ଆସ୍ଥମା ରୋଗକୁ ଚିହ୍ନିବେ କେମିତି? ଏହାକୁ ରୋକିବା ପାଇଁ କ’ଣ କରିବା ଦରକାର? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା।
ଆସ୍ଥମା ହେଉଛି ଶ୍ୱାସନଳୀ ପ୍ରଦାହ ଜନିତ ରୋଗ। ଶ୍ୱାସନଳୀ ଭିତରେ ପ୍ରଦାହ ହେବା ଦ୍ୱାରା ଆସ୍ଥମା ହୋଇଥାଏ। ଶ୍ୱାସନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧାପ୍ରାପ୍ତ ହୁଏ। ଧୂଳି, ଧୂଆଁ, ଗୃହପାଳିତ ପଶୁ କିମ୍ବା କୌଣସି ଖାଦ୍ୟ ପଦାର୍ଥ ପ୍ରତି ଆଲର୍ଜି ଥିବା ବ୍ୟକ୍ତିଙ୍କୁ ଆସ୍ଥମା ଆଟାକ୍ ହେବାର ଆଶଙ୍କା ଅଧିକ ଥାଏ। ସେହପରି ପରିବେଶରେ ପ୍ରଦୂଷଣ ବଢ଼ିଲେ, ଶୀତ ଋତୁରେ ଅନେକ ବ୍ୟକ୍ତି ଆସ୍ଥମା ରୋଗରେ ପୀଡ଼ିତ ହୁଅନ୍ତି।
ଶୀତ ଦିନେ କାହିଁକି ହୁଏ ଆସ୍ଥମା ରୋଗ? (Why does asthma occur in winter in Odia)
ଶୀତଦିନେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଦୂଷଣ ବା ଧୂଳିକଣାଗୁଡ଼ିକ ବଢ଼ିଯାଏ। ବାୟୁମଣ୍ଡଳୀୟ କାରକ ଓ ବାୟୁପ୍ରଦୂଷଣ ଏବଂ ଆଲର୍ଜେନ ଯୋଗୁଁ ଆସ୍ଥମା ଆକ୍ରମଣ କରେ। ଯେଉଁ ବ୍ୟକ୍ତିଙ୍କୁ ଯେଉଁ ଜିନଷ ପ୍ରତି ଆଲର୍ଜି ଥିବ, ତାର ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟକ୍ତିଙ୍କ ଶ୍ୱାସନଳୀ ସଙ୍କୁଚିତ ହୋଇଯାଏ। ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା ବେଳେ ଅସୁବିଧା ହୋଇଥାଏ, ଯାହାକୁ ଆସ୍ଥମାର ଲକ୍ଷଣ କୁହାଯାଏ।
ଜେନେଟିକ୍ ଓ ବାୟୁମଣ୍ଡଳୀୟ କାରକ ଯୋଗୁଁ ଆସ୍ଥମା ଆକ୍ରମଣ କରିପାରେ। ଯଦି ବାପା କିମ୍ବା ମା’ଙ୍କୁ ଆସ୍ଥମା ହୋଇଛି, ତେବେ ତାଙ୍କ ପିଲାଙ୍କୁ ଆସ୍ଥମାର ଲକ୍ଷଣ ଦେଖାଯାଏ। ଏତଦ୍ବ୍ୟତୀତ, କେତେକ ଲୋକଙ୍କୁ ବ୍ୟାୟାମ କରିବା ପରେ ନିଶ୍ୱାସ ନେବାରେ ଅସୁବିଧା ହୁଏ, ଯାହାକୁ ଏକ୍ସରସାଇଜ୍ ଇଣ୍ଡ୍ୟୁସ୍ ଆସ୍ଥମା କୁହାଯାଏ। ଏହାଛଡ଼ା କେତେକ ଔଷଧ ଯେକରିକି ଅସ୍ପିରିନ୍ ଓ ବିଟାବ୍ଲକର ଭଳି ଔଷଧ ଆସ୍ଥମାର ରୋଗର ଟ୍ରିଗର ହୋଇପାରେ।
