ପ୍ରିମାଚ୍ୟୁର ବେବି ବା ଅପକ୍ୱ ଶିଶୁ ଜନ୍ମ ହେଲେ ଅଭିଭାବକମାନଙ୍କର ଚିନ୍ତା ବଢିଯାଇଥାଏ। ସାଧାରଣତଃ ୩୭ ସପ୍ତାହ ପୂର୍ବରୁ ଜନ୍ମ ହେଇଥିବା ଶିଶୁକୁ ପ୍ରିମାଚ୍ୟୁର ବା ଅପକ୍ୱ ଶିଶୁ କୁହାଯାଏ। ଯେଉଁ ଶିଶୁ ଯେତେ ଶୀଘ୍ର ଜନ୍ମ ହୁଏ ତାକୁ ସେତେ ଅଧିକ ଯତ୍ନ ନେବାକୁ ପଡେ। କାରଣ ଅପକ୍ୱ ଶିଶୁର ଶରୀର ସ୍ୱାଭାବିକ ଶିଶୁ ଭଳି କାମ କରି ନ ଥାଏ। ସେବା ଯତ୍ନ ପାଇଲେ ଏମାନେ ବି ସାଧାରଣ ପିଲାଙ୍କ ପରି ବଢିଯାଆନ୍ତି। ତେବେ ବେବି ପ୍ରିମାଚ୍ୟୁର ହୋଇଥିଲେ କିଛି ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।
- ବେଳେବେଳେ ୨୭ ସପ୍ତାହ ବା ସାତ ମାସରେ ଛୁଆ ଜନ୍ମ ହୋଇଥାନ୍ତି। ସେତେବେଳେ ଶିଶୁ ଦେଖିବାକୁ ବହୁତ ଛୋଟ ହେବା ସହ ତାର ଶରୀରର କେତେକ ଅଙ୍ଗ ତିଆରି ହେବା ବାକିଥାଏ। ଏଭଳି ପିଲା ଜନ୍ମ ହେବା ସଙ୍ଗେ ସଙ୍ଗେ ଏନଆଇସିୟୁରେ ଭର୍ତ୍ତି କରିବାର ଆବଶ୍ୟକତା ରହିଥାଏ।
- ପ୍ରିମାଚ୍ୟୁର ବେବିଙ୍କ ଯତ୍ନ ନେବା ପାଇଁ ଏନଆଇସିୟୁରେ ଥିବା ନର୍ସମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ। ବେଳେବେଳେ ଏହି ଶିଶୁମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ସେହି ସମୟରେ ଏନଆଇସିୟୁରେ ସେମାନଙ୍କ ପାଇଁ ଭେଣ୍ଟିଲେଟର ବ୍ୟବସ୍ଥା ରହିଥାଏ। ଶିଶୁଟିର ନିୟମିତ ରକ୍ତଚାପ ମପାଯାଏ। ଏଥି ସହିତ ପ୍ରତି ମୁହୂର୍ତ୍ତରେ ଶିଶୁର ହୃତକ୍ରିୟା ଓ ଶ୍ୱାସକ୍ରିୟା ଉପରେ ନଜର ରହିଥାଏ। ଦେହରେ ଏକ ସେନସର ଲଗାଇ ତାର ଉତ୍ତାପ ଉପରେ ନଜର ରହିଥାଏ। କାମଳ ବା ଜଣ୍ଡିସ ଦେଖାଦେଲେ ଲାଇଟ ବା ଆଲୋକରଶ୍ମୀ ପକାଇ ଚିକିତ୍ସା କରାଯାଏ।
- ଏହି ଶିଶୁମାନଙ୍କ ଶରୀର ଲୋମମୟ ହୋଇଥାଏ। ଏହାକୁ ଦେଖି ବାପା ମାଆଙ୍କ ମନରେ ଭୟ ଆସିପାରେ। କିନ୍ତୁ ଖୁବ୍ କମ ଦିନରେ ଏହି ଲୋମଗୁଡିକ ଝଡିଯାଏ।
- ଏହି ଶିଶୁଙ୍କୁ ପ୍ରତି ଦିନ ତେଲ ଲଗାଇବାର ବି ଆବଶ୍ୟକତା ରହିଛି। ଯେହେତୁ ବହୁତ କମ୍ ଓଜନର ହେଇଥିବା ହାତରେ ଧରି ତେଲ ଲଗାଇବାରେ ଅସୁବିଧା ହୋଇପାରେ।
- ପ୍ରିମାଚ୍ୟୁର ବା ଅପକ୍ୱ ଶିଶୁକୁ କଙ୍ଗାରୁ ସେବା ଯୋଗାଇ ଦିଆଯାଇଥାଏ। ମାଆ ଶିଶୁକୁ ନିଜ ଛାତିରେ ଶୁଆଇ କପଡା ଘୋଡାଇ ରଖିଥାଏ। ଫଳରେ ମା ଓ ଶିଶୁର ଚର୍ମ ଲାଗିକରି ରହେ। ଫଳରେ ଶିଶୁର ଦେହର ଉତ୍ତାପ ସ୍ୱାଭାବିକ ହୋଇଥାଏ।
- ଅପକ୍ୱ ଶିଶୁର ହଜମ ପ୍ରକ୍ରିୟା ଦୁର୍ବଳ ଥାଏ। ତେଣୁ ତାକୁ ଅଳ୍ପ ଅଳ୍ପ କରି କ୍ଷୀର ପିଆଯାଇଥାଏ। ସେ ଏତେ ଦୁର୍ବଳ ଥାଏ ଯେ ନିଜେ ମାଆଠାରୁ କ୍ଷୀର ପିଇ ପାରି ନ ଥାଏ। ତେଣୁ ପ୍ରଥମ ଏକ ସପ୍ତାହ ଯାଏଁ ଶୀରା ବାଟ ଦେଇ ଖାଦ୍ୟ ଦିଆଯାଇଥାଏ। କାରଣ ଶିଶୁଟି କ୍ଷୀର ଢୋକିବା ପାଇଁ କିମ୍ବା ହଜମ କରିବା ପାଇଁ ସମର୍ଥ ହୋଇ ନ ଥାଏ। ପରେ ସ୍ୱତନ୍ତ୍ର ବୋତଲରେ ତାକୁ କ୍ଷୀର ପାଇଯାଇଥାଏ। ପରବର୍ତ୍ତୀ ସମୟରେ ସେ ନିଜ ଖାଇବା ପାଇଁ ସମର୍ଥ ହେଲେ ତାକୁ ଏନଆଇସିୟୁରୁ ବାହାରକୁ ଅଣାଯାଇଥାଏ।