ମୁଖ୍ୟତଃ ଆମ ପାଟି ଓ ନାକ ଦେଇ କରୋନା ଭୂତାଣୁ ସଂକ୍ରମଣ କରିବାର ଆଶଙ୍କା ବେଶ୍ ଅଧିକ ଥାଏ। ତେବେ କରୋନା ଭୂତାଣୁଠାରୁ କିଭଳି ସୁରକ୍ଷିତ ରହିବା। ଏନେଇ କର୍ଣ୍ଣ, ନାଶା ଓ ଗଳା (ଇଏନଟି) ବିଶେଷଜ୍ଞ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (how to stay safe from coronavirus in Odia)

ମୁଖ୍ୟତଃ ପାଟି ଓ ନାକ ଦେଇ କରୋନା ଭୂତାଣୁ ସଂକ୍ରମିତ ହୋଇଥାଏ। ଏଥିପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା ଦ୍ୱାରା ଛିଙ୍କ, କାଶ ମାଧ୍ୟମରେ ସଂକ୍ରମଣ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବ ନାହିଁ। ପରସ୍ପରଠାରୁ ୬ ଫୁଟ୍‌ ଦୂରତାରେ ରହିବାକୁ କୁହାଯାଇଛି କାରଣ ଜଣେ ମଣିଷ ଛିଙ୍କିଲା ବେଳେ ତା’ର ପାଟି ଓ ନାକ ବାଟରୁ ବାହାରୁଥିବା ଜଳକଣା ୬ ଫୁଟ୍‌ ଦୂରତା ପର୍ଯ୍ୟନ୍ତ ବ୍ୟାପିପାରେ।

କେବଳ ମାସ୍କ ପିନ୍ଧିଲେ ଓ ସାମାଜିକ ଦୂରତା ପାଳନ କଲେ ସଂକ୍ରମଣ ଦୂରେଇ ରହିବ ଭାବିବା ଭୁଲ। କରୋନା ପ୍ଲାଷ୍ଟିକ୍‌ରେ ୨ରୁ ୩ ଦିନ, ଷ୍ଟିଲ ବସ୍ତୁ ଉପରେ ୩ରୁ ୪ ଦିନ ଏବଂ କପର ଉପରେ ୪ ଘଣ୍ଟା ରହେ। ତେଣୁ କୌଣସି ବସ୍ତୁ ସଂସ୍ପର୍ଶରେ ଆସିଲେ ହାତକୁ ସାବୁନରେ ଧୁଅନ୍ତୁ। ମନେକରନ୍ତୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି କାଶିବା ବା ଛିଙ୍କିବା ପରେ କୌଣସି ବସ୍ତୁ ଯେପରିକି ଡୋର ନବ୍‌, ଲିପ୍ଟ ସୁଇଚ୍ ବା ରେଲିଂ ଛୁଇଁଛନ୍ତି। ଏହାପରେ ସେହି ଡୋର ନବ୍‌କୁ ବା ଅନ୍ୟ ଜିନିଷକୁ ଜଣେ ସୁସ୍ଥ ବ୍ୟକ୍ତି ଧରିଛନ୍ତି ଓ ସେହି ହାତକୁ ନାକ ପାଟିରେ ମାରୁଛନ୍ତି, ତେବେ ସୁସ୍ଥ ବ୍ୟକ୍ତି ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ଏଥିପାଇଁ ବାହାରୁ ଆସିଲେ ହାତକୁ ୨୦ ସେକେଣ୍ଡ ପାଇଁ ସାବୁନ ବା ହ୍ୟାଣ୍ଡଓ୍ୱାସରେ ଭଲକରି ଧୋଇବା ଜରୁରୀ। ଆଖି, ନାକ, ପାଟିରେ ହାତ ମାରିବା ପୂର୍ବରୁ ହାତ ଧୁଅନ୍ତୁ।

୩ଟି ଲେୟାର ବିଶିଷ୍ଟ ମାସ୍କ ପିନ୍ଧିବା ଦରକାର। ଆପଣ ଚାହିଁଲେ ଏନ୍‌-୯୫ ମାସ୍କକୁ ବ୍ୟବହାର କରିପାରିବେ। ହେଲେ ଏହାକୁ ୪ ଦିନରୁ ଅଧିକ ବ୍ୟବହାର କରିବେ ନାହିଁ। ଏନ୍‌-୯୫ ମାସ୍କ ବାୟୁରେ ଥିବା କଣିକାକୁ ୯୫ ପ୍ରତିଶତ ଯାଏଁ ଛାଣି ଥାଏ।

ଲକ୍‌ଡାଉନ୍‌ ଖୋଲିବା ପରେ କରୋନା ସଂକ୍ରମଣରୁ କେମିତି ରହିବେ ସୁରକ୍ଷିତ?

କରୋନା ଭୂତାଣୁର ଚିକିତ୍ସା ଓ ଟିକା ନ ବାହାରିବା ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ। ଲକ୍‌ଡାଉନ୍‌ ଖୋଲିବା ପରେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ଦରକାର ପଡ଼ିଲେ ଫେସ୍‌ ସିଲ୍‌ଡ ମାସ୍କ ବ୍ୟବହାର କରିପାରିବେ। ବର୍ତ୍ତମାନ ଚୀନରେ ପିଲାମାନେ ଫେସ୍‌ ସିଲ୍‌ଡ୍‌ ପିନ୍ଧି ସ୍କୁଲ ଯାଉଛନ୍ତି। ତେଣୁ ଆମକୁ ସୁରକ୍ଷିତ ରହିବା ଆବଶ୍ୟକ। ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ହାତରେ। ନିଜେ ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିଲେ କୌଣସି ଅସୁବିଧା ହେବ ନାହିଁ। ବାହାରେ ବୁଲନ୍ତୁ ନାହିଁ, ସାବଧାନତା ଅବଲମ୍ବନ କରନ୍ତୁ।

water

ଉଷୁମ ପାଣି କେତେ ଉପଯୋଗୀ

କରୋନା ଭୂତାଣୁର ମୁଖ୍ୟ ଲକ୍ଷଣ ହେଲା ଥଣ୍ଡା ହେବା। ଲୋକଙ୍କ ମନରେ ଭ୍ରମ ଅଛି ଯେ ଉଷୁମ ପାଣି ପିଇଲେ ଭୂତାଣୁ ସଂକ୍ରମଣ ହୁଏ ନାହିଁ। କିନ୍ତୁ ଏହାର ବର୍ତ୍ତମାନ ଯାଏଁ କୌଣସି ପ୍ରମାଣ ମିଳି ନାହିଁ। ତେବେ ତଣ୍ଟି ଦରଜ ହେଲେ ଉଷୁମ ପାଣି ପିଇଲେ ଉପଶମ ମିଳିଥାଏ। ଉଷୁମ ପାଣି ପିଇଲେ କରୋନାରୁ ସୁସ୍ଥ ହୋଇଯିବା ଏକ ଭ୍ରମ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on coronavirus based on the interview with Dr Rajlaxmi Panigrahi, Head of Department, ENT.