ନିଦ୍ରାହୀନତାର କାରଣ ଓ ଏହାର ଉପଚାରକୁ ନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଆଜିକାଲି କାମର ଚାପ ବଢ଼ିବା ସହିତ ଅନେକ ଲୋକ ନିଦ୍ରାହୀନତା ଜନିତ ସମସ୍ୟାର ସାମ୍ନା କରୁଛନ୍ତି। ପୂର୍ବରୁ ବୟସ୍କ ଲୋକମାନେ ଏହାର ଶିକାର ହେଉଥିବାବେଳେ ଏବେ ଯୁବପିଢ଼ି ଏହାଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି। ଆଜିକାଲି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କଠାରେ ମଧ୍ୟ ନିଦ୍ରାହୀନତା ଦେଖାଦେଉଛି।
ଅନେକ ସମୟରେ ଆମକୁ ରାତିରେ ସଠିକ ଭାବେ ଦିନ ହୋଇ ନ ଥାଏ ଏବଂ ସକାଳୁ ଶୀଘ୍ର ନିଦ ଭାଙ୍ଗିଯାଏ। କିନ୍ତୁ ୪ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ରାତିରେ ନିଦ ନ ହେଲେ ନିଦ୍ରାହୀନତା ହୋଇଥାଏ।
ନିଦ୍ରାହୀନତାର ଲକ୍ଷଣ (Symptoms of Insomnia in Odia)
ରାତିରେ ଶୋଇବାକୁ ଯିବା ବେଳେ ଅଧିକ ସମୟ ଧରି ଚେଇଁ ରହିବା ବା ନିଦ ନ ହେବା।
ଅଧ ରାତିରେ ନିଦ ଭାଙ୍ଗିଯିବା
ସକାଳୁ ଜଲଦି ନିଦ ଭାଙ୍ଗିଯିବା
ରାତିରେ ଶୋଇବା ବେଳେ ବାରମ୍ବାର ବିଛଣାରୁ ଉଠିବା।
ନିଦ୍ରାହୀନତାର କାରଣ (Causes of Insomnia in Odia)
ନିଦ୍ରାହୀନତାର ପ୍ରମୁଖ କାରଣ ହେଉଛି ମାନସିକ ଚାପ ଏବଂ ଚିନ୍ତା। ମାନସିକ ଚାପ ଯୋଗୁଁ ମାନସିକ ଅବସାଦ, ଏଙ୍ଗଜାଇଟି, ପ୍ୟାନିକ୍ ଡିସ୍ଅର୍ଡର, ସ୍କିଜୋଫ୍ରେନିଆ, ସାଇକୋସିସ୍ ଭଳି ରୋଗ ଦେଖାଦିଏ। ଏହି ରୋଗ ହେବା କାରଣରୁ ମଧ୍ୟ ନିଦ କମିଯାଏ।
ଏହାଛଡ଼ା ଆଣ୍ଠୁଗଣ୍ଠି ବିନ୍ଧା, ମୁଣ୍ଡ ବିନ୍ଧା, ମାଂସପେଶୀ ବିନ୍ଧା କାରଣରୁ ବି ଅନିଦ୍ରା ହୋଇଥାଏ। ଉଚ୍ଚ ରକ୍ତଚାପ, ହୃଦରୋଗ କାରଣରୁ ନିଦ୍ରାହୀନତା ହୋଇଥାଏ। ପିଲାମାନେ ପାଠ ପଢ଼ାର ଚାପ ଯୋଗୁଁ ଅନିଦ୍ରାର ଶିକାର ହୋଇଥା’ନ୍ତି।
ଜଣେ ବ୍ୟକ୍ତି ପ୍ରତିଦିନ ୬ରୁ ୮ ଘଣ୍ଟା ଧରି ଶୋଇବା ଉଚିତ। ଯଦି ଆମେ ୪ ଘଣ୍ଟାରୁ କମ୍ ଶୋଉଛେ, ତେବେ ଏହାକୁ ନିଦ୍ରାହୀନତା ବୋଲି କହିଥାଉ। କିନ୍ତୁ, ବୟସ୍କ ବ୍ୟକ୍ତିମାନେ ସାଧାରଣତଃ ୪ରୁ ୫ ଘଣ୍ଟା ଶୋଇଥା’ନ୍ତି ଓ ମଧ୍ୟମ ବୟସର ଲୋକମାନେ ୬ରୁ ୮ ଘଣ୍ଟା ଶୋଇଥା’ନ୍ତି।
