ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ଟିକା ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ କ’ଣ କରିବାକୁ ପଡ଼ିବ? କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ‘କୋ-ୱିନ୍’ ଆପ୍ କ’ଣ ଓ ଏହା କିପରି କାମ କରେ ତାକୁ ନେଇ ଏବେ ବି ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି।
କେମିତି ନେବେ ଟିକା?
କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ମୋଟ ୩୦ କୋଟି ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଭାରତୀୟଙ୍କୁ କୋଭିଡ୍ ଟିକା ପ୍ରଦାନ କରିବେ। ଟିକା ପାଇବାକୁ ଥିବା ବ୍ୟକ୍ତି ପ୍ରଥମେ ‘କୋ-ୱିନ୍’ ମୋବାଇଲ୍ ଆପରେ ରେଜିଷ୍ଟ୍ରେସନ୍ କରିବାକୁ ହେବ। ଏହି ଆପ୍ରେ ପଞ୍ଜୀକରଣ କରିନଥିଲେ ଜଣେ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ ନାହିଁ ବୋଲି କୁହାଯାଇଛି। ଲୋକେ ଏହାକୁ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍ କରିପାରିବେ।
କୋ-ୱିନ୍ ଆପ୍ କ’ଣ?
ଭାରତ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏହି ଆପରେ ଟିକାକରଣର ପୂରା ବିବରଣୀ ରହିବ। କେଉଁ ରାଜ୍ୟରେ କେତେ ଲୋକ ଟିକା ନେଲେ ତାହାର ସମ୍ପୂର୍ଣ୍ଣ ସୂଚନା ଏଥିରେ ଉପଲବ୍ଧ ହେବ। ତା’ସହିତ ଏହି ଆପ୍ରେ ଲୋକମାନେ ପଞ୍ଜୀକରଣ କରିବା ପରେ ହିଁ ସେମାନଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି କୁହାଯାଇଛି।
କୋ-ଓ୍ୱିନ୍ ଆପ୍କୁ କେମିତି କରିବେ ଡାଉନଲୋଡ୍?
ଏହି ଆପ୍କୁ ପ୍ଲେଷ୍ଟୋରରୁ ଡାଉନ୍ଲୋଡ୍ କରିପାରିବେ। ଏହି ଆପ୍ ନାଁ’ରେ ଅନେକ ଫେକ୍ ଆପ୍ ମିଳୁଥିବାରୁ ଲୋକମାନଙ୍କୁ ସତର୍କ ରହିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପଞ୍ଜୀକରଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ
-ଡ୍ରାଇଭିଂ ଲାଇସେନ୍ସ
-ହେଲଥ୍ ସ୍ମାର୍ଟ କାର୍ଡ
-ଏମ୍ଏନ୍ଆର୍ଇଜିଏ କାର୍ଡ
-ସାଂସଦ, ବିଧାୟକମାନଙ୍କ କ୍ଷେତ୍ରରେ ଅଫିସିଆଲ ପରିଚୟ ପତ୍ର
-ପ୍ୟାନ କାର୍ଡ
– ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କର ପାସବୁକ୍
-ପେନ୍ସନ୍ ଡକ୍ୟୁମେଣ୍ଟ
-କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ରାଷ୍ଟ୍ରାୟତ୍ତ କମ୍ପାନିର ପରିଚୟ ପତ୍ର
-ଭୋଟର ପରିଚୟପତ୍ର
ପଞ୍ଜୀକରଣ ସମୟରେ ଯେପରି ପରିଚୟପତ୍ର ଜରୁରୀ ସେହିପରି ଟିକାକରଣ ସମୟରେ ମଧ୍ୟ ପରିଚୟପତ୍ର ଦେଖାଇବା ଜରୁରୀ। ଟିକାକରଣ ପୂର୍ବରୁ ପଞ୍ଜୀକରଣ ସମୟରେ ହିତାଧିକାରୀ ଦେଇଥିବା ମୋବାଇଲ ନମ୍ବରରେ ଏସ୍ଏମ୍ଏସ୍ ଦିଆଯିବ। ସେଥିରେ ସମସ୍ତ ସୂଚନା ରହିଥିବ। ଟିକାକରଣ ଦୁଇଟି ପର୍ଯ୍ୟାୟରେ ଦିଆଯିବାକୁ ଥିବାରୁ, ପ୍ରତ୍ୟକ ପର୍ଯ୍ୟାୟ ପରେ ମେସେଜ ଦିଆଯିବ। ଟିକାକରଣ ସମ୍ପୂର୍ଣ୍ଣ ହେଲେ ମୋବାଇଲକୁ କ୍ୟୁଆର୍ ଆଧାରିତ ପ୍ରମାଣପତ୍ର ପଠାଇଦିଆଯିବ।
କ୍ୟାନସର, ଏଚ୍ଆଇଭି, ଡାଏବେଟିସ୍, କିଡ୍ନି, ହାଇପ୍ଲଡ୍ପ୍ରେସର୍ ଓ ଅନ୍ୟ ଜଟିଳ ରୋଗ ପାଇଁ ମେଡିସିନ ଖାଉଥିଲେ ମଧ୍ୟ ଟିକା ନେଇପାରିବେ।
ଟିକା ନେବା ବାଧ୍ୟତାମୂଳକ କି?
