କରୋନା ମହାମାରୀ ସମୟରେ ଲକ୍ଡାଉନ ଆମକୁ ସୁରକ୍ଷା ଦେଇଛି। କିନ୍ତୁ ଏହି କଟକଣା ବର୍ତ୍ତମାନ କୋହଳ କରାଯାଉଛି। ଏପରି ସ୍ଥିତିରେ ଆମେ ନିଜକୁ କିପରି ସୁରକ୍ଷିତ ରଖିପାରିବା? ଏ ନେଇ ଡାକ୍ତର ଜୟନ୍ତ ପଣ୍ଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
- ଲକଡାଉନ୍ ପରେ କେମିତି ରହିବା ସୁରକ୍ଷିତ?
- କିପରି କରିବେ ମାସ୍କର ବ୍ୟବହାର?
- ଡାଇବେଟିସ ରୋଗୀଙ୍କ ପାଇଁ ସର୍ତକତା
କରୋନା ମହାମାରୀ ସମୟରେ କଟକଣା ଯୋଗୁଁ ଅନେକ ଲୋକ ଘରୁ ବହାରିପାରୁନାହାନ୍ତି। ଫଳରେ ସଂକ୍ରମଣ ହେବାର ସମ୍ଭାବନା କମ ରହୁଛି। ୬୦ ପ୍ରତିଶତ ରୋଗୀ ମଧ୍ୟ ଭଲ ହୋଇଯାଉଛନ୍ତି ଏବଂ ଅଧିକାଂଶଙ୍କ ପାଖରେ ଲକ୍ଷଣ ଦେଖାଯାଉନାହିଁ। କିନ୍ତୁ ଲକ୍ଡାଉନ କୋହଳ ହେବା ପରେ ସଚେତନତା ଅବଲମ୍ବନ କରିବା ଜରୁରୀ। ସଂକ୍ରମଣର ମାତ୍ରା କମେଇବା ପାଇଁ କେତେଗୁଡ଼ିଏ ନିୟମ ମାନି ଚାଳିବା ଆବଶ୍ୟକ ରହିଛି।
ଲକଡାଉନ ପରେ କେମିତି ସୁରକ୍ଷିତ ରହିବେ? (How to stay safe after the relaxation of lockdown in Odia)
ଅଫିସ, କ୍ଲିନିକ, ବଜାରରେ କିମ୍ବା ଘରେ ପରସ୍ପରଠାରୁ ଅନ୍ତତଃ ୨ ମିଟର ଦୂରତା ବଜାୟ ରଖନ୍ତୁ। ଏହା ଦ୍ୱାରା ଶ୍ଵାସନଳୀ ଦେଇ ଆସୁଥିବା କରୋନା ସୃଷ୍ଟିକାରୀ ଡ୍ରପଲେଟ୍ଗୁଡ଼ିକ ଆପଣଙ୍କ ପାଖକୁ ଆସିପାରିବ ନାହିଁ। କୌଣସି ବ୍ୟକ୍ତିଙ୍କ ଅଧିକ ନିକଟତର ହୁଅନ୍ତୁ ନାହିଁ ଏବଂ ଜନଗହଳି ସ୍ଥାନଠାରୁ ନିଜକୁ ଦୁରେଇ ରଖନ୍ତୁ। ଅନ୍ୟମାନଙ୍କଠାରୁ ଶାରୀରିକ ଦୂରତା ଅବଲମ୍ବନ କରନ୍ତୁ ଏବଂ ପବନ ଚଳାଚଳ କରୁଥିବା ସ୍ଥାନରେ ରହିବାକୁ ଚେଷ୍ଟା କରନ୍ତୁ। ୩ଫୁଟ ବା ଗୋଟେ ମିଟର ଦୂରରେ ରହି କଥାବାର୍ତ୍ତା କରନ୍ତୁ ଓ ନିଜ ଭିତରେ ଯେତେସମ୍ଭବ ସମାଜିକ ଦୂରତାକୁ ପାଳନ କରନ୍ତୁ। ପ୍ରତି ଅଧଘଣ୍ଟାରେ ଆଲକହଲ ଯୁକ୍ତ ସାନିଟାଇଜରରେ କିମ୍ବା ସାବୁନରେ ହାତ ଉପର, ଆଙ୍ଗୁଠି ସନ୍ଧି, ଟିପ, ହାତ କଚୋଟି ଏବଂ ନଖ ସଫା କରନ୍ତୁ। ଖାଦ୍ୟ ପ୍ରସ୍ତୁତ ପୂର୍ବରୁ ଏବଂ ପରେ ଏବଂ ହାତ ମିଳାଇବା ପରେ ହାତକୁ ସାବୁନରେ ଧୁଅନ୍ତୁ। କବାଟ ହ୍ୟାଣ୍ଡଲେ, ମୋବାଇଲ, ଡାଏରି ଏବଂ ପର୍ସ ଭଳି ପ୍ରତେକ ଜିନିଷ ଛୁଇଁବାରୁ ନିବୃତ୍ତ ରହନ୍ତୁ। କୌଣସି ଜିନିଷ ଧରିବା ପାଇଁ ହାତ କହୁଣୀ, ପାଦ ଏବଂ ଅନ୍ୟ ଉପାୟ ଅବଲମ୍ବନ କରନ୍ତୁ। ମୁହଁରେ ଟିସୁ, କପଡ଼ାଏବଂ ଆବଶ୍ୟକସ୍ଥଳେ ଆପଣ ଗାମୁଛା ବ୍ୟବହାର କରିପାରିବେ। ପାଖରେ ରୁମାଲ୍ ନଥିଲେ ମୁହଁକୁ କହୁଣିରେ ଢାଙ୍କି କାଶନ୍ତୁ।
କିପରି କରିବା ମାସ୍କର ବ୍ୟବହାର? (How to use a mask in Odia)
ଘରୁ ଗୋଡ଼ କାଢ଼ିବା ମାତ୍ରକେ ମାସ୍କର ବ୍ୟବହାର କରିବା ବାଧ୍ୟତାମୂଳକ। ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ। ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍କୁ କାଢ଼ନ୍ତୁ, ପରେ ମାସ୍କକୁ ସମ୍ପୂର୍ଣ୍ଣ ଭାବେ କାଢ଼ନ୍ତୁ। ମୁହଁରେ ହାତ ମାରିବା ଫଳରେ ହାତରେ ଲାଗିଥିବା ଭାଇରସ ଶରୀରରେ ସୁବିଧାରେ ପ୍ରବେଶ କରିପାରେ। ମାସ୍କର ଉପଯୁକ୍ତ ବ୍ୟବହାର ଆମକୁ କରୋନାଠାରୁ ଦୂରେଇ ରଖିପାରିବ।
ସଠିକ ଆଚରଣ, ନିୟମିତ ବ୍ୟାୟମ, ଅଧିକ ଚିନ୍ତାଗ୍ରସ୍ତ ନ ହେବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ଖାଦ୍ୟ ଖାଇବା ଏବଂ ସଚେତନ ରହିବା ଦ୍ଵାରା କରୋନାରୁ ମୁକ୍ତି ପାଇପାରିବା।
ଡାଇବେଟିସ ରୋଗୀଙ୍କ ପାଇଁ ସତର୍କତା (Precautions for diabetics in Odia)
ମଧୁମେହରେ ପୀଡ଼ିତ ରୋଗୀଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ସାଧାରଣ ସୁସ୍ଥ ବ୍ୟକ୍ତିଙ୍କଠାରୁ କମ ଥାଏ। ତେଣୁ ସେମାନଙ୍କୁ ଅତି ଶୀଘ୍ର କରୋନା ଆକ୍ରାନ୍ତ କରିବାର ସମ୍ଭାବନା ଅଧିକ ଥାଏ। ଏପରିସ୍ଥଳେ ସେମାନେ ଘରେ ରହିବା ଉଚିତ ଏବଂ ସେମାନେ ସତର୍କ ରହିବା ଆବଶ୍ୟକ। ଯେଉଁ ବ୍ୟକ୍ତିମାନେ ବାହାରକୁ ଯାଉଛନ୍ତି ସେମାନଙ୍କଠୁ ନିଜକୁ ଦୂରେଇ ରଖନ୍ତୁ। କାରଣ ବାହାରକୁ ଯିବା ଫଳରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆମେ ଆସିଥାଉ। ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଡାଇବେଟିସ ରୋଗୀ ଆସିଲେ ତାକୁ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି। ଉଚ୍ଚ ରକ୍ତଚାପ, କ୍ୟାନସର, ଶ୍ଵାସରୋଗୀ, ହୃଦରୋଗୀ ଏବଂ କିଡନି ରୋଗୀ ସତର୍କତା ସହ ରହିବା ଉଚିତ। ଯଦି ଡାଇବେଟିସ ରୋଗୀ କରୋନାରେ ଆକ୍ରାନ୍ତ ହେଉଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଇନସୁଲିନ ମାଧ୍ୟମରେ ଶର୍କରା ନିୟନ୍ତ୍ରିତ କରିହେବ।
ଭେଣ୍ଟିଲେଟର ମାଧ୍ୟମରେ କରୋନାର ଚିକିତ୍ସା
କରୋନା ରୋଗୀ ଗୁରୁତର ହୋଇଗଲେ ତାଙ୍କ ରକ୍ତରେ ଅମ୍ଳଜାନର ମାତ୍ରା କମିଯାଏ ଏବଂ ଅମ୍ଳଜାନ ଦେବା ପରେ ମଧ୍ୟ ବଢ଼ି ନଥାଏ। ଏହି ପରିପ୍ରେକ୍ଷୀରେ ଭେଣ୍ଟିଲେଟର ବ୍ୟବହାର କରାଯାଏ। ସାଧାରଣ ରୋଗୀଙ୍କ ପାଇଁ ଭେଣ୍ଟିଲେଟରରେ ଏନଆବି ଟ୍ୟୁବ ଦ୍ୱାରା ନିଶ୍ଵାସ ପ୍ରଶ୍ଵାସର ନେବାରେ ସୁବିଧା କରାଯାଇଥାଏ। କିନ୍ତୁ କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଟ୍ୟୁବ ସ୍ଥାନରେ ମାସ୍କ ବ୍ୟବହାର କରାଯାଏ। କରୋନା ରୋଗୀଙ୍କ ରକ୍ତରେ ଅମ୍ଳଜାନ କମ ଥିବାରୁ ସେମାନଙ୍କୁ ଏନଆଇବି ଦିଆଯାଏ। କିନ୍ତୁ ଏନଆଇବିରେ ପ୍ରଚୁର ମାତ୍ରାରେ ଏରୋସଲ ରହିଛି ଯାହା ଡାକ୍ତର ଏବଂ ନର୍ସଙ୍କ ପାଇଁ ବିପଦ ଆଣିପାରେ। ରୋଗୀକୁ ଇନକ୍ୟୁବଟର ସାହାଯ୍ୟରେ ଭଲ କରିବାକୁ ଚେଷ୍ଟା କରାଯାଏ। ରୋଗୀ ନିଜେ ନିଶ୍ଵାସପ୍ରଶ୍ଵାସ ନେବାର ସକ୍ଷମ ହେଲେ ଭେଣ୍ଟିଲେଟର ରୋଗୀ ପାଖରୁ କାଢ଼ି ନିଆଯାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on how to protect from COVID-19 based on the interview with Dr. Jayanta Panda, Consultant in Diabetes.