ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବେ କେମିତି? ଏନେଇ ବିଶିଷ୍ଟ ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ୍ କିଲର୍ କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଏହାର କୌଣସି ଲକ୍ଷଣ ଦେଖାଯାଇନଥାଏ କିନ୍ତୁ ବିଭିନ୍ନ ରୋଗର କାରଣ ସାଜିଥାଏ। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡ୍ନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ।
ବୟସ ବଢ଼ିବା ସହ ରକ୍ତଚାପ ବଢ଼ିବାର ଆଶଙ୍କା ରହିଥାଏ।
ରକ୍ତଚାପ ବା ବ୍ଲଡ୍ ପ୍ରେସର କ’ଣ? (What is blood pressure in Odia)
ରକ୍ତଚାପର ସାମାନ୍ୟ ସୀମା ହେଉଛି ୧୨୦/୮୦। ସିଷ୍ଟୋଲିକ୍ ଚାପ ହେଉଛି ୧୨୦ ଏବଂ ଡାଇଷ୍ଟୋଲିକ ଚାପ ହେଉଛି ୮୦। କିନ୍ତୁ ରକ୍ତଚାପର ସାମାନ୍ୟ ସୀମାରେ ସିଷ୍ଟୋଲିକ୍ ଚାପ ୧୦୦ରୁ ୧୨୦ ଭିତରେ ରହିପାରେ ଏବଂ ଡାଇଷ୍ଟୋଲିକ ଚାପ ୬୪ରୁ ୮୦ ପର୍ଯ୍ୟନ୍ତ ରହିପାରେ। ଯେତେବେଳେ ସିଷ୍ଟୋଲିକ ଚାପ ୯୦ ତଳକୁ ରହିବ ଓ ଡାଇଷ୍ଟୋଲିକ୍ ଚାପ ୬୦ ତଳକୁ ରହିବ, ସେତେବେଳେ ତାହା ନିମ୍ନ ରକ୍ତଚାପ ଶ୍ରେଣୀକୁ ଆସିଯିବ।
ଯେତେବେଳେ ସିଷ୍ଟୋଲିକ୍ ଚାପ ୧୨୦ରୁ ୧୩୦ ଭିତରେ ରହିଲେ, ତାକୁ ପ୍ରିହାଇପରଟେନ୍ସନ୍ ବୋଲି କୁହାଯାଉଛି। ଏହାକୁ ଚେତାବନୀ ବୋଲି ଭାବିବା ଉଚିତ। ହେଲେ ସିଷ୍ଟୋଲିକ ଚାପ ୧୩୦ ଉପରକୁ ଗଲେ ଓ ଡାଇଷ୍ଟୋଲିକ୍ ଚାପ ୮୦ ଉପରକୁ ଗଲେ ଏହା ଉଚ୍ଚ ରକ୍ତଚାପ ବା ହାଇପରଟେନ୍ସନ୍ ଶ୍ରେଣୀରେ ଆସିଯାଏ।
ଅଧିକ ପଢ଼ନ୍ତୁ: ରକ୍ତଚାପକୁ ନ ଜଗିଲେ ହୋଇପାରେ ହୃଦଘାତ
ଉଚ୍ଚ ରକ୍ତଚାପର କାରଣ (Causes of high blood pressure in Odia)
ଉଚ୍ଚ ରକ୍ତଚାପର ନିର୍ଦ୍ଦିଷ୍ଟ କାରଣ କ’ଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ରକ୍ତଚାପ ରୋଗ ହେବାର କିଛି କାରଣ ଜୀବନର ରୀତିନୀତି ସହିତ ଜଡ଼ିତ ରହିଥାଏ ତ ଆଉ କିଛି କାରଣ ଆନୁବଂଶିକ ଯୋଗୁଁ ହୋଇଥାଏ।
୯୫ ପ୍ରତିଶତ ଲୋକଙ୍କର କୌଣସି କାରଣ ନଥାଇ ଉଚ୍ଚ ରକ୍ତଚାପ ହୋଇଥାଏ। ଆଉ ୫ ପ୍ରତିଶତ ଲୋକଙ୍କର ବିଭିନ୍ନ କାରଣ ଯୋଗୁଁ ଉଚ୍ଚରକ୍ତଚାପ ହୋଇଥାଏ। ଉଚ୍ଚ ରକ୍ତଚାପର ସବୁଠୁ ବଡ଼ କାରଣ ହେଉଛି ବୟସ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତଚାପର ସୀମା ବଢ଼ିବାର ଆଶଙ୍କା ଅଧିକ।
ଉଚ୍ଚରକ୍ତଚାପ ବା ହାଇପରଟେନ୍ସନ୍ର ଆଉ ଏକ କାରଣ ହେଉଛି ବଂଶଗତ କାରଣ। ଧରନ୍ତୁ, ପରିବାରରେ ବାପା କିମ୍ବା ମା’କୁ ଉଚ୍ଚରକ୍ତଚାପ ହୋଇଛି, ତେବେ ତାଙ୍କ ପିଲାଙ୍କର ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ରହିଛି।
ପତଳା ଲୋକଙ୍କ ତୁଳନାରେ ମୋଟା ଲୋକଙ୍କର ଉଚ୍ଚ ରକ୍ତଚାପ ଅଧିକ ଦେଖାଯାଏ। ଖାଦ୍ୟରେ ଅଧିକ ପରିମାଣର ଲୁଣ ଖାଇବା ଦ୍ୱାରାଚ ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ।
