କୁକୁର କାମୁଡ଼ିବା ମାତ୍ରେ କ’ଣ ପ୍ରାଥମିକ ଚିକିତ୍ସା କରିବେ? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା।
- କୁକୁର କାମୁଡ଼ିଲେ କ’ଣ ହୁଏ?
- କୁକୁର କାମୁଡ଼ାର ପ୍ରାଥମିକ ଚିକିତ୍ସା
- କୁକୁର କାମୁଡ଼ାର ଲକ୍ଷଣ କ’ଣ?
- କୁକୁର କାମୁଡ଼ାର ଚିକିତ୍ସା କେମିତି ହୁଏ?
- ଠିକ୍ ସମୟରେ ଚିକିତ୍ସା ନକଲେ କ’ଣ ହେବ?
- ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ
କୁକୁର କାମୁଡ଼ିଲେ କ’ଣ ହୁଏ? (What happens when a dog bites in Odia)
କୁକୁର କାମୁଡ଼ିବା ଏକ ସାଧାରଣ କଥା। ହେଲେ ସମୟ ଥାଉ ଥାଉ ଏହାର ଚିକିତ୍ସା କରିବା ନିହାତି ଦରକାର। ନଚେତ ଏହା ଜୀବନ ପାଇଁ ବିପଦ ହୋଇପାରେ। କାରଣ କୁକୁର ଦେହରେ ରାବିସ୍ ଭୂତାଣୁ ଥାଏ, ଯଦି ଏହା ଆପଣଙ୍କ ଦେହରେ ସଂକ୍ରମଣ ହୁଏ, ତେବେ ଏହା ଆପଣଙ୍କ ଜୀବନପ୍ରତି ବିପଦପୂର୍ଣ୍ଣ। ବର୍ତ୍ତମାନ ଯାଏଁ ରାବିସ୍ ଭୂତାଣୁର ସଫଳ ଚିକିତ୍ସା ନାହିଁ। କିନ୍ତୁ, ଏହାକୁ ରୋକାଯାଇପାରିବ।
କୁକୁର କାମୁଡ଼ାର ପ୍ରାଥମିକ ଚିକିତ୍ସା (First aid for dog bites in Odia)
କୁକୁର କାମୁଡ଼ିଲେ ସେଠାରେ କୌଣସି ଇଆଡ଼ୁସିଆଡ଼ୁ ଲେପ ନ ଲଗାଇ ସେହି ସ୍ଥାନକୁ ଯଥା ଶୀଘ୍ର ସାବୁନ ପାଣିରେ ଧୋଇବେ। ଯେତେ ସମ୍ଭବ ସେହି ସ୍ଥାନକୁ ସାବୁନ ପାଣିରେ ଧୋଇବେ। ଏହାଦ୍ୱାରା ୩୦ରୁ ୪୦ ପ୍ରତିଶତ ଭୂତାଣୁ ପାଣି ଯୋଗେ ବାହାରିଯାଏ।
ରାବିସ୍ ଭୂତାଣୁ ମଣିଷ ଶରୀରର ସ୍ନାୟୁ ମାଧ୍ୟମରେ ଦେହକୁ ବ୍ୟାପିଥାଏ। ଧୀରେ ଧୀରେ କରି ଏହି ଭୂତାଣୁ ମସ୍ତିଷ୍କକୁ ବ୍ୟାପିଥାଏ ଓ ଏହାର ଲକ୍ଷଣ ପରିଲିକ୍ଷିତ ହୋଇଥାଏ। ତେଣୁ, କୁକୁର କାମୁଡ଼ାର ୨୪ ଘଣ୍ଟା ମଧ୍ୟରେ ଡାକ୍ତରଙ୍କୁ ପରାମର୍ଶ କରି ରାବିସ୍ ଟିକା ନେଲେ ଆପଣ ବିପଦମୁକ୍ତ ହୋଇପାରିବେ।
ଅଧିକ ପଢ଼ନ୍ତୁ: ସାପ କାମୁଡ଼ିଲେ କ’ଣ କରିବେ?
