ପ୍ରାରମ୍ଭିକ ଅବସ୍ଥାରୁ ସ୍ତନ କର୍କଟ ଚିହ୍ନଟ ହେଲେ, ଭଲ ହେବାର ସମ୍ଭାବନା ଅଧିକ।

ମଣିଷ ଶରୀର କେତେଗୁଡ଼ିଏ କୋଷରେ ତିଆରି ହୋଇଛି। ଏଥିମଧ୍ୟରୁ କିଛି କୋଷ ନିୟମିତ ବିଭାଜିତ ହୁଏ ଓ କିଛି କୋଷ ନିୟମିତ ମରିଥା’ନ୍ତି। ଯଦି ଶରୀରରେ କୋଷ ଅନିୟନ୍ତ୍ରିତ ଭାବେ ବଢ଼ିଚାଲନ୍ତି, ତେବେ ଏହା ଟ୍ୟୁମର ବା କର୍କଟରେ ପରିଣତ ହୋଇଥାଏ। ସ୍ତନର କିଛି ଭାଗରେ କୋଷ ଅନିୟନ୍ତ୍ରିତ ଭାବେ ବଢ଼ିଲେ ସ୍ତନ କର୍କଟ ହୁଏ।

ସ୍ତନ କର୍କଟର ଲକ୍ଷଣ

ସ୍ତନରେ ଛୋଟ ଗେଟା ବା ଆବୁ ସଦୃଶ ହୋଇପାରେ। ସ୍ତନରେ  ସବୁ  ପ୍ରକାର  ଆବୁ  କର୍କଟ  ରୋଗ  ନୁହେଁ ।

ସ୍ତନରେ ଘା’ ହୋଇଯିବା।

କାଖରେ ଗୁଲି ସଦୃଶ ହେବା।

ସ୍ତନାଗ୍ରରୁ କିଛି ରକ୍ତ ବା ଧଳା ପଦାର୍ଥ ନିର୍ଗତ ହେବା।

ସ୍ତନ କର୍କଟକୁ ନିଜେ ଚିହ୍ନିବେ କେମିତି?

ପ୍ରତ୍ୟେକ ମହିଳା ମାସକୁ ଥରେ ନିଜ ସ୍ତନ ନିଜେ ପରୀକ୍ଷା କରିବା ଦରକାର, ଯାହାକୁ ସେଲ୍ଫ ବ୍ରେଷ୍ଟ ଏକ୍ଜାମିନେସନ୍‌ (Self Breast Examination) କୁହାଯାଏ।

ଘରେ ଦର୍ପଣ ସାମ୍ନାରେ ଠିଆ ହୋଇ ଦୁଇ ସ୍ତନର ଉଚ୍ଚତା ସମାନ ଅଛି କି ନାହିଁ? ଦୁଇ ସ୍ତନର ନିପଲର ଆକାର ସମାନ ଅଛି କି ନାହିଁ? ନିଜ ହାତରେ ନିଜ ସ୍ତନକୁ ହାତ ମାରି ଦେଖିବେ ଯେ, କିଛି ଗୋଟାଳିଆ ବା ଗୁଳି ଭଳି ଲାଗୁଛି କି ନାହିଁ। ଯଦି ଏଭଳି କିଛି ଆକାରରେ ଭିନ୍ନତା ବା ଗେଟାଳିଆ ଭଳି ଲାଗେ, ତେବେ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରାଇନେବା ଜରୁରୀ।

ଏକ ଦର୍ପଣ ସାମ୍ନାରେ ଛିଡ଼ା ହୁଅନ୍ତୁ। ଦୁଇ ପଟର ସ୍ତନରେ କୌଣସି ଅସ୍ଵାଭାବିକ ଅବସ୍ଥା ଥିଲେ ଲକ୍ଷ୍ୟ କରନ୍ତୁ – ଯଥା  ସ୍ତନ ନିପଲର ଆକାର ସମାନ ଅଛି କି ନାହିଁ, ସ୍ତନ ଚର୍ମରେ କୁଞ୍ଚୁକୁଞ୍ଚିଆ ଦାଗ, ଦୁଇ ସ୍ତନର ଆକାରରେ ଭିନ୍ନତା ବା ଗେଟାଳିଆ ଭଳି ଲାଗିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।

ବାମ ବାହୁ ଉପରକୁ ଟେକନ୍ତୁ। ଡାହାଣ ହାତର ଆଙ୍ଗୁଳି ସାହାଯ୍ୟରେ ବାମ ପଟ ସ୍ତନର ପରୀକ୍ଷା କରନ୍ତୁ। ସ୍ତନର ବାହାର ସୀମାରୁ ଆରମ୍ଭ କରି  ପାପୁଲି  ସାହାଯ୍ୟରେ ଛୋଟ ଛୋଟ ବୃତ୍ତ ଆକାରରେ ସାରା ସ୍ଥାନକୁ  ପରୀକ୍ଷା କରନ୍ତୁ। କାଖ ଓ ସ୍ତନ  ଅଂଶକୁ  ମଧ୍ୟ  ପରୀକ୍ଷା କରନ୍ତୁ। ଚର୍ମରେ   କୌଣସି ଫୁଲା ଥିଲେ ଲକ୍ଷ୍ୟ କରନ୍ତୁ।

ବେଡ୍‌ରେ ଉପରକୁ ମୁହଁ କରି ଶୁଅନ୍ତୁ। ବାମ ବାହୁ ମୁଣ୍ଡ ତଳେ ରଖନ୍ତୁ। ଏକ ତକିଆକୁ କାନ୍ଧତଳେ ଦିଅନ୍ତୁ। ଏପରି ଅବସ୍ଥାରେ ସ୍ତନର   ପରୀକ୍ଷାରେ ସୁବିଧା ହୁଏ। ଠିକ୍ ଏହିଭଳି ଭାବରେ ଅନ୍ୟପଟ ସ୍ତନ ପରୀକ୍ଷା କରନ୍ତୁ।