କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବା ପାଇଁ ପ୍ରଥମ ଉପାୟ ହେଉଛି ଖାଦ୍ୟରେ ନିୟନ୍ତ୍ରଣ, ବ୍ୟାୟାମ ଓ ଔଷଧ ସେବନ କରିବା। ଆଜିକାଲି ଲୋକଙ୍କର ଶାରୀରିକ ପରିଶ୍ରମ କରିବା କମିଗଲାଣି। ତେଣୁ, ଏଭଳି କ୍ଷେତ୍ରରେ ଖାଦ୍ୟରେ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ।

ପ୍ରାୟ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ, କେଉଁ ତେଲ ଖାଇବା ଓ କେତେ ମାତ୍ରାରେ ଖାଇବା। ହେଲେ କେଉଁ ତେଲ ଖାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କେତେ ମାତ୍ରାରେ ତେଲ ଖାଦ୍ୟରେ ବ୍ୟବହାର କରିବା ତାହା ଜରୁରୀ। ଖାଦ୍ୟରେ ସବୁବେଳେ ତେଲର ମାତ୍ରା କମ୍‌ କରିବା ଜରୁରୀ। ବର୍ତ୍ତମାନ ବିନା ତେଲରେ ରୋଷେଇ କରିବା ପାଇଁ ବିଭିନ୍ନ ପ୍ରଣାଳୀ ବାହାରୁଛି, ଯାହା ଆପଣ ବ୍ୟବହାର କରିପାରିବେ।

ଆମେ ଖାଦ୍ୟରେ ଯେଉଁ ତେଲ ବ୍ୟବହାର କରୁ, ତାହା ସାଧାରଣତଃ ଉଦ୍ଭିଦରୁ ମିଳିଥାଏ। ତେଣୁ ସମସ୍ତ ପ୍ରକାର ତେଲରେ କୋଲେଷ୍ଟ୍ରୋଲ୍‌ ନାହିଁ। କିନ୍ତୁ, ତାହା ଆମର ଦେହରେ ଯାଇ ଯକୃତରେ କୋଲେଷ୍ଟ୍ରୋଲ ତିଆରି କରିଥାଏ। ତେଲ ମଧ୍ୟରେ ସବୁଠାରୁ ଭଲ ହେଉଛି ଅଲିଭ୍‌ ଅଏଲ୍‌। ହେଲେ ଅଲିଭ ଅଏଲ୍‌କୁ ଛଣାଛଣି କରିବା ପାଇଁ ବ୍ୟବହାର କରାଯାଇନ ଥାଏ। ଏହାଦ୍ଵାରା ଅଲିଭ୍‌ ଅଏଲ୍‌ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ନଷ୍ଟ ହୋଇଯାଏ। ଭାରତୀୟ ଖାଦ୍ୟ ପ୍ରଣାଳୀରେ କୌଣସି ଖାଦ୍ୟକୁ ଛାଣି କରି ଖାଇବା, ଅଧିକ ତେଲରେ ରାନ୍ଧିକରି ଖିଆଯାଏ।

ରାଇସ୍‌ବ୍ରାନ୍‌, ବାଦାମ୍‌ ଓ ସୋରିଷ ତେଲକୁ ଯେତେ କମ୍‌ ପରିମାଣରେ ବ୍ୟବହାର କରିପାରିବା ସେତେ ଭଲ। ଏହାସହ ଗୋଟିଏ ପ୍ରକାର ତେଲକୁ ସବୁଦିନ ବ୍ୟବହାର ନ କରି ଭିନ୍ନ ଭିନ୍ନ ତେଲକୁ ଭିନ୍ନ ଭିନ୍ନ ଦିନରେ କମ୍‌ ପରିମାଣରେ ବ୍ୟବହାର କରିବା ଦରକାର। ଖାଦ୍ୟରେ ଘିଅର ସେବନ ଯେତେ କମ୍‌ କରିପାରିବା ତାହା ସେତେ ଭଲ।

ଏହାଛଡ଼ା ଛଣାଛଣି ଓ ଅଧିକ ତେଲର ବ୍ୟବହାରକୁ କମ୍‌ କରିବାକୁ ପଡ଼ିବ। ପ୍ରତିଦିନ ଗଜାମୁଗ, ଗଜାବୁଟ, ସିଝା ବୁଟ ବା ଛୋଲେ, ଫଳମୂଳ, ସବୁଜ ପନିପରିବା ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ।

ଆମିଷରେ ମଟନ୍‌ ଖାଆନ୍ତୁ ନାହିଁ। ସମୁଦ୍ର ମାଛ, ଚୂନା ମାଛ ଖାଇବା ଜରୁରୀ। କାରଣ ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହୁଛି, ଯାହା ଭଲ କୋଲେଷ୍ଟ୍ରୋଲକୁ (HDL)କୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ସାଧାରଣତଃ ଆମେ ମାଛକୁ ଛାଣୁ ବା ଭାଜି କରି ଖାଇଥାଉ। ଏହା କରିବା ଦ୍ୱାରା ମାଛରେ ତେଲ ମିଶିଯାଏ, ଯାହା ଶରୀରକୁ ଯାଇଥାଏ। ଅଣ୍ଡାର ଧଳା ଅଂଶକୁ ଖାଇବା ଦରକାର କେଶର ଖାଇବା ଅନୁଚିତ।

କୋଲେଷ୍ଟ୍ରୋଲ ଔଷଧକୁ ନିୟମିତ ଖାଇବା ଜରୁରୀ। ଔଷଧ ଆରମ୍ଭ କରିବା ପରେ ୩ରୁ ୬ ମାସ ଭିତରେ ଲିପିଡ୍‌ ପ୍ରୋଫାଇଲ୍‌ ପରୀକ୍ଷା କରିବାର ଆବଶ୍ୟକତା ରହିଛି।