ମୁଗଡାଲି ହେଉଛି ଓଡିଆଙ୍କ ପ୍ରିୟ ଡାଲି। ଓଡିଶାରେ ଗାଁ ରୁ ସହର ପର୍ଯ୍ୟନ୍ତ ସମସ୍ତେ ମୁଗଡାଲିରୁ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଖାଇବାକୁ ପସନ୍ଦ କରନ୍ତି। ଏହା ହେଉଛି ଶକ୍ତିବର୍ଦ୍ଧନକାରୀ ଖାଦ୍ୟ ଯାହା ସହଜରେ ହଜମ ହେବାସହିତ ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରଥାଏ। ଏହା ଶରୀରକୁ ଶୀତଳତା ମଧ୍ୟ ପ୍ରଦାନ କରିଥାଏ। ଶାକାହାରୀଙ୍କ ପାଇଁ ମୁଗଡାଲି ହେଉଛି ପ୍ରୋଟିନ୍ର ଏକ ପ୍ରମୁଖ ସ୍ରୋତ। ଆମର ପୂର୍ବପୁରୁଷମାନେ ମୁଗଡାଲିକୁ ପ୍ରତିଦିନ ନିଜ ଆହାରରେ ସାମିଲ୍ କରିବାକୁ ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ତ୍ରୁଟିପୂର୍ଣ୍ଣ ଜୀବନଚର୍ଯ୍ୟା ଯୋଗୁ ଦେଖାଦେଉଥିବା ବିଭିନ୍ନ ପ୍ରକାରର ରୋଗ ଯାହାକୁ ଆଜିକାଲିର ଭାଷାରେ ଲାଇଫ୍ଷ୍ଟାଇଲ୍ ଡିଜିଜ୍ ବୋଲି କୁହାଯାଉଛି, ମୁଗଡାଲି ଖାଇଲେ ସେହି ସବୁ ରୋଗ ହେବା ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ବିଭିନ୍ନ ଗବେଷଣାରୁ ଜଣାପଡିଛି। ତେବେ ଆସନ୍ତୁ ଜାଣିବା ମୁଗଡାଲି ଖାଇଲେ କେଉଁସବୁ ରୋଗର ସମ୍ଭାବନାକୁ ଏଡାଇହେବ।
ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ: ମୁଗଡାଲିରେ ପ୍ରଚୁର ପରିମାଣରେ ଫାଇବର୍ ରହିଛି। ଏକାଧିକ ଅଧ୍ୟୟନରୁ ଜଣାପଡିଛି ଯେ ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ଫାଇବର୍ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାସହିତ ଏଥିରେ ଭର୍ପୁର୍ ମାତ୍ରାରେ ଫୋଲେଟ୍ ଓ ମ୍ୟାଗ୍ନେସିୟମ୍ ମଧ୍ୟ ରହିଛି। ଫୋଲେଟ୍ ଆମ ଶରୀରରେ ବିଭିନ୍ନ ହୃଦ୍ରୋଗର ଏକ ପ୍ରମୁଖ କାରକ ହୋମୋସିଷ୍ଟିନ୍ର ସ୍ତର କମ୍ କରି ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
କୋଲେଷ୍ଟେରୋଲ୍ ସ୍ତର କମ୍ ହୋଇଥାଏ: ମୁଗଡାଲିଲେ ଅଧିକ ପରିମାଣରେ ଦ୍ରବଣୀୟ ଫାଇବର୍ ମହଜୁଦ୍ ଥିବାରୁ ଏହାକୁ ଖାଇବା ଦ୍ୱାରା ରକ୍ତରେ କୋଲେଷ୍ଟେରୋଲ୍ର ପରିମାଣ ହ୍ରାସ ହୋଇଥାଏ। ଏଣୁ ମୁଗଡାଲି ଖାଇଲେ ଧମନୀରେ ରକ୍ତ ସୁଚାରୂ ରୂପେ ପ୍ରବାହିତ ହୋଇଥାଏ ଯାହାଫଳରେ ହୃଦ୍ରୋଗ ଓ ଷ୍ଟ୍ରୋକ୍ର ଆଶଙ୍କା କମ୍ ହୋଇଥାଏ।
