କେମିତି ନେବେ ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ? ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏବିଷୟରେ ଜାଣିବା ସବିଶେଷ ତଥ୍ୟ।

ଶିଶୁ ମା’ ପେଟରେ ଥିବା ଦିନଠାରୁ ତା’ର ଯତ୍ନ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର। ସୁଷମ ଖାଦ୍ୟଠାରୁ ଆରମ୍ଭ କରି ଟିକାକରଣ ସଠିକ ସମୟରେ କରିବା ଦରକାର। ପ୍ରସବ ସର୍ବଦା ସ୍ୱାସ୍ଥ୍ୟକେନ୍ଦ୍ରରେ କରିବା ଉଚିତ। ପ୍ରସବ ପରେ ନବଜାତ ଶିଶୁର ଯତ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ।

ନବଜାତ ଶିଶୁର ପ୍ରଥମ ଏବଂ ଗୁରୁତ୍ଵପୂର୍ଣ୍ଣ ଖାଦ୍ୟ ହେଲା ମା’ କ୍ଷୀର, ଯାହାକୁ କଶ କ୍ଷୀର ବୋଲି କୁହାଯାଏ। ଶିଶୁଟିଏ ଜନ୍ମ ହେବା ପରେ ପ୍ରଥମେ ମା’ର କଶ କ୍ଷୀର ଶିଶୁକୁ ଦିଆଯାଏ। ଫଳରେ ମା’ର ପ୍ରସବ ଯନ୍ତ୍ରଣା କିଛି ମାତ୍ରାରେ କମିଥାଏ।  ଶିଶୁ କ୍ଷୀର ଖାଇବା ଆରମ୍ଭ କଲେ ମା’ର କ୍ଷୀର ହୋଇଥାଏ।

ମା’ର କ୍ଷୀର କେମିତି ହେବ? (How to increase breast milk in mother in Odia)

ଶିଶୁ ଜନ୍ମ ହେବା ପରେ ଶିଶୁକୁ ମା’ ରହୁଥିବା ଘରେ ରଖାଯାଏ ଏବଂ ମା’ଙ୍କ ତ୍ୱଚାରେ ଶିଶୁର ତ୍ଵଚା ଲାଗି ରହିବା ଦରକାର। ଯେତେ ଅଧିକ ଥର ଶିଶୁ କ୍ଷୀର ଖାଇବା ମା’ଙ୍କର ସେତେ ଅଧିକ କ୍ଷୀର ହେବ। ତେଣୁ, ନବଜାତ ଶିଶୁଙ୍କୁ ପ୍ରତି ୨ଘଣ୍ଟାରେ ଥରେ ସ୍ତନ୍ୟପାନ କରାନ୍ତୁ। ଗର୍ଭଧାରଣର ପ୍ରଥମ ଦିନ ମା’ର ଅଳ୍ପ ମାତ୍ରାରେ କ୍ଷୀର ହୋଇଥାଏ, ଯାହାକୁ କୋଲେଷ୍ଟ୍ରମ୍‌ କହନ୍ତି। ଏହି କ୍ଷୀର ନବଜାତ ଶିଶୁ ପାଇଁ ବେଶି ଗୁରୁତ୍ଵପୂର୍ଣ୍ଣ। ଏହି କ୍ଷୀରରେ ଅଧିକ ପୋଷଣ ଥାଏ, ଫଳରେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ନବଜାତ ଶିଶୁ ଜନ୍ମ ହେବାର ୨୪ ଘଣ୍ଟା ମଧ୍ୟରେ ପରିସ୍ରା କରିବା ଦରକାର। ଯଦି ଶିଶୁର ପରିସ୍ରା ହେଉଛି, ତେବେ ଜାଣିବେ ଶିଶୁ ସ୍ତନ୍ୟପାନ କରୁଛି। କେତେକ ମା’ମାନେ ଡାକ୍ତରଙ୍କ ପାଖରେ ଅଭିଯୋଗ କରନ୍ତି ଯେ, କ୍ଷୀର ହେଉନାହିଁ। ଶିଶୁ ମା’ଠୁ କ୍ଷୀର ଖାଇଲେ ହିଁ ମା’ର କ୍ଷୀର ହେବ।  ଜନ୍ମର ପ୍ରଥମ ଦୁଇ ଦିନ ମା’ କ୍ଷୀର କମ୍‌ ହୋଇଥାଏ, ତେଣୁ ଶିଶୁର ପରିସ୍ରା ମଧ୍ୟ କମ୍ ହୋଇଥାଏ। ଶିଶୁ ପ୍ରଥମ ଦୁଇଦିନ କଳା ଝାଡ଼ା କରିଥା’ନ୍ତି, ଯାହାକୁ ମେକୋନିୟମ୍ କହନ୍ତି।  ଚାରି ପାଞ୍ଚ ଦିନ ପରେ ଶିଶୁର ଝାଡ଼ାର ରଙ୍ଗରେ ପରିବର୍ତ୍ତନ ଆସିଥାଏ।

