ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ
ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍ଡାଉନ୍ ପରି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତରେ ମଧ୍ୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ ଯୋଗୁ ଲୋକମାନେ ଦିନରାତି ୨୪ ଘଣ୍ଟା ଘରେ ରହିବାକୁ ବାଧ୍ୟ ହେଉଥିବା ବେଳେ ସେମାନଙ୍କ ଦିନଚର୍ଯ୍ୟା ପ୍ରଭାବିତ ହେଉଛି। ଏହାର କୁପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡିବା ସ୍ୱାଭାବିକ ଅଟେ।
ତେବେ ଏହି ଲକ୍ଡାଉନ୍ ସମୟରେ ନିଜକୁ ସୁସ୍ଥ ରିଖିବା ପାଇଁ ଆମେ ସମସ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ। ଆସନ୍ତୁ ଏପରି କେତେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ଜାଣିବା ଯାହାକୁ ଆପଣ ନିଜ ଦିନଚର୍ଯ୍ୟାରେ ସାମିଲ୍ କରି ଆପଣଙ୍କ ଫିଟ୍ନେସ୍ ଗୋଲ୍ ହାସଲ୍ କରିପାରିବେ।
- ରାତିରେ ୭-୮ ଘଣ୍ଟା ଶୁଅନ୍ତୁ। ଦିନର ଆରମ୍ଭ ହାଲୁକା ବ୍ୟାୟାମ ସହିତ କରନ୍ତୁ। ଏହି ସମୟରେ ଆପଣ ଯେକୌଣସି ବ୍ୟାୟାମ କରିପାରିବେ। ଏହା ସହିତ ୱେଟ୍ ଟ୍ରେନିଂ ଓ ବଡି ୱେଟ୍ ବ୍ୟାୟାମ ମଧ୍ୟ କରିପାରିବେ। ଯୋଗାଭ୍ୟାସ ମଧ୍ୟ ଏକ ଉତ୍ତମ ବିକଳ୍ପ ହୋଇପାରିବ।
- ଜଳଖିଆ ଖାଇବାକୁ ଭୁଲନ୍ତୁ ନାହିଁ। ଶୋଇକି ଉଠିବାରୁ ପ୍ରାୟ ୧ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଆନ୍ତୁ। ଜଳଖିଆରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫ୍ୟାଟ୍,ଫାଇବର୍ ଆଦି ସମସ୍ତ ପ୍ରକାରର ଖାଦ୍ୟ ସାମିଲ୍ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଦିନସାରା କାମ କରିବାକୁ ଶକ୍ତି ମିଳିବ।
- ଘରେ ରହିଲେ ଅନେକ ଲୋକ ଦିନସାରା କିଛି ନା କିଛି ଖାଇବାକୁ ପସନ୍ଦ କରନ୍ତି। ଏପରି କଲେ ଆପଣଙ୍କ ଓଜନ ବୃଦ୍ଧି ହୋଇପାରେ। ଏଣୁ ଦିନରେ ୫-୬ ଥର ଖାଆନ୍ତୁ। ବେଶି ମିଠା ବା ତୈଳ ଜାତୀୟ ପଦାର୍ଥ ଖାଆନ୍ତୁ ନାହିଁ । ଖାଦ୍ୟରେ ପ୍ରୋଟିନ୍ ଓ ଫାଇବର୍ର ମାତ୍ରା ଅଧିକ ରଖନ୍ତୁ।
- ଦିନରେ ୭-୮ ଗ୍ଲାସ୍ ପାଣି ପିଅନ୍ତୁ। ଶରୀରରେ ଜଳୀୟ ଅଂଶ କମ୍ ହେବାକୁ ଦିଅନ୍ତୁ ନାହିଁ।
- ଧ୍ୟାନ କରନ୍ତୁ। ଧ୍ୟାନ କରିବା ଦ୍ୱାରା ଆପଣଙ୍କ ମାନସିକ ଚାପ କମ୍ ହେବ, ମନ ପ୍ରଫୁଲ୍ଲ ରହିବ , ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।