ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଏଁ, ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଆଣ୍ଠୁ ଯନ୍ତ୍ରଣା। ତେବେ କେମିତି ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବେ? ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
- ଆଣ୍ଠୁ ଯନ୍ତ୍ରଣା କ’ଣ?
- ଛୋଟ ପିଲାଙ୍କ ଆଣ୍ଠୁରେ କାହିଁକି ହୁଏ ଯନ୍ତ୍ରଣା?
- ଯୁବାବସ୍ଥାରେ କାହିଁକି ହୁଏ ଆଣ୍ଠୁ ଯନ୍ତ୍ରଣା?
- ମଧ୍ୟ ବୟସ୍କ ବ୍ୟକ୍ତିଙ୍କଠାରେ ଆଣ୍ଠୁ ଯନ୍ତ୍ରଣା
- ବୟସ୍କ ବ୍ୟକ୍ତିଙ୍କ କାହିଁକି ହୁଏ ଆଣ୍ଠୁ ଯନ୍ତ୍ରଣା?
- ଅଷ୍ଟିଓଆର୍ଥ୍ରାଇଟିସ୍ ହେବାର କାରଣ କ’ଣ?
- ଲକ୍ଷଣ
- ଆଣ୍ଠୁ ଯନ୍ତ୍ରଣା ରୋଗକୁ କେମିତି ଚିହ୍ନିବେ?
- ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା
- ଆଣ୍ଠୁ ପ୍ରତିରୋପଣ କାହାକୁ ଦରକାର?
- ଆଣ୍ଠୁ ଯନ୍ତ୍ରଣାକୁ ରୋକିବା କେମିତି?
ଆଣ୍ଠୁ ଯନ୍ତ୍ରଣା କ’ଣ? (What is Knee pain in Odia)
ମଣିଷ ଶରୀରରେ ଆଣ୍ଠୁ ଏକ ଗୁରୁତ୍ୱପୂର୍ଣ୍ଣ ଗଣ୍ଠି। ଶରୀରର ସମସ୍ତ ଭାର ବହନ କରେ ଆଣ୍ଠୁଗଣ୍ଠି। ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟ ଯେପରିକି ଚାଲିବା, ଦୈଡ଼ିବା, ସିଢ଼ି ଚଢ଼ିବା ଆଦିର ଚାପ ଆଣ୍ଠୁ ଉପରେ ପଡ଼ୁଛି। ତେଣୁ ଧୀରେ ଧୀରେ କରି ଆଣ୍ଠୁଗଣ୍ଠିରେ କ୍ଷୟ ସୃଷ୍ଟି ହେଉଛି। ଫଳରେ ବୟସକ୍ରମେ କ୍ଷୟଜନିତ ଆର୍ଥାଇଟିସ୍ର ବଶବର୍ତ୍ତୀ ହେବାକୁ ପଡ଼ୁଛି। ଅନ୍ୟ ସମସ୍ତ ଗଣ୍ଠି ଯନ୍ତ୍ରଣା ଅପେକ୍ଷା କ୍ଷୟଜନିତ ଗଣ୍ଠିଯନ୍ତ୍ରଣା ସବୁଠୁ ସାଧାରଣ।
ଜଙ୍ଗ ଓ ନଳୀ ଗୋଡ଼ର ମିଳନସ୍ଥଳୀକୁ ଆଣ୍ଠୁ ବୋଲି କୁହାଯାଏ। ଜଙ୍ଗର ହାଡ଼ (ଫିମର ବୋନ୍), ଗୋଡ଼ର ହାଡ଼ (ଟିବିଆ ବୋନ୍)ଏବଂ ଚକି ହାଡ଼ର ମିଳନ ସ୍ଥାନକୁ ଆଣ୍ଠୁଗଣ୍ଠି ବୋଲି କହିଥାଉ। ଆଣ୍ଠୁ ଭିତରେ ହାଡ଼କୁ ଘୋଡ଼ାଇ ରଖିବା ପାଇଁ କାର୍ଟିଲେଜ୍ ରହିଛି। ଦୁଇଟି ହାଡ଼କୁ ଜଏଣ୍ଟ କରିବା ପାଇଁ ବହୁତଗୁଡ଼ିଏ ଲିଗାମେଣ୍ଟ ରହିଛି, ଖଞ୍ଜା ଚଳପ୍ରଚଳ ହେବା ପାଇଁ ମେନିସ୍କସ୍ ରହିଛି, ତା’ ଭିତରେ ସାଇନୋଭିଆଲ ଝିଲ୍ଲି ରହିଛି। ଏସବୁର କାର୍ଯ୍ୟ ସଠିକ୍ ଭାବେ ହେଲେ ଗଣ୍ଠି ଠିକ୍ ଭାବେ ଚଳପ୍ରଚଳ ହୋଇପାରେ।
ଅଧିକ ପଢ଼ନ୍ତୁ: କେମିତି କରିବେ ଆର୍ଥ୍ରାଇଟିସ୍ ଚିକିତ୍ସା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ
