଲକ୍ଷ ରାସନ କାର୍ଡଧାରୀଙ୍କୁ ବିଭିନ୍ନ ରାସନ ଦିଆଯାଉଛି। କୋଭିଡ୍ ମାହାମାରୀ ପାଇଁ ଲୋକମାନଙ୍କ ଘର ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଯାଉଛି। ବର୍ତ୍ତମାନ ସମୟରେ ସ୍କୁଲ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ବାବଦକୁ ପିଲାଙ୍କୁ ଟଙ୍କା ଦିଆଯାଉଛି। ଏହି ସେବାଗୁଡ଼ିକ କେମିତି ଚାଲିଛି ଜାଣିବା ପାଇଁ ମଝିରେ ମଝିରେ ସବୁ ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଉଛି’’ କହିଥିଲେ ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ।
‘‘କୋଭିଡ୍ ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। ଲକଡାଉନ୍, ସଟଡାଉନ, ସଂକ୍ରମଣ, ଚିକିତ୍ସା ଲୋକଙ୍କୁ ଚିନ୍ତାରେ ପକାଇଛି। ବିଶେଷକରି ଗରିବ ଓ ବିପଦସଙ୍କୁଳ ବର୍ଗ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଏ ସମୟରେ ରାଜ୍ୟ ସରକାର ବିଭିନ୍ନ ଜରୁରୀ ସେବାଗୁଡ଼ିକୁ ଜାରି ରଖିଛନ୍ତି। ପୋଷଣ ଓ ସଚେତନତା ପାଇଁ ଘରକୁ ଘର ବୁଲୁଛନ୍ତି ଆଶା ଓ ଅଙ୍ଗନବାଡ଼ି କର୍ମୀ। ସେହିପରି ଝିଅମାନଙ୍କ ଭିତରେ ରକ୍ତହୀନତା ନିରାକରଣ ପାଇଁ ଔଷଧ ମଧ୍ୟ ଦେଉଛନ୍ତି। ଏହି ସମୟରେ ପୁଷ୍ଟିସାଧନ ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ୟୁନିସେଫ୍ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସରକାରଙ୍କୁ ସହଯୋଗ କରି ଆସୁଛି’’, କହିଥିଲେ ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍।
ଏବେ କୋଭିଡର ତୃତୀୟ ଲହର କଥା କୁହାଯାଉଛି। ଆଗାମୀ ଦିନରେ ଛୋଟ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ତେଣୁ ଏହାର ମୁକାବିଲା ଲାଗି ରାଜ୍ୟ ସରକାର କିଭଳି ପ୍ରସ୍ତୁତ ହେଉଛନ୍ତି ସେ ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଥିଲେ, ‘‘ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ତୃତୀୟ ଲହର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛିା ଆମେ ସର୍ବପ୍ରଥମେ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛୁ। ପିଲାଙ୍କ ପାଇଁ ୧୬ ଶହରୁ ଅଧିକ ସାଧାରଣ ଶଯ୍ୟା, ୬୧୦ ଆୟୁସିୟୁ ଶଯ୍ୟା ସଂରକ୍ଷିତ କରିବାକୁ କୁହାଯାଇଛି। ଶିଶୁ ଭବନରେ ଏକ କୋଭିଡ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ ସହିତ ସମସ୍ତ ମେଡିକାଲ କଲେଜରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶାଖା ରଖିବାକୁ କୁହାଯାଇଛି ଏବଂ ଡାକ୍ତର ଏବଂ ନର୍ସଙ୍କୁ ଶିଶୁଙ୍କ ଚିକିତ୍ସା ପାଇଁ ଟ୍ରେନିଂ ଦିଆଯାଉଛିା ଔଷଧ, ଅକ୍ସିଜେନ୍ ମହୁଜଦ ରଖାଯାଇଛି’’।
