ସାଧାରଣତଃ ଖରାଦିନେ ଡାଇରିଆ ଭଳି ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟାରୁ କିପରି ରହିବେ ସୁରକ୍ଷିତ?
ଡାଇରିଆ ହେଲେ ବ୍ୟକ୍ତି ଜଣକର ପତଳା ଝାଡ଼ା ହୋଇଥାଏ। ଝାଡ଼ା ବାରମ୍ବାର ହୋଇଥାଏ। ଫଳରେ ପୀଡ଼ିତଙ୍କ ଶରୀରରେ ଥିବା ପାଣି ଓ ଇଲୋକ୍ଟ୍ରୋଲାଇଟସ୍(ସୋଡ଼ିୟମ୍ ଭଳି ମିନେରାଲ୍ସ) ମଳ ସହିତ ବାହାରିଯାଏ। ତେଣୁ ଶରୀରର ସନ୍ତୁଳନ ବିଗିଡ଼ିଯାଏ ଏବଂ ବଦହଜମୀ ହୋଇଥାଏ।
ଡାଇରିଆ କ’ଣ?
ସାଧାରଣ ଅପେକ୍ଷା ଅଧିକ ଥର ଝାଡ଼ା ହେବା ବା ଦିନକୁ ୩ ଥରରୁ ଅଧିକ ପାଣିଆ ଝାଡ଼ା ହେବାକୁ ଡାଇରିଆ କୁହାଯାଏ। ବିଭିନ୍ନ ପ୍ରକାରର ଭୂତାଣୁ ଆମ ଶରୀରରେ ପଶିବା ଦ୍ୱାରା ଏହି ରୋଗ ହୋଇଥାଏ। ଏହି ଭୂତାଣୁଗୁଡ଼ିକ ପ୍ରାୟ ଖାଦ୍ୟ ଏବଂ ଅପରିସ୍କାର ପାଣି ପିଇବା ଦ୍ୱାରା ବ୍ୟାପିଥାଏ।
କାହିଁକି ବିପଦପୁର୍ଣ୍ଣ ଡାଇରିଆ?
ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କୁ ଡାଇରିଆ ହୋଇପାରେ। ସାଧାରଣତଃ ୭ରୁ ୧୪ ଦିନ ପର୍ଯ୍ୟନ୍ତ ଏହାର ଲକ୍ଷଣ ଦେଖାଦେଇଥାଏ। ଏହା ହେଲେ ଶରୀରରୁ ଜଳୀୟ ଅଂଶ କମିଯାଏ, ବାରମ୍ବାର ଝାଡ଼ା ହୁଏ, ବାନ୍ତି ହୁଏ ଏବଂ ଝାଳ ବାହାରେ। ତେଣୁ ଏହି ଜଳୀୟ ଅଂଶ ଶରୀରରେ ପୁନଃସ୍ଥାପନ ନହେଲେ ଦୁର୍ବଳ ଲାଗିଥାଏ, ବ୍ୟକ୍ତି ତଥା ଶିଶୁଙ୍କୁ ହାଲିଆ ଲାଗିଥାଏ।
କ’ଣ ସତର୍କତା ନେବା ଆବଶ୍ୟକ?
ଶରୀରର ୭୦ ପ୍ରତିଶତ ଭାଗ ହେଉଛି ଜଳ। ଶରୀର ସୁସ୍ଥ ରହିବା ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ବିଶୁଦ୍ଧ ପାଣି ପିଅନ୍ତୁ, ଖାଦ୍ୟକୁ ଘୋଡ଼ାଇ ରଖନ୍ତୁ, ଖାଦ୍ୟରେ ମଶା ମାଛି ବସିବାକୁ ଦିଅନ୍ତୁ ନାହିଁ, ଘରର ପରିପାର୍ଶ୍ୱ ପରିଷ୍କାର ରଖନ୍ତୁ।
ଡାଇରିଆ ରୋଗୀଙ୍କୁ ଲେମ୍ବୁ, ଲୁଣ ଓ ଚିନି ମିଶ୍ରିତ ପାଣି ଦେଲେ ଉପକାର ମିଳିଥାଏ।
ମିନେରାଲ୍ସରେ ପରିପୂର୍ଣ୍ଣ ନଡ଼ିଆ ପାଣି ଡାଇରିଆ ରୋଗୀଙ୍କ ପାଇଁ ଲାଭଦାୟକ।
ଡାଇରିଆ ଭଲ ହେବାର କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ସତର୍କ ରହିବା ଜରୁରୀ। ଏହି ସମୟରେ କମ୍ ତେଲ ଓ ଘିଅର ହାଲ୍କା ଖାଦ୍ୟ ଖାଆନ୍ତୁ। କୋଲ୍ଡ ଡ୍ରିଙ୍କ ବଦଳରେ ଲେମ୍ବୁ, ନଡ଼ିଆ ପାଣି, ଦହି, ଫଳରସ ପ୍ରଭୃତି ପିଅନ୍ତୁ।