ଛୋଟ ପିଲାଙ୍କ ଆଣ୍ଠୁରେ କାହିଁକି ହୁଏ ଯନ୍ତ୍ରଣା? (Why do children have Knee pain in Odia)
ଅଧିକାଂଶ ସମୟରେ ୧୦ ବର୍ଷରୁ କମ୍ ବୟସର ଛୋଟ ପିଲାଙ୍କଠାରେ ଆଣ୍ଠୁଗଣ୍ଠି ବଥା ହେଉଥିବା ନେଇ ଅଭିଯୋଗ ଆସେ। ଏହି ଯନ୍ତ୍ରଣା ସାଧାରଣତଃ ରାତି ସମୟରେ ବେଶୀ ହୋଇଥାଏ। ଏହାକୁ ଗ୍ରୋଇଙ୍ଗ ପେନ୍ କୁହାଯାଏ। ଛୋଟ ଛୁଆର ଶାରୀରିକ ବିକାଶ ବେଳେ ମାଂସପେଶୀ ଓ ହାଡ଼ ଏକାସାଙ୍ଗରେ ବଢ଼ିପାରନ୍ତି ନାହିଁ। ଯେତେବେଳେ ହାଡ଼ର ବୃଦ୍ଧି ହୁଏ, ତା’ତୁଳନାରେ ମାଂସପେଶୀର ବୃଦ୍ଧି ଧୀରେ ଧୀରେ ହୁଏ, ସେତେବେଳେ ମାଂସପେଶୀ ଉପରେ ବହୁତ ଚାପ ପଡ଼ିଥାଏ। ଯେଉଁଦିନ ଛୋଟ ଛୁଆ ବେଶୀ ଖେଳାବୁଲା କରନ୍ତି ସେଦିନ ରାତିରେ ଗୋଡ଼ ଯନ୍ତ୍ରଣା ହୋଇଥାଏ। ବୟସ ବଢ଼ିବା ସହିତ ଏହି ଯନ୍ତ୍ରଣା କମିଯାଏ।
ଛୋଟ ଛୁଆ ଯଦି ବେଶୀ ଦୌଡ଼ାଦୌଡ଼ି କରନ୍ତି ବା ବେଶୀ ସମୟ ଖେଳାବୁଲା କରନ୍ତି, ତେବେ ରାତିରେ ପିଲାଙ୍କର ଗୋଡ଼ ଦରଜ ହେବା ସହ ଯନ୍ତ୍ରଣା ହୋଇଥାଏ, ଯାହାକୁ ‘ଅସ୍ଗୁଡ଼୍ ସ୍କ୍ଲାଟର’ କୁହାଯାଏ। ଏଥିପାଇଁ ଛୁଆଙ୍କର ଫିଜିଓଥେରାପି କଲେ, ଜେଲ୍ ଲଗାଇଲେ ଏବଂ ବିଶ୍ରାମ ନେଲେ ଉପଶମ ମିଳିଥାଏ।
ଛୋଟଛୁଆଙ୍କର ସିଭିୟର ଯନ୍ତ୍ରଣା ହେଲେ ଶିଶୁ ବିଶେଷଜ୍ଞ କିମ୍ବା ରୁମାଟୋଲୋଜି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।
ଯୁବାବସ୍ଥାରେ କାହିଁକି ହୁଏ ଆଣ୍ଠୁ ଯନ୍ତ୍ରଣା? (Why does Knee pain occur in youth in Odia)
୧୦ରୁ ୨୦ ବର୍ଷ ବୟସରେ ମଧ୍ୟ ଆଣ୍ଠୁ ଯନ୍ତ୍ରଣା ହୋଇପାରେ। ଏହି ବୟସରେ ପିଲାମାନେ ବେଶୀ ଖେଳାଖେଳି କରନ୍ତି, ସ୍କୁଲରେ ବେଶୀ ସମୟ ଛିଡ଼ା ହେବାକୁ ପଡ଼େ, ଫଳରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇପାରେ। ଏଭଳି କ୍ଷେତ୍ରରେ ଫିଜିଓଥେରାପି କରିବା ଦ୍ୱାରା, ଉଷୁମ ପାଣିରେ ସେକ ଦେବା ଦ୍ୱାରା ଲାଭ ମିଳିଥାଏ।
୧୬ ବର୍ଷ ବୟସ ପୂର୍ବରୁ ଯଦି ଆର୍ଥ୍ରାଇଟିସ୍ ହେଉଛି, ତାକୁ ଜୁଭେନାଇଲ୍ ଇଡିଓପାଥିକ୍ ଆର୍ଥାଇଟିସ୍ କୁହାଯାଏ।
ବେଳେବେଳେ ସ୍କୁଲ ବା କଲେଜ ପିଲାଙ୍କର ହଠାତ୍ ଆଣ୍ଠୁ ଫୁଲିଯାଏ ବା ପାଣି ଜମିଯାଏ ଓ ଏହା ଯନ୍ତ୍ରଣାଦାୟକ ହୋଇଥାଏ। ଏହାକୁ ରିଆକ୍ଟିଭ୍ ଆର୍ଥ୍ରାଇଟିସ୍ କୁହାଯାଏ।
ଅଧିକ ପଢ଼ନ୍ତୁ: ଅଣ୍ଟା ବିନ୍ଧା – କେମିତି ପାଇବେ ମୁକ୍ତି?