ଅଧିକ ପଢ଼ନ୍ତୁ: ଶିଶୁକୁ ଜ୍ୱର, ଥଣ୍ଡା ଓ କାଶ ହେଲେ କ’ଣ କରିବେ?

ନବଜାତ ଶିଶୁଙ୍କ ଜଣ୍ଡିସ୍‌ ରୋଗର ଚିକିତ୍ସା (Treatment of jaundice in newborns in Odia)

କେତେକ ଶିଶୁ ଜନ୍ମ ହେବାର ପ୍ରଥମ ସପ୍ତାହ ମଧ୍ୟରେ ଜଣ୍ଡିସ୍ ହୋଇଥାଏ। ଯଦି ଶିଶୁ ସାମାନ୍ୟ ହଳଦିଆ ଦେଖାଯାଉଛି, .ତେବେ ତା’ର ଜଣ୍ଡିସ ପରୀକ୍ଷା କରାଯାଇଥାଏ। ଜଣ୍ଡିସ୍‌ର ଚିକିତ୍ସା ପାଇଁ ଫଟୋଥେରାପି ଦରକାର ପଡ଼ିଥାଏ। କେତେକ ଲୋକ ଜଣ୍ଡିସ୍‌ ହେଲେ ଶିଶୁଙ୍କୁ ଖରାରେ ଦେଖାଇଥା’ନ୍ତି। ହେଲେ ଏସବୁ ଭୁଲ ଧାରଣା। ଶିଶୁକୁ ଖରାରେ ଦେଖାଇଲେ ଶିଶୁକୁ ହାଇପୋଥର୍ମିଆ ହେବାର ଆଶଙ୍କା ବଢ଼ିଯାଏ। ତେଣୁ, ଶିଶୁ ଜନ୍ମ ହେବା ପରେ ଶିଶୁକୁ ଘୋଡ଼ାଇ ରଖନ୍ତୁ, ଯେଉଁ ଘରେ ରହୁଛନ୍ତି ତା’ର ତାପମାତ୍ରା କମ୍‌ ରହିବ ଦରକାର। ଭାରତରେ ହାଇପୋଥର୍ମିଆ କାରଣରୁ ଶିଶୁ ମୃତ୍ୟୁହାର ଅଧିକ।

ମା’ମାନେ କ’ଣ ଖାଇବା ଦରକାର? (Proper diet for Mothers in Odia)

ଗର୍ଭଧାରଣ ଆରମ୍ଭରୁ ଶିଶୁ ସ୍ତନ୍ୟପାନ କରିବା ପର୍ଯ୍ୟନ୍ତ ପ୍ରତ୍ୟେକ ମା’ ନିଜ ଖାଦ୍ୟ ଉପରେ ବିଶେଷ ଯତ୍ନବାନ ହେବା ଜରୁରୀ। ସୁଷମ ଖାଦ୍ୟ, ସବୁଜପନିପରିବା, ଫଳମୂଳ, ଘରେ ରନ୍ଧା ତାଜା ଖାଦ୍ୟ ଓ ପ୍ରଚୁର ପାଣି ପିଇବା ଜରୁରୀ।

