କେମିତି କରିବେ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ଙ୍କଠାରୁ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା, ସଫଳ ଆଣ୍ଠୁ ପ୍ରତିରୋପଣ ବିଷୟରେ ଆସନ୍ତୁ ଜାଣିବା।
- ଆଣ୍ଠୁଗଣ୍ଠି ବାତ ରୋଗ କ’ଣ?
- ଆଣ୍ଠୁଗଣ୍ଠି ବାତ ରୋଗ କାହିଁକି ହୁଏ?
- ଗଣ୍ଠିବାତ ରୋଗର ପ୍ରକାର
- ଗଣ୍ଠିବାତ ରୋଗକୁ ଚିହ୍ନିବେ କେମିତି?
- ଗଣ୍ଠିବାତ ରୋଗର ନିରାକରଣ
- ଗଣ୍ଠି ବାତ ରୋଗର ଚିକିତ୍ସା
- ଆଣ୍ଠୁ ପ୍ରତିରୋପଣକୁ ଡରନ୍ତୁ ନାହିଁ
ଆଣ୍ଠୁଗଣ୍ଠି ବାତ ରୋଗ କ’ଣ? (What is Joint Arthritis in Odia)
ବୟସ ବଢ଼ିଲେ ଶରୀରର ହାଡ଼ ଦୁର୍ବଳ ହୋଇଯାଏ। ଫଳରେ ବିଭିନ୍ନ ଗଣ୍ଠି ଜନିତ ସମସ୍ୟା ଦେଖାଯାଏ। ଆଣ୍ଠୁଗଣ୍ଠି ବାତ, ଅଷ୍ଟିଓପୋରସିସ୍, ଅଷ୍ଟିଓଆର୍ଥ୍ରାଇଟିସ୍ ଇତ୍ୟାଦି।
ଭାରତୀୟଙ୍କଠାରେ ଆଣ୍ଠୁଗଣ୍ଠି ବାତ ରୋଗ ଅଧିକ ଦେଖାଦିଏ। କାରଣ ଅଧିକାଂଶ ଭାରତୀୟ ଲୋକ ତଳେ ବସି କାର୍ଯ୍ୟ କରନ୍ତି। ଫଳରେ ଆଣ୍ଠୁ ଉପରେ ଅଧିକ ଚାପ ପଡ଼େ।
ଅଧିକ ପଢ଼ନ୍ତୁ: ବୟସ ବଢ଼ିଲେ କାହିଁକି ହୁଏ ଆଣ୍ଠୁଗଣ୍ଠି ସମସ୍ୟା?
ଆଣ୍ଠୁଗଣ୍ଠି ବାତ ରୋଗ କାହିଁକି ହୁଏ? (Causes of Joint Arthritis in Odia)
ଆଣ୍ଠୁଗଣ୍ଠି ବାତ ରୋଗ ଦୁଇଟି କାରଣରୁ ହୋଇଥାଏ। ଯଥା: ବୟସଜନିତ ଓ ରୋଗଜନିତ।
ଜଙ୍ଘ ହାଡ଼, ନଳୀ ହାଡ଼ ଓ ଚକି ହାଡ଼କୁ ନେଇ ଆଣ୍ଠୁର ଗଣ୍ଠି ତିଆରି ହୋଇଛି। ଗଣ୍ଠିର ଚଳନ ପାଇଁ ଲିଗାମେଣ୍ଟ ସାହାଯ୍ୟ କରିଥାଏ। ହାଡ଼ ଉପରେ ଏକ ଆବରଣ ଥାଏ, ଯାହାକୁ କାର୍ଟିଲେଜ୍ କୁହାଯାଏ। ବୟସ ବଢ଼ିବା ସହିତ କାର୍ଟିଲେଜ୍ର ଆବରଣ ଧୀରେ ଧୀରେ ଖାଇ ଖାଇ ଯାଏ। କାର୍ଟିଲେଜ୍ ଅଳ୍ପ ଖାଇଥିଲେ ଅଳ୍ପ ଯନ୍ତ୍ରଣା ଅନୁଭୂତ ହୁଏ, ଟିକେ ଫୁଲିଥାଏ, ଯାହାକୁ ପ୍ରଥମ ପର୍ଯ୍ୟାୟ କୁହାଯାଏ। ଦ୍ୱିତୀୟ ପର୍ଯ୍ୟାୟରେ କାର୍ଟିଲେଜ୍ ଆବରଣ ଟିକେ ଅଧିକ ଖାଇଯିବ। ଏହାଦ୍ୱାରା ବେଶୀ ଯନ୍ତ୍ରଣା ହୁଏ, ପାଣି ଜମା ହୋଇଯାଏ। ତୃତୀୟ ପର୍ଯ୍ୟାୟରେ କାର୍ଟିଲେଜ୍ ଆବରଣ ପୂରା ଖାଇଯିବ ଓ ହାଡ଼ ଉପରେ ହାଡ଼ ଘର୍ଷଣ ହେବା ଆରମ୍ଭ କରିବ। ଚତୁର୍ଥ ପର୍ଯ୍ୟାୟରେ ପୂରା ଖାଇଯିବ ଏବଂ ଆଣ୍ଠୁ ବଙ୍କା ହୋଇଯିବ।