ମଧ୍ୟ ବୟସ୍କ ବ୍ୟକ୍ତିଙ୍କଠାରେ ଆଣ୍ଠୁ ଯନ୍ତ୍ରଣା (Knee pain in middle-aged people in Odia)
୨୦ରୁ ୪୦ ବର୍ଷ ବୟସ ମଧ୍ୟରେ ଇନ୍ଫ୍ଲାମେଟୋରି ଆର୍ଥ୍ରାଇଟିସ୍, ସ୍ପୋର୍ଟସ୍ ଇଞ୍ଜୁରି, କ୍ଷୟଜନିତ ଆର୍ଥ୍ରାଇଟିସ୍ ଭଳି ସମସ୍ୟା ହୋଇପାରେ।
ବୟସ୍କ ବ୍ୟକ୍ତିଙ୍କ କାହିଁକି ହୁଏ ଆଣ୍ଠୁ ଯନ୍ତ୍ରଣା? (Why does old age have Knee pain in Odia)
ବୟସ୍କ ବ୍ୟକ୍ତିଙ୍କର ସାଧାରଣତଃ କ୍ଷୟଜନିତ ଆର୍ଥ୍ରାଇଟିସ୍ ବା ଅଷ୍ଟିଓଆର୍ଥ୍ରାଇଟିସ୍ ହୋଇଥାଏ। ମଣିଷ ଶରୀରର ଭାର ବହନ କରୁଥିବା ଗଣ୍ଠି ହେଉଛି ଆଣ୍ଠୁଗଣ୍ଠି। ୪୦ ବର୍ଷ ପରେ କାର୍ଟିଲେଜ୍ ଶୁଖିଯାଏ, ସେଥିରେ ଫାଟ ସୃଷ୍ଟି ହୁଏ ଏବଂ ଧୀରେ ଧୀରେ କ୍ଷୟ ହୁଏ। ମୋଟା ଥିବା ଲୋକଙ୍କର ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିଥାଏ, ଫଳରେ ଅଷ୍ଟିଓଅର୍ଥ୍ରାଇଟିସ୍ ହୋଇଥାଏ।
ଅଷ୍ଟିଓଆର୍ଥ୍ରାଇଟିସ୍ ହେବାର କାରଣ କ’ଣ? (What are the causes of Osteoarthritis in Odia)
ଅଷ୍ଟିଓଆର୍ଥ୍ରାଇଟିସ୍ର ମୁଖ୍ୟ କାରଣ ହେଉଛି ମେଦବହୁଳତା। ବ୍ୟାୟାମର ଅଭାବ, ଶାରୀରିକ ପରିଶ୍ରମର ଅଭାବ ଏବଂ ଜଙ୍କଫୁଡ୍ର ସେବନ ଯୋଗୁଁ ଲୋକେ ମେଦବହୁଳତାର ଶୀକାର ହେଉଛନ୍ତି। ମୋଟା ବ୍ୟକ୍ତିଙ୍କର ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିଥାଏ, ଫଳରେ ଅଷ୍ଟିଓଆର୍ଥ୍ରାଇଟିସ୍ ହୋଇଥାଏ।
ଯଦି ଖାଲିପାଦରେ ବେଶୀ ସମୟ ଚାଲୁଛନ୍ତି, ନରମ ଚପଲ ପିନ୍ଧୁନାହାନ୍ତି, ଟାଣ ଜୋତା ପିନ୍ଧୁଛନ୍ତି, ତାହାହେଲେ ମଧ୍ୟ ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିଥାଏ।
ଏହାଛଡ଼ା ଜେନେଟିକ୍ କାରଣ ଯୋଗୁଁ ମଧ୍ୟ ଅଷ୍ଟିଓଆର୍ଥ୍ରାଇଟିସ୍ ହୋଇପାରେ।
ଅଧିକ ପଢ଼ନ୍ତୁ: ଆର୍ଥ୍ରାଇଟିସ୍ ରୋଗୀ କ’ଣ ଖାଇବେ?