ହାଇପରଟେନ୍ସନ୍ର ଆଉଗୋଟେ ବଡ଼ କାରଣ ହେଲା ଧୂମପାନ ଓ ମଦ୍ୟପାନ।
ଅଧିକ ପଢ଼ନ୍ତୁ: ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
ଉଚ୍ଚ ରକ୍ତଚାପର ଲକ୍ଷଣ (Symptoms of high blood pressure in Odia)
ଉଚ୍ଚ ରକ୍ତଚାପ ହେଉଛି ଏକ ପ୍ରକାର ସାଇଲେଣ୍ଟ କିଲର। କାରଣ ଏହାର ଲକ୍ଷଣ ଜଣାପଡ଼ି ନଥାଏ। ଅଧିକାଂଶ ଲୋକଙ୍କର ଉଚ୍ଚ ରକ୍ତଚାପ ଥିବା କଥା ସେମାନେ ଜାଣି ପାରନ୍ତି ନାହିଁ। ଧୀରେ ଧୀରେ ଏହା ମୃତ୍ୟୁର କାରଣ ପାଲଟିଥାଏ।
ପାଖାପାଖି ୩୦ରୁ ୪୦ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଥିବା କଥା ଜାଣିପାରନ୍ତି ନାହିଁ। ଯଦି ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ତେବେ ଫୁସଫୁସ, କିଡ୍ନି, ଲିଭର ଏବଂ ହୃଦଘାତ ଭଳି ସମସ୍ୟାକୁ ଏଡ଼ାଇପାରିବା।
କେତେକ କ୍ଷେତ୍ରରେ ଅତ୍ୟଧିକ ରକ୍ତଚାପ ହେଲେ ଏହିସବୁ ଲକ୍ଷଣ ଜଣାପଡ଼ିଥାଏ।
ପ୍ରବଳ ମୁଣ୍ଡବିନ୍ଧା ହେବା।
ନାକରୁ ରକ୍ତସ୍ରାବ ହେବା।
ପରିସ୍ରାରେ ରକ୍ତ ପଡ଼ିବା।
ରକ୍ତଚାପ ଯୋଗୁଁ ଯଦି ହୃତ୍ପିଣ୍ଡ ଉପରେ ଚାପ ପଡ଼େ, ତେବେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହୋଇଥାଏ। କୌଣସି ଶାରୀରିକ କାର୍ଯ୍ୟ କଲେ ଧଇଁସଇଁ ଲାଗିବ।
କେତେକଙ୍କ ଆଖିକୁ ଜାଲିଜୁଲିଆ ଦିସେ।
ଉଚ୍ଚ ରକ୍ତଚାପ କିଡ୍ନି ଉପରେ ପ୍ରଭାବ ପକାଇଥାଏ। ତେଣୁ ପରିସ୍ରା କମିଯିବା ସହ ଦେହ ହାତ ଫୁଲିଯିବା ଭଳି ଲକ୍ଷଣ ଦେଖାଯାଏ।
ଏଭଳି କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ରକ୍ତଚାପ ମାପିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ଉଚ୍ଚ ରକ୍ତଚାପର ଜଟିଳତା (Complications of high blood pressure in odia)
ହାର୍ଟ ପେଲ୍ୟୁୟରର ସବୁଠୁ ସାଧାରଣ କାରଣ ହେଲା ଉଚ୍ଚ ରକ୍ତଚାପ। ଉଚ୍ଚ ରକ୍ତଚାପ ଯୋଗୁଁ ଆରଦ୍ମିଆ ସମସ୍ୟା ହୋଇଥାଏ। ଏହା ଯୋଗୁଁ ହୃଦସ୍ପନ୍ଦନ ଅନିୟନ୍ତ୍ରିତ ଭାବେ ଚାଲିଥାଏ। ଫଳରେ ବ୍ୟକ୍ତିର ହଠାତ୍ କାର୍ଡି୍ଆକ୍ ଆରେଷ୍ଟ ହୋଇଥାଏ।
ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଉ ଏକ କାରଣ ହେଉଛି ଉଚ୍ଚ ରକ୍ତଚାପ। ଏଥିରେ ମସ୍ତିଷ୍କର ଶିରା ଫାଟିଯାଇ ରକ୍ତସ୍ରାବ ହୋଇଥାଏ। ଫଳରେ ବ୍ୟକ୍ତି କୋମାକୁ ଚାଲିଯାଏ।
କିଡ୍ନି ଫେଲ୍ୟୁୟର ହେବାର ସାଧାରଣ କାରଣ ହେଲା ଉଚ୍ଚ ରକ୍ତଚାପ। ଏହାଛଡ଼ା କିଡ୍ନି ଯେତେ ଖରାପ ହୋଇଚାଲିବ, ଉଚ୍ଚ ରକ୍ତଚାପ ସେତେ ବଢ଼ି ବଢ଼ି ଚାଲିବ।
ହୃଦଘାତ ହେବାର, ଆଖିର ରେଟିନା ଖରାପ ହେବାର କାରଣ ବି ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସର।
ଅଧିକ ପଢ଼ନ୍ତୁ: ଆସ୍ଥମା ହେବାର କାରଣ କ’ଣ?
