ଥରେ ଷ୍ଟ୍ରୋକ୍ ହେବା ପରେ ଦ୍ୱିତୀୟ ଥର ଷ୍ଟ୍ରୋକ ନ ହେବା ପାଇଁ ରୋଗୀଙ୍କର ଯତ୍ନ ନେବା ଜରୁରୀ।
ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୌଣସି କାରଣରୁ ଏଥିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶୀରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ।
ବ୍ରେନ୍ ଷ୍ଟ୍ରୋକ୍ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ। ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍ ଭାବରେ ହୋଇପାରେ ନାହିଁ, ତେବେ ଏହାକୁ ଇସ୍ଚେମିକ୍ ଷ୍ଟ୍ରୋକ କୁହାଯାଏ। ଯଦି କୌଣସି କାରଣରୁ ମସ୍ତିଷ୍କର ଶୀରା ଫାଟି ଯାଇ ରକ୍ତ ସ୍ରାବ ହୁଏ, ତେବେ ଏହା ହେମରଜିକ୍ ଷ୍ଟ୍ରୋକ କୁହାଯାଏ।
ଡାଏବେଟିସ୍, ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ହୃଦରୋଗ, ମାନସିକ ଚାପ, ମେଦବହୁଳତା ହେଉଛି ବ୍ରେନ୍ ଷ୍ଟ୍ରୋକର ମୁଖ୍ୟ କାରଣ। ଏହାଛଡ଼ା ଯଦି ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ଓ ବଂଶଗତ କାରଣରୁ ବି ବ୍ରେନ୍ ଷ୍ଟ୍ରୋକ୍ ହୋଇପାରେ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବ୍ରେନ୍ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା ଥାଏ।
ଷ୍ଟ୍ରୋକ୍ ପରେ ନିଜର ଯତ୍ନ?
ଷ୍ଟ୍ରୋକ୍ ରୋଗୀମାନେ ପ୍ରଥମ ପର୍ଯ୍ୟାୟରେ ଚାପରେ ରହନ୍ତି। କେତେ ପଇସା ଖର୍ଚ୍ଚ ହେବ, ପୁଣି କାର୍ଯ୍ୟ କରିପାରିବେ କି ନାହିଁ ଭାବି ଚାପରେ ରହନ୍ତି। ଏସବୁ କଥାଗୁଡ଼ିକୁ ବେଶୀ ନଭାବି ସ୍ଵାଭାବିକ ଜୀବନକୁ ଫେରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ପୁନଃ ଦ୍ଵିତୀୟ ଥର ଷ୍ଟ୍ରୋକ୍, ନହେଉ, ସେନେଇ ଯତ୍ନ ନେବା ସହ ଡାକ୍ତରଙ୍କ ପରାମର୍ଶରେ ରହିବା ଉଚିତ।
ରୋଗୀ ଘରକୁ ଯିବା ପରେ ଶୌଚାଳୟ ଯିବାରେ, ସ୍ନାନ ସମୟରେ ଯେପରି ଦୁର୍ଘଟଣା ନହୁଏ, ସେନେଇ ଧ୍ୟାନ ଦେବା ଆବଶ୍ୟକ।
ଥରେ ଷ୍ଟ୍ରୋକ୍ ହେବା ପରେ ୧୦ ପ୍ରତିଶତ ଲୋକ ସମ୍ପୁର୍ଣ୍ଣ ଭଲ ହୋଇଯା’ନ୍ତି। ୨୫ ପ୍ରତିଶତ ଲୋକଙ୍କର କିଛିଟା ବିକୃତି ରହେ। ସେହିପରି ଶତକଡ଼ା ୪୦ ଭାଗ ରୋଗୀଙ୍କ ମଧ୍ୟରୁ ସାଂଘାତିକ ସମସ୍ୟା ରହେ, ଶତକଡ଼ା ୧୦ ଭାଗ ଲୋକ ହସ୍ପିଟାଲରେ କୋମା ଅବସ୍ଥାରେ ରହିଥା’ନ୍ତି। ଶତକଡ଼ା ୧୫ ଭାଗ ଲୋକ ବ୍ରେନ୍ ଷ୍ଟ୍ରୋକ ଯୋଗୁଁ ପ୍ରାଣ ହରାଇଥାନ୍ତି।
ଦ୍ଵିତୀୟ ଥର ଷ୍ଟ୍ରୋକ୍, ନହେବା ପାଇଁ ଏହିସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ରକ୍ତଚାପ ୧୨୦/୮୦ ରୁ ୧୪୦/୯୦ ମଧ୍ୟରେ ସୀମିତ ରହିବା ଦରକାର, ରକ୍ତ ଶର୍କରା ୬.୫ରୁ ୭ ମଧ୍ୟରେ ସୀମିତ ରହିବା ଉଚିତ। ଷ୍ଟ୍ରୋକ୍ ପରେ ରୋଗୀଙ୍କୁ ଫିଜିଓଥେରାପି କରିବା ଦରକାର।