ରକ୍ତଚାପ ଓ ରକ୍ତଶର୍କରା ସ୍ତର କମ୍ ହୋଇଥାଏ: ମୁଗଡାଲିରେ ଅତ୍ୟଧିକ ପରିମାଣର ମ୍ୟାଗ୍ନେସିୟମ୍ ମହଜୁଦ୍ ଅଛି ଯାହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ସେହିପରି ଏହା ନିମ୍ନ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ହୋଇଥିବାରୁ ଏହାକୁ ଖାଇଲେ ରକ୍ତରେ ଶର୍କରାର ସ୍ତର ବୃଦ୍ଧି ପାଏନାହିଁ। ତେଣୁ ମୁଗଡାଲିକୁ ଉଭୟ ରକ୍ତଚାପ ରୋଗୀ ଓ ମଧୁମେହ ରୋଗୀ ନିଜ ଆହାରରେ ସାମିଲ କରିପାରିବେ।
ଓଜନ ହ୍ରାସରେ ସହାୟକ ହୋଇଥାଏ: ମୁଗଡାଲି ହେଉଛି ଏକ ନିମ୍ନ କ୍ୟାଲୋରୀ ଯୁକ୍ତ ଖାଦ୍ୟ। ୧୦୦ ଗ୍ରାମ ମୁଗଡାଲିରୁ ପ୍ରାୟ ୩୩୦ କ୍ୟାଲୋରୀ ମିଳିଥାଏ। ଏହାସହିତ ଏଥିରେ ଫାଇବର୍ର ମାତ୍ରା ଅଧିକ ରହିଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବାଦ୍ୱାରା ବହୁସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ। ଏଣୁ ଓଜନ ହ୍ରାସ କରିବା ପାଇଁ ଏହା ହେଉଛି ଏକ ଉତ୍ତମ ଖାଦ୍ୟ।
ହାଡ ଶକ୍ତ କରିଥାଏ: ମୁଗଡାଲିରୁ ପ୍ରାକୃତିକ କ୍ୟାଲ୍ସିୟମ୍ ମିଳିଥାଏ। କ୍ୟାଲ୍ସିୟମ୍ ହାଡକୁ ଶକ୍ତ କରିଥାଏ। ତେଣୁ ମୁଗଡାଲି ଖାଇଲେ ହାଡ ମଜବୁତ୍ ହେବା ସହିତ ଅଷ୍ଟିଓପୋରୋସିସ୍ର ଆଶଙ୍କା କମ୍ ହୋଇଥାଏ।
ଶାରୀରିକ ବିକାଶରେ ସହାୟକ ହୋଇଥାଏ: ମୁଗଡାଲି ହେଉଛି ପ୍ରୋଟିନ୍ର ଏକ ଉତ୍ତମ ସ୍ରୋତ। ଏଥିରେ ଶରୀର ବୃଦ୍ଧି ପାଇଁ ଆବଶ୍ୟକ ପ୍ରାୟ ସମସ୍ତ ଭିଟାମିନ୍ ଓ ମିନେରାଲ୍ ମଧ୍ୟ ମହଜୁଦ୍ ରହିଛି। ଏଣୁ ଏହା ପିଲାଙ୍କ ଶାରିରୀକ ବିକାଶରେ ଏହା ସହାୟକ ହୋଇଥାଏ।
ମାଢିର ସୁରକ୍ଷା କରିଥାଏ: ଦାନ୍ତ ଓ ମାଢିକୁ ସୁସ୍ଥ ରଖିବାରେ ସୋଡିୟମ୍ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଗଡାଲିରେ ଉଚିତ୍ ମାତ୍ରାରେ ସୋଡିୟମ୍ ମହଜୁଦ୍ ଥିବାରୁ ଏହାକୁ ଖାଇଲେ ମାଢିରୁ ରକ୍ତ ବାହାରିବା, ମାଢିରେ ବ୍ୟଥା ହେବା, ମାଢି ଦୁର୍ବଳ ହୋଇଯିବା, ସେଥିରୁ ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ଦୂର ହୋଇଥାଏ।
କୋଷ୍ଠକାଠିନ୍ୟ ଦୂର ହୋଇଥାଏ: ମୁଗଡାଲିରେ ଭର୍ପୂର୍ ମାତ୍ରାରେ ଫାଇବର୍ ରହିଥିବାରୁ କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ରୋଗୀମାନେ ଏହାକୁ ଖାଇଲେ ଆରାମ ମିଳିଥାଏ। ଏହା ଆମର ପାଚନତନ୍ତ୍ରକୁ ମଧ୍ୟ ସୁସ୍ଥ ରିଖିବା ସହିତ ପେଟରେ ଗ୍ୟାସ୍ ତିଆରି ହେବା ରୋକିଥାଏ।