ନବଜାତ ଶିଶୁଙ୍କୁ କେମିତି ଖାଇବାକୁ ଦେବେ? (How to feed a newborn baby in Odia)

ସ୍ତନ୍ୟପାନ କରିବା ବେଳେ ଶିଶୁର ପାଟି ବାଟେ ପବନ ପଶି ପେଟରେ ଗ୍ୟାସ୍ କରିଥାଏ। ଫଳରେ ଶିଶୁ କାନ୍ଦିଥା’ନ୍ତି। ତେଣୁ, ସ୍ତନ୍ୟପାନ କରିବା ପରେ ଶିଶୁକୁ କାନ୍ଧରେ ପକାଇ ବରପିଂ କରନ୍ତୁ। ଫଳରେ ଗ୍ୟାସ୍‌ ପାଟି ବାଟରେ ବାହାରିଯାଏ ଓ ଶିଶୁ ଠିକ୍‌ ଭାବେ ଶୋଇପାରନ୍ତି। ଯଦି ଶିଶୁ ୨ ଘଣ୍ଟାରେ ଉଠୁଛି, ତାକୁ ୨ ଘଣ୍ଟାରେ ଖାଇବାକୁ ଦିଅନ୍ତୁ, ଯଦି ୩ ଘଣ୍ଟା ଯାଏଁ ଶୋଉଛି, ତେବେ ଶିଶୁକୁ ଶୋଇବାକୁ ଦିଅନ୍ତୁ। ଘଣ୍ଟେ ଘଣ୍ଟେରେ ଶିଶୁକୁ ସ୍ତନ୍ୟପାନ କରାନ୍ତୁ ନାହିଁ। ଫଳରେ ଶିଶୁର ବାନ୍ତି ହୁଏ। କେତେକ ଶିଶୁ ଦୁଇ ମିନିଟ୍‌ ଖାଇ ଶୋଇପଡ଼ନ୍ତି। ଏଭଳି କ୍ଷେତ୍ରରେ ଶିଶୁକୁ ଆରାମସେ ଉଠାଇ ଉଠାଇ ୧୫ରୁ ୨୦ ମିନିଟ୍‌ ସ୍ତନ୍ୟପାନ କରିବା ଜରୁରୀ।

baby

ଅଧିକ ପଢ଼ନ୍ତୁ: ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ?

ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ (Stay away from superstitions in Odia)

ପୂର୍ବରୁ ଶିଶୁ ଜନ୍ମ ହେବା ପରେ ସଙ୍ଗେ ସଙ୍ଗେ ଗାଧୋଉଥିଲେ, ଯାହା ସମ୍ପୂର୍ଣ୍ଣ ଭୁଲ। ଗାଧୋଇବା ଦ୍ୱାରା ଶିଶୁର ହାଇପୋଥର୍ମିଆ (ଶରୀରର ତାପମାତ୍ରା କମିଯିବ) ହୋଇପାରେ। ଶିଶୁ ଜନ୍ମ ହେବାର ତିନି, ଚାରି ଦିନ ପରେ ଉଷୁମ ପାଣିରେ ଏକ କପଡ଼ା ବୁଡ଼ାଇ ପୋଛିପାରିବେ। ଶିଶୁର ପାଟି ସଫା କରିବେ ନାହିଁ। କେତେକ ଲୋକ ନାଭି ପଡ଼ିଗଲା କହି ଶିଶୁକୁ ହଳଦୀ ଲଗାନ୍ତି, ପାଟି ସଫା କରାନ୍ତି ଓ ଘିଅ ମଧ୍ୟ ଚଟାନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଶିଶୁକୁ ମା’ କ୍ଷୀର ଛଡ଼ା ଆଉ କିଛି ଦିଅନ୍ତୁ ନାହିଁ।

