ଗର୍ଭବତୀ ମହିଳାମାନେ ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବା ଦରକାର? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କଣ କହୁଛନ୍ତି ଆସନ୍ତୁ ଜାଣିବା।
ମାତୃତ୍ଵ ପ୍ରଭୁଙ୍କର ଶ୍ରେଷ୍ଠତମ ଓ ସୁନ୍ଦରତମ ସୃଷ୍ଟି, ଯେଉଁଠାରେ ସବୁ ସ୍ନେହର ଆରମ୍ଭ ହୋଇଥାଏ। ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମାଆକୁ ଗର୍ଭଧାରଣ ସମୟରେ ନିଜର ସଠିକ୍ ଯତ୍ନ ନେବା ନିହାତି ଦରକାର। ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରୁ ପ୍ରସୂତି ବିଶେଷଜ୍ଞଙ୍କ ଦ୍ଵାରା ପରାମର୍ଶ ନେଲେ ଓ ନିୟମିତ ଭାବରେ ଚେକ୍ଅପ୍ କଲେ ଗର୍ଭଜନିତ ଗୁରୁତର ଜଟିଳତାକୁ ନିଶ୍ଚିତ ଭାବରେ ଏଡ଼ାଇ ଦିଆଯାଇପାରିବ ଏବଂ ପ୍ରସବ ସରଳ ଓ ସହଜ ହୋଇପାରିବ।
ସାଧାରଣତଃ ଜଣେ ଗର୍ଭବତୀ ମହିଳା ପ୍ରସୂତି ବିଶେଷଜ୍ଞଙ୍କ ପାଖରେ ଚେକ୍ଅପ୍ ପାଇଁ ଆସିବା ବେଳେ ୩ ମାସ ଅତିକ୍ରମ କରିଯାଇଥାଏ। ଏହି ୩ ମାସ ଭିତରେ ଶିଶୁଟିର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ତିଆରି ହୋଇଯାଇଥାଏ ଏବଂ ଯଦି ମହିଳାଟିର ବଂଶଗତ ଅସୁବିଧା ବା ଅନ୍ୟରୋଗ ଯୋଗୁଁ ଆଗରୁ ଜଟିଳତା ଥାଏ, ତେବେ ଗର୍ଭାବସ୍ଥାର ପ୍ରଥମ ୩ ମାସ ମଧ୍ୟରେ ଏହା ଗର୍ଭ ଉପରେ ପ୍ରଭାବ ପକାଇସାରିଥାଏ। ତେଣୁ ଗର୍ଭଧାରଣ ବିଷୟରେ ଜାଣିଲେ ତୁରନ୍ତ ପ୍ରସୂତି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଗର୍ଭବତୀ ଥିବା କଥା ଜାଣିବେ କେମିତି? (How do you know if you’re pregnant)
ମାସିକ ଋତୁସ୍ରାବ ବନ୍ଦ ହେବାର ୨ରୁ ୪ ଦିନ ଭିତରେ ଗର୍ଭବତୀ ଅଛନ୍ତି କି ନାହିଁ ପରୀକ୍ଷା କରିପାରିବେ। ବଜାରରେ ମିଳୁଥିବା ପ୍ରେଗ୍ନେନ୍ସି କିଟ୍ ବ୍ୟବହାର କରି ଆପଣ ଗର୍ଭବସ୍ଥା ଥିବା କଥା ଜାଣିପାରିବେ। ପରୀକ୍ଷା ପଜିଟିଭ୍ ଆସିଲେ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରିବା ନିହାତି ଜରୁରୀ। କେତେକ ମହିଳା ପଜିଟିଭ୍ ଜାଣିବା ପରେ ବି ଡାକ୍ତରଙ୍କ ପାଖକୁ ୨ମାସ କିମ୍ବା ୩ମାସ ପରେ ଯାଇଥା’ନ୍ତି। କିନ୍ତୁ, ଏହା ଠିକ୍ ନୁହେଁ, କାରଣ ଗର୍ଭବସ୍ଥାର ପ୍ରଥମ ତିନି ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଗର୍ଭସ୍ଥ ଭୃଣ ସଠିକ୍ ସ୍ଥାନରେ ଅଛି କି ନାହିଁ, ତାହା ଜାଣିବା ଜରୁରୀ। ଏହାସହ ଗର୍ଭଧାରଣର ପାଖାପାଖି ତାରିଖ ଜାଣିବା ପାଇଁ ଡାକ୍ତରଙ୍କ ପରାମର୍ଶ ଜରୁରୀ।