କୁକୁର କାମୁଡ଼ାର ଲକ୍ଷଣ କ’ଣ? (Symptoms of dog bites in Odia)
ଜଣେ ମଣିଷକୁ କୁକୁର କାମୁଡ଼ିବା ଦ୍ୱାରା ରାବିସ୍ ଭୂତାଣୁ ସ୍ନାୟୁ ଦେଇ ମସ୍ତିଷ୍କକୁ ବ୍ୟାପିଥାଏ। ମସ୍ତିଷ୍କକୁ ବ୍ୟାପିଗଲେ ଜଳାନ୍ତକ ରୋଗର ଲକ୍ଷଣ ଦେଖାଦିଏ। ଫଳରେ ରୋଗୀ ଜଳ ଦେଖି ଡରିଯାଆନ୍ତି। ସେମାନଙ୍କୁ ପାଣି ଦେଖିଲେ ଭୟ ଲାଗେ। ଚିଡ୍ଚିଡ୍ ହେବା, ବାଉଳେଇ ଚାଉଳେଇ ହେବା, ନିଶ୍ୱାସ ନେବାରେ ଅସୁବିଧା ହେବା ଭଳି ଲକ୍ଷଣ ଦେଖାଦିଏ।
କୁକୁର କାମୁଡ଼ିବାର ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ଡାକ୍ତରଙ୍କୁ ଦେଖାଇ ରାବିସ୍ ଟିକା ନେବା ଜରୁରୀ। ୪୮ରୁ ୭୨ ଘଣ୍ଟା ବିଳମ୍ବ ହୁଏ, ତେବେ ଏହାର ସଫଳ ଚିକିତ୍ସା ନାହିଁ। ତେଣୁ ପ୍ରାରମ୍ଭିକ ଅବସ୍ଥାରେ କୁକୁର କାମୁଡ଼ିବାର ଚିକିତ୍ସା କରାଇନେବା ଆବଶ୍ୟକ।
କୁକୁର କାମୁଡ଼ାର ଚିକିତ୍ସା କେମିତି ହୁଏ? (Treatment of dog bites in Odia)
ପ୍ରାରମ୍ଭିକ ଅବସ୍ଥାରେ କୁକୁର କାମୁଡ଼ିଥିବା ସ୍ଥାନକୁ ବାରମ୍ବାର ସାବୁନ୍ ପାଣିରେ ଧୁଆଯାଏ। ଏହାପରେ ଟିଟାନସ୍ ଇଞ୍ଜେକ୍ସନ୍ ଦିଆଯାଏ। ଏହାଦ୍ଵାରା ସଂକ୍ରମଣକୁ ଏଡ଼ାଇଯାଇ ପାରିବ। ଏହାପରେ ଆଣ୍ଟିବାୟୋଟିକ୍ ମେଡିସିନ୍ ଦିଆଯାଏ।
କ୍ଷତର ଗଭୀରତା ଦେଖି ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଏ। ସମସ୍ତ ସରକାରୀ ଡାକ୍ତରଖାନାରେ ଆଣ୍ଟି-ରାବିସ୍ ମେଡିସିନ୍ ମାଗଣାରେ ଦିଆଯାଏ।
କେତେକ ଲୋକ ଘରେ ପୋଷା କୁକୁର ରଖିଥାଆନ୍ତି। ସେମାନେ କୁକୁରଙ୍କୁ ଦରକାରୀ ଟିକା ଦେଇଥାଆନ୍ତି। ଯଦି ପୋଷା କୁକୁର କାମୁଡ଼ନ୍ତି, ତାହାହେଲେ ମଧ୍ୟ ଆଣ୍ଟି ରାବିସ୍ ମେଡିସିନ୍ ନେବା ଜରୁରୀ।
ଅଧିକ ପଢ଼ନ୍ତୁ: ମାଙ୍କଡ଼ କାମୁଡ଼ିଲେ କ’ଣ କରିବେ?
ଠିକ୍ ସମୟରେ ଚିକିତ୍ସା ନକଲେ କ’ଣ ହେବ? (Complication of dog bite in Odia)
ରାବିସ୍ ଭୂତାଣୁ ମସ୍ତିଷ୍କକୁ ସଂକ୍ରମଣ କରିଗଲେ ତା’ର କୌଣସି ସଫଳ ଚିକିତ୍ସା ପଦ୍ଧତି ନାହିଁ। କୁକୁର କାମୁଡ଼ିଥିଲେ ଆଶୁ ଚିକିତ୍ସା କରିବା ଜରୁରୀ।
ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)
ଗୃହପାଳିତ କୁକୁର ଦେହରେ ରାବିସ୍ ଭୂତାଣୁ ଥିଲେ ଓ ସେହି କୁକୁର ଆପଣଙ୍କୁ କାମୁଡ଼ିଲେ ଜଳାନ୍ତକ ହେବାର ଆଶଙ୍କା ଥାଏ। ତେଣୁ ସତର୍କ ରହିବା ଜରୁରୀ। ପୋଷା ହୁଅନ୍ତୁ ବା ବୁଲା କୁକୁର ସତର୍କ ରହିବା ଜରୁରୀ। ପୋଷା ବିଲେଇ ବା କୁକୁର ରଖୁଥିଲେ ସେମାନଙ୍କୁ ରାବିସ୍ ନ ହେବା ପାଇଁ ଟିକା ଦିଅନ୍ତୁ। କୁକୁର କାମୁଡ଼ିଥିଲେ ଏହାର ଚିକିତ୍ସା ସମ୍ଭବ। ତେଣୁ ହେଳା ନ କରି ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ କରନ୍ତୁ।
ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।
Note: This information on Dog bites, in Odia language, is based on an extensive interview with a Medicine Specialist Dr Srikant Kumar Dhar.