ଅଧିକ ପଢ଼ନ୍ତୁ: ଶ୍ୱାସ ରୋଗୀ ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ
ଆସ୍ଥମା ରୋଗର ଲକ୍ଷଣ ଓ ପରୀକ୍ଷଣ (Symptoms of Asthma in Odia)
ଆସ୍ଥମା ହେଲେ ମୁଖ୍ୟତଃ ବ୍ୟକ୍ତିଙ୍କୁ କାଶ ହୁଏ,
ଧଇଁସଇଁ ଲାଗେ,
ଛାତି ଦରଜ ହେବା,
ଶ୍ୱାସକ୍ରିୟାରେ ସମୟରେ ବାରମ୍ବାର ହୁଇସିଲ୍ ଶବ୍ଦ ଶୁଣାଯାଏ,
ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଭଳି ଲକ୍ଷଣ ଦେଖାଦିଏ।
ସିଭିୟର ଆସ୍ଥମା ହେଲେ ତ୍ୱଚା ନୀଳ ପଡ଼ିଯାଏ। ଯଦି କୌଣସି ଆଲର୍ଜି ଯୋଗୁଁ ଆସ୍ଥମା ହୁଏ, ତେବେ ଏହାକୁ ଷ୍ଟେଥୋସ୍କୋପ ମାଧ୍ୟମରେ ପରୀକ୍ଷା କରି ଜଣାଯାଏ।
ଆସ୍ଥମା ଜାଣିବା ପାଇଁ ରକ୍ତ ପରୀକ୍ଷା କରି ସିବିସି, ଇଓସିନୋଫିଲ୍ ଅଧିକା ଅଛି କି ନାହିଁ ଦେଖାଯାଏ। ଛାତିରେ ସଂକ୍ରମଣ ହୋଇଛି କି ନାହିଁ ଜାଣିବା ପାଇଁ ଏକ୍ସରେ ମଧ୍ୟ କରାଯାଏ। ଏହାଛଡ଼ା ସ୍ପାଇରୋମାଟ୍ରି, ପଲମନାରି ଫଙ୍କସନ୍ ଟେଷ୍ଟ ମାଧ୍ୟମରେ ଆସ୍ଥମା ହୋଇଛି କି ନାହିଁ ଜଣାପଡ଼ିଥାଏ।
ଆସ୍ଥମା ହେବାର ଆଶଙ୍କା କାହାକୁ ଅଧିକ? (Who is more likely to have Asthma in Odia)
ଯେଉଁମାନଙ୍କର ଆଲର୍ଜି କମ୍ପୋନେଟ୍ ବେଶୀ ଥାଏ, ତାଙ୍କୁ ଆସ୍ଥମା ଆକ୍ରମଣ ହେବାର ଆଶଙ୍କା ବେଶୀ ଥାଏ। ଯେଉଁମାନଙ୍କର ନାକରୁ ପାଣି ବାହାରେ, ଥଣ୍ଡା, ଛିଙ୍କ ବେଶୀ ଥାଏ, ସେମାନଙ୍କୁ ନାଜାଲ ଆଲର୍ଜିର ଲକ୍ଷଣ ବୋଲି କୁହାଯାଏ। ନାଜାଲ ଆଲର୍ଜିର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଜ୍ମା ଆକ୍ରମଣ କରିବାର ଆଶଙ୍କା ଥାଏ।
ଏହାଛଡ଼ା ଯେଉଁ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ତେବେ ତାଙ୍କୁ ମଧ୍ୟ ଆଜ୍ମା ଆକ୍ରମଣ କରିବାର ଆଶଙ୍କା ଅଧିକ। କେତେକ ଲୋକଙ୍କୁ କିଛିଟା ଖାଦ୍ୟରେ ମଧ୍ୟ ଆଲର୍ଜି ଥାଏ। ସେମାନଙ୍କୁ ଆସ୍ଥମା ହେବାର ଅଧିକ ଆଶଙ୍କା ଥାଏ।
ଅଧିକ ପଢ଼ନ୍ତୁ: ଆସ୍ଥମା ହେବାର କାରଣ କ’ଣ?