ଅଧିକାଂଶ କ୍ଷେତ୍ରରେ ଭ୍ରୁଣ ଗର୍ଭାଶୟ ଭିତରେ ନ ରହି ବାହାରେ ରହିଯାଏ, ଯାହାକୁ ଇକୋଟୋପିକ୍ ଗର୍ଭାବସ୍ଥା ବୋଲି କହନ୍ତି। ଏହି ସମସ୍ୟା ଯେତେ ଶୀଘ୍ର ଜଣାପଡ଼ିବ ତାହା ମା’ ପାଇଁ ଭଲ। କାରଣ ଏହି ଅବସ୍ଥାରେ ଯଦି ଭ୍ରୁଣ ବଢ଼ିଚାଲିବ, ତେବେ ଏହା ମା’ ଜୀବନ ପାଇଁ ଘାତକ ହୋଇପାରେ।
ଉପଯୁକ୍ତ ସମୟ ବ୍ୟବଧାନରେ ପ୍ରସୂତି ବିଶେଷଜ୍ଞଙ୍କ ନିକଟରେ ଗର୍ଭ ପରୀକ୍ଷା କରାଇବା ଉଚିତ। ଗର୍ଭ ପରୀକ୍ଷା ସମୟରେ ଜଟିଳତାର ଚିହ୍ନଟ ଓ ଚିକିତ୍ସା କରିବା ଜରୁରୀ।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ମଧୁମେହ
ପ୍ରଥମ ତ୍ରୟମାସରେ କେମିତି ନେବେ ଯତ୍ନ? (How to take care of yourself in the first trimester)
୯ମାସର ଗର୍ଭାବସ୍ଥାକୁ ତିନି ଭାଗରେ ବିଭିକ୍ତ କରାଯାଇଛି। ପ୍ରଥମ ତିନିମାସ, ମଝି ତିନି ମାସ ଓ ଶେଷ ତ୍ରୟମାସ। ସମସ୍ତ ତିନି ମାସରେ ମା’ର ଓ ଶିଶୁର ଭିନ୍ନ ଭିନ୍ନ ପରିବର୍ତ୍ତନ ହୋଇଥାଏ। ପ୍ରଥମ ତ୍ରୟମାସ ବା ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରେ ଶିଶୁର ସ୍ନାୟୁର ବିକାଶ, ହୃତ୍ପିଣ୍ଡ ଏବଂ ରକ୍ତ ସଞ୍ଚାଳନା ସିଷ୍ଟମ୍ର ବିକାଶ ସଞ୍ଚାଳନ ହୁଏ। ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରେ ମା’ର ହିମୋଗ୍ଲୋବିନ୍ ପରୀକ୍ଷା, ବ୍ଲଡ୍ ଗ୍ରୁପ୍, ସୁଗାର ସ୍ତର, ଥାଇରଏଡ୍, ପରିସ୍ରା ଓ ସେରୋଲୋଜି ପରୀକ୍ଷା କରାଯାଏ।
ସେହିପରି ପ୍ରଥମ ତ୍ରୟମାସରେ ଗର୍ଭବତୀ ମହିଳାଙ୍କୁ ସକାଳୁ ଥକ୍କା ଲାଗିଥାଏ, ବାନ୍ତି ଲାଗିବା, ଖାଇବାକୁ ଇଛା ନ ହେବା, ଛାତି ପୋଡ଼ିବା ଭଳି ଲକ୍ଷଣ ଦେଖାଯାଏ। ଏହିସବୁ ସମସ୍ୟାର ନିରାକରଣ କରିବା ପାଇଁ ଡାକ୍ତରମାନେ ଭର୍ଗବତୀ ମହିଳାଙ୍କୁ କେତେକ ଔଷଧ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। ତାହାଛଡ଼ା ଏହି ପର୍ଯ୍ୟାୟରେ ମହିଳାମାନେ ଅଳ୍ପ ଅଳ୍ପ କରି ବେଶି ଥର ଖାଇବା ଜରୁରୀ। ଏହି ସମୟରେ ଖାଲି ପେଟରେ ପାଣି ପାଣି ପିଅନ୍ତୁ ନାହିଁ କାରଣ ଖାଲି ପେଟରେ ପାଣି ପିଇଲେ ବାନ୍ତି ଲାଗିଥାଏ। କିଛି ଖାଦ୍ୟ ଖାଇବା ପରେ ପାଣି ପିଅନ୍ତୁ।