ଗଣ୍ଠିବାତ ରୋଗର ପ୍ରକାର (Types of Joint arthritis in Odia)
ଗଣ୍ଠିବାତ ରୋଗ ତିନିପ୍ରକାରର। ଯଥା: ରୁମାଟୋଏଡ୍ ଆର୍ଥ୍ରାଇଟିସ୍, ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍, ଗାଉଟ୍ ଆର୍ଥ୍ରାଇଟିସ୍।
ରୁମାଟୋଏଡ୍ ଆର୍ଥ୍ରାଇଟିସ୍ – ଏହା ଏକ ଅଟୋଇମ୍ୟୁନ୍ ଡିଜିଜ୍। ରୋଗପ୍ରତିରୋଧକ ଶକ୍ତି କମିଗଲେ ରୁମାଟୋଏଡ୍ ଆର୍ଥ୍ରାଇଟିସ୍ ହୋଇଥାଏ। ଏହା ସାଧାରଣତଃ ମହିଳାମାନଙ୍କୁ ବେଶୀ ହୁଏ ଓ ୪୦ରୁ ୪୫ ବର୍ଷ ବୟସରେ ହୋଇପାରେ। ଏହା ବୁଢ଼ାଆଙ୍ଗୁଠିର ଗଣ୍ଠିରେ ହୋଇଥାଏ। ଏହି ରୋଗ ହେଲେ ସକାଳେ ଏବଂ ଶୀତ ଦିନେ ଗଣ୍ଠି ଷ୍ଟିଫ୍ ହୋଇଯାଏ। ଏହି ସମସ୍ୟା ହେଲେ ଧୀରେ ଧୀରେ ଗଣ୍ଠି ଫୁଲି ବଙ୍କା ହୋଇଯାଏ।
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ – ଏହା ବଂଶଗତ କାରଣରୁ ହୋଇଥାଏ। ଏହି ରୋଗ ମେରୁଦଣ୍ଡ ହାଡ଼କୁ ପ୍ରଭାବିତ କରିଥାଏ। ଏହି ସମସ୍ୟା ହେଲେ ମେରୁଦଣ୍ଡ ଷ୍ଟିଫ୍ ହୋଇଯାଏ।
ଗାଉଟ୍ ଆର୍ଥ୍ରାଇଟିସ୍ – ଗଣ୍ଠିରେ ୟୁରିକ୍ ଏସିଡ୍ ଜମା ହୋଇଗଲେ ଏହି ସମସ୍ୟା ହୋଇଥାଏ। ପ୍ରୋଟିନ୍ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ଯେପରିକି କଙ୍କଡ଼ା, ଚିଙ୍ଗୁଡ଼ି ଅଧିକ ଖାଇବା ଦ୍ୱାରା, ମଦ୍ୟପାନ କରିବା ଦ୍ୱାରା, ଡାଲିଜାତୀୟ ଖାଦ୍ୟ, ଭେଣ୍ଡି, ପୋଇ, ପାଳଙ୍ଗ ଶାଗ, ଛତୁ, ବିରିଡାଲି ଅଧିକ ଖାଇବା ଦ୍ୱାରା ଶରୀରରେ ୟୁରିକ୍ ଏସିଡ୍ ବଢ଼ିଯାଏ। ଏହା ଗଣ୍ଠିରେ ଜମା ହୋଇ ଗଣ୍ଠିବାତ ରୋଗ କରାଏ, ଯାହାକୁ ଗାଉଟ୍ ରୋଗ ବୋଲି କହିଥାଉ।
ଅଧିକ ପଢ଼ନ୍ତୁ: କାନ୍ଧ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?
