insulin

ଡାଏବେଟିସ୍‌ ରୋଗୀ ଡାକ୍ତରଙ୍କ ପରାମର୍ଶରେ ଇନ୍‌ସୁଲିନ୍‌ ନେବା ଜରୁରୀ।

ବର୍ତ୍ତମାନ ଅଧିକାଂଶ ଲୋକଙ୍କଠାରେ ଦେଖାଯାଉଥିବା ରୋଗ ହେଉଛି ମଧୁମେହ ବା ଡାଏବେଟିସ୍। ଶରୀରରେ ଇନସୁଲିନର ମାତ୍ରାରେ ପରିବର୍ତ୍ତନ ଆସିଲେ ଏହି ରୋଗ ଦେଖାଦେଇଥାଏ। କାରଣ ଏହି ହରମୋନ ଶରୀରରେ ଶର୍କରାର ସ୍ତରକୁ ନିୟନ୍ତ୍ରିତ କରି ରଖିଥାଏ। ଏହାର ଅଭାବ ହେଲେ ବ୍ୟକ୍ତିଜଣକ ମଧୁମେହ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି।

ଡାଏବେଟିସ୍‌ ରୋଗୀଙ୍କ ପାଇଁ ଦୁଇ ପ୍ରକାରର ଔଷଧ ବ୍ୟବହାର କରାଯାଏ।

  • ଔଷଧ
  • ଇନ୍‌ସୁଲିନ୍‌

ଇନସୁଲିନ ହରମୋନ କ’ଣ?

ମଣିଷ ଶରୀରରେ ଥିବା ଅଗ୍ନାଶୟ ଗ୍ରନ୍ଥିରେ ୩ ପ୍ରକାର କୋଷିକା ରହିଥାଏ-ଆଲଫା, ବିଟା ଏବଂ ଗାମା। ଏଥିମଧ୍ୟରୁ ବିଟା କୋଷରୁ ଇନ୍‌ସୁଲିନ୍‌ ନିର୍ଗତ ହୋଇଥାଏ। ଏହି ଇନ୍‌ସୁଲିନ୍‌ ଆମ ଶରୀର ପାଇଁ ବେଶ୍‌ ଗୁରୁତ୍ଵପୂର୍ଣ୍ଣ। କାରଣ ଇନ୍‌ସୁଲିନ୍‌ ସାହାଯ୍ୟରେ ହିଁ ଜୀବକୋଷ ମଧ୍ୟରେ ଶର୍କରା ଦହନ ହୋଇ ଶରୀରର ସମସ୍ତ ଅଙ୍ଗକୁ ଶକ୍ତି ପ୍ରଦାନ କରିଥାଏ। ଅତ୍ୟଧିକ ଚାପ ଏବଂ ଅନିଦ୍ରା ଯୋଗୁଁ ବିଟା ସେଲ୍‌ସ ନଷ୍ଟ ହେବାକୁ ଆରମ୍ଭ କରେ। ଏହାର ଅନୁପସ୍ଥିତିରେ ଇନ୍‌ସୁଲିନ ସୃଷ୍ଟି ହୋଇପାରେ ନାହିଁ। ଏହାଯୋଗୁଁ ବ୍ୟକ୍ତିଙ୍କର ଶରୀରରେ ଶର୍କରାର ମାତ୍ରା ବଢ଼ି ବଢ଼ି ଚାଲେ। ଯାହାଫଳରେ ଡାଏବେଟିସ୍‌ ହୋଇଥାଏ।

ଇନ୍‌ସୁଲିନ୍‌କୁ ଇଞ୍ଜେକ୍‌ସନ୍‌ ମାଧ୍ୟମରେ ନେବାକୁ ପଡ଼ିଥାଏ।

୧୯୨୦ ମସିହାରୁ ଇନ୍‌ସୁଲିନ୍‌ ଆରମ୍ଭ ହୋଇଥିଲା। ପୂର୍ବରୁ ଗାଇ ବା ଘୁଷୁରୀର ପାନ୍‌କ୍ରିୟାଜ୍‌ରୁ ଇନ୍‌ସୁଲିନ୍‌ କାଢ଼ି ମଣିଷଙ୍କଠାରେ ବ୍ୟବହାର କରାଯାଉଥିଲା। ୧୯୯୦ ପରେ ହ୍ୟୁମାନ ଜେନେଟିକ୍‌ ଇନ୍‌ସୁଲିନ୍‌ ବାହାର କରାଗଲା ଏବଂ ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହାର କରାଯାଉଛି। କେତେଗୁଡ଼ିଏ ଇନ୍‌ସୁଲିନ୍‌ ଅଳ୍ପ ସମୟ ପାଇଁ କାମ କରେ, କେତେଗୁଡ଼ିଏ ୨୪ ଘଣ୍ଟା ଧରି ପାଇଁ କାମ କରିଥାଏ।

insulin

କିଭଳି କାମ କରେ?

