ସ୍ୱାସ୍ଥ୍ୟପ୍ଲସ୍ ବ୍ୟୁରୋ
କୋଭିଡର ଦ୍ୱିତୀୟ ଲହରରେ ଓଡ଼ିଶାରେ ଜନଜାତି ବା ଆଦିବାସୀ ବର୍ଗର ଲୋକେ ବେଶ୍ ପ୍ରଭାବିତ ହୋଇଛନ୍ତି। ସେମାନେ କିଭଳି ମହାମାରୀର ମୁକାବିଲା କରୁଛନ୍ତି ଓ ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ପାଇଁ କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ‘କେତେ ନୂଆ ବାଟ’ରେ ଭାଗ ନେଇ କହିଛନ୍ତି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା।
କୋଭିଡ୍ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଏହାର ନଲେଜ୍ ପାର୍ଟନର ରହିଛି।
“ରାଜ୍ୟରେ ଯେଉଁ ଆଦିବାସୀ ପରିବାର ଅଛନ୍ତି, ପ୍ରଥମେ ସରକାର ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କଲେ। ତା’ପରେ ସେହି ସବୁ ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବା ପାଇଁ ବ୍ୟବସ୍ଥା କରାଗଲା। ଯେଉଁମାନଙ୍କ ନିକଟରେ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ଆଣିବାକୁ ବ୍ୟବସ୍ଥା ହୋଇଛି। ଏହାସହିତ କୌଣସି ବ୍ୟକ୍ତି ଗୁରୁତର ହେଲେ ତାଙ୍କୁ ନିକଟବର୍ତ୍ତୀ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି”, କହିଛନ୍ତି ବିଭାଗୀୟ ସଚିବ ରଞ୍ଜନା ଚୋପ୍ରା।
ଏହି ଅବସରରେ ରଞ୍ଜନା ଚୋପ୍ରା କହିଛନ୍ତି ଯେ, କୋଭିଡ୍ର ପ୍ରଥମ ଲହରରେ ଗ୍ରାମୀଣ ଆଦିବାସୀ ଅଞ୍ଚଳରେ ସଂକ୍ରମଣ ହୋଇ ନ ଥିଲା। ଏବେ ଆଦିବାସୀ ଅଞ୍ଚଳରେ ବହୁତ ସଂକ୍ରମଣ ହୋଇଛି। ଆଦିବାସୀଙ୍କ ଜୀବିକାର ମୁଖ୍ୟ କେନ୍ଦ୍ର ହେଉଛି ସାପ୍ତାହିକ ହାଟ। ଏହି ହାଟରେ ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସି ଆଦିବାସୀ ଲୋକମାନେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ବର୍ତ୍ତମାନ ଆମ୍ବ ଋତୁ ହୋଇଥିବା ବେଳେ ଆମ୍ବ ବିକ୍ରି ପାଇଁ ସେମାନେ ହାଟକୁ ଯାଉଛନ୍ତି ଏବଂ ସେଠାରୁ ସଂକ୍ରମିତ ହୋଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, “ଆଦିବାସୀମାନେ ସାଧାରଣତଃ ପାହାଡ଼ିଆ ଅଞ୍ଚଳରେ ବିକ୍ଷିପ୍ତ ଭାବେ ରହନ୍ତି। ସେଥିପାଇଁ ସେମାନଙ୍କରୂ ସର୍ବେକ୍ଷଣ କରିବା, ସେମାନଙ୍କୁ ଠାବ କରିବା ଓ ଆଇସୋଲେସନରେ ରଖିବା କଷ୍ଟକର ହୋଇପଡ଼ିଥିଲା। ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନେ ଜଙ୍ଗଲ ଭିତରକୁ ଚାଲିଯାଉଥିଲେ। ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କଲୁ। ଏହାସହିତ ସେ ଅଞ୍ଚଳରେ କାମ କରୁଥିବା ଏନଜିଓମାନଙ୍କ ସହଯୋଗରେ ଜଙ୍ଗଲକୁ ଚାଲି ଯାଇଥିବା ଆଦିବାସୀମାନଙ୍କ ସହ ଯୋଗାଯୋଗ କଲୁ।”
