ଅଧିକ ପଢ଼ନ୍ତୁ: ମାନସିକ ସ୍ୱାସ୍ଥ୍ୟ କାହିଁକି ଗୁରୁତ୍ଵପୂର୍ଣ୍ଣ?
ନିତିଦିନିଆ ଜୀବନରେ ଆମେ ଅନେକ ଲୋକଙ୍କ ସହ ମିଳାମିଶା କରିଥାଉ। ହେଲେ କିଏ କାହା ଜୀବନରେ କେତେ ଦୁଃଖୀ ଓ ଚାପଗ୍ରସ୍ତ, ତାହା ଆମେ ଅନୁମାନ କରିପାରିବା ନାହିଁ। କାରଣ ମାନସିକ ଚାପ ବାହାରକୁ ଦେଖାଯାଇନଥାଏ। ସାଧାରଣରେ ହସିପାରୁଥିବା ବ୍ୟକ୍ତି, ସମସ୍ତଙ୍କୁ ବୁଝାଇ ପାରୁଥିବା ବ୍ୟକ୍ତି ମଧ୍ୟ ମାନସିକ ଚାପଗ୍ରସ୍ତ ହୋଇ ଥାଇପାରେ। କାହା ସହିତ ନିଜ ଭାବନାକୁ ପରିପ୍ରକାଶ ନ କରିପାରିଲେ ଏହା ଧୀରେ ଧୀରେ ମାନସିକ ଅବସାଦ ଆଡ଼କୁ ଗତିକରିବ।
ବର୍ତ୍ତମାନ କାର୍ଯ୍ୟବ୍ୟସ୍ତତା, କାମର ଚାପ, ଘରେ ଛୋଟମୋଟ କଳହ, ପରିବାରର ଦାୟିତ୍ୱ, କରଜ, ଏକୁଟିଆପଣ ଓ ଏଭଳି ଅନେକ କିଛି କାରଣ ଯୋଗୁଁ ବ୍ୟକ୍ତି ମାନସିକ ଚାପର ଶିକାର ହୋଇଥାଏ। ଆସନ୍ତୁ ଜାଣିବା ବ୍ୟସ୍ତବହୁଳ ଜୀବନରେ ଷ୍ଟ୍ରେସ୍ ବା ଚାପକୁ ଏଡ଼ାଇ ମନକୁ ଶାନ୍ତ ରଖିବେ କିପରି?
ନିଜକୁ ବୁଝନ୍ତୁ
ନିଜେ କ’ଣ କଲେ, କ’ଣ ଖାଇଲେ, କ’ଣ ପିନ୍ଧିଲେ ଓ ନିଜକୁ ଭଲ ଲାଗିବା ପାଇଁ କେଉଁ ଭଳି କାର୍ଯ୍ୟ କଲେ, ଆପଣଙ୍କୁ ଖୁସି ଲାଗିବ ତାହା କରନ୍ତୁ। ସବୁବେଳେ ନିଜକୁ ଭଲ ପାଆନ୍ତୁ ଓ ସକରାତ୍ମକ ଚିନ୍ତାଧାରା କରନ୍ତୁ। ହଁ, ମାନସିକ ଚାପ ଜୀବନର ଏକ ଅଂଶ। ତେଣୁ ଏହାକୁ ମୁକାବିଲା କରି ଶିଖିଲେ ଏହାର ଭୟାନକ ପରିସ୍ଥିତି ସୃଷ୍ଟି ହେବ ନାହିଁ।
ଅଧିକ ପଢ଼ନ୍ତୁ: କେମିତି ଜାଣିବେ ଜଣେ ଡିପ୍ରେସନ୍ରେ ଅଛି କି ନାହିଁ?
ସଠିକ୍ ପରିମାଣରେ ଶୁଅନ୍ତୁ
ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହିତ ସଠିକ୍ ପରିମାଣରେ ଶୋଇବା ଆବଶ୍ୟକ। ଅତିକମ୍ରେ ଦିନକୁ ଆଠ ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ।
ପେସା ଓ ପରିବାର ଭିତରେ ସନ୍ତୁଳନ ରଖନ୍ତୁ
ସମସ୍ତେ ପେଟପାଟଣା ପାଇଁ ବିଭିନ୍ନ ପ୍ରକାରର ବୃତ୍ତି ଆପଣାଇଥାନ୍ତି। ବେଳେବେଳେ ନିଜ କାମରେ ଏତେ ବ୍ୟସ୍ତ ହୋଇପଡ଼ନ୍ତି ଯେ ନିଜ ପସନ୍ଦର ଲୋକ ବା ନିଜ ପରିବାରକୁ ସମୟ ଦେବାରେ ସକ୍ଷମ ହୋଇପାରନ୍ତି ନାହିଁ, ଏହାଦ୍ୱାରା ମାନସିକ ଚାପ ଅଧିକ ହୋଇଥାଏ। ଉଭୟ ପେସା ଏବଂ ପରିବାର ମଧ୍ୟରେ ବିତାଉଥିବା ସମୟକୁ ସନ୍ତୁଳନରେ ରଖିଲେ ଚାପମୁକ୍ତ ହୋଇପାରିବେ ।
ବର୍ତ୍ତମାନରେ ରହିବାକୁ ଚେଷ୍ଟା କରନ୍ତୁ
ଅନେକ ସମୟରେ ଆମେମାନେ ପୂର୍ବରୁ ହୋଇଥିବା ଘଟଣା ବା ଅତୀତକୁ ନେଇ ଦୁଃଖିତ ହୋଇଥାଉ କିମ୍ବା ଭବିଷ୍ୟତକୁ ନେଇ ଚିନ୍ତିତ ହୋଇଥାଉ। ଫଳରେ ସେହି କଥା ଭାବି ଭାବି ମାନସିକ ଚାପ ବଢ଼ିଥାଏ। ବିଶେଷଜ୍ଞଙ୍କ ମତରେ ସବୁବେଳେ ବର୍ତ୍ତମାନରେ ବଞ୍ଚନ୍ତୁ, ଯାହା ବିତିଯାଇଛି ତାକୁ ଭୁଲି ବର୍ତ୍ତମାନରେ ରହିବାକୁ ଚେଷ୍ଟା କଲେ ମାନସିକ ସ୍ଥିତି ଭଲ ରହିଥାଏ।
ଲୋକଙ୍କ ସହ ମିଳାମିଶା କରନ୍ତୁ
ମାନସିକ ଚାପ ବଢ଼ିବାର ପ୍ରଥମ କାରଣ ହେଉଛି ଏକୁଟିଆପଣ ବା ନିଃସଙ୍ଗତା। ବିଶେଷଜ୍ଞଙ୍କ ମତରେ ନିଜ ମନର କଥା ଅନ୍ୟଜଣଙ୍କ ସହିତ ବାଣ୍ଟିଲେ ମନ ହାଲକା ହୋଇଥାଏ। ତେଣୁ ନିଜ ସାଙ୍ଗସାଥୀଙ୍କ ସହ ସମୟ ବିତାନ୍ତୁ।