ସମସ୍ତ ଶିଶୁଙ୍କର ନାଭି ଅଲଗା ଅଲଗା ଦିନରେ ପଡ଼ିଥାଏ। କେତେକ ଶିଶୁଙ୍କ ନାଭି ୫ଦିନରେ ତ କେତେକ ଶିଶୁଙ୍କର ୧୦ ଦିନରେ ଓ କେତେକ ଶିଶୁଙ୍କର ୧୮-୨୦ ଦିନରେ ନାଭି ପଡ଼ିଥାଏ। ନାଭିରେ କୌଣସି ଜିନିଷ ଲଗାଇବେ ନାହିଁ। ନାଭି ଆପେ ଆପେ ଶୁଖିବ। ଯଦି ନାଭି ଛାଡ଼ିବା ପରେ ଓଦାଳିଆ ରହୁଛି, ତେବେ ତୁଳାରେ ପୋଛିପାରିବେ, ଫଳରେ ନାଭି ଜଲଦି ଶୁଖିପାରିବ।

ଶିଶୁଙ୍କୁ ମାସେ ପରେ କଜଳ ଓ ପାଉଡର ଲଗାଇପାରିବେ। ହେଲେ ଶିଶୁର ଆଖିରେ କଜଳ ଲଗାନ୍ତୁ ନାହିଁ।

ନବଜାତ ଶିଶୁକୁ ସଂକ୍ରମଣର ଭୟ (Fear of infection in newborns in Odia)

ଯେଉଁ ଜାଗାରେ ଶିଶୁ ଓ ମା’ ଶୋଉଛନ୍ତି, ସେହି ଜାଗାକୁ ସଫା ରଖନ୍ତୁ। ଶିଶୁକୁ ଧରିବା ବେଳେ ହାତ ଧୁଅନ୍ତୁ। ନବଜାତ ଶିଶୁକୁ ବେଶି ଲୋକ ଧରନ୍ତୁ ନାହିଁ। ଏହାଦ୍ୱାରା ଶିଶୁକୁ ସଂକ୍ରମଣର ଭୟ ରହିଛି। ଯେଉଁ ଶିଶୁ ସଠିକ୍‌ ଭାବେ ଖାଉଛି, ଶୋଉଛି, କାନ୍ଦୁଛି ଓ ପରିସ୍ରା କରୁଛି, ତେବେ ଜାଣିବେ କୌଣସି ଅସୁବିଧା ନାହିଁ। ଯଦି ଶିଶୁ ଖାଉ ନାହିଁ, ବେଶି କାନ୍ଦୁ ନାହିଁ, ଶରୀର ଥଣ୍ଡାପଡ଼ୁଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାନ୍ତୁ।

ଜନ୍ମ ପରେ ଶିଶୁକୁ କେଉଁ ଟିକା ଦେବେ? (What vaccines will be given to a baby after birth?)

 ଶିଶୁ ଜନ୍ମ ହେଉ ହେଉ ବିସିଜି, ଓରାଲ ପୋଲିଓ ଏବଂ ହେପାଟାଇଟିସ୍‌-ବି ଟିକା ଦେଇଥାଉ। ଏହାଛଡ଼ା ଶିଶୁକୁ ମାସକୁ ମାସ ଯେଉଁ ଯେଉଁ ଟିକା ଦେବା ଦରକାର ତାହା ଦେବା ଜରୁରୀ।

୬ମାସ ପରେ ଶିଶୁକୁ କ’ଣ ଖାଇବାକୁ ଦେବେ? (What to feed the baby after 6 months in Odia)

ଜନ୍ମ ହେବାର ୬ମାସ ଯାଏଁ ଶିଶୁକୁ କେବଳ ମା’ କ୍ଷୀର ଦିଅନ୍ତୁ। ୬ମାସ ପର୍ଯ୍ୟନ୍ତ ମା’ କ୍ଷୀର ଖାଇଲେ ଶିଶୁ ସୁସ୍ଥ ରହିବ। ୬ ମାସ ପରେ ମା’କ୍ଷୀର ଦେବା ସହିତ ପରିପୂରକ ଖାଦ୍ୟ ଦେବା ଦରକାର। ଏହାପରେ ଖାଲି ଫୁଟାପାଣି, ସୁପ୍‌, ଡାଲିପାଣି ଦେଇପାରିବା। ଏହାପରେ ଧୀରେ ଧୀରେ କରି ଡାଲି, ପରିବାକୁ ପ୍ରେସରକୁକରରେ ସିଝାଇ ଦେବା ଦରକାର। ୭ମାସ ପରେ ଛତୁଆ, ଖେଚେଡ଼ି, ଡାଲି ଦେଇପାରିବା। ୬ରୁ ୯ମାସ ଶିଶୁ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ଶିଶୁକୁ ଧୀରେ ଧୀରେ ଏହିସବୁ ଖାଦ୍ୟ ଦେବା ଦ୍ୱାରା ଶିଶୁ ଖାଇବା ଶିଖିବେ।

