କର୍କଟକୁ କେମିତି ରୋକିବେ? ଏନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଚିର ରଞ୍ଜନ ଖାଡ଼ଙ୍ଗାଙ୍କଠାରୁ ଅଧିକ ଜାଣନ୍ତୁ।
ଆଧୁନିକ ସମାଜରେ ମୃତ୍ୟୁର ଅନ୍ୟତମ ଶବ୍ଦ କର୍କଟ ରୋଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ଶରୀର ବିଭିନ୍ନ ପ୍ରକାର କୋଷିକା ଦ୍ୱାରା ଗଠିତ ହୋଇଛି। ଶରୀରର ଆବଶ୍ୟକତା ଅନୁସାରେ ସେହି କୋଷିକାଗୁଡ଼ିକ ବିଭାଜିତ ଏବଂ ବୃଦ୍ଧି ହୋଇଥାଏ। କିନ୍ତୁ ସମୟ ସମୟରେ କୌଣସି ଆବଶ୍ୟକତା ବିନା କିଛି ଅଙ୍ଗର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବିଭାଜିତ ହୋଇଥାଏ। ସେହି କୋଷିକାଗୁଡ଼ିକ ଅସ୍ୱାଭାବିକ ଭାବେ ବୃଦ୍ଧି ମଧ୍ୟ ପାଇଥାଏ। କୋଷିକାଗୁଡ଼ିକର ଏହି ଅସାମାନ୍ୟ ବିକାଶକୁ କ୍ୟାନସର ବା କର୍କଟ ରୋଗ ବୋଲି କୁହାଯାଏ।
ସରଳ ଭାଷାରେ କହିବାକୁ ଗଲେ ଗୋଟେ ଶିଶୁ ଜନ୍ମ ବେଳକୁ ତା’ର ଓଜନ ଅଢ଼େଇ କେଜିରୁ ୩ କେଜି ହୋଇଥାଏ। ଧୀରେ ଧୀରେ ଶିଶୁର ଶାରୀରିକ ବିକାଶ ହୁଏ। ୧୫ରୁ ୧୮ ବର୍ଷ ହେଲା ବେଳକୁ ଉଚ୍ଚତା ପାଞ୍ଚ ଫୁଟ୍ରୁ ଧରି ସାଢ଼େ ପାଞ୍ଚ, ଛଅ ଫୁଟ ହୁଏ। ଶରୀରର ଓଜନ ୫୦, ୬୦ କେଜି ହୁଏ। ତା’ ପରେ ୧୫, ୨୦ ବର୍ଷ ପରେ ଶରୀରର ଆଉ ବିକାଶ ହୁଏ ନାହିଁ। ସେମିତି ୪୦, ୪୫ ବର୍ଷ ହେଉ ହେଉ ଧୀରେ ଧୀରେ ବାର୍ଦ୍ଧକ୍ୟ ଆସେ। ଏହିସବୁ ମୂଳରେ ଥାଏ କୋଷ। କୋଷ ଭିତରେ ଗୁଣସୂତ୍ର ଥାଏ, ଯାହାକୁ ଇଂରାଜୀରେ ଜେନେଟିକ୍ ମ୍ୟାଟେରିଆଲ୍ ବା ଜିନ୍ କୁହାଯାଏ। ଏଥିରେ କିଛି କ୍ଷତି ବା ପରିବର୍ତ୍ତନ ହେଲେ, ତାକୁ ଜେନେଟିକ୍ ମ୍ୟୁଟେସନ୍ ବା ଜେନେଟିକ୍ ଚେଞ୍ଜ ବୋଲି କହିଥାଉ। ଶରୀରରେ କୋଷ ଅନିୟନ୍ତ୍ରିତ ଭାବରେ ବଢ଼ି ଚାଲିଲେ, ତାକୁ ଚିକିତ୍ସା ବିଜ୍ଞାନରେ କ୍ୟାନସର ବା କର୍କଟ କୁହାଯାଏ।