ଗଣ୍ଠିବାତ ରୋଗକୁ ଚିହ୍ନିବେ କେମିତି? (Diagnose of Joint Arthritis in Odia)
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗକୁ ଚିହ୍ନିବା ପାଇଁ HLA-B27 ପରୀକ୍ଷା କରାଯାଏ। ଏହା ପଜିଟିଭ୍ ଥିଲେ ଜାଣିବେ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ହୋଇଛି। ଗାଉଟ୍ ରୋଗ ଜାଣିବା ପାଇଁ ୟୁରିକ୍ ଏସିଡ୍ ପରୀକ୍ଷା କରାଯାଏ। ଏହାଛଡ଼ା ଭିଟାମିନ୍ ଡି, ଭିଟାମିନ୍ ବି-୧୨, ୟୁରିକ୍ ଏସିଡ୍, କ୍ୟାଲ୍ସିୟମ୍, ଥାଇରଏଡ୍ ପରୀକ୍ଷା କରାଯାଏ।
ଗଣ୍ଠିବାତ ରୋଗର ନିରାକରଣ (Prevention of Joint Arthritis in Odia)
ଥଣ୍ଡା ବଢ଼ିଲେ ରୁମାଟୋଏଡ୍ ଆର୍ଥ୍ରାଇଟିସ୍ ବଢ଼ିଥାଏ। ଏହାଛଡ଼ା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ଏହି ସମସ୍ୟା ଅଧିକ ହୋଇଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ ନିୟମିତ ବ୍ୟାୟାମ କରିବା ଦରକାର, ସନ୍ତୁଳିତ ଭିଟାମିନ୍ଯୁକ୍ତ ଖାଦ୍ୟ ଖାଇବା ଦରକାର। ଏହାଛଡ଼ା କେତେକ ଔଷଧ ଅଛି, ଯାହାକୁ ଡାକ୍ତରଙ୍କୁ ପରାମର୍ଶ କରି ଖାଇବା ଜରୁରୀ।
ଯଦି ଭିଟାମିନ୍ ଡି ଅଭାବରୁ ଗଣ୍ଠିବାତ ରୋଗ ହେଉଛି, ତେବେ ଭିଟାମିନ୍ ଡି ଔଷଧ ଖାଇବା ସହିତ ନିୟମିତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ୩୦ରୁ ୪୦ ମିନିଟ୍ ରହିବା ଦରକାର। ତାହାହେଲେ ଶରୀରରେ ଭିଟାମିନ୍ ଡି ତିଆରି ହୋଇପାରିବ।
ମଜଭୁତ ହାଡ଼ ପାଇଁ କ୍ୟାଲ୍ସିୟମ୍ ଜରୁରୀ। ପ୍ରତ୍ୟେକ ବ୍ୟକ୍ତି ଦୈନିକ ହଜାର ମିଲିଗ୍ରାମ୍ କ୍ୟାଲ୍ସିୟମ୍ ନେବା ଜରୁରୀ। ଏଥିପାଇଁ ନିୟମିତ କ୍ଷୀର ପିଅନ୍ତୁ। ସବୁବେଳେ କ୍ଷୀରରୁ ସର କାଢ଼ି କ୍ଷୀର ପିଅନ୍ତୁ।
ଅଧିକ ପଢ଼ନ୍ତୁ: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ କ’ଣ?
