ମୁହଁରୁ ବ୍ରଣ କେମିତି ଯିବ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ବ୍ରଣ ଏକ ସାଧାରଣ ଚର୍ମ ରୋଗ। ଏହା ଉଭୟ ମହିଳା ଓ ପୁରୁଷଙ୍କଠାରେ ହୋଇଥାଏ। ସାଧାରଣତଃ ମୁହଁରେ ବ୍ରଣକୁ ନେଇ ଯୁବପିଢ଼ିମାନେ ସବୁବେଳେ ଚିନ୍ତାରେ ଥା’ନ୍ତି। ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଘରୋଇ ଉପଚାର ଆପାଣାଉଥିବା ବେଳେ ଅନେକ ଡାକ୍ତରଙ୍କ ବିନା ପରାମର୍ଶରେ ବିଭିନ୍ନ କ୍ରିମ, ଅଏଣ୍ଟମେଣ୍ଟ୍ ଲଗାଇଥାଆନ୍ତି। ଆପଣଙ୍କୁ ଜାଣିବା ଦରକାର କି, ଏହା ଆପଣଙ୍କ ମୁହଁକୁ ବିକୃତ କରିପାରେ।

ବ୍ରଣ କେତେ ପ୍ରକାରର? (Different types of Acne in Odia)

ସାଧାରଣତଃ ୪ ପ୍ରକାରର ବ୍ରଣ ଦେଖାଦେଇଥାଏ।

୧- ଗ୍ରେଡ୍‌-୧: କାଠ ବ୍ରଣ (Comedonal Acne)

୨- ଗ୍ରେଡ୍‌-୨: ଏହା ସାଧାରଣତଃ ମଶା କାମୁଡ଼ିବା ଭଳି ଫଳି ଫଳି ଯାଏ ଓ ପରେ ପୂଜ ବାହାରେ।

୩- ଗ୍ରେଡ୍‌-୩: ଏହା ସାଧାରଣତଃ କାଠ ବ୍ରଣରୁ ଆରମ୍ଭ ହୋଇ ବଡ଼ ବଡ଼ ଗେଟା ସଦୃଶ ହୋଇଥାଏ। ଏହାକୁ ନୋଡୁଲୋ ସିଷ୍ଟିକ୍‌ ଆକ୍ନି ବୋଲି କୁହାଯାଏ।

୪- ଗ୍ରେଡ୍‌-୪: ଏହି ପର୍ଯ୍ୟାୟରେ ମୁହଁରେ ବ୍ରଣ ହୋଇ ଦାଗ ଓ ଖାଲ ମଧ୍ୟ ହୋଇଥାଏ।

ମୁହଁରେ କାହିଁକି ହୁଏ ବ୍ରଣ? (Causes of acne on the face in Odia)

ବ୍ରଣ ହେବାର ସବୁଠୁ ମୁଖ୍ୟ କାରଣ ହେଲା ହରମୋନାଲ। ପ୍ୟୁବର୍ଟି ସମୟରେ, ଯେତେବେଳେ ପୁଅ ପିଲାମାଙ୍କର ଦାଢ଼ି ନିଶ ଉଠିବା ଆରମ୍ଭ କରେ ଓ ଝିଅମାନଙ୍କର ମାସିକ ଋତୁସ୍ରାବ ଆରମ୍ଭ ହୋଇଥାଏ, ସେହି ସମୟରେ ଉଭୟ ମହିଳା ଓ ପୁରୁଷଙ୍କର ହରମୋନାଲ ସନ୍ତୁଳନ ବିଗିଡ଼ିଥାଏ। ଏହି ସମୟରେ ଶରୀରରେ ଆଣ୍ଡ୍ରୋଜେନ୍‌ ନାମକ ହରମୋନ୍‌ କ୍ଷରିତ ହୋଇଥାଏ। ଫଳରେ ତ୍ଵଚାରୁ ସିବମ୍‌ ବା ତେଲିଆ ହୋଇଯାଏ। ଅତ୍ୟଧିକ ତେଲିଆ ହେବା ଯୋଗୁଁ ମୁହଁର ଚର୍ମ ଭିତର ଛିଦ୍ର ବନ୍ଦ ହୋଇଯାଏ। ଫଳରେ ତ୍ୱଚାରେ ମୃତ କୋଷିକା, ତେଲ ଜମା ହୋଇ ବ୍ରଣ ସୃଷ୍ଟି କରେ।

ଏହାସହ ବ୍ରଣ ହେବା ପାଇଁ ଜୀବନଶୈଳୀର ଭୂମିକା ରହୁଛି। ଯେପରିକି, କେତେକ ପିଲାଙ୍କର ବ୍ରଣ ବାହାରିଥିଲେ ସେମାନେ ହାତ ମାରି ଛିଣ୍ଡେଇ ଦିଅନ୍ତି କିମ୍ବା ବାରମ୍ବାର ହାତ ମାରିଥାଆନ୍ତି। ଏହାଦ୍ୱାରା ବ୍ରଣ ବଢ଼ିଥାଏ।

