‘ଇନଫ୍ଲୁଏଞ୍ଜା’ ଶବ୍ଦ ସହିତ ଆମେ ସମସ୍ତେ ପରିଚିତ। ଏହା ହେଉଛି ଏକ ଗୁରୁତର ସଂକ୍ରାମକ ରୋଗ ଯାହା ଭୂତାଣୁ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥାଏ। ମୁଖ୍ୟତଃ ଶ୍ୱାସନଳୀ, ଗଳା ଓ ଫୁସଫୁସକୁ ଏହା ପ୍ରଭାବିତ କରିଥାଏ।
ସାଧାରଣ ଥଣ୍ଡାଠାରୁ ଏହା ଅଧିକ ବିପଜ୍ଜନକ। ସେହିପରି ଋତୁକାଳୀନ ଇନଫ୍ଲୁଏଞ୍ଜାରେ ଅଧିକ ଲୋକ ସଂକ୍ରମିତ ହୋଇଥାନ୍ତି। ଚିକିତ୍ସାରେ ବିଳମ୍ବ ହେଲେ ନିମୋନିଆ, କାନର ସଂକ୍ରମଣ, ସାଇନସର ସଂକ୍ରମଣ, ଆଜମା, ପ୍ରଭୃତି ହୋଇଥାଏ। ଏକ ଆକଳନ ଅନୁସାରେ ପ୍ରତିବର୍ଷ ସାରା ବିଶ୍ୱରେ ଏହାଯୋଗୁ ଅଢେଇରୁ ୫ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି।
ଲକ୍ଷଣ:
ଇନଫ୍ଲୁଏଞ୍ଜାର ଲକ୍ଷଣ ସାଧାରଣ ଥଣ୍ଡା ଭଳି ହୋଇଥିବାରୁ ରୋଗ ନିରୂପଣ ପାଇଁ କିଛିଟା ଦ୍ୱନ୍ଦ୍ୱ ଉତ୍ପନ୍ନ ହୋଇଥାଏ। ତେଣୁ ଅଭିଜ୍ଞ ଡାକ୍ତରଙ୍କ ପାଖକୁ ଯିବା ଜରୁରୀ। ଇନଫ୍ଲୁଏଞ୍ଜା ହୋଇଥିଲେ ଭୂତାଣୁ ସଂକ୍ରମଣର ଦୁଇ ଦିନ ପରେ ଜ୍ୱର, ମୁଣ୍ଡବ୍ୟଥା, ହାଲିଆ ଲାଗିବା, ତଣ୍ଟି ବଥା ହେବା କିମ୍ବା ତଣ୍ଟି ଫୁଲିଲା ଭଳି ଲାଗେ। ଏହା ବ୍ୟତୀତ ଦେହ ଥଣ୍ଡା ଲାଗିବା, ମାଂସପେଶୀ ଦରଜ ହେବା, ମୁଣ୍ଡ ବୁଲାଇ ହେବା ଭଳି ଲାଗିବା, ମୁଣ୍ଡ ଓଜନିଆ ଲାଗିବା, ଭୋକ ନ ଲାଗିବା, ନାକରୁ ପାଣି ବାହାରିବା, ବାନ୍ତି ବାନ୍ତି ଲାଗିବା, ବାନ୍ତି ହୋଇଯିବା, ଝାଡ଼ା ହେବା, ଦୁର୍ବଳ ଲାଗିବା ଏବଂ କାନବଥା ପରି ସମସ୍ୟା ଦେଖାଯାଇଥାଏ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍। ସାଧାରଣତଃ ଏପରି ଲକ୍ଷଣ ଏକ ସପ୍ତାହ ଧରି ଦେଖାଯାଏ। ତେବେ ଭଲ ହେବାର ବହୁ ଦିନ ପର୍ଯ୍ୟନ୍ତ ଶାରିରୀକ ଦୁର୍ବଳତା ରହିଯାଏ।
କିପରି ବ୍ୟାପେ?
ଇନଫ୍ଲୁଏଞ୍ଜା ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କର କାଶ, ଛିଙ୍କ, କଥା କହିବା ଦ୍ୱାରା ପାଖରେ ଥିବା ଲୋକମାନେ ସଂକ୍ରମିତ ହୋଇଥାନ୍ତି। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସହିତ ହାତ ମିଳାଇବା ଦ୍ୱାରା ବି ସଂକ୍ରମଣ ହୋଇଥାଏ। ବିଶେଷ କରି ଛୋଟ ପିଲାମାନେ ଏହାଦ୍ୱାରା ଅଧିକ ଭାବେ ପ୍ରଭାବିତ ହୁଅନ୍ତି। ଜଣେ ଲୋକ ଇନଫ୍ଲୁଏଞ୍ଜା ଦ୍ୱାରା ଆକ୍ରାନ୍ତ ହେବାର ୭ ଦିନ ପରେ ମଧ୍ୟ ତାଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥାଏ।
କିପରି ରକ୍ଷା ପାଇପାରିବେ?