ଲକ୍ଷଣ (Symptoms of Knee pain in Odia)
ଗଣ୍ଠିବାତ ରୋଗରେ ଆଣ୍ଠୁଯନ୍ତ୍ରଣା ହେବା, ଗଣ୍ଠି ଫୁଲିଯିବା, ଚାଲିବା ବେଳେ ଓ ଉଠିବା ବେଳେ ଗଣ୍ଠିରୁ ମଡ୍ମଡ୍ ଶବ୍ଦ ଆସେ।
ଏହାଛଡ଼ା ଆଣ୍ଠୁଗଣ୍ଠିରେ ପ୍ରଦାହ ହୋଇଥିଲେ ଆଣ୍ଠୁକୁ ଛୁଇଁବା ବେଳେ ଗରମ ଲାଗେ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ। ଯଦି ଆଣ୍ଠୁରେ ଫୁଲା ହୁଏ, ତେବେ ଏହା ଦୈନନ୍ଦିନ ଚଳପ୍ରଚଳରେ ଅସୁବିଧା ହୁଏ।
ଅଷ୍ଟିଓଆର୍ଥ୍ରାଇଟିସ୍ରେ ସିଢ଼ି ଚଢ଼ିବା ବେଳେ ଯନ୍ତ୍ରଣା ହୋଇଥାଏ, ଟଏଲେଟ୍ରେ ବସିକରି ଉଠିବା ବେଳେ କଷ୍ଟ ଅନୁଭବ ହୁଏ, ବେଶୀ ସମୟ ଠିଆ ହେଲେ ଆଣ୍ଠୁରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ।
ଆଣ୍ଠୁ ଯନ୍ତ୍ରଣା ରୋଗକୁ କେମିତି ଚିହ୍ନିବେ? (Diagnosis of Knee pain in Odia)
ରୋଗୀର ବୟସ, ବୃତ୍ତି ଓ ସମସ୍ୟାକୁ ଦେଖି ଆଣ୍ଠୁଗଣ୍ଠି ଯନ୍ତ୍ରଣାର କାରଣ ବିଷୟରେ ଜାଣିହୁଏ। କିନ୍ତୁ, ସିଭିୟର କାରଣ ଯେପରିକି କ୍ୟାନ୍ସର, ସଂକ୍ରମଣ, ଇନ୍ଫ୍ଲାମେଟୋରି ଆର୍ଥ୍ରାଇଟିସ୍ ଯୋଗୁଁ ମଧ୍ୟ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇପାରେ। ଏଭଳି କ୍ଷେତ୍ରରେ ରକ୍ତ ପରୀକ୍ଷାରେ ଇଏସ୍ଆର୍, ଏଚ୍ଏଲ୍ବି ୨୭, ୟୁରିକ୍ ଏସିଡ୍ ପରୀକ୍ଷା କରାଯାଏ। ରୋଗୀର ସମସ୍ୟାକୁ ଦେଖି ଭିନ୍ନ ଭିନ୍ନ ପରୀକ୍ଷା କରାଯାଏ।
ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା (Treatment of Arthritis in Odia)
୯୦ରୁ ୯୫ ପ୍ରତିଶତ ଆଣ୍ଠୁଗଣ୍ଠି ରୋଗ ଫିଜିଓଥେରାପି, ମସାଜ, ସେକ ଦ୍ୱାରା ଉପଶମ ମିଳିଥାଏ। କିନ୍ତୁ, ଅଷ୍ଟିଓଆର୍ଥ୍ରାଇଟିସ୍ ବା କ୍ଷୟଜନିତ ଆର୍ଥ୍ରାଇଟିସ୍ର ଚିକିତ୍ସା ପାଇଁ ପ୍ରଥମେ ରୋଗୀଙ୍କୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ଯେପରିକି, ଓଜନ କମ୍ କରିବାକୁ ହେବ, ସନ୍ତୁଳିତ ଖାଦ୍ୟ ଖାଇବାକୁ ହେବ।
ଅଷ୍ଟିଓଆର୍ଥ୍ରାଇଟିସ୍ ଥିବା ରୋଗୀ ନରମ ବା ଆରାମଦାୟକ ଚପଲ ପିନ୍ଧିବା ଦରକାର। କେବଳ ଶୋଇବା ସମୟକୁ ଛାଡ଼ିଦେଲେ ୨୪ ଘଣ୍ଟା ନରମ ଚପଲ ପିନ୍ଧିବା ଦରକାର।
