ଛୋଟ ପିଲାଙ୍କର କୃମି ସମସ୍ୟାକୁ କିପରି ରୋକିବେ, ଜାଣନ୍ତୁ।

ଅନେକ ସମୟରେ ଛୋଟ ପିଲାମାନଙ୍କ ମଳଦ୍ୱାର କୁଣ୍ଡାଇ ହୋଇଥାଏ। ଏହି ସମୟରେ ସେମାନଙ୍କ ମଳରେ ଛୋଟ ଛୋଟ କୃମି ପଡ଼ିଥିବା ଦେଖିବାକୁ ମିଳେ। ଏହାକୁ ଆମେ କୃମି ଦୋଷ ବୋଲି କହିଥାଉ। କୃମି ହେଲେ ଅନେକ ପିଲାଙ୍କର ଖାଇବା କମିଯାଏ, ପେଟ ଫୁଲିଯାଏ, ପାଠ ପଢ଼ିବାରେ ମନ ଲାଗେ ନାହିଁ କିମ୍ବା ନିମୋନିଆ ଭଳି ଗୁରୁତର ସମସ୍ୟା ମଧ୍ୟ ହୋଇପାରେ। କୃମି ଦୋଷକୁ ଅଣଦେଖା କରନ୍ତୁ ନାହିଁ। କୃମି ଦୋଷ ନ ହେବା ପାଇଁ ସ୍ୱଚ୍ଛତା ଅବଲମ୍ବନ କରନ୍ତୁ। ସବୁବେଳେ ପାଇଖାନା ବ୍ୟବହାର କରନ୍ତୁ।  ମଳ ତ୍ୟାଗ କରିବା ପାଇଁ ଖୋଲା ପଡ଼ିଆ କେବେ ହେଲେ ବ୍ୟବହାର କରନ୍ତୁ ନାହିଁ।

ଛୁଆମାନଙ୍କର ଅଭିବୃଦ୍ଧି ହେବା ବୟସରେ ପେଟରେ କୃମି ହେଲେ ପୃଷ୍ଟିହୀନତା, ରକ୍ତହୀନତା ଭଳି ସମସ୍ୟା ଦେଖାଦିଏ। ଛୁଆଙ୍କର କୃମି ହେଲେ, ସେମାନଙ୍କ ଉଚ୍ଚତା ଏବଂ ଓଜନ ବଢ଼ିବାରେ ଓ ବୁଦ୍ଧି ବିକାଶ ହୋଇପାରିନଥାଏ। ତେଣୁ କୃମିରୁ ମୁକ୍ତ ରହିବା ନିହାତି ଦରକାର।

ପନିପରିବାକୁ ଭଲ ଭାବରେ ଧୋଇବା ସହ ଭଲକରି ରାନ୍ଧିକରି ଖାଆନ୍ତୁ।

ଫୁଟା ପାଣି ସବୁବେଳେ ପିଅନ୍ତୁ।

ଛୋଟ ଛୁଆମାନଙ୍କ ହାତ କିଭଳି ପରିଷ୍କାର ରଖିବେ ସେନେଇ ଧ୍ୟାନ ଦିଅନ୍ତୁ।

ଖାଇବା ପୂର୍ବରୁ ସବୁବେଳେ ପିଲାଙ୍କର ହାତ ଧୁଅନ୍ତୁ।

ପାଇଖାନା ବ୍ୟବହାର କରିବା ପରେ ଶିଶୁଙ୍କ ହାତକୁ ସାବୁନରେ ଧୁଅନ୍ତୁ।

ସୂତା କୃମିଗୁଡ଼ିକ ମଳଦ୍ଵାର ବାହାରେ ହଜାର ହଜାର ସଂଖ୍ୟାରେ ଡିମ୍ବ ଦିଅନ୍ତି। ଏହି କାରଣରୁ ରାତିରେ ମଳଦ୍ଵାର କୁଣ୍ଡାଇ ହୋଇଥାଏ। ଯେତେବେଳେ ଶିଶୁମାନେ ନଖରେ କୁଣ୍ଡାନ୍ତି ଡିମ୍ବଗୁଡ଼ିକ ନଖ ସନ୍ଧିରେ ଲାଗିଯାନ୍ତି ଏବଂ ତାହା ଖାଦ୍ୟରେ ପାଟି ମଧ୍ୟକୁ ଯାଆନ୍ତି। ଏଥିପାଇଁ ପିଲାର ଆଙ୍ଗୁଠିରନଖ ଛୋଟ କରି କାଟି ଦିଅନ୍ତୁ।

ଯଦି ମଳଦ୍ୱାର କୁଣ୍ଡାଇଛନ୍ତି ତେବେ ହାତ ଭଲକରି ଧୁଅନ୍ତୁ କିମ୍ବା ସାନିଟାଇଜର ବ୍ୟବହାର କରନ୍ତୁ।

ପିଲାର ପ୍ୟାଣ୍ଟକୁ ଗରମ ପାଣିରେ ଧୋଇ ଟାଣ ଖରାରେ ଶୁଖାନ୍ତୁ।

ବାହାରକୁ ଯିବାବେଳେ ଚପଲ ବ୍ୟବହାର କରନ୍ତୁ।

ପରିଚ୍ଛନ୍ନତା, ସୂତାକୃମି ସଂକ୍ରମଣର ସବୁଠାରୁ ଭଲ ପ୍ରତିଷେଧକ ଅଟେ।

କୃମି ଚିକିତ୍ସାରେ କୃମି ଔଷଧ ଦିଆଯାଏ। ଡାକ୍ତର ଝାଡ଼ା ପରୀକ୍ଷା କରି ଔଷଧ ପରାମର୍ଶ କରିଥା’ନ୍ତି।