ଏଥିରୁ ରକ୍ଷା ପାଇବାର ସବୁଠୁ ଭଲ ଉପାୟ ହେଉଛି ଇନଫ୍ଲୁଏଞ୍ଜା ଭ୍ୟାକ୍ସିନ୍ (ଟୀକା)। ୬ ମାସ ବୟସରୁ ଉଦ୍ଧ୍ୱର୍ ସମସ୍ତେ ଏହି ଟୀକା ନେଇପାରିବେ। ଫ୍ଲୁରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ଥିବା ଲୋକ ଯେପରିକି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଶିଶୁ ଏହାକୁ ନେବା ଅତ୍ୟନ୍ତ ଜରୁରୀ।
ଭ୍ୟାକ୍ସିନ୍ ନେବାର ଠିକ୍ ସମୟ:
ପ୍ରତ୍ୟେକ ବର୍ଷ ବର୍ଷାଋତୁ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭ୍ୟାକ୍ସିନ୍ ନେବା ଉଚିତ୍। ଫ୍ଲୁ ଭ୍ୟାକ୍ସିନ୍ ନେବାର ୨ ସପ୍ତାହ ପରେ ହିଁ ଶରୀରରେ ଫ୍ଲୁର ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ସେହିପରି କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରି ଏହି ଭ୍ୟାକ୍ସିନ୍ ନେଲେ ଆପଣଙ୍କୁ ଇନଫ୍ଲୁଏଞ୍ଜା ହେବାର ଆଶଙ୍କା ରହିବ ନାହିଁ।
ସଚେତନତା:
ଇନଫ୍ଲୁଏଞ୍ଜାର ପୂର୍ଣ୍ଣ ପ୍ରତିଷେଧକ ବ୍ୟବସ୍ଥା (ଶତ ପ୍ରତିଶତ) ଏଯାଏ ଉଦ୍ଭାବିତ ହୋଇପାରିନାହିଁ; ଏପରିକି ଟୀକାକରଣ ମଧ୍ୟ ନୁହେଁ। ତେବେ ଆପଣ ସାବଧାନ ରହିଲେ ଏଥିରୁ ରକ୍ଷା ପାଇପାରିବେ।
-ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ରୋଗୀଙ୍କଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ସେମାନଙ୍କୁ ଅତି ନିକଟରୁ ସ୍ପର୍ଶ କରନ୍ତୁ ନାହିଁ।
-ଅସୁସ୍ଥ ଥିବା ସମୟରେ ଅନ୍ୟମାନଙ୍କ ସହ ମିଶନ୍ତୁ ନାହିଁ।
-କାଶିବା ଏବଂ ଛିଙ୍କିବା ସମୟରେ ନାକ ଓ ପାଟିକୁ ଢାଙ୍କିବା ପାଇଁ ଟିସ୍ୟୁ ପେପର ବ୍ୟବହାର କରନ୍ତୁ। ବ୍ୟବହାର କରିସାରିବା ପରେ ତାକୁ ଡଷ୍ଟବିନରେ ହିଁ ପକାନ୍ତୁ।
-ଯଦି ଟିସ୍ୟୁ ପେପର ଉପଲବ୍ଧ ନାହିଁ, ତେବେ କାଶିବା ଏବଂ ଛିଙ୍କିବା ସମୟରେ ପାଟି ଓ ନାକକୁ ଢାଙ୍କିବା ଲାଗି ଉପର ବାହୁ ବ୍ୟବହାର କରନ୍ତୁ। କେବେ ବି ହାତ ପାପୁଲିକୁ ବ୍ୟବହାର କରନ୍ତୁ ନାହିଁ।
-ଖାଇବା ପୂର୍ବରୁ, କାଶିବା, ଛିଙ୍କିବା ପରେ, ପାଇଖାନା ବ୍ୟବହାର ପରେ, ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ତଥା ଶିଶୁଙ୍କୁ ଖୁଆଇବା ପୂର୍ବରୁ ହାତକୁ ସାବୁନ ଓ ପାଣିରେ ଭଲ ଭାବେ ସଫା କରିବା ଆବଶ୍ୟକ। ଯଦି ସାବୁନ ଓ ପାଣିର ସୁବିଧା ନାହିଁ, ତେବେ ‘ ଆଲକହଲ-ବେସଡ ହ୍ୟାଣ୍ଡ ସାନିଟାଇଜର’ ବ୍ୟବହାର କରିପାରିବେ।
-ବାହାରକୁ ଯିବା ପୂର୍ବରୁ ମୁହଁକୁ ମାସ୍କ ଦ୍ୱାରା ଆବୃତ୍ତ ରଖନ୍ତୁ।
ସ୍ୱାସ୍ଥ୍ୟ ପ୍ଲସ୍ ହେଲଥ କ୍ଲବ୍ ଫେସବୁକ୍ ଗ୍ରୁପରେ ଜଏନ କରନ୍ତୁ, ମାଗଣାରେ ଉପାଦେୟ ସ୍ୱାସ୍ଥ୍ୟ ସୂଚନା ଓ ପରାମର୍ଶ ଲାଭ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରନ୍ତୁ! www.facebook.com/groups/swasthyaplus