ପାନକ୍ରିୟାଜରେ ଥିବା ବିଟା ସେଲ୍‌ସ ସବୁବେଳେ ଗ୍ଲୁକୋଜର ମାତ୍ରାକୁ ଯାଞ୍ଚ କରି ଚାଲିଥାଏ। ଗ୍ଲୁକୋଜର ମାତ୍ରା ଅଧିକ ହୋଇଗଲେ ଏହା ତୁରନ୍ତ ଇନସୁଲିନ ପ୍ରସ୍ତୁତ କରିବା ଆରମ୍ଭ କରେ। ବ୍ୟକ୍ତିଜଣକ ଖାଦ୍ୟ ଖାଇବା ପରେ ହିଁ ରକ୍ତରେ ଗ୍ଲୁକୋଜର ପରିମାଣ ବୃଦ୍ଧି ହୋଇଥାଏ ଏବଂ ବିଟା ସେଲସ ସକ୍ରିୟ ହୋଇ ଇନସୁଲିନ ବନାଇବା ଆରମ୍ଭ କରେ। ଏହା ସୁଗାର ଓ ଫ୍ୟାଟକୁ ଶକ୍ତିରେ ପରିବର୍ତ୍ତନ କରିଥାଏ ଯାହାଫଳରେ କି ଶରୀରରେ ସକ୍ରିୟତା ବଜାୟ ରହେ।

ଇନ୍‌ସୁଲିନ୍‌କୁ ଷ୍ଟୋର କିଭଳି କରିବେ?

ଇନ୍‌ସୁଲିନ୍‌କୁ ଫ୍ରିଜ୍‌ରେ ଏକ ପ୍ଲାଷ୍ଟିକ୍‌ ଡବା ଭିତରେ ରଖିପାରିବେ। ଫ୍ରିଜ୍‌ର ବରଫ ଚାମ୍ବର ଭିତେର ଇନ୍‌ସୁଲିନ୍‌ ରଖିବା ଆଦୌ ଉଚିତ ନୁହେଁ। ଯେଉଁମାନଙ୍କର ଫ୍ରିଜ୍‌ ନାହିଁ, ସେମାନେ ଯଦି ୪ ବୋତଲ ଇନ୍‌ସୁଲିନ୍ କିଣୁଛନ୍ତି, ତାହାହେଲେ ବୋତଲକୁ ପଲିଥିନ୍‌ରେ ବାନ୍ଧି ପାଣି ମାଠିଆରେ ରଖିଦିଅନ୍ତୁ।

କ’ଣ ପାଇଁ ସମସ୍ୟା ହୁଏ?

ଅନେକ ସମୟରେ ପିଲାମାନଙ୍କ ଶରୀରରେ କିଛି ଏଭଳି ରୋଗପ୍ରତିରୋଧକ ତତ୍ତ୍ୱ ସକ୍ରିୟ ହୋଇଯାଏ ଯାହାକି ପାନକ୍ରିୟାଜକୁ ନଷ୍ଟ କରିବା ଆରମ୍ଭ କରେ। ତେଣୁ ଇନସୁଲିନ ବନିପାରେ ନାହିଁ। ଏହି ଅବସ୍ଥାକୁ ଟାଇପ୍‌-୧ ମଧୁମେହ ବୋଲି କୁହାଯାଏ। ଅନ୍ୟପଟେ ଯେତେବେଳେ ବ୍ୟକ୍ତିଜଣକ ଅଧିକ ମାତ୍ରାରେ ଚର୍ବି, ଶର୍କରା ଜାତୀୟ ଖାଦ୍ୟ ଖାଇଥାନ୍ତି ସେତେବେଳେ ତାକୁ ଶକ୍ତିରେ ପରିଣତ କରିବା ପାଇଁ ପାନକ୍ରିୟାଜ ଉପରେ ଅଧିକ ଇନସୁଲିନ ବନାଇବା ଲାଗି ଚାପ ପଡ଼େ। ଏହାଯୋଗୁଁ ଧୀରେ ଧୀରେ ପାନକ୍ରିୟାଜର କାର୍ଯ୍ୟକ୍ଷମତା କମେ। ଏହି ଅବସ୍ଥାକୁ ଟାଇପ-୨ ମଧୁମେହ ବୋଲି କୁହାଯାଏ। ଟାଇପ-୨ ମଧୁମେହକୁ ନିୟନ୍ତ୍ରଣ କରିବା ସେତେ ଅଧିକ କଷ୍ଟକର ନୁହେଁ। ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ତାକୁ ନିୟନ୍ତ୍ରଣ କରିହେବ।