କର୍କଟ କାହିଁକି ହେଉଛି? (Causes of Cancer in Odia)
କ୍ୟାନ୍ସରର ସବୁଠୁ ମୁଖ୍ୟ କାରଣ ହେଉଛି ତମାଖୁ ସେବନ। ଓଡ଼ିଶାରେ ତଥା ଭାରତରେ ଶତକଡ଼ା ୪୦ରୁ ୬୦ ପ୍ରତିଶତ ଲୋକ ତମାଖୁଜନିତ କର୍କଟ ରୋଗରେ ପୀଡ଼ିତ। ବହୁ ସମୟ ଧରି ତମାଖୁ ସେବନ କରିବା ଦ୍ୱାରା ତମାଖୁର ସୂକ୍ଷ୍ମ ଉପାଦାନ କ୍ରମାଗତ ଭାବେ ପାଟି, ଗଳା, ଖାଦ୍ୟ ନଳୀ, ପେଟ, ବେଳେ ବେଳେ ପରିସ୍ରା ନଳୀରେ ଜମା ହୋଇଯାଏ। ଏହା ବେଶୀ ସମୟ ଜମା ହୋଇ ରହିବା ଦ୍ୱାରା ସୂକ୍ଷ୍ମ ଝିଲ୍ଲୀ ବା ମ୍ୟୁକସ୍ ମେମ୍ବ୍ରନ୍ରେ ଛୋଟ ଛୋଟ କ୍ଷତ ସୃଷ୍ଟି ହୁଏ। ଏହି କ୍ଷତ ଆପେ ଆପେ ଠିକ୍ ହୋଇପାରେ ନାହିଁ। କିଛି ବର୍ଷ ପରେ ତାହା କର୍କଟ ରୋଗରେ ପରିଣତ ହୁଏ।
କର୍କଟର ଆଉ ଏକ କାରଣ ହେଉଛି ମଦ୍ୟପାନ। ବାରମ୍ବାର ମଦ୍ୟପାନ କରିବା ଦ୍ୱାରା ମୁହଁ, ଗଳା, ପାକସ୍ଥଳୀ, ଖାଦ୍ୟନଳୀ ତଥା ଲିଭରରେ କ୍ଷତ ସୃଷ୍ଟି ହୋଇ ଧୀରେ ଧୀରେ କର୍କଟକୁ ପରିବର୍ତ୍ତନ ହୋଇଥାଏ।
କର୍କଟର ତୃତୀୟ କାରଣ ହେଉଛି ବାହ୍ୟ ସଂକ୍ରମଣ। ହ୍ୟୁମାନ୍ ପାପିଲୋମା ଭାଇରସ୍ ଯୋଗୁଁ କର୍କଟ ହୋଇଥାଏ। ଏହି ଭୂତାଣୁ ଗଳା କିମ୍ବା ମହିଳାଙ୍କର ଜରାୟୁରେ ବାରମ୍ବାର ସଂକ୍ରମଣ କରି ପ୍ରଦାହ ସୃଷ୍ଟି କରେ। ଫଳରେ ଜରାୟୁରେ ଟ୍ୟୁମର ହୋଇଥାଏ।
ଆଉ କେତେଗୁଡ଼ିଏ କାରଣ ଅଛି ଯେପରିକି କାରଖାନାରୁ ନିର୍ଗତ ହେଉଥିବା ପ୍ରଦୂଷଣ। ମନେକର ଜଣେ କାରଖାନାରେ କାମ କରୁଛନ୍ତି। ସେଠାରୁ ବାହାରୁଥିବା ମେଟାଲ୍, ନିକେଲ୍, କାଡମିୟମ୍, ଜିଙ୍କ୍ ଏସବୁର ଫ୍ୟୁମସ୍ ବାଷ୍ପ ଥାଏ। ସେଗୁଡ଼ିକ ନିଃଶ୍ୱାସ ଦ୍ୱାରା ଶରୀର ଭିତରକୁ ଯାଇଥାଏ, ଯାହାକି କର୍କଟ ସୃଷ୍ଟି କରିଥାଏ।