ହାଇଗ୍ଲାଇସେମିକ୍‌ ଇଣ୍ଡେକ୍ସ ଫୁଡ୍‌, ଚିନି, ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଆଦି ଅଧିକ ପରିମାଣରେ ଖାଇଲେ ମଧ୍ୟ ବ୍ରଣ ହେବାର ଆଶଙ୍କା ଥାଏ। ରିପୋର୍ଟରୁ ଜଣାପଡ଼ିଛି, କ୍ଷୀର ତିଆରି ଖାଦ୍ୟ ଯେପରିକି ଛେନା, ଦହି, ପନିର ଖାଇବା ଯୋଗୁଁ ଶରୀରରେ ଆଣ୍ଡ୍ରୋଜେନ୍‌ ହରମୋନ୍‌ କ୍ଷରିତ ହୋଇଥାଏ, ଯାହାକି ବ୍ରଣ ସୃଷ୍ଟି ହୋଇପାରେ।

ବର୍ତ୍ତମାନ ସମୟରେ ମାନସିକ ଚାପ ଓ ଖରାପ ଜୀବନଶୈଳୀ ଯୋଗୁଁ ମଧ୍ୟ ମୁହଁରେ ବ୍ରଣ ବାହାରିବାର ଆଶଙ୍କା ଥାଏ।

ଯୁବାବସ୍ଥାରେ ବ୍ରଣ ସମସ୍ୟା (Acne problems in adolescence in Odia)

ଆଜିକାଲ ସମୟରେ ପିଲାଙ୍କଠାରେ ବ୍ରଣ ହେଲେ ସେମାନେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର କ୍ରିମ୍‌ ଆଣି ବ୍ୟବହାର କରିଥାଆନ୍ତି। ଯେଉଁ କ୍ରିମ୍‌ରେ ଷ୍ଟେରୋଏଡ୍‌ର ମାତ୍ରା ଅଧିକ ଥାଏ। ଷ୍ଟେରୋଏଡ୍‌ ମୁହଁରେ ବ୍ରଣର ସଂଖ୍ୟା ବଢ଼ାଇ ଦେଇଥାଏ।

ପିସିଓଡି ହେଲେ ହରମୋନ୍‌ରେ ଅସନ୍ତୁଳନ ହୋଇ ମୁହଁରେ ବ୍ରଣ ବାହାରିଥାଏ। ଏହାସହ ଯେଉଁମାନଙ୍କର ଖାଦ୍ୟପେୟରେ ଅନିୟମିତତା, ଫାଷ୍ଟଫୁଡ୍‌ ବା ଜଙ୍କଫୁଡ୍‌, ଚିନି, କ୍ଷୀର ଅଧିକ ମାତ୍ରାରେ ସେବନ କରିଥାଆନ୍ତି, ସେମାନଙ୍କଠାରେ ହରମୋନ୍‌ ଅସନ୍ତୁଳନ ହୋଇଥାଏ। ଫଳରେ ବ୍ରଣ ଅଧିକ ମାତ୍ରାରେ ବାହାରିଥାଏ।

କାଠ ବ୍ରଣ କ’ଣ? (What are hard pimples in Odia)

କାଠ ବ୍ରଣ ସାଧାରଣତଃ ଛୋଟ ଛୋଟ ଦାନା ଭଳି ହୋଇଥାଏ। ଏହା ମୁହଁ, ପିଠି, କହୁଣୀ ଓ ଛାତିରେ ହୋଇପାରେ। କାଠ ବ୍ରଣ ଦୁଇ ପ୍ରକାରର। ଯଥା: ବ୍ଲାକ୍‌ କୋମେଡନ୍‌ ଏବଂ ହ୍ୱାଇଟ୍‌ କୋମେଡୋନ୍‌।

soap in face

ବ୍ରଣ ହେଉଥିଲେ ମୁହଁର ଯତ୍ନ କେମିତି ନେବେ? (How to take care of your face if you have acne in Odia)

ବ୍ରଣରେ ହାତ ମାରନ୍ତୁ ନାହିଁ। ବ୍ରଣରେ ହାତ ମାରିଲେ ତାହା ଦାଗ ହୋଇପାରେ କିମ୍ବା ସେହି ସ୍ଥାନରେ ଖାଲ ହୋଇପାରେ।

ଆଜିକାଲି ପୁରୁଷ ହୁଅନ୍ତୁ ବା ମହିଳା ମୁହଁରେ ଅଯଥା କ୍ରିମ୍‌, ମେକ୍‌ଅପ୍‌ ଲଗାଇଥାଆନ୍ତି। ତାହା କରନ୍ତୁ ନାହିଁ। ମୁହଁରେ ଅଧିକ ମେକ୍‌ଅପ୍‌ ଲଗାଇଲେ ମୁହଁର ଛିଦ୍ର ବନ୍ଦ ହୋଇଯାଏ, ଫଳରେ ବ୍ରଣ ବାହାରେ।