breastfeeding

ଶିଶୁ ଖାଉ ନଥିଲେ କ’ଣ କରିବେ? (What to do if the baby is not eating in Odia)

କେତେକ କ୍ଷେତ୍ରରେ ମା’ମାନଙ୍କର ଅଭିଯୋଗ ଥାଏ ଯେ, ଶିଶୁକୁ କିଛି ଖାଦ୍ୟ ଖୁଆଇଲେ ଶିଶୁ ଖାଉ ନାହିଁ। ଏଭଳି ପରିସ୍ଥିତିରେ ଶିଶୁକୁ ଜୋର ଜବରଦସ୍ତି କିଛି ଖୁଆନ୍ତୁ ନାହିଁ। ଶିଶୁକୁ ଭଲରେ ବୁଝାଇ ବୁଝାଇ ଖାଇବାକୁ ଦିଅନ୍ତୁ। ଯେଉଁ ଜିନିଷ ଶିଶୁ ଧରିପାରିବ, ସେହି ଜିନିଷ ସେ ନିଜକୁ ନିଜ ଖାଇପାରିବ। ଆପଣ ଖାଇବା ବେଳେ ଗୋଟେ ଶିଶୁ ଯଦି ଥାଳିରୁ ଖାଦ୍ୟ ଟାଣୁଛି, ତେବେ ତାହା ନିହାତି ଭଲ। ଖାଦ୍ୟ ଦେଖିଲେ ଶିଶୁ ଆଗଭର ହୋଇ ଖାଦ୍ୟ ଟାଣିବା ଦରକାର। ସବୁବେଳେ ଘରୋଇ ଜିନିଷ ଏବଂ ସହଜରେ ହଜମ ହେଲା ଭଳି ଜିନିଷ ଖୁଆନ୍ତୁ।

ବର୍ତ୍ତମାନ ସମୟରେ ମା’ମାନେ ଖାଦ୍ୟକୁ ଗ୍ରାଇଣ୍ଡିଂ କରି ପିଲାଙ୍କୁ ଖାଇବାକୁ ଦେଇଦେଉଛନ୍ତି। ହେଲେ ଏହା ଭୁଲ। ଏହାଦ୍ୱାରା ଶିଶୁର ବିକାଶ ହୋଇପାରିବ ନାହିଁ। ଶିଶୁର ଦାନ୍ତ ଉଠି ନଥିଲେ ବି ଶିଶୁ ଖାଦ୍ୟକୁ ମାଢ଼ିରେ ଚୋବାଇ ଚୋବାଇ ଖାଇପାରିବ। ଶିଶୁକୁ ୬ ମାସ ପରେ ତିନିରୁ ଚାରି ଦିନ ପାଣିଆ ଖାଦ୍ୟ, ତା’ପରେ ବହଳିଆ ଖାଦ୍ୟ, ତା’ପରେ କଠିନ ଖାଦ୍ୟ ଖାଇବାକୁ ଦେବେ। ଧୀରେ ଧୀରେ କରି ଶିଶୁର ଖାଦ୍ୟରେ ପରିବର୍ତ୍ତନ କଲେ ଶିଶୁ ଖାଇବା ଶିଖିବ ଏବଂ ଶିଶୁ ହୃଷ୍ଟପୃଷ୍ଠ ହେବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Newborn baby care after birth, in Odia language, is based on an extensive interview with Paediatrician Dr Ranjit Kumar Joshi.