କେମିତି ଅଂଶୁଘାତରୁ ରକ୍ଷା ପାଇବେ? ଖରାକୁ ବାହାରିବା ପୂର୍ବରୁ କ’ଣ ସବୁ ସାଧାନତା ଅବଲମ୍ବନ କରିବେ? ଆସନ୍ତୁ ବେଳ ଥାଉ ଥାଉ ସାବଧାନ ହେବା। ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ସବିଶେଷ ତଥ୍ୟ ଜାଣିବା।

ଅଂଶୁଘାତର ଲକ୍ଷଣ କ’ଣ? (Symptoms of sunstroke in Odia)

ରାଜ୍ୟରେ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା, ପ୍ରଖର ସୂର୍ଯ୍ୟକିରଣ ପ୍ରଭାବ ଯୋଗୁଁ ଅଂଶୁଘାତ ହେବାର ଆଶଙ୍କା ରହିଛି। ହିଟ୍‌ ଷ୍ଟ୍ରୋକ୍‌ ବା ସନ୍‌ଷ୍ଟ୍ରୋକ୍‌ ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଣ୍ଡ ବୁଲାଇବା, ଦେହ ହାତ ଦରଜ ହେବା, ଦୁର୍ବଳ ଲାଗିବା ଏବଂ ଜ୍ୱର ଲାଗିବା ଭଳି ଲକ୍ଷଣ ଦେଖାଦିଏ। ଅଂଶୁଘାତ ଅଧିକା ପରିମାଣରେ ହେଲେ ପେଟ କାଟିବା, ବାନ୍ତି ହେବା, ମୁଣ୍ଡ ବୁଲାଇବା ଏବଂ ଚେତାଶୂନ୍ୟ ହେବା ଭଳି ଲକ୍ଷଣ ଦେଖାଦିଏ।

ଅଂଶୁଘାତର ପ୍ରାଥମିକ ଚିକିତ୍ସା (First aid for sunstroke in Odia)

 ଅଂଶୁଘାତର ପ୍ରାରମ୍ଭିକ ଲକ୍ଷଣ ଦେଖାଦେଲେ ଯେପରିକି ଅତ୍ୟଧିକ ଶୋଷ ଲାଗିବା, ଦୁର୍ବଳ ଲାଗିବା, ତେବେ ଜାଣିବେ ଯେ ଶରୀରରେ ଜଳୀୟଅଂଶର ଅଭାବ ରହିଛି। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଚୁର ପରିମାଣରେ ପାଣି ପିଇବା। ଅତ୍ୟଧିକ ଡିହାଇଡ୍ରେସନ୍‌ ହେଲେ ବାନ୍ତି ହେବା ଆରମ୍ଭ ହୁଏ। ଏଭଳି କ୍ଷେତ୍ରରେ ଇଣ୍ଟ୍ରାଭେନସ୍‌ ସାଲାଇନ୍‌ ଦେବାକୁ ପଡ଼ିଥାଏ। କିନ୍ତୁ ଅଂଶୁଘାତର ଲକ୍ଷଣ ଦେଖାଦେଲେ ପ୍ରଚୁର ପରିମାଣର ପାଣି, ଓଆର୍‌ଏସ୍‌ ପାଣି, ଲେମ୍ବୁ ପାଣି, ଦହି ସରବତ, ପଣା, ତୋରାଣି ପିଅନ୍ତୁ।

ବାହାରକୁ ଯିବା ପୂର୍ବରୁ ପ୍ରଚୁର ପାଣି ପିଇ ବାହାରନ୍ତୁ। ଏହାଛଡ଼ା ଯେଉଁ ଫଳରେ ଅଧିକ ପରିମାଣର ପାଣି ଅଂଶ ରହୁଛି, ସେଭଳି ଫଳ ଖାଆନ୍ତୁ।

ନିଜ ଆଖପାଖରେ କାହାକୁ ଅଂଶୁଘାତ ହେଲେ ତାଙ୍କୁ ଥଣ୍ଡା ପରିବେଶକୁ ନେବା, ତାଙ୍କୁ ବିଞ୍ଚିବା ଏବଂ ସେମାନେ ଟାଇଟ୍‌ ପୋଷାକ ପିନ୍ଧିଥିଲେ ଢିଲା କରିଦେବା। ବହୁତ ଲୋକ ଅଂଶୁଘାତ ରୋଗୀଙ୍କୁ ବରଫରେ ପୋଛିବାକୁ ଆରମ୍ଭ କରନ୍ତି, କିନ୍ତୁ ଏହା କରିବା ଭୁଲ। ଯଦି ଆଶୁ ଚିକିତ୍ସା କଲା ପରେ ବି ରୋଗୀଙ୍କ ଅବସ୍ଥାରେ ସୁଧାର ନ ଆସେ, ତେବେ ତୁରନ୍ତ ଡାକ୍ତରଖାନା ନେବା ଜରୁରୀ।

ଅଂଶୁଘାତଜନିତ ଜଟିଳ ସମସ୍ୟା (Complications of sunstroke in Odia)

