ଗୀତା ଦାସ
ମଦ ଅଭ୍ୟାସରେ ପଡ଼ିଲେ ଶେଷରେ ଲାଳସାରେ ପରିଣତ ହୋଇଯାଏ।
ପୂର୍ବରୁ ଆମେ ଜାଣୁ ଯେ ମଦ୍ୟପାୟୀର ମଦ ପିଇବା ଲାଳସାର ପ୍ରଧାନ କାରଣ ହେଲା ଶାରୀରିକ। ରକ୍ତରେ ଶର୍କରାର ପରିମାଣ ସମାନ ଅବସ୍ଥାରେ ନ ରହିଲେ ତା’ର ମଦ ପିଇବାର ଇଚ୍ଛା ବହୁତ ବଢ଼ିଯାଏ। ସେଥିଲାଗି ଉପଯୁକ୍ତ ଖାଦ୍ୟ ଖାଇବା ଦରକାର।
ଖାଦ୍ୟ ଲାଳସା ମଧ୍ୟ ମାନସିକ କାରଣରୁ ହୁଏ ବୋଲି ଆମେ ସମସ୍ତେ ଅନୁଭବ କରିଛେ। ଯିଏ ଆଠଦିନ ହେବ ଜ୍ୱର ଭୋଗିଥିବାରୁ ଭାତ ନ ଖାଇ ରହିଥାଏ, ତା’ର ଭାତ ଖାଇବାକୁ ବହୁତ ମନ ହୁଏ। ଭାତ ବଦଳରେ ଯେତେ ଆଳୁ ଖାଇଲେ ମଧ୍ୟ ତା’ର ତୃପ୍ତି ହୁଏ ନାହିଁ।
ସେହିଭଳି ଯାହାର ମଦ ପିଇବାର ଅଭ୍ୟାସ ଅଛି, ସେ ରୋଗ ଭୟ ଯୋଗୁଁ ବା ନିଜର ଅନୁତାପ ଯୋଗୁଁ କିମ୍ବା ନିଜ ଘରଲୋକଙ୍କର ମନ ରଖିବା ପାଇଁ କିଛିଦିନ ମଦ ଛାଡ଼ି ରହିଲା ପରେ ତା’ର ଆଉଥରେ ମଦ ପିଇବାକୁ ପ୍ରବଳ ଇଚ୍ଛା ହୁଏ। ଏହିଭଳି ଇଚ୍ଛା ସବୁବେଳେ ଶାରୀରିକ କାରଣରୁ ହୁଏ ନାହିଁ।
ଯେତେବେଳେ ଏପରି ଇଚ୍ଛା ହେବ ଜାଣିବ ଯେ କେବଳ ମଦ ନୁହେଁ ଅନ୍ୟ ଯାହା ଖାଇବା ଅଭ୍ୟାସ ଆମର ସେ ସବୁରୁ ବଞ୍ଚିତ ହେଲେ ମଧ୍ୟ ଏପରି ତୀବ୍ର ଇଚ୍ଛା ହୁଏ ଓ କିଛି ବେଳ ପରେ ଇଚ୍ଛା ଆପେ ଆପେ ଚାଲିଯାଏ। ମଦ ବୋତଲ ଦେଖିଲେ, ମଦର ବାସ୍ନା ଶୁଙ୍ଘିଲେ, ଅନ୍ୟ କିଏ ପିଇବାର ଦେଖିଲେ ବା ମଦ ଦୋକାନ ପାଖ ଦେଇ ଗଲା ବେଳେ ଏପରି ଲାଳସା ନୂଆ ନୂଆ ନିଶ୍ଚୟ ହେବ।
ଏ ଅବସ୍ଥାରେ ରୋଗୀ ଭାବେ- ‘ପୁଣି ସେଇ ପୁରୁଣା ଭୂତ ମୋ ମୁଣ୍ଡରେ ବଢ଼ିଲାଣି, ମୋତେ ସେ ମଦ ପାଖକୁ ପେଲୁଛି, ମୁଁ କ’ଣ କରିବି?’ ଯେତେବେଳେ ଏପରି ଭାବନା ହେବ ସେତେବେଳେ ରୋଗୀ ନିଜେ ନିଜକୁ ପଚାରିବ- ‘‘ମୋତେ ଯଦି ମୋ ମନର ଭୂତ ପଚା ନର୍ଦ୍ଦମା ପାଣି ପିଇବାକୁ କୁହେ, ତା’ ହେଲେ ମୁଁ କ’ଣ ସେଇ ପଚା ବିଷାକ୍ତ ପାଣି ପିଇବି କି?’