ସେହିପରି ଏହି ଭିଡିଓ ସିରିଜ୍ରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସ ସାମିଲ ହୋଇଥିଲେ। ପିଲାମାନଙ୍କୁ କିଭଳି କୋଭିଡରୁ ସୁରକ୍ଷିତ ରଖି ହେବ ସେ ସମ୍ପର୍କରେ ସେ କହିଥିଲେ, ‘‘ପିଲାଙ୍କୁ କୋଭିଡରୁ ସୁରକ୍ଷିତ ରଖିବାର ୩ଟି ଉପାୟ ରହିଛି। ପ୍ରଥମେ ପିଲାଙ୍କୁ ଭିଡ଼ରୁ ଦୂରେଇ ରଖିବା, ଦ୍ୱିତୀୟରେ ୫ ବର୍ଷ ବୟସରୁ ଅଧିକ ହୋଇଥିଲେ ମାସ୍କ ପିନ୍ଧାଇବା, ତୃତୀୟରେ ପିଲାଙ୍କୁ ପରିଷ୍କାର ରଖିବା। ଯେତେବେଳେ ପିଲାଙ୍କ ପାଇଁ ଟିକା ଆସିଯିବ ସେତେବେଳେ ପିଲାଙ୍କୁ ନିଶ୍ଚୟ ଟିକାକରଣ କରାଇବେ।’’
ଏହାଛଡ଼ା ଏହି ଭିଡ଼ିଓ ସିରିଜରେ କୋରାପୁଟରେ କାର୍ଯ୍ୟ କରୁଥିବା ଶୋଭା ସ୍ୱେଚ୍ଛାସେବୀ ସଙ୍ଗଠନର ଜଣେ କର୍ମୀ ଡିମ୍ପଲ ନାଗ ସାମିଲ ହୋଇଥିଲେ।
‘‘ଘର ଘର ବୁଲି ଲୋକଙ୍କୁ କେମିତି ହାତ ଧୋଇବେ, କେମିତି ମାସ୍କ ପିନ୍ଧିବେ ସେ ବିଷୟରେ କହୁଛୁ। କାହାଠାରେ ଥଣ୍ଡା, ଜ୍ୱରର ଲକ୍ଷଣ ଦେଖାଗଲେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ କହୁଛୁ। ଅଙ୍ଗନବାଡ଼ି ଓ ଆଶ କର୍ମୀଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଛୁ’’, କହିଥିଲେ ଶୋଭାର ସ୍ୱେଚ୍ଛାସେବୀ ଡିମ୍ପଲ ନାଗ।
‘‘କୋଭିଡ ସହ ଲଢ଼ିବା ପାଇଁ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି, ସମସ୍ତେ ତାହାର ସୁଯୋଗ ନେବା ଉଚିତ। ସୋସିଆଲ ମିଡିଆରେ ଯେଉଁସବୁ ଗୁଜବ ଘୁରି ବୁଲୁଛି ତା ଉପରେ ବିଶ୍ୱାସ ନକରି ସମସ୍ତେ ଟିକା ନିଅନ୍ତୁ। ଟିକା ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଛି’’, କହିଥିଲେ ବ୍ରହ୍ମକୁମାରୀ ଦୁର୍ଗେଶ ନନ୍ଦିନୀ।
ସୋନପୁରର ଜଣେ ଅଙ୍ଗନବାଡ଼ି କର୍ମୀ ଛାୟା ମହାନନ୍ଦ ଭିଡିଓ ସିରିଜରେ ଭାଗ ନେଇଥିଲେ। ସେ କିଭଳି ଗୀତ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ସେ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ।
ସେହିପରି ଏହି ଭିଡିଓ ସିରିଜରେ ଆପଣମାନେ ଦେଖିଥିଲେ କୋଭିଡ ସମୟରେ ରାଜଧାନୀ ଭୁବନେଶ୍ୱରରେ କିଭଳି ଆହାର କେନ୍ଦ୍ର ଚାଲିଛି, ନୂଆ ଟିକାକରଣ ନୀତି ଲାଗୁ ହେବା ପରେ ଲୋକଙ୍କ ଭିତରେ କିଭଳି ଉତ୍ସାହ ରହିଛି।
କୋଭିଡ୍-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।
ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଓ ପ୍ରଯୋଜକ ଅଛନ୍ତି।
ଭିଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।