କର୍କଟର ଅନ୍ୟ କାରଣ ହେଉଛି ମଣିଷଗତ। ଯେପରିକି ଅତ୍ୟଧିକ ମୋଟାପଣ। ଅତ୍ୟଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଇବା, ଚର୍ବିଜାତୀୟ ଖାଦ୍ୟ ଖାଇବା, ରେଡ୍ ମିଟ୍ ବା ମଟନ୍, ବିଫ୍ ହେଉ ଏଇସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଚର୍ବି ଜମା ହୁଏ। ଶରୀରର ଗୋଟେ ଅଂଶରେ ଅନ୍ୟ ପ୍ରକାରର ଲିପିଡ୍ ପେରୋସିଡେକ୍ସନ୍ ବୋଲି ଟେକ୍ନିକାଲି କହୁ ସେସବୁ ଜିନିଷ ହୋଇ କର୍କଟ ସୃଷ୍ଟି ହୋଇଥାଏ।
୪ର୍ଥ କାରଣ ହେଉଛି ପରିବେଶ ବିକିରଣ।
ମୋଟାମୋଟି କହିବାକୁ ଗଲେ ତମାଖୁ, ମଦ୍ୟପାନ, ବାହ୍ୟ ସଂକ୍ରମଣ, ଜୀବନଶୈଳୀ, ଓବେସିଟି ବା ମୋଟାପଣ ତଥା ପରିବେଶ ପ୍ରଦୂଷଣ ଯୋଗୁଁ କର୍କଟ ରୋଗ ହୋଇଥାଏ।
ପରିବାରରେ କାହାକୁ କର୍କଟ ହୋଇଥିଲେ, ତାଙ୍କ ପିଲାଙ୍କୁ ହେବାର ଆଶଙ୍କା ଥାଏ। ହେଲେ ଏହାର ସମ୍ଭାବନା ବହୁତ କମ୍। ବ୍ରାକା-୧ ବ୍ରାକା-୨ ମ୍ୟୁଟେସନ୍ ହେବା ଦ୍ୱାରା ମହିଳାଙ୍କର ଗର୍ଭାଶୟ ଓ ସ୍ତନ କର୍କଟ ହୋଇପାରେ। ଆନୁବାଂଶିକ କାରଣ ଯୋଗୁଁ ରକ୍ତ କର୍କଟ ହୋଇପାରେ।
କର୍କଟକୁ ରୋକିବେ କେମିତି? (How to prevent Cancer in Odia)
କଥାରେ ଅଛି ଜାଣିଲେ ଜିଣିବା। କର୍କଟ କାହିଁକି ହେଉଛି ତାହା ଜାଣିପାରିଲେ ତା’ ସହ ଲଢ଼େଇ କରି ତାକୁ ଜିତିପାରିବେ। କର୍କଟ ସୃଷ୍ଟି କରୁଥିବା ଉପାଦାନ ଯେପରିକି ମଦ୍ୟପାନ, ତମାଖୁ ସେବନ ବର୍ଜନ କରନ୍ତୁ। କାରଖାନାରେ କାର୍ଯ୍ୟ କରୁଥିଲେ ଠିକ୍ ଭାବରେ ମାସ୍କ, ଗ୍ଲୋବ୍ସ, ଆପ୍ରୋନ୍ ପିନ୍ଧି କାମ କରନ୍ତୁ।
ସ୍ୱାସ୍ଥ୍ୟକୁ ନେଇ ସଚେତନ ହେବା ଜରୁରୀ। ଯଦି ପାଟି କିମ୍ବା ଗଳାରେ ଘା’ ହୋଇଥାଏ ଓ ଏହା ଅଧିକ ଦିନ ଧରି ଶୁଖୁନଥାଏ କିମ୍ବା ଝାଡ଼ାରେ ରକ୍ତ ପଡ଼ୁଛି, ଯାହାକୁ ଅଣଦେଖା କରିବା ଅନୁଚିତ। ଅଳ୍ପ ଦିନରେ ଶରୀରର ଓଜନ କମିଯାଉଛି କିମ୍ବା ମାସେ ବା ତା’ଠାରୁ ଅଧିକ ଦିନ ଧରି ଶୁଖିଲା କାଶ ହେଉଛି ବା କାଶରେ ରକ୍ତ ପଡ଼ୁଛି, ତେବେ ଚିକିତ୍ସକଙ୍କ ପାଖକୁ ଯାଇ ଆବଶ୍ୟକୀୟ ପରୀକ୍ଷା କରାଇନିଅନ୍ତୁ।
କର୍କଟର ଲକ୍ଷଣ କ’ଣ? (Symptoms of Cancer in Odia)
ତମାଖୁ ସେବନ କରିବା ଦ୍ୱାରା ପାଟି ଛୋଟ ହୋଇଯାଏ, ଅର୍ଥାତ୍ ମୁହଁ ବେଶୀ ଖୋଲି ହୁଏ ନାହିଁ। ସେମାନେ ସ୍ପଷ୍ଟ କଥା କହିପାରନ୍ତି ନାହିଁ। ତମାଖୁ ସେବନ ଯୋଗୁଁ ଯଦି ମୁହଁରେ କ୍ଷତ ସୃଷ୍ଟି ହୁଏ, ତେବେ ବ୍ୟକ୍ତି ଖାଦ୍ୟ ଖାଇବା ବେଳେ ପାଟି ପୋଡ଼ିଥାଏ।
ଯଦି ଖାଦ୍ୟନଳୀ ବା ପାକସ୍ଥଳୀରେ କ୍ଷତ ସୃଷ୍ଟି ହୁଏ, ତାହାହେଲେ ଖାଦ୍ୟ ଢୋକିବାରେ ଅସୁବିଧା ହେବା, ଖାଦ୍ୟ ଢୋକିବା ବେଳେ ବାନ୍ତି ଲାଗିବା, ବାନ୍ତିରେ ରକ୍ତ ପଡ଼ିବା, ଭୋକ କମ୍ ଲାଗିବା ଫଳରେ ଓଜନ କମିଯିବା ଭଳି ଲକ୍ଷଣ ଦେଖାଦିଏ।
ସ୍ତନରେ କର୍କଟ ହେଲେ ସ୍ତନ ଓଜନିଆ ଲାଗେ, ସ୍ତନରେ ଗେଟାଳିଆ ବା ଆବୁ ସଦୃଶ ହୁଏ, ନିପଲରୁ ପାଣି କିମ୍ବା ରକ୍ତସ୍ରାବ ହେବା ଭଳି ଲକ୍ଷଣ ଦେଖାଯାଇଥାଏ।
ଜରାୟୁରେ ଟ୍ୟୁମର ହେଲେ ମହିଳାଙ୍କର ମାସିକ ଋତୁଚକ୍ରରେ ଅନିୟମିତତା ଦେଖାଦିଏ ବା ଅତ୍ୟଧିକ ରକ୍ତସ୍ରାବ ହୁଏ କିମ୍ବା ତଳିପେଟ ଦରଜ ହୁଏ।
ରେକ୍ଟମ ବା କୋଲୋନ୍ରେ କ୍ୟାନ୍ସର ହେଲେ ବାରମ୍ବାର ଝାଡ଼ା ହେବା, ଝାଡ଼ାରେ ରକ୍ତ ପଡ଼ିବା, କ୍ରମାଗତ ତରଳ ଝାଡ଼ା ହେବା ଭଳି ଲକ୍ଷଣ ଦେଖାଦିଏ।
ଲଗାତାର ମୁଣ୍ଡ ବିନ୍ଧିବା, ବାନ୍ତି ହେବା, କଥା କହିବାରେ ଅସୁବିଧା ହେବା ହେଉଛି ବ୍ରେନ୍ ଟ୍ୟୁମରର ପ୍ରାରମ୍ଭିକ ଲକ୍ଷଣ।
କର୍କଟର ଚିକିତ୍ସା (Treatment of Cancer in Odia)
