ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍)
କରୋନା ଭାଇରସ୍ ଦ୍ଵାରା ବେଶୀ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହେଲେ ଆଗକୁ ଆହୁରି କଟକଣା ବଢ଼ିପାରେ। ତେଣୁ ଘରେ ମାସ ମାସ ଧରି ବନ୍ଦ ହେଇ ରହିଲେ ଲୋକମାନଙ୍କର ମନର ଅବସ୍ଥାରେ ଅବନତି ହେବାର ସମ୍ଭାବନା ରହିଛି କି? ଏଭଳି ପ୍ରଶ୍ନ ମନକୁ ଆସିବା ସାଧାରଣ କଥା।
ସ୍ଵାଭାବିକ ଜୀବନଯାତ୍ରାରେ ଦୀର୍ଘ ସମୟ ଧରି ବାଧା ସୃଷ୍ଟି ହେଲେ ସମସ୍ତଙ୍କର ଦେହ, ମନ ଓ ବ୍ୟବହାରରେ ପରିବର୍ତ୍ତନ ଦେଖାଯାଏ। ମାତ୍ର ଅବସ୍ଥା ଭେଦ ଅନୁସାରେ ଏବଂ ବ୍ୟକ୍ତି ଭେଦ ଅନୁସାରେ ସମସ୍ତେ ସମାନ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ। ପୁଣି ଯେଉଁମାନେ ଏକାଠି ବନ୍ଦ ହୋଇ ରହିଛନ୍ତି ପରସ୍ପର ପ୍ରତି ସେମାନଙ୍କର ବ୍ୟବହାର ମଧ୍ୟ ବଦଳିଯାଏ। କାରଣ ମଣିଷର ସହିବା କ୍ଷମତା, ବୁଝାମଣାର କ୍ଷମତା, ଧୈର୍ଯ୍ୟ ଧରିବାର ସୀମା ଟପିଗଲେ, ସେ ