ଅପପୁଷ୍ଟି ବା କୁପୋଷଣର ଅର୍ଥ ହେଉଛି ପୁଷ୍ଟିର ଅଭାବ। ଶରୀରକୁ ଉପଯୁକ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ନ ମିଳିପାରିଲେ, ତାକୁ ଅପପୁଷ୍ଟି କୁହାଯାଏ।

ଶିଶୁର ବୟସ ଅନୁସାରେ ଓଜନ ନ ବଢ଼ିଲେ ବା ଉଚ୍ଚତାରେ ଅଭିବୃଦ୍ଧି ନ ହେଲେ ଜାଣିବେ ଶିଶୁ  କୁପୋଷଣର ଶିକାର। ସମସ୍ତଙ୍କର ଧାରଣା ଥାଏ ଯେ, ଅପପୁଷ୍ଟି ଅର୍ଥ ହେଉଛି କମ୍‌ ଓଜନ ବା ଦୁର୍ବଳତା। ହେଲେ ନିଜ ଉଚ୍ଚତାଠାରୁ ଅଧିକ ଓଜନ ଥିବା ଶିଶୁ ବା ବୟସ ଅନୁଯାୟୀ ଅତ୍ୟଧିକ ମୋଟା ଥିବା ଶିଶୁ ବି ଅପପୁଷ୍ଟିର ଶିକାର।

ଅପପୁଷ୍ଟି ହେଲେ କେଉଁ ସବୁ ସମସ୍ୟା ହେବ? 

କୁପୋଷଣରେ ଶିକାର ଶିଶୁ ଭୟଙ୍କର ରୋଗରେ ପୀଡ଼ିତ ହୋଇପାରନ୍ତି। ଉଚିତ ସମୟରେ କୁପୋଷଣର ଚିକିତ୍ସା ନ କଲେ, ହାର୍ଟ ଫେଲ୍, ନିମୋନିଆ, କିଡ୍‌ନି ଫେଲ୍ ଭଳି ଅନ୍ୟାନ୍ୟ ଭୟଙ୍କର ରୋଗର ଶିକାର ହେବାର ଆଶଙ୍କା ଥାଏ। ଶାରୀରିକ ବିକାଶ ସହିତ ଶିଶୁର ମାନସିକ ବିକାଶରେ ବାଧାପ୍ରାପ୍ତ ହୋଇଥାଏ। 

ଶିଶୁକୁ ଅପପୁଷ୍ଟିରୁ ରକ୍ଷା କରିବେ କିପରି? 

  • ଅପପୁଷ୍ଟିରୁ ରକ୍ଷା ପାଇବାକୁ ହେଲେ ଦୈନନ୍ଦିନ ପୁଷ୍ଟିକର ଏବଂ ଭଟାମିନ୍‌ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଗର୍ଭାବସ୍ଥାରେ ମହିଳାଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ, ଆଇରନ୍‌, ଫଲିକ୍‌ ଏସିଡ୍‌, କ୍ୟାଲ୍‌ସିୟମ୍‌ ଏବଂ ଆୟୋଡିନ୍‌ ଆଦି ଖାଇବା ଜରୁରୀ।
  • ମା’ର ପ୍ରଥମ କଷ କ୍ଷୀର ହେଉଛି ଶିଶୁ ପାଇଁ ଅମୃତ ସମାନ। ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରିବା ଆବଶ୍ୟକ। ଏହା ଶିଶୁକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁର ସମ୍ପୂର୍ଣ୍ଣ ଆହାର ହେଉଛି ମା’ କ୍ଷୀର। ଏହି ୬ ମାସ ମଧ୍ୟରେ ଶିଶୁକୁ ଅନ୍ୟ କୌଣସି ଆହାର ଦିଅନ୍ତୁ ନାହିଁ।
  • ୬ ମାସ ପରେ ଶିଶୁକୁ ମା’କ୍ଷୀର ସହିତ ପରିପୂରକ ଖାଦ୍ୟ ଦେବା ଦରକାର। ବୟସ ଅନୁସାରେ ଖାଦ୍ୟର ପରିମାଣ ଓ ବିଭିନ୍ନ ପ୍ରକାର ଖାଦ୍ୟ ଦେବା ଦ୍ୱାରା ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ସାହାଯ୍ୟ ହୋଇଥାଏ।
  • ଶିଶୁ ଅପପୁଷ୍ଟି ପାଇଁ ସ୍ଵଚ୍ଛତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ। ଉଭୟ ମା’ ଓ ଶିଶୁ ଉଭୟଙ୍କର ସ୍ଵଚ୍ଛତା ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ। ବାରମ୍ବାର ହାତ ଧୋଇବା, ବିଶୁଦ୍ଧ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
  • ପୁଷ୍ଟିକର ଖାଦ୍ୟ ଭଳି ପ୍ରତିଷେଧକ ଟିକା ମଧ୍ୟ ଜରୁରୀ। ଶିଶୁ ଜନ୍ମ ପରେ ପୋଲିଓ, ବିସିଜି, ମିଳିମିଳା ଟିକା ଭଳି ଅନ୍ୟାନ୍ୟ ଜରୁରୀ ଟିକା ଶିଶୁକୁ ଦିଆଯିବା ଆବଶ୍ୟକ।
  • ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ସ୍ଵତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ପୁଷ୍ଟି ପୁର୍ନବାସ କେନ୍ଦ୍ର ଖୋଲା ଯାଇଛି। ଯେଉଁଠାରେ ଏପରି ଶିଶୁଙ୍କୁ ଚିକିତ୍ସା କରାଯାଇଥାଏ।