ଗଣ୍ଠି ବାତ ରୋଗର ଚିକିତ୍ସା (Treatment of Joint Arthritis in Odia)
୮୦ ପ୍ରତିଶତ ଗଣ୍ଠିବାତ ରୋଗ ବୟସଜନିତ। ବୟସ ହେଲେ କାର୍ଟିଲେଜ୍ ଖାଇ ଖାଇ ଯାଏ। ଫଳରେ ଗଣ୍ଠିରେ ଗଣ୍ଠି ଘର୍ଷଣ ହୋଇ ଗଣ୍ଠିବାତ ରୋଗ ହୋଇଥାଏ। ହେଲେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଥାଏ ଯେ, ବ୍ୟାୟାମ କରିବା ଦ୍ୱାରା ଆଣ୍ଠୁରେ ଚାପ ପଡ଼ିଥାଏ ଓ କାର୍ଟିଲେଜ୍ ସରିଯାଏ। ହେଲେ ଏକ୍ସରସାଇଜ୍ କରିବା ଦ୍ୱାରା ଗଣ୍ଠିର ମାଂସପେଶୀରୁ କାର୍ଟିଲେଜ୍ ରକ୍ତ ଶୋଷିନେଇ ବଞ୍ଚିଥାଏ। ଯଦି ବ୍ୟାୟାମ କରିବେ ନାହିଁ କାର୍ଟିଲେଜ୍କୁ ଖାଇବାକୁ ମିଳିନଥାଏ ଓ ଏହା ପତଳା ହୋଇଯାଏ। ତେଣୁ ଯେତେ ବ୍ୟାୟାମ କରିବେ ସେତେ ଭଲ।
କାର୍ଟିଲେଜ୍ ଥରେ ନଷ୍ଟ ହେଲେ ଆଉଥରେ ତିଆରି ହେବ ନାହିଁ। ଯଦି କାର୍ଟିଲେଜ୍ ଅଳ୍ପ ମାତ୍ରାରେ ଖାଇଛି, ତେବେ ଔଷଧ ଖାଇ ଏହାକୁ ମଜଭୁତ କରିପାରିବେ। ଫଳରେ ୫-୧୦ ବର୍ଷ ଯାଏଁ କୌଣସି ସମସ୍ୟା ହେବ ନାହିଁ।
ଯଦି ଗଣ୍ଠିରୁ କାର୍ଟିଲେଜ୍ ଖାଇଯାଇଥିବ ଓ ଡେବ୍ରିଜ୍ ଜମା ହୁଏ, ତେବେ ଆର୍ଥୋସ୍କୋପିକ୍ ଜରିଆରେ ସର୍ଜରୀ କରାଯାଏ।
ଯଦି ଗଣ୍ଠି ବଙ୍କା ହୋଇଯାଏ, ତେବେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ।
ଆଣ୍ଠୁ ପ୍ରତିରୋପଣକୁ ଡରନ୍ତୁ ନାହିଁ (Don’t be afraid of Knee Replacement in Odia)
ଅଧିକାଂଶ ଲୋକ ଆଣ୍ଠୁ ପ୍ରତିରୋପଣ କରିବାକୁ ଭୟ କରନ୍ତି। କାରଣ ସେମାନଙ୍କ ମନରେ ଥାଏ ଯେ, କାଳେ ଅପରେସନ୍ କଲା ପରେ ଚାଲିପାରିବିନି, ଯନ୍ତ୍ରଣା ବଢ଼ିଯିବ, ଅକାମୀ ହୋଇଯିବ। ହେଲେ ବିଶ୍ୱରେ ଦ୍ୱିତୀୟ ସଫଳ ସର୍ଜରୀ ହେଉଛି ଆଣ୍ଠୁପ୍ରତିରୋପଣ ସର୍ଜରୀ। ଯଦି ଆଣ୍ଠୁ ପ୍ରତିରୋପଣ କରୁଥିବା ବ୍ୟକ୍ତିଙ୍କର ମଧୁମେହ କିମ୍ବା ଅଷ୍ଟିଓପୋରସିସ୍ ଥାଏ ତେବେ ସଂକ୍ରମଣ ହେବାର ଆଶଙ୍କା ଥାଏ।
ଏହି ଅପରେସନ୍ କରିବାର ଠିକ୍ ପରଦିନ ବ୍ୟକ୍ତି ଓ୍ୱାକର ଧରି ଚାଲିପାରିବେ। ୩ରୁ ୪ ଦିନ ହସ୍ପିଟାଲରେ ରହି ଓ୍ୱାକର ସାହାଯ୍ୟରେ ଚଲାବୁଲା କରିପାରିବେ। ୫ ଦିନ ବେଳକୁ ସିଢ଼ି ଚଢ଼ାଚଢ଼ି କରିପାରିବେ। ୨୦ ଦିନ ପରେ ନିଜ କାମ ନିଜେ କରିପାରିବେ। ଦେଢ଼ ମାସ ବେଳକୁ ସାଇକେଲ ଚଳାଇପାରିବେ, ଚାଲିପାରିବେ ଓ ପହଁରିବା ଭଳି କାର୍ଯ୍ୟ କରିପାରିବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପରେଶ ଚନ୍ଦ୍ର ଦେଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Arthritis & Knee Replacement, in Odia language, is based on an extensive interview with Endospine and Joint Replacement Surgeon Dr. Paresh Chandra Dey.