ଶିଶୁମାନଙ୍କୁ ସବୁଜ ପନିପରିବା ଓ ଫଳ ଖୁଆନ୍ତୁ ଏବଂ କର୍କଟ ରୋଗ ଭଳି ମାରାତ୍ମକ ରୋଗ ଦାଉରୁ ରକ୍ଷା କରନ୍ତୁ।

ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିମଧ୍ୟରୁ ଭାରତରେ ପାଖାପାଖି ୧୨ ପ୍ରତିଶତ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଶିଶୁମାନଙ୍କୁ ଏହି ମାରାତ୍ମକ ରୋଗ ଦାଉରୁ ଦୂରରେ ରଖିବା ପାଇଁ ପିତାମାତାଙ୍କର ବିଶେଷ ଦାୟିତ୍ୱ ରହିଛି।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ଶିଶୁ କର୍କଟ ଦିବସ ପାଳନ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପେଡିଆଟ୍ରିକ୍ ଅଙ୍କୋଲଜିଷ୍ଟ ଡାକ୍ତର ସରୋଜ ପଣ୍ଡା କହିଥିଲେ, ‘‘୫ ବର୍ଷ ମଧ୍ୟରେ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆସିଥିବା ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୭୦୦ ଜଣଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ମାତ୍ର ଉପଯୁକ୍ତ ଚିକିତ୍ସା ଫଳରେ ୩୫୦ ଜଣ ରୋଗ ମୁକ୍ତ ହୋଇପାରିଛନ୍ତି।

ଅଧିକାଂଶ କ୍ଷେତ୍ରରେ ବଂଶଗତ କାରଣ ଯୋଗୁଁ ଶିଶୁମାନଙ୍କୁ କର୍କଟ ରୋଗ ହେଉଛି। ମାତ୍ର ରୋଗ ପ୍ରାଥମିକ ସ୍ତରରେ ଚିହ୍ନଟ ହୋଇପାରିଲେ ଓ ଉତ୍ତମ ଚିକିତ୍ସା ମିଳିଲେ ଏଥିରୁ ସୁସ୍ଥତା ମିଳିପାରିବ। ଶିଶୁମାନଙ୍କ କ୍ଷେତ୍ରରେ ପ୍ରାୟତଃ ଲ୍ୟୁକୋମିଆ, ବ୍ରେନ୍ ଟ୍ୟୁମର, କିଡ୍‌ନି ଟ୍ୟୁମର୍‌, ଲିଭର ଟ୍ୟୁମର ବା ବୋନ୍ ସାର୍କୋମା ଭଳି କର୍କଟ ଦେଖାଯାଏ। ତେବେ ପିଲା ସୁସ୍ଥ ରହିଲେ, ସଠିକ୍ ଓଜନ ସହିତ ବଢ଼ିଲେ, ନିୟମିତ ବ୍ୟାୟାମ କଲେ ଓ ସବୁଜ ପନିପରିବା ଓ ଫଳ ଖାଇଲେ ଏହି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଡାକ୍ତର ପଣ୍ଡା କହିଥିଲେ।

ଏହାଛଡ଼ା ଜଙ୍କ ଫୁଡ୍‌ରୁ ପିଲାମାନେ ଦୂରରେ ରହିବା ନିହାତି ଜରୁରୀ ବୋଲି ଡାକ୍ତର ପଣ୍ଡା ପରାମର୍ଶ ଦେଇଥିଲେ।