କେମିତି ନିୟନ୍ତ୍ରଣ କରିବେ ଉଚ୍ଚ ରକ୍ତଚାପ (How to control high blood pressure in Odia)
ରକ୍ତଚାପ ନିୟନ୍ତ୍ରଣ କରିବାକୁ ହେଲେ ଆମକୁ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ। ଆମକୁ ସୁସ୍ଥ ଲାଇଫଷ୍ଟାଇଲ ଆପଣେଇବାକୁ ହେବ।
ଖାଦ୍ୟରେ ଲୁଣ କମ୍ କରିବାକୁ ହେବ। ଦିନକରେ ଗୋଟେ ଚାମଚରୁ କମ୍ ଲୁଣ ଖାଇବାକୁ ହେବ।
ରକ୍ତଚାପକୁ ସନ୍ତୁଳନ ରଖିବା ପାଇଁ ସୁସ୍ଥ ଖାଦ୍ୟ ଖାଇବା ଲାଭଦାୟକ। ଡାଏଟ୍ରେ ଅଧିକ ଫଳ, ପନିପରିବା, ଗଜାମୁଗ, ଡ୍ରାଏଫ୍ରୁଟ୍ସ, ରାଜମା, ବିନ୍ସ, ମାଛ ଚିକେନ୍ ଓ ଚର୍ବିମୁକ୍ତ କ୍ଷୀର ଖାଇବାକୁ ହେବ।
ମଟନ୍, ଅତ୍ୟଧିକ ଫ୍ୟାଟ୍ଯୁକ୍ତ ଖାଦ୍ୟ, ଘିଅ ବା ବଟର ପଡ଼ିଥିବା ଖାଦ୍ୟ, ସରଯୁକ୍ତ କ୍ଷୀର ଖାଇବା ଅନୁଚିତ।
ଏହିସବୁ ପରିବର୍ତ୍ତନ ଓ ଔଷଧ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣକୁ ଆସିଥାଏ।
ନିଜ ଦୈନନ୍ଦିନ ଜୀବନରେ ଏକ୍ସରସାଇଜ୍, ଯୋଗକୁ ସାମିଲ କରନ୍ତୁ। ଶାରୀରିକ ପରିଶ୍ରମ ସମସ୍ତ ରୋଗରୁ ମୁକ୍ତି ଦେଇଥାଏ। ଏହାଛଡ଼ା ସପ୍ତାହକୁ ଦୁଇଥର ଭାରବହନ କାରୀ ବ୍ୟାୟାମ କରିପାରିବେ। ଏହାଦ୍ୱାରା ରକ୍ତଚାପର ସିଷ୍ଟୋଲିକ୍ ଚାପ ୧୦ରୁ ୧୨ ମିଲିମିଟର ମରକ୍ୟୁରି କମିଯିବ।
ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ ବାଦ୍ ଯଦି ରକ୍ତଚାପ ନିୟନ୍ତ୍ରଣରେ ନ ରହେ, ତେବେ ଡ୍ରଗ୍ ଥେରାପି ନେଇପାରିବେ। ଡ୍ରଗ୍ ଥେରାପି ସବୁବେଳେ ଡାକ୍ତରଙ୍କ ପରାମର୍ଶରେ ନେବା ଜରୁରୀ।
ଅଧିକ ପଢ଼ନ୍ତୁ: ଜୀବନଶୈଳୀରେ ପରିବର୍ତ୍ତନ ରକ୍ତଚାପରେ ପ୍ରଭାବ ପକାଇଥାଏ କି?
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିରୋଜ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on high blood pressure, in Odia language, is based on an extensive interview with medicine specialist Dr. Niroj Kumar Mishra.