ପ୍ରଥମ ତ୍ରୟମାସରେ ଗର୍ଭବତୀ ମହିଳାଙ୍କର ହଠାତ୍ ହରମୋନ୍ରେ ପରିବର୍ତ୍ତନ ହୋଇଥାଏ। ତେଣୁ ଥକ୍କାପଣ, ନିଦ ଲାଗିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଦିଏ। ତେଣୁ ମା’ମାନେ ଉପଯୁକ୍ତ ବିଶ୍ରାମ ନେବା ଜରୁରୀ।
ଦ୍ୱିତୀୟ ତ୍ରୟମାସରେ କେମିତି ନେବେ ଯତ୍ନ? (How to take care of yourself in the second trimester)
ଗର୍ଭବସ୍ଥାର ଦ୍ୱିତୀୟ ପର୍ଯ୍ୟାୟରେ ଗର୍ଭବତୀ ମହିଳାଙ୍କର ସାଧାରଣତଃ ମୂତ୍ରାଶୟ ସଂକ୍ରମଣ ହୋଇଥାଏ। ଏହି ସମସ୍ୟା ଭବିଷ୍ୟତରେ ମା’ ଓ ଶିଶୁ ପାଇଁ କ୍ଷତି କରିପାରେ। ଏହି ପର୍ଯ୍ୟାୟରେ ଗର୍ଭବତୀ ମହିଳାଙ୍କର ଗୁପ୍ତାଙ୍ଗରୁ ଧଳାସ୍ରାବ କିମ୍ବା ପାଣି ଭଳି ବାହାରିଥାଏ। ହେଲେ ଏହି ଧଳାସ୍ରାବ ଯଦି ଦୁର୍ଗନ୍ଧ ହୋଇଥିବା କିମ୍ବା ଏହାର ରଙ୍ଗରେ ପରିବର୍ତ୍ତନ ହେବ, ତେବେ ଡାକ୍ତରଙ୍କ ପରାମର୍ଶ କରିବା ଦରକାର। ଏହାଛଡ଼ା ଏହି ପର୍ଯ୍ୟାୟରେ ଗର୍ଭବତୀ ମହିଳାଙ୍କୁ ରାତିରେ ନିଦ ଆସିନଥାଏ, ଗୋଡ଼ ଦରଜ ହେବା, ଅଣ୍ଟା ବିନ୍ଧା ହେବା ଭଳି ସମସ୍ୟା ଦେଖାଦିଏ।
୨୦ ସପ୍ତାହ ମଧ୍ୟରେ ଗର୍ଭବତୀ ମହିଳାଙ୍କର ଆନାଲୋମି ସ୍କାନ କରାଯାଏ। ଏଥିରେ ଅଲଟ୍ରାସାଉଣ୍ଡ କରି ପିଲାର ଶାରୀରିକ ବିକାଶ ହେଉଛି କି ନାହିଁ ଦେଖାଯାଏ। ଯଦି ଶିଶୁର ବିକାଶରେ କୌଣସି ସମସ୍ୟା ଥାଏ, ତେବେ ଡାକ୍ତର ସମସ୍ୟା ଦେଖି ଚିକିତ୍ସା କରନ୍ତି।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଅଧିକ ମୋବାଇଲ ଫୋନର ବ୍ୟବହାର ହୋଇପାରେ କ୍ଷତିକାରକ
ତୃତୀୟ ତ୍ରୟମାସରେ କେମିତି ନେବେ ଯତ୍ନ? (How to take care of yourself in the third trimester)