ଯଦି କୌଣସି ପାର୍ଟିକୁ ମେକ୍‌ଅପ୍‌ ଲଗାଇ ଯାଉଛନ୍ତି, ତେବେ ଘରକୁ ଆସି ମେକ୍‌ଅପ୍‌କୁ ଭଲ ଭାବରେ ଛଡ଼ାନ୍ତୁ। ମେକ୍‌ଅପ୍‌ ଛଡ଼ାଇବା ପାଇଁ ମେକ୍‌ଅପ୍‌ ରିମୁଭର, ଗୋଲାପ ଜଳ, ନଡ଼ିଆ ତେଲର ବ୍ୟବହାର କରିବେ।

ଇଆଡ଼ୁସିଆଡ଼ୁ କ୍ରିମ୍‌ ଲଗାନ୍ତୁ ନାହିଁ।

ଫାଷ୍ଟଫୁଡ୍‌, ଜଙ୍କ୍‌ଫୁଡ୍‌ର ମାତ୍ରା କମ୍‌ କରିବେ।

କ୍ଷୀର ତିଆରି ଖାଦ୍ୟ ଯେପରିକି ପନିର, ଛେନା, ଦହି, ଆଇସ୍‌କ୍ରିମ୍‌ ଖାଇବା କମ୍‌ କରିବେ।

ଖାଦ୍ୟରେ ଚିନିର ମାତ୍ରା କମ୍‌ କରନ୍ତୁ।

୭ରୁ ୮ ଘଣ୍ଟା ଶୁଅନ୍ତୁ ଏବଂ ମାନସିକ ଚାପରୁ ନିଜକୁ ଦୂରେଇ ରଖନ୍ତୁ।

ମୁହଁକୁ ଧୋଇବା ପାଇଁ ସାଲିସାଇକ୍ଲିକ୍‌ ତତ୍ଵ ଥିବା ଫେସ୍‌ଓ୍ୱାସ୍‌ ବ୍ୟବହାର କରନ୍ତୁ। ଏହା ମୁହଁରେ ତେଲ ଅଂଶକୁ ନିୟନ୍ତ୍ରଣ କରିଥାଏ। ଫେସ୍‌ଓ୍ୱାସ୍‌କୁ ମୁହଁରେ ଲଗାଇ ୩୦ ସେକେଣ୍ଡ ପାଇଁ ମସାଜ କରନ୍ତୁ ଓ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହାପରେ ଜେଲ୍‌ ବେସ୍‌ ମଇଶ୍ଚରାଇଜର ବ୍ୟବହାର କରନ୍ତୁ।

ମୁହଁରେ ତେଲ, ତେଲ ବେସ୍‌ ମଇଶ୍ଚରାଇଜର ବ୍ୟବହାର କରନ୍ତୁ ନାହିଁ।

ସନ୍‌ସ୍କ୍ରିନ୍‌ର ବ୍ୟବହାର କରନ୍ତୁ।

ମୁହଁରେ ବ୍ରଣ ବାହାରିଲେ ନିକଟସ୍ଥ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଘରୋଇ ଉପଚାର କେତେ ସୁରକ୍ଷିତ? (How safe are home remedies in Odia)

ସମସ୍ତଙ୍କର ଚର୍ମ ଭିନ୍ନ ଭିନ୍ନ। ଯଦି ଜଣଙ୍କ ତ୍ୱଚାରେ କୌଣସି ଘରୋଇ ଉପଚାର ସୁହାଇଥାଏ, ଅନ୍ୟ ଜଣଙ୍କ ତ୍ୱଚାରେ ତାହା ସୁହାଇ ନ ପାରେ। ତେଣୁ ନିଜ ମନଇଛା କୌଣସି ଘରୋଇ ଉପଚାର ବ୍ୟବହାର କରନ୍ତୁ ନାହିଁ। ଅଧିକାଂଶ ଲୋକ ମୁହଁରୁ ବ୍ରଣ ଯିବା ପାଇଁ ବେସନ, ହଳଦୀ ଭଳି ନାନା ଘରୋଇ ଜିନିଷ ଲଗାଇ ଥାଆନ୍ତି। ହେଲେ ଏହା ମୁହଁକୁ ଅଧିକ ନଷ୍ଟ କରିଦେଇଥାଏ।

ବ୍ରଣ ଯିବା ପାଇଁ ସବୁବେଳେ ମୁହଁକୁ ସଫା ରଖନ୍ତୁ। ଫେସ୍‌ଓ୍ୱାସ୍‌ ଓ ସନ୍‌ସ୍କ୍ରିନ୍‌ ବ୍ୟବହାର କରନ୍ତୁ। ଏହାଛଡ଼ା କ୍ଲିଣ୍ଡାମାଇସିନ୍‌ ନାମକ ଜେଲ୍‌ ଲଗାଇପାରିବେ। ଏହାଦ୍ୱାରା କେତେକ ମାତ୍ରାରେ ବ୍ରଣ କମିଯିବ। ଏସବୁ କରିବା ପରେ ବି ବ୍ରଣ ଭଲ ନ ହେଲେ ଚର୍ମ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।


(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Pimples, in Odia language, is based on an extensive interview with a Dermatologist Dr Subhransu Sekhar Pattnaik.