ଘରକୁ ଘର ବୁଲି ସର୍ଭେ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏଏନଏମ୍, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ ଓ ଏନଜିଓ ସ୍ୱେଚ୍ଛାସେବୀଙ୍କୁ ନେଇ ଘରକୁ ଘର ବୁଲି ସର୍ଭେ କରାଯାଇଥିଲା। ଯେଉଁମାନଙ୍କର ଲକ୍ଷଣ ଥିଲା ସେମାନଙ୍କୁ ବୁଝାଇବା ଓ ସଙ୍ଗରୋଧରେ ରଖିବା କଷ୍ଟକର ହୋଇଥିଲା। ତେଣୁ ଗାଁସ୍ତରରେ ଆଇସୋଲେସନ ସେଣ୍ଟର ପ୍ରସ୍ତୁତ କରାଯାଇଛି। ଏହାସହିତ ଲୋକଙ୍କୁ ବୁଝାଇବା ଗାଁ ମୁଖିଆ ଓ ଆଦିବାସୀ ସରପଞ୍ଚଙ୍କ ସହିତ ଆଲୋଚନା କରାଯାଉଛି। ଏବେ ଦେଖାଯାଉଛି ଯେ ଆଦିବାସୀ ବର୍ଗର ଲୋକ ଟେଷ୍ଟିଂ ପାଇଁ ଅଧିକ ଆସୁଛନ୍ତି ବୋଲି କହିଛନ୍ତି ରଞ୍ଜନା ଚୋପ୍ରା।
ସଙ୍ଗରୋଧ ପାଇଁ ପ୍ରୋତ୍ସାହନ
‘‘ସଂକ୍ରମଣ ଭାଙ୍ଗିବାରେ ସଙ୍ଗରୋଧ ଓ ସାମାଜିକ ଦୂରତା ଛଡ଼ା କିଛି ବିକଳ୍ପ ନାହିଁ। ତେଣୁ କୌଣସି ଲୋକ ସଂକ୍ରମିତ ହେଲେ ଯେମିତି ସେ ତାଙ୍କ ସମ୍ପ୍ରଦାୟର କୌଣସି ଲୋକଙ୍କ ସହ ନ ମିଶିବ ସେଥିପାଇଁ ଆମେ ଚେଷ୍ଟା କରାଯାଉଛି। ଘରେ ହେଉ କିମ୍ବା ସଙ୍ଗରୋଧ କେନ୍ଦ୍ରରେ ସେମାନେ କେମିତି ରହିବେ ସେ ବିଷୟରେ ବୁଝାଯାଉଛି। ଯେଉଁମାନେ ସଙ୍ଗରୋଧରେ ରହୁଛନ୍ତି ସେମାନଙ୍କୁ ୧୪ ଶହ ଟଙ୍କା ଦିଆଯାଉଛି। ସେମାନଙ୍କ ପରିବାରକୁ ୨ରୁ ଅଢେଇ ହଜାର ଟଙ୍କାର ରାସନ ସାମଗ୍ରୀ ଦିଆଯାଉଛି। ଯିଏ ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେମାନଙ୍କୁ କୋଭିଡ୍ କିଟ୍ ଦିଆଯାଉଛି। ସେଥିରେ ଔଷଧ ଦିଆଯାଉଛି। ଔଷଧ ଖାଇବା ପାଇଁ ବୁଝାଯାଉଛି। ଏଏନଏମ ତଦାରଖରେ ତାଙ୍କର ଯତ୍ନ ନିଆଯାଉଛି’’, କହିଛନ୍ତି ରଞ୍ଜନା ଚୋପ୍ରା।
ଜୀବନ ସହ ଜୀବିକାକୁ ଗୁରୁତ୍ୱ
ଆଦିବାସୀଙ୍କ ଜୀବିକା ଉପରେ ମଧ୍ୟ କରୋନାର ପ୍ରଭାବ ପଡ଼ିଛି। ଏ ସମୟରେ ଯେମିତି ସେମାନଙ୍କର କୌଣସି ସମସ୍ୟା ହେବ ନାହିଁ ସେଥିପାଇଁ ସରକାର ବିଭିନ୍ନ କାମ ହାତକୁ ନେଇଛନ୍ତି। ସେମାନଙ୍କ ପାଖରୁ ୨୦୧୯-୨୦ ବର୍ଷରେ ୩ କୋଟି ଟଙ୍କାର ସାମଗ୍ରୀ କିଣାହୋଇଥିଲା। ୨୦୨୦-୨୧ ବର୍ଷରେ ସେମାନଙ୍କଠାରୁ ୩୦ କୋଟିର ସାମଗ୍ରୀ କିଣାଯାଇଛି। ଜୀବିକା ମିଶନ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ମଞ୍ଜି ଓ ସାର ଦିଆଯାଇଛି। ଯେମିତି ସେମାନଙ୍କ ଚାଷକାମ ସ୍ୱାଭାବିକ ହୋଇପାରିବ। ଏହି ଅଞ୍ଚଳରେ ମନରେଗା କାର୍ଯ୍ୟକ୍ରମ ଅଧୀନରେ ଆଦିବାସୀମାନଙ୍କୁ ରୋଜଗାରର ସୁବିଧା ଦିଆଯାଉଛି। ସରକାରଙ୍କ ପକ୍ଷରୁ ଆଦିବାସୀମାନଙ୍କ ଜୀବିକା ସୁରକ୍ଷା ପାଇଁ ଚେଷ୍ଟା ଚାଲିଛି ବୋଲି ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା କହିଛନ୍ତି।
କୋଭିଡ୍-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।
‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।