ଆସ୍ଥମାର ଚିକିତ୍ସା କେମିତି ହୁଏ? (Treatment of Asthma in Odia)
ଆସ୍ଥମାର ଚିକିତ୍ସା କରିବା ପୂର୍ବରୁ କେଉଁ କାରଣ ପାଇଁ ହେଉଛି ତାହା ନିରୂପଣ କରିବାକୁ ହେବ। ଆସ୍ଥମାର ସବୁଠୁ ସାଧାରଣ କାରଣ ହେଉଛି ଧୂଆ, ଧୂଳିକଣା। ଯେତେବେଳେ ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୁଏ, ସେମାନଙ୍କୁ ଇନ୍ହେଲର ଦେବାକୁ ପରାମର୍ଶ ଦିଆଯାଏ। ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଥାଏ ଯେ, ଇନ୍ହେଲର ଦେହ ପାଇଁ ଖରାପ। ହେଲେ ଆସ୍ଥମା ରୋଗୀଙ୍କ ପାଇଁ ଇନ୍ହେଲର ନେବା ସବୁଠୁ ଭଲ। ଯେହେତୁ ଶ୍ୱାସନଳୀ ଭିତରେ ପ୍ରଦାହ ଥାଏ, ଇନ୍ହେଲର ନେବା ଫଳରେ ଶ୍ୱାସନଳୀରେ ଏହା କାର୍ଯ୍ୟ କରିଥାଏ। ଇନ୍ହେଲର କେବଳ ଶ୍ୱାସନଳୀ ପାଇଁ କାର୍ଯ୍ୟ କରିଥାଏ, ଅନ୍ୟ ଅଙ୍ଗ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ। କିନ୍ତୁ ଓରାଲ ମାଧ୍ୟମରେ କୌଣସି ଔଷଧ ଖାଇଲେ ଏହା ଖାଦ୍ୟନଳୀକୁ ଯାଏ ଓ ରକ୍ତ ମାଧ୍ୟମରେ ଫୁସ୍ଫୁସ୍କୁ ଯାଇଥାଏ। ସମ୍ଭବତଃ ଏହାର ପାର୍ଶ୍ୱପ୍ରତିକ୍ରିୟା ହେବାର ଆଶଙ୍କା ଥାଏ। ତେଣୁ ଆସ୍ଥମା ରୋଗୀଙ୍କ ପାଇଁ ଇନ୍ହେଲର ହେଉଛି ପ୍ରକୃଷ୍ଟ ଚିକିତ୍ସା।
ଏହାଛଡ଼ା ଆସ୍ଥମା ରୋଗୀମାନେ ‘ନେବୁଲାଇଜର’ ପ୍ରକ୍ରିୟାରେ ମଧ୍ୟ ନେଇପାରିବେ। ଯେତେବେଳେ ରୋଗୀ ଗୁରୁତର ହୁଅନ୍ତି, ସେତେବେଳେ ଭେଣ୍ଟିଲେଟରରେ ରୋଗୀଙ୍କୁ ରଖାଯାଏ।
ଆସ୍ଥମା ରୋଗର ଜଟିଳତା (Complications of Asthma in Odia)
ଆସ୍ଥମା ହେଲେ ବ୍ୟକ୍ତିଙ୍କୁ ବେଳେ ବେଳେ ନିଶ୍ୱାସ ନେବାରେ ଅସୁବିଧା ହୁଏ, ସେମାନଙ୍କର ଅମ୍ଳଜାନରେ ଅଭାବ ହୁଏ କିମ୍ବା ନିଶ୍ୱାସ ବାଟେ ଅଙ୍ଗାରକାମ୍ଳ ନ ବାହାରିଲେ ଏହା ଶରୀରରେ ରହି ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଫଳରେ ରୋଗୀ ଚେତାଶୂନ୍ୟ ହୋଇଯାଆନ୍ତି। ଏଭଳି କ୍ଷେତ୍ରରେ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥାଏ। ଆସ୍ଥମା ରୋଗୀଙ୍କର ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା କଲେ ଏହା ଭଲ ହୋଇଯାଇପାରେ। ଯଦି ତାକୁ ଅଣଦେଖା କରିବେ, ତେବେ ଏହା ସିଭିୟର ହୋଇ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।
ଆସ୍ଥମା ରୋଗକୁ କେମିତି ରୋକିବା? (Prevention of Asthma in Odia)
ଆଲର୍ଜି ଟ୍ରିଗର କରୁଥିବା ଜିନିଷଠାରୁ ଦୂରେଇ ରହନ୍ତୁ। ବର୍ତ୍ତମାନ ସମୟରେ ଧୂଆଁ, ଧୂଳିକଣା ବଢ଼ିଯାଉଛି। ତେଣୁ ଆମେ ଏଥିରୁ ନିଜକୁ ଦୂରେଇ ରଖିବାକୁ ହେବ। ଆସ୍ଥମା ରୋଗୀମାନେ ଗୃହପାଳିତ ପଶୁଙ୍କଠାରୁ ଦୂରେଇ ରହନ୍ତୁ। ଯେଉଁ ଖାଦ୍ୟ ବା ଜିନିଷ ପ୍ରତି ବ୍ୟକ୍ତିଙ୍କୁ ଆଲର୍ଜି ଥାଏ, ତା’ଠାରୁ ଦିଜକୁ ଦୂରେଇ ରହନ୍ତୁ।
ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)
ଆସ୍ଥମାର ଚିକିତ୍ସା ସମ୍ଭବ।
ଆସ୍ଥମାର କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଡାକ୍ତର ଯଦି ଇନ୍ହେଲର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି, ତେବେ ତାକୁ ବ୍ୟବହାର କରନ୍ତୁ।
କୌଣସି ଆଲର୍ଜି ଜନିତ ଆସ୍ଥମା ଥିଲେ, ତାଠାରୁ ନିଜକୁ ଦୂରେଇ ରଖନ୍ତୁ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରନ୍ତୁ।
ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।
Note: This information on Asthma, in Odia language, is based on an extensive interview with a Medicine Specialist Dr Srikant Kumar Dhar.