ମଦର ଲୋଭନୀୟ ଅନୁଭୂତି ମନରେ ଥିଲାରୁ ପିଇବା ଲାଗି ମନ ହକ ହକ ହେଉଛି ଓ ଡାକ୍ତର କି ଅନ୍ୟ ଯିଏ ଯେତେ ମଦ ବିଷ ବୋଲି କହିଲେ ସୁଦ୍ଧା ରୋଗୀ ସେପରି ଭାବୁ ନ ଥିବାରୁ ତା’ର ଲାଳସା ବଢ଼ୁଛି। ସେ ମଦ କଥା ଭାବିଲେ ମୃତ୍ୟୁର କଙ୍କାଳମୟ ରୂପ ଯଦି କଳ୍ପନା କରିବ, ତେବେ ନିଜର ଲାଳସା ନିୟନ୍ତ୍ରଣ କରିପାରିବ।
ଏହିପରି ଯେତେଥର ସେ ଭାବିବ ‘ଟିକେ ପିଇଦେଲେ କିଛି ହେବ ନାହିଁ’ ସେତେଥର ନିଜର ଜଣ୍ଡିସ, ବାନ୍ତି ଓ ଝାଡ଼ା ହେଲା ବେଳର ଦୁର୍ଭୋଗ ସବୁ ମନେ ପକାଇବାର ଅଭ୍ୟାସ କରିବ। ଏହି ଭାବରେ ସେ ଯେତେ ମଦ ପିଇବା ଆନନ୍ଦ ଓ ଫୂର୍ତ୍ତିର ଅନୁଭୂତିକୁ ସଂଯୁକ୍ତ ନ କରି ପ୍ରକୃତ କ୍ଷତି ଓ ବିପଦର ଅନୁଭୂତି ବା ରୋଗର କରାଳ ରୂପକୁ ସଂଯୁକ୍ତ କରି ଶିଖିବ, ସେତେ ସେ ନିଜର ଲାଳସାକୁ ନିୟନ୍ତ୍ରଣ କରିପାରିବ।
ଅନେକ ରୋଗୀଙ୍କର ଅଭିଭାବକ ବା ଘରଲୋକେ ରୋଗୀ ବିଷୟରେ ପଚାରନ୍ତି- ‘ରୋଗୀ ତ ଚିକିତ୍ସା କରିବାକୁ ଚାହୁଁନି, ତା’କୁ ହିପ୍ନୋଟାଇଜ୍ କରି ତା’ର ମଦ ପିଇବାର ଇଚ୍ଛା ବନ୍ଦ କରିହେବ କି? ଏହାର ଉତ୍ତରରେ କହିବି ଯେ ରୋଗୀ ନ ଚାହିଁଲେ ତା’କୁ ହିପ୍ନୋଟାଇଜ୍ କରିବା ମଧ୍ୟ ସମ୍ଭବ ନୁହେଁ। ତେଣୁ ରୋଗୀ ହିପ୍ନୋଟାଇଜ୍ଡ ହୋଇ ନିଜର ଅଭ୍ୟାସ ଛାଡ଼ିବାକୁ ମନ କଲେ ଯାଇ ଏ ପଦ୍ଧତିର ଚିକିତ୍ସାର ଫଳ ମିଳିପାରେ।
ହିପ୍ନୋସିସ୍ର ଏକମାତ୍ର ଅସୁବିଧା ହେଲା ଔଷଧ ପରି ହିପ୍ନୋଟିକ୍ ଆଦେଶର ପ୍ରଭାବ ଅଳ୍ପ ସମୟ ପାଇଁ ରୁହେ। ସେଥିପାଇଁ ରୋଗୀକୁ ବାରମ୍ବାର ହିପ୍ନୋଟାଇଜ୍ ହେବାକୁ ପଡ଼େ। ମଦ ପିଇବା ଥରେ ଛାଡ଼ିଲା ପରେ ପୁଣି ଆଉ ଥରେ ରୋଗୀ ମଦ ପିଇବା ଆରମ୍ଭ କରିବ କି ନାହିଁ, ସେ ବିଷୟ ହିପ୍ନୋଟାଇଜ୍ କରି ବନ୍ଦ କରି ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ।
ରୋଗୀ ନିଜର ଦୈନନ୍ଦିନ ଜୀବନରେ କେତେକ ସ୍ୱାସ୍ଥ୍ୟକର ଅଭ୍ୟାସ ମାନି ଚଳିଲେ ତା’ ପକ୍ଷରେ ମଦ ଛାଡ଼ିବା ସହଜ ହୋଇଥାଏ-
ନିଜର ମାନସିକ ଚାପ କମାଇବା ଲାଗି- ଶାନ୍ତ ମନରେ ପ୍ରାଣାୟାମ ଓ ଧ୍ୟାନଦ୍ୱାରା ଅନ୍ୟ ଚିନ୍ତା ରୋଧ କରିବା।
ନିଜର ଶାରୀରିକ ଚାପ କମାଇବା ଲାଗି- ହଠଯୋଗ, ଅନୁମୋଦିତ ଆସନ ଓ ଶରୀର ଚର୍ଚ୍ଚାର ଅଭ୍ୟାସ।
ଦେହର ପୁଷ୍ଟି ଓ ଭଲ ସ୍ୱାସ୍ଥ୍ୟ ପାଇଁ- ସୁଷମ ଖାଦ୍ୟ, ମିନାରେଲ୍ସ ଓ ଭିଟାମିନ୍ର ନିୟମିତ ବ୍ୟବହାର।
ମନର ଆନନ୍ଦ ପାଇଁ- ଖେଳାଖେଳି କରିବା, ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ବା ସେହିପରି ଆନନ୍ଦ ବର୍ଦ୍ଧକ କାର୍ଯ୍ୟରେ ଲିପ୍ତ ରହିବା।
ମନର ସମୃଦ୍ଧି ପାଇଁ- ନିଜର ବଳ, ବୁଦ୍ଧି, ଶିକ୍ଷା, ରୂପ ବା ସାଜସଜ୍ଜାରେ ଉନ୍ନତି ହେବା ପରି କୌଣସି ବିଷୟ ଶିଖିବା- ଯାହାକି ଜୀବନରେ ନୂତନତ୍ୱ ଆଣିଦେବ।
ନିଜର ଦୁଃଖ, କଷ୍ଟ, ସମସ୍ୟା ଥିଲେ ମଧ୍ୟ ସେ ସବୁକୁ ସାମୟିକ ଭାବରେ ଅଗ୍ରାହ୍ୟ କରି ସାଧାରଣ ବିଷୟରୁ ଆନନ୍ଦ ଅନୁଭବ କରିବାକୁ ଶିଖିଲେ ମନର ସମୃଦ୍ଧି ବହୁଗୁଣରେ ବଢ଼େ।
(ସୌଜନ୍ୟ: ମନର ଅନ୍ଧାର, ମାନସିକ ସମସ୍ୟା)