ଡାକ୍ତର ସମ୍ରାଟ କର
ମାନସିକ ରୋଗୀଙ୍କୁ ଜାଣିବା ପାଇଁ ବାଟ ବହୁତ ଅଛି। ସିଜୋଫେନିଆ ରୋଗରେ ଲୋକଟିର ମନରେ ସନ୍ଦେହ ଜାତ ହୁଏ। କିଏ ବାଡ଼େଇ ଦେବ, ମାରିଦେବ ଭଳି ଅନୁଭବ ହୁଏ। ଆକାଶରୁ ଶୂନ୍ୟବାଣୀ ହେଲା ଭଳି ଲାଗେ। ମାନସିକ ବିଷାଦ ହେଉଛି ଏହି ରୋଗର ଆଉ ଏକ ଲକ୍ଷଣ।
ଆଉ ଗୋଟିଏ ହେଲା ଛାନିଆ ରୋଗ। ସବୁବେଳେ ରୋଗୀକୁ ଭୟ ଲାଗେ। ଆଉ ଗୋଟିଏ ରୋଗ ହେଲା ଫୋବିୟା। ଏହି ରୋଗରେ ଲୋକଟି ମନରେ ଅହେତୁକ ଭୟ ସୃଷ୍ଟି ହୋଇଥାଏ। ଚାରି ମହଲା କୋଠା ଉପରକୁ ଯିବାକୁ ଭୟ ଲାଗିଥାଏ। ଭିଡ଼ ଭିତରେ ପଶିବାକୁ ଭୟ ଲାଗିଥାଏ। ଦୋଳିରେ ଝୁଲିବାକୁ ମଧ୍ୟ ଭୟ ଲାଗେ।
ଆଉ ଗୋଟିଏ ରୋଗ ହେଉଛି ସୁଚିବାଇ ରୋଗ। ଏହି ରୋଗର ଲକ୍ଷଣ ହେଲା ବାରମ୍ବାର ଗାଧୋଇବା, ଧୂଆଧୋଇ ହେବା। ତା’ଛଡା ନିଦ ନ ହେବା, ଯୌନ ସମସ୍ୟା, ବାର୍ଦ୍ଧକ୍ୟଜନିତ ସମସ୍ୟା ହେଉଛି ଗୋଟିଏ ଗୋଟିଏ ମାନସିକ ରୋଗର ଲକ୍ଷଣ। ଶିଶୁମାନେ ଅଧିକ ବଦମାସୀ କରିବା, ପାଠ ନ ପଢ଼ିବା, ସ୍କୁଲ ନ ଯିବା ଆଦି ହେଉଛି ଶିଶୁଙ୍କ ମାନସିକ ସମସ୍ୟା।
ଓଡ଼ିଶାରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ୁଛି ନା କମୁଛି?
କେବଳ ଓଡ଼ିଶାରେ ନୁହେଁ ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ଯେହେତୁ ମାନସିକ ଚାପ ବଢ଼ୁଛି ସେଥିପାଇଁ ମାନସିକ ସମସ୍ୟା ବଢ଼ୁଛି। ଆମେ ସମସ୍ୟା ଚିହ୍ନଟ କରିପାରୁ ନ ଥିବାରୁ ରୋଗ ସମ୍ପର୍କରେ ଜାଣିପାରୁନାହୁଁ। କିନ୍ତୁ ସମସ୍ୟା ସବୁବେଳେ ବଢ଼ୁଛି।
ମାନସିକ ରୋଗୀଙ୍କ ତୁଳନାରେ ଡାକ୍ତରଙ୍କ ସଂଖ୍ୟା ଓଡ଼ିଶାରେ କେତେ?
ଓଡ଼ିଶାରେ ରୋଗୀଙ୍କ ଅନୁପାତରେ ଡାକ୍ତରଙ୍କ ସଂଖ୍ୟା ବହୁତ କମ୍। ଓଡ଼ିଶାର ଜନସଂଖ୍ୟା ସାଢେ ଚାରି କୋଟି ହୋଇଥିବାବେଳେ ଡାକ୍ତରଙ୍କ ସଂଖ୍ୟା ମାତ୍ର ୫୦ରୁ ୬୦।
ଡାକ୍ତରଙ୍କ ସଂଖ୍ୟା ନ ବଢ଼ିବାର କାରଣ କ’ଣ?
ଏହାର ପ୍ରଥମ କାରଣ ହେଉଛି ଓଡ଼ିଶାର କେବଳ ଏସ୍ସିବି ମେଡିକାଲ କଲେଜରେ ମାନସିକ ରୋଗ ଉପରେ ପୋଷ୍ଟ ଗ୍ରାଜୁଏସନ ପାଠ ପଢ଼ିବାର ସୁଯୋଗ ରହିଛି। ବୁର୍ଲା ଏବଂ ବ୍ରହ୍ମପୁରରେ ଏହି ସୁବିଧା ନାହିଁ। ସେହିପରି ସମ୍ ହସ୍ପିଟାଲ ଓ କିମ୍ସ ହସ୍ପିଟାଲରେ ଗୋଟିଏ ଲେଖାଏଁ ଗ୍ରାଜୁଏସନ ପୋଷ୍ଟ ଖୋଲିଛି।
ଓଡ଼ିଶାରେ ପାଠପଢ଼ାର କୌଣସି ସୁବିଧା ନଥିବାରୁ ଡାକ୍ତରଙ୍କ ସଂଖ୍ୟା ବଢ଼ୁନାହିଁ। ତା’ଛଡା ବିଗତ ଦିନରେ ମାନସିକ ରୋଗ ବିଭାଗ ଡାକ୍ତରଙ୍କ ଚାହିଦା ଓଡ଼ିଶାରେ ନ ଥିଲା। ଏବେ ସମୟ ବଦଳିଛି। ରାଜ୍ୟ ବାହାରୁ ବହୁ ମାନସିକ ରୋଗୀ ଓଡ଼ିଶାକୁ ଆସୁଛନ୍ତି।