ଏହାଛଡ଼ା ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗୀ ଫିଜିଓଥେରାପି କରି ଜଙ୍ଘର ମାଂସପେଶୀକୁ ସୁଦୃଢ଼ କରିବା ଦରକାର। ଏହି ରୋଗୀମାନେ ବେଶୀ ଓଜନର ବସ୍ତୁ ଉଠାଇଲେ, ଟ୍ରେଡ୍ମିଲରେ ଚାଲିଲେ ଆଣ୍ଠୁ ଯନ୍ତ୍ରଣା ବଢ଼ିଥାଏ। ସବୁବେଳେ ବସିରହି ବ୍ୟାୟାମ କରନ୍ତୁ। ଏହାଦ୍ଵାରା ଆଣ୍ଠୁ ଉପରେ ଅଧିକ ଚାପ ପଡ଼ି ନଥାଏ।
ଆଣ୍ଠୁ ପ୍ରତିରୋପଣ କାହାକୁ ଦରକାର? (Who needs a Knee transplant in Odia)
ଯଦି ଜଣେ ବ୍ୟକ୍ତିଙ୍କର ଅତ୍ୟଧିକ ଆଣ୍ଠୁ ଯନ୍ତ୍ରଣା ହେଉଛି, ରାତିରେ ଶୋଇପାରୁ ନାହାନ୍ତି, ଅଳ୍ପ ବାଟ ଚାଲିପାରୁନାହାନ୍ତି, ତାହାହେଲେ ଆଣ୍ଠୁ ପ୍ରତିରୋପଣ କରିନେବାରେ କୌଣସି ଅସୁବିଧା ନାହିଁ।
ଆଣ୍ଠୁ ଯନ୍ତ୍ରଣାକୁ ରୋକିବା କେମିତି? (How to prevent Knee pain in Odia)
କ୍ଷୟଜନିତ ଆର୍ଥ୍ରାଇଟିସ୍ ରୋକିବାକୁ ହେଲେ କମ୍ ବୟସରୁ ଓଜନକୁ ନିୟନ୍ତ୍ରଣ ରଖିବେ, ଗୋଡ଼ ବଙ୍କା ଥିଲେ ଫିଜିଓଥେରାପିର ସାହାଯ୍ୟ ନେବାକୁ ହେବ। ଏହାଛଡ଼ା ଜଙ୍ଘର ମାଂସପେଶୀକୁ ସୁଦୃଢ଼ ରଖିବା ପାଇଁ ଯେଉଁ ଯେଉଁ ବ୍ୟାୟାମ କରିବା ଦରକାର ତାହା କରନ୍ତୁ।
ନିୟମିତ ସୂର୍ଯ୍ୟ ନମସ୍କାର, ସାଇକେଲ ଚାଳନା, ଚାଲିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ଓ ମାଂସପେଶୀ ସୁଦୃଢ଼ ରହିଥାଏ। ଫଳରେ ଅଷ୍ଟିଓଆର୍ଥ୍ରାଇଟିସ୍କୁ ୫୦ରୁ ୬୦ ପ୍ରତିଶତ ରୋକିପାରିବା। ଏହାଦ୍ୱାରା ଯେଉଁ ସମସ୍ୟା ୪୦ ବର୍ଷରେ ହେବା କଥା, ତାହା ହୁଏତ ୬୦ ବର୍ଷ ବୟସରେ ହୋଇପାରେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Knee pain, in Odia language, is based on an extensive interview with Rheumatologist Dr. Jyoti Ranjan Parida.
ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରୁମଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ (ଆର୍ଥ୍ରାଇଟିସ ସ୍ପେଶିଆଲିଷ୍ଟ)। ଆର୍ଥ୍ରାଇଟିସ ରୋଗ ଓ ଏହା ଚିକିତ୍ସା କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅନୁଭୂତି ରହିଛି। ବର୍ତ୍ତମାନ ଡାକ୍ତର ପରିଡ଼ା ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ +91-9338653086 ନମ୍ବରରେ କଲ୍ କରିପାରିବେ।