ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୩୪ ପ୍ରତିଶତ ଲୋକେ ଅଳସୁଆମୀ ଯୋଗୁଁ ରୋଗଗ୍ରସ୍ତ ହେଉଛନ୍ତି। ଏହି କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ।

ଅଳସୁଆ ଲୋକଙ୍କଠାରେ ମୋଟାପଣ, ଉଚ୍ଚ ରକ୍ତଚାପ, କୋଲେଷ୍ଟରୋଲ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଯେତେ ବ୍ୟସ୍ତ ଥିଲେ ମଧ୍ୟ ନିଜ ପାଇଁ ଦିନକୁ ଘଣ୍ଟାଏ ସମୟ ବାହାର କରନ୍ତୁ। ସେହି ସମୟରେ ଯୋଗ, ଚାଲିବା ଏବଂ ପ୍ରାଣାୟମ କରନ୍ତୁ। ଦିନଟିଏ ଘରୋଇ ସହାୟକ/ସହାୟିକା ନ ଆସିଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ତା’ ବଦଳରେ ନିଜେ କାମ କରିବାକୁ ଉଦ୍ୟମ କରନ୍ତୁ।

-ନିଜକୁ ନିଜେ ପ୍ରେରଣା ଦିଅନ୍ତୁ। ଯଦି ଏକୁଟିଆ ବ୍ୟାୟାମ କରିବାକୁ ବିରକ୍ତ ଲାଗୁଥାଏ ତା’ ହେଲେ ୪ ଜଣିଆ ଗ୍ରୁପ୍ କରି ବ୍ୟାୟାମ କରନ୍ତୁ।

-ଏକ ନିଶ୍ଚିତ ସମୟରେ ଯେ ଆପଣ ବ୍ୟାୟାମ କରିବେ ତାହା ଜରୁରୀ ନୁହେଁ। ସକାଳେ ସମୟ ନ ମିଳିଲେ ସନ୍ଧ୍ୟା ସମୟରେ ଚାଲିପାରିବେ। ଏକାଥରକେ ଅଧିକ ସମୟ ନ ମିଳିଲେ ୧୦ ମିନିଟ ଲେଖାଏଁ ଦିନରେ ୩-୪ ଥର ସମୟ ବାହାର କରନ୍ତୁ।

-ଗୃହିଣୀ ହୋଇଥିଲେ ପିଲାମାନଙ୍କୁ ଛାଡ଼ିବା ଲାଗି ବସଷ୍ଟପ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଯାଆନ୍ତୁ। ଏହାଦ୍ୱାରା ସେମାନଙ୍କୁ ଭଲ ଲାଗିବା ସହିତ ଆପଣଙ୍କର ବ୍ୟାୟାମ ହେବ।

-ପ୍ରତିଦିନ ସମୟ ନ ମିଳିଲେ ସପ୍ତାହ ଶେଷରେ ବି ବ୍ୟାୟାମ କରିପାରିବେ। ଏପରି ଏକ ଆଉଟଡୋର ସ୍ଥାନକୁ ବାଛନ୍ତୁ ଯେଉଁଠାରେ ପରିବାରର ସବୁ ସଦସ୍ୟ ବ୍ୟାୟାମରେ ଭାଗ ନେଇପାରିବେ।

-ଫ୍ରିଜରେ ଅଧିକ ଖାଦ୍ୟ ପଦାର୍ଥ ରଖନ୍ତୁ ନାହିଁ। ବିଶେଷ କରି ଫ୍ରୋଜନ ଫୁଡକୁ ଏଡ଼ାଇ ଯାଆନ୍ତୁ।

-ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ। କ୍ୟାଲୋରୀ ଖର୍ଚ୍ଚ କରିବା ଲକ୍ଷ୍ୟରେ ସକାଳ ଜଳଖିଆକୁ ଭୁଲନ୍ତୁ ନାହିଁ।