ନା, ଟିକା ନେବା ବାଧ୍ୟତାମୂଳକ ନୁହେଁ। ବରଂ ଇଚ୍ଛାଧୀନ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ଅନେକ ଲୋକଙ୍କ ମନରେ ମଧ୍ୟ ଟିକାର ନିରାପତ୍ତାକୁ ନେଇ ପ୍ରଶ୍ନ ଅଛି। ତେବେ ନିରାପତ୍ତା ଓ ପ୍ରଭାବକୁ ନେଇ ଟିକାପ୍ରଦାନକୁ ଅନୁମତି ଦେବେ ସରକାର।
କୋଭିଡ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ଟିକା ନେଇପାରିବେ କି?
ଏଭଳି ଲୋକମାନଙ୍କୁ ଟିକା ଦିଆଯିବ ନାହିଁ। କାରଣ ସଂକ୍ରମଣ ସହିତ ଲଢ଼େଇ କରୁଥିବା ଲୋକମାନଙ୍କ କ୍ଷେତ୍ରରେ ଏହା ସଂକ୍ରମଣର ସ୍ଥିର ବଢ଼ାଇ ଦେବାର ସମ୍ଭାବନା ରହିଛି। ହଁ, ସେମାନେ କରୋନାରୁ ସୁସ୍ଥ ହେବା ପରେ ଟିକା ନେଇପାରିବେ।
କୋଭିଡ ହୋଇ ସୁସ୍ଥ ହୋଇସାରିବା ପରେ ଟିକା ନେଲେ କଣ ଫାଇଦା ରହିବ?
କରୋନା ସଂକ୍ରମିତ ବ୍ୟକ୍ତିଙ୍କଠାରେ ନିଶ୍ଚିତ ଭାବେ କିଛି ପରିମାଣର ଆଣ୍ଟିବଡି ତିଆରି ହୋଇସାରିଥିବ। ଏ ସ୍ଥିତିରେ ଟିକା ନେଲେ ଆଣ୍ଟିବଡିର ପରିମାଣ ବୃଦ୍ଧି ହେବା ସହ ରୋଗ ପ୍ରତିରୋଧୀ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
ଅନ୍ୟପକ୍ଷରେ ଏବେ ଦେଶରେ ଏକାଧିକ ଟିକା ଆସିବାର ସମ୍ଭାବନା ରହିଛି। ତେବେ ସାମୂହିକ ଟିକାକରଣରେ କେବଳ ଗୋଟିଏ ଟିକା ହିଁ ଦିଆଯିବ ବୋଲି ଆପାତତଃ ସ୍ଥିର ହୋଇଛି। ଟିକାରେ ଅଦଳବଦଳ ଆଦୌ କରାଯିବନାହିଁ। କାରଣ ଏକାଧିକ ଟିକା ଭିତରେ ହେଉଥିବା ରିଆକ୍ସନର ପରୀକ୍ଷଣ ହୋଇନାହିଁ।
କୋଭିଡ୍ ଟିକା ପରେ ସାମ୍ଭାବ୍ୟ ପ୍ରତିକ୍ରିୟା
ଟିକା ନେବା ପରେ କୌଣସି ଜଟିଳ ପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ଆସିନାହିଁ। ଅନ୍ୟ ଟିକା ଭଳି ଏହି ଟିକା ପରେ ସାମାନ୍ୟ ଜ୍ୱର ହେବାର ଆଶଙ୍କା ରହିଛି। ତେବେ ରାଜ୍ୟ ସରକାରଗୁଡ଼ିକ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ଟିକା ନେବା ପରେ ତତକ୍ଷଣାତ କାହାକୁ ଘରକୁ ଛଡ଼ାଯିବନାହିଁ। ବରଂ କିଛି ସମୟ ସେଠାରେ ନୀରିକ୍ଷଣରେ ରଖାଯିବ। ୨ଟି ପର୍ଯ୍ୟାୟରେ ଟିକା ନେବାକୁ ପଡ଼ିବ। ପ୍ରଥମ ଟିକାର ୧୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ। ଦ୍ୱିତୀୟ ଟିକା ନେବାର ୧୪ ଦିନ ଭିତରେ ଶରୀରରେ ଆଣ୍ଟିବଡି ତିଆରି ହେବ।
ଟିକାକରଣ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜେନସ ସମେତ ଅନ୍ୟାନ୍ୟ ଗାଇଡଲାଇନ୍ ମାନିବା ଜରୁରୀ। କୋଭିଡ ସଂକ୍ରମଣର ଦୂରେଇ ରହିବା ପାଇଁ ଏଗୁଡ଼ିକ ସବୁଠାରୁ ପ୍ରଭାବଶାଳୀ ଉପାୟ।