ନିଦ୍ରାହୀନତା ଜନିତ ବିଭିନ୍ନ ସମସ୍ୟା (Various problems with insomnia in Odia)
ଅନିଦ୍ରା ଯଦି ଲଗାତାର ଲାଗି ରହେ, ତେବେ ସକାଳୁ ଉଠିଲେ ହାଲିଆ ଲାଗିବ, ସତେଜ ଲାଗିବ ନାହିଁ, ଆଖି ମାଡ଼ି ମାଡ଼ି ପଡ଼ିଯିବ, ମନ ଅସ୍ଥିର ରହିବ, ଏକାଗ୍ରତା କମିଯିବ ଓ ଧୀରେ ଧୀରେ କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ।
ନିଦ୍ରାହୀନତା କାରଣରୁ ବ୍ୟକ୍ତି ଚିଡ୍ଚିଡା ହୋଇଯାଏ, କାହାସହ କଥାହୁଏ ନାହିଁ ଏବଂ ଧୀରେ ଧୀରେ ବ୍ୟକ୍ତିଙ୍କର ହାଇପରଟେନ୍ସନ, ହୃଦରୋଗ ଓ ମାନସିକ ରୋଗ ଦେଖାଦିଏ।
ନିଦ୍ରାହୀନତାର ଉପଚାର (Treatment of Insomnia in Odia)
ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ। ପ୍ରତିଦିନ ସେହି ସମୟରେ ଶୁଅନ୍ତୁ।
ଶୋଇବାର ଘଣ୍ଟେ ପୂର୍ବରୁ ମୋବାଇଲର ବ୍ୟବହାର କରନ୍ତୁ ନାହିଁ। ମୋବାଇଲ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ କାର୍ଯ୍ୟରତ ରହିଥାଏ ଫଳରେ ନିଦ ଆସିନଥାଏ।
ଯଦି ଆପଣ ବିଞ୍ଝଣାରେ ଶୋଇଛନ୍ତି କିନ୍ତୁ ନିଦ ହେଉନାହିଁ, ତେବେ ଆପଣଙ୍କୁ କିଛି ଭଲ ଲାଗୁଥିବା କାର୍ଯ୍ୟ କରନ୍ତୁ।
ସନ୍ଧ୍ୟା ସମୟରେ କୌଣସି ପ୍ରକାର ଉତ୍ତେଜକ ଖାଦ୍ୟ ଖାଆନ୍ତୁ ନାହିଁ।
ପ୍ରତିଦିନ ମେଡିଟେସନ୍, ଯୋଗ କରନ୍ତୁ।
ପ୍ରତିଦିନ ବ୍ୟାୟାମ ବା କିଛି ଶାରୀରିକ ପରିଶ୍ରମ କରନ୍ତୁ।
ନିଜକୁ ଭଲ ଲାଗୁଥିବା ସଙ୍ଗୀତ ଶୁଣନ୍ତୁ।
ପ୍ରଚୁର ପରିମାଣର ପାଣି ପିଅନ୍ତୁ।
ରାତିରେ ସବୁବେଳେ ହାଲ୍କା ଖାଦ୍ୟ ଖାଆନ୍ତୁ।
ସବୁବେଳେ ରିଲାକ୍ସ ରହନ୍ତୁ।
ଯଦି ଏହିସବୁ ଉପଚାର କଲା ପରେ ବି ଅନିଦ୍ରା ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ। କିନ୍ତୁ, ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ବଟିକା ବା ନିଦ ବଟିକା ଖାଆନ୍ତୁ ନାହିଁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on Insomnia with their causes, symptoms & treatment based on the interview with Dr. Satyakam Mohapatra, Neuropsychiatrist.