କ୍ୟାନ୍ସରର ସବୁଠୁ ଭଲ ଚିକିତ୍ସା ପଦ୍ଧତି ହେଉଛି ରେଡିଏସନ୍ ଥେରାପି। ଅନ୍ୟ ଏକ ଚିକତ୍ସା ପଦ୍ଧତି ହେଉଛି ସର୍ଜରି। ଶରୀରର କୌଣସି ଅଙ୍ଗରେ କ୍ୟାନ୍ସର କୋଷ ବୃଦ୍ଧି ପାଇଥିଲେ ସର୍ଜରି ମାଧ୍ୟମରେ ଟ୍ୟୁମରକୁ ବାହାର କରିଦିଆଯାଏ।
ଆଉ ଏକ ଚିକିତ୍ସା ପଦ୍ଧତି ହେଉଛି କେମୋଥେରାପି ଓ ଇମ୍ୟୁନୋଥେରାପି। କେମୋଥେରାପିରେ ଗୋଟେ ନିର୍ଦ୍ଦିଷ୍ଟ ପ୍ରକାର ଔଷଧକୁ ସାଲାଇନ୍ରେ ମିଶାହୋଇ କିମ୍ବା ବଟିକା ହିସାବରେ ରୋଗୀଙ୍କୁ କିଛି ଦିନ ବ୍ୟବଧାନରେ ଦିଆଯାଏ। ଏହି ଥେରାପି ୪ରୁ ୮ ଥର ରୋଗୀଙ୍କୁ ଦିଆଯାଏ।
ଚତୁର୍ଥ ଚିକିତ୍ସା ହେଉଛି ନ୍ୟୁକ୍ଲିୟାର ମେଡିସିନ୍। ଶରୀର ଭିତରକୁ ରେଡିଏସନ୍ ଦିଆଯାଏ।
ଏହାଛଡ଼ା କର୍କଟ ଚିକିତ୍ସାରେ ଫିଜିଓଥେରାପିର ମଧ୍ୟ ଯୋଗଦାନ ରହିଛି। ମନେକର କ୍ୟାନ୍ସର ଚିକିତ୍ସା ପରେ ଜଣଙ୍କର ହାତ, ଗୋଡ଼ ଚାଳନାରେ ସମସ୍ୟା ହେଉଛି କିମ୍ବା ବେକ, ଅଣ୍ଟା ଦରଜ ହେଉଛି। ଏଭଳି କ୍ଷେତ୍ରରେ ଫିଜିଓଥେରାପି ସହାୟକ ହୋଇଥାଏ।
ମନେକର ଜଣେ ରୋଗୀଙ୍କର ଗଳା ବା ମୁହଁରେ କର୍କଟ ହୋଇଛି। ଏହାର ଚିକିତ୍ସା ପରେ ଜଣେ ଯେଭଳି ପୂର୍ବଭଳି କଥାବର୍ତ୍ତା କରିପାରିବ, ସେଥିପାଇଁ ସ୍ପିଚ୍ ଥେରାପି କରାଯାଏ।
ଯଦି ଜଣଙ୍କର ବ୍ରେନ୍ ଟ୍ୟୁମର ହୋଇଛି, ତେବେ ସ୍ନାୟୁ ବିଶେଷଜ୍ଞଙ୍କର ସହଯୋଗ ମଧ୍ୟ ଦରକାର ପଡ଼ିଥାଏ।
କର୍କଟରୁ ମୁକ୍ତି, ସମ୍ପୂର୍ଣ୍ଣ ଆରୋଗ୍ୟ ଓ କର୍କଟର ପରବର୍ତ୍ତୀ ଜୀବନ ଯେପରି ଭଲ ରହିବ, ତାକୁ ଗୁରୁତ୍ୱ ଦେବା ଜରୁରୀ।
ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଚିର ରଞ୍ଜନ ଖାଡ଼ଙ୍ଗାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।
Note: This information on Cancer, in Odia language, is based on an extensive interview with a Radiation oncologist Dr Chira Ranjan Khadanga.