ଶରୀରର ତାପମାତ୍ରା ୧୦୪ ଫାରେନାଇଟ୍‌ରୁ ଅଧିକ ବଢ଼ିଗଲେ ସମସ୍ୟା ହେବାର ଆଶଙ୍କା ବଢ଼ିଯାଏ। ଅତ୍ୟଧିକ ଜଳୀୟଅଂଶର ଅଭାବ ଦ୍ୱାରା କିଡ୍‌ନି ଫେଲ୍ୟୁୟର, ବାତ ମାରିବା ଭଳି ଲକ୍ଷଣ ଦେଖାଦିଏ। ବେଳେ ବେଳେ ଅତ୍ୟଧିକ ଜଳୀୟଅଂଶର ଅଭାବ ଯୋଗୁଁ ହାର୍ଟ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ଅଂଶୁଘାତର ପ୍ରାରମ୍ଭିକ ଚିକିତ୍ସା ଜରୁରୀ। ଯଦି କୌଣସି ରୋଗୀଙ୍କୁ ବାତ ମାରେ ବା ଅଧିକ ବାନ୍ତି ହୁଏ, ତେବେ ଡାକ୍ତରଖାନା ନେଇ ଚିକିତ୍ସା କରିବା ଆବଶ୍ୟକ।

ଅଂଶୁଘାତର ଚିକିତ୍ସା (Treatment of sunstroke in Odia)

ଡାକ୍ତରଖାନାରେ ପ୍ରାଥମିକ ଅବସ୍ଥାରେ ଇଣ୍ଟ୍ରାଭେନସ୍‌ ସାଲାଇନ୍‌ ଦିଆଯାଏ। ଶରୀରର ତାପମାତ୍ରା ବଢ଼ିଯାଇଥିବାରୁ ଦେହକୁ ଥଣ୍ଡା ପାଣିରେ ପୋଛାଯାଏ, ପାରାସିଟାମଲ ଔଷଧ ଦେବାକୁ ପଡ଼ିଥାଏ।

ଖରାଦିନେ ଘରୁ ବାହାରିବା ପୂର୍ବରୁ ସାବଧାନତା (Precautions before going out in the summer in Odia)

ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଯେଉଁମାନେ ବାହାରକୁ ଯାଉଛନ୍ତି ବା ଫିଲ୍ଡରେ କାର୍ଯ୍ୟରତ ଅଛନ୍ତି, ସେମାନେ ଦିନ ୧୧ଟା ଭିତରେ କାମ ସାରିବାକୁ ବା ସନ୍ଧ୍ୟା ୫ଟା ପରେ କାମ କରିବା ପାଇଁ ଚେଷ୍ଟା କରିବା ଦରକାର। ଅତ୍ୟଧିକ ଖରାରେ ବାହାରକୁ ନ ଯିବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ଘରୁ ବାହାରିବା ପୂର୍ବରୁ ପାଣି ବୋତଲ ସାଙ୍ଗରେ ନେଇ ଯାଆନ୍ତୁ। କାକୁଡ଼ି, ତରଭୂଜ ଭଳି ଫଳ ଖାଆନ୍ତୁ।

ଖରାଦିନେ ସୂତା ବସ୍ତ୍ର ପିନ୍ଧନ୍ତୁ। ବାହାରକୁ ଗଲେ ଟୋପି, ଚଷମା ଓ ସନ୍‌ସ୍କ୍ରିନ୍‌ର ବ୍ୟବହାର କରନ୍ତୁ। ବାହାରକୁ ଯିବା ପୂର୍ବରୁ ପ୍ରଚୁର ପାଣି ପିଅନ୍ତୁ। ଯଦି ଦୁର୍ବଳତା, ବାନ୍ତି ଲାଗିବା ଏବଂ ମୁଣ୍ଡ ବୁଲେଇବା ଭଳି କୌଣସି ଲକ୍ଷଣ ଦେଖାଦେଉଛି, ତେବେ ବାହାରକୁ ଯାଆନ୍ତୁ ନାହିଁ।

ଘରେ ଅଂଶୁଘାତର ଭୟ ରହିଛି କି? (Risk of sunstroke at home in Odia)

ଖରାଦିନେ ଘରେ ରହିଲେ ମଧ୍ୟ ଅଂଶୁଘାତର ଭୟ ରହିଛି। କାରଣ ଏସି ଘରେ ତାପମାତ୍ରା ୨୦ରୁ ୩୦ ଡିଗ୍ରୀ ଥିବା ବେଳେ ବାହାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଯେଉଁମାନେ ଏସି ଘରୁ ହଠାତ୍‌ ବାହାରକୁ ବାହାରିଥାଆନ୍ତି, ସେମାନଙ୍କ ଶରୀରର ତାପମାତ୍ରା ଖାପଖୁଆଇ ପାରେ ନାହିଁ। ତେଣୁ ଯେଉଁମାନେ ଏସି ଘରେ ରହୁଛନ୍ତି, ସେମାନେ ହଠାତ୍‌ ଖରାକୁ ବାହାରନ୍ତୁ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Sunstroke, in Odia language, is based on an extensive interview with a Medicine Specialist Dr Srikant Kumar Dhar.