ଶେଷ ତ୍ରୟମାସରେ ଗର୍ଭବତୀ ମହିଳାଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ। ଏଥିପାଇଁ ମଧ୍ୟ ଡାକ୍ତର ଅଳ୍ପ କିଛି ଔଷଧ ପରାମର୍ଶ କରନ୍ତି। ଏହି ପର୍ଯ୍ୟାୟରେ କେତେକ ମହିଳାଙ୍କର ପେଟ ଟାଣ ଟାଣ ଲାଗେ, ପେଟ ଯନ୍ତ୍ରଣା ହୁଏ। ବେଳେବେଳେ ଗର୍ଭବତୀ ମହିଳାମାନେ ଆସନ୍ନ ପ୍ରସବ ବ୍ୟଥା, ପ୍ରସବ ଏବଂ ମାତୃତ୍ୱ ନେଇ ଆତଙ୍କିତ ହୋଇପଡ଼ନ୍ତି। ଏହି ସମୟରେ ପେଟ ଫୁଲିଯିବା ଯୋଗୁଁ ଷ୍ଟ୍ରେଚ୍ମାର୍କ ପଡ଼ିଯାଏ। ଏଥିପାଇଁ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଯଦି ସଠିକ୍ ଖାଦ୍ୟ ଖାଉଛନ୍ତି, ପ୍ରୋଟିନ୍ ମାତ୍ରା ଖାଉଛନ୍ତି, ପ୍ରଚୁର ପରିମାଣର ପାଣି ପିଉଛନ୍ତି ଏବଂ ପଞ୍ଚମ ମାସରୁ ପେଟରେ କୌଣସି ତେଲ ବା ମାଇଶ୍ଚରାଇଜର ଲଗାଉଛନ୍ତି, ତେବେ ଏହି ଷ୍ଟ୍ରେଚ୍ମାର୍କ ଅଳ୍ପ କିମ୍ବା ବିଲକୁଲ ଆସିବ ନାହିଁ।
ଗର୍ଭାବସ୍ଥାରେ କେତେକ ମହିଳାଙ୍କ ପାଦ ଫୁଲିଯାଏ। ପ୍ରାୟ ମହିଳା ପାଦ ଫୁଲିବାକୁ ସାଧାରଣ ଭାବି ଏଡ଼ାଇ ଦେଇଥା’ନ୍ତି। ହେଲେ ଏହାକୁ ଅଣଦେଖା ନ କରି ଡାକ୍ତରଙ୍କୁ ଜଣାଇବା ଜରୁରୀ। କାରଣ ଗର୍ଭାଶୟ ବଢ଼ିଲେ, ରକ୍ତହୀନତା ହେଲେ କିମ୍ବା ଉଚ୍ଚ ରକ୍ତଚାପ ହେଲେ ପାଦ ଫୁଲିଥାଏ।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଶିଶୁ ଏବଂ ମା’ ପାଇଁ ଆଣେ ବିପଦ
ଗର୍ଭଧାରଣ ସମୟରେ କ’ଣ ଖାଇବେ? (What to eat during pregnancy)
ଗର୍ଭବତୀ ମହିଳାମାନେ ସବୁବେଳେ ଘର ତିଆରି ଖାଦ୍ୟ ଖାଆନ୍ତୁ। ବାହାର ଖାଦ୍ୟ, ଜଙ୍କଫୁଡ୍, ମିଠାଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଏକାସାଙ୍ଗରେ ବହୁତ ଅଧିକ ଖାଇବେ ନାହିଁ। ସବୁବେଳେ ଅଳ୍ପ ଅଳ୍ପ ଖାଦ୍ୟ ଅଳ୍ପ ସମୟ ବ୍ୟବଧାନରେ ଖାଆନ୍ତୁ। କର୍ମଜୀବୀ ମହିଳାମାନେ ଗର୍ଭାବସ୍ଥା ସମୟରେ କାର୍ଯ୍ୟ କରିପାରିବେ। ଗର୍ଭାବସ୍ଥାରେ ବି ଅଳ୍ପ କିଛି ବ୍ୟାୟାମ କରିବା ଜରୁରୀ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଚିନ୍ମୟୀ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Care & precautions during pregnancy, in Odia language, is based on an extensive interview with gynecologist and obstetrician Dr. Chinmayi Kar.