ଶରୀରକୁ ସୁସ୍ଥ ଏବଂ ସକ୍ରିୟ କରି ରଖିବା ପାଇଁ ଏହି ହରମୋନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ହରମୋନ ସଂପର୍କରେ ଜାଣନ୍ତୁ।
ଯେତେବେଳେ ମଧୁମେହର କଥା ଆସେ ସେତେବେଳେ ଇନସୁଲିନ ହରମୋନ କଥା ଉଠିଥାଏ। କାରଣ ଏହି ହରମୋନ ଶରୀରରେ ଶର୍କରାର ସ୍ତରକୁ ନିୟନ୍ତ୍ରିତ କରି ରଖିଥାଏ । ଏହାର ଅଭାବ ହେଲେ ବ୍ୟକ୍ତିଜଣକ ମଧୁମେହ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି।
ଇନସୁଲିନ ହରମୋନ କ’ଣ?
ମଣିଷ ଶରୀରରେ ପାଚନତନ୍ତ୍ରରେ ପାନକ୍ରିୟାଜର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ। ଏହା ଯକୃତ ଏବଂ କ୍ଷୁଦ୍ରାନ୍ତ୍ର ସହିତ ଜଡ଼ିତ। ଏଥିରେ ୩ ପ୍ରକାର କୋଷିକା ରହିଥାଏ-ଆଲଫା, ବିଟା ଏବଂ ଗାମା। ଏଥିମଧ୍ୟରୁ ବିଟା ସେଲ ଇନସୁଲିନ ବନାଇବାର କାମ କରିଥାଏ। ଅତ୍ୟଧିକ ଚାପ ଏବଂ ଅନିଦ୍ରା ଯୋଗୁ ବିଟା ସେଲସ ନଷ୍ଟ ହେବାକୁ ଆରମ୍ଭ କଲେ। ଏହାର ଅନୁପସ୍ଥିତିରେ ଇନସୁଲିନ ସୃଷ୍ଟି ହୋଇପାରେ ନାହିଁ। ଏହାଯୋଗୁ ବ୍ୟକ୍ତିଙ୍କର ଶର୍କରାର ମାତ୍ରା ବଢ଼ି ବଢ଼ି ଚାଲେ।
କିଭଳି କାମ କରେ?
ପାନକ୍ରିୟାଜରେ ଥିବା ବିଟା ସେଲସ ସବୁବେଳେ ଗ୍ଲୁକୋଜର ମାତ୍ରାକୁ ଯାଞ୍ଚ କରି ଚାଲିଥାଏ। ଗ୍ଲୁକୋଜର ମାତ୍ରା ଅଧିକ ହୋଇଗଲେ ଏହା ତୁରନ୍ତ ଇନସୁଲିନ ପ୍ରସ୍ତୁତ କରିବା ଆରମ୍ଭ କରେ। ବ୍ୟକ୍ତିଜଣକ ଖାଦ୍ୟ ଖାଇବା ପରେ ହିଁ ରକ୍ତରେ ଗ୍ଲୁକୋଜର ପରିମାଣ ବୃଦ୍ଧି ହୋଇଥାଏ ଏବଂ ବିଟା ସେଲସ ସକ୍ରିୟ ହୋଇ ଇନସୁଲିନ ବନାଇବା ଆରମ୍ଭ କରେ। ଏହା ସୁଗାର ଓ ଫ୍ୟାଟକୁ ଶକ୍ତିରେ ପରିବର୍ତ୍ତନ କରିଥାଏ ଯାହାଫଳରେ କି ଶରୀରରେ ସକ୍ରିୟତା ବଜାୟ ରହେ।
କ’ଣ ପାଇଁ ସମସ୍ୟା ହୁଏ?
ଅନେକ ସମୟରେ ପିଲାମାନଙ୍କ ଶରୀରରେ କିଛି ଏଭଳି ରୋଗପ୍ରତିରୋଧକ ତତ୍ତ୍ୱ ସକ୍ରିୟ ହୋଇଯାଏ ଯାହାକି ପାନକ୍ରିୟାଜକୁ ନଷ୍ଟ କରିବା ଆରମ୍ଭ କରେ। ତେଣୁ ଇନସୁଲିନ ବନିପାରେ ନାହିଁ। ଏହି ଅବସ୍ଥାକୁ ଟାଇଟ-୧ ମଧୁମେହ ବୋଲି କୁହାଯାଏ। ଅନ୍ୟପଟେ ଯେତେବେଳେ ବ୍ୟକ୍ତିଜଣକ ଅଧିକ ମାତ୍ରାରେ ଚର୍ବି, ସୁଗର ଜାତୀୟ ଖାଦ୍ୟ ଖାଇଥାନ୍ତି ସେତେବେଳେ ତାକୁ ଶକ୍ତିରେ ପରିଣତ କରିବା ପାଇଁ ପାନକ୍ରିୟାଜ ଉପରେ ଅଧିକ ଇନସୁଲିନ ବନାଇବା ଲାଗି ଚାପ ପଡ଼େ। ଏହାଯୋଗୁ ଧୀରେ ଧୀରେ ପାନକ୍ରିୟାଜର କାର୍ଯ୍ୟକ୍ଷମତା କମେ। ଏହି ଅବସ୍ଥାକୁ ଟାଇପ-୨ ମଧୁମେହ ବୋଲି କୁହାଯାଏ। ଟାଇପ-୨ ମଧୁମେହକୁ ନିୟନ୍ତ୍ରଣ କରିବା ସେତେ ଅଧିକ କଷ୍ଟକର ନୁହେଁ। ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ତାକୁ ନିୟନ୍ତ୍ରଣ କରିହେବ।
କ’ଣ କରିବେ?
ପ୍ରାତଃଭ୍ରମଣ ପରି ଶାରିରୀକ ଗତିବିଧି ଯୋଗୁ ଶରୀରରେ ଇନସୁଲିନର ସ୍ତର ସନ୍ତୁଳିତ ରହିଥାଏ। ତେଣୁ ଯଥାସମ୍ଭବ ଚାଲିବାକୁ ଉଦ୍ୟମ କରନ୍ତୁ। ଲିଫ୍ଟ ବଦଳରେ ସିଡ଼ିର ବ୍ୟବହାର କରନ୍ତୁ। ଖାଦ୍ୟପେୟରେ ନିୟମିତତା ଅବଲମ୍ବନ କରନ୍ତୁ। ଆମ୍ବ, ଲିଚୁ, କଦଳୀ, ଅଙ୍ଗୁର, ସପେଟା ଭଳି ଫଳ ବ୍ୟତୀତ ମଧୁମେହ ରୋଗୀମାନେ ଅନ୍ୟ ଫଳ ଖାଇପାରିବେ।ଜଙ୍କ ଫୁଡ୍, ପ୍ୟାକେଟ ଖାଦ୍ୟ ଖାଇବାକୁ ଏଡ଼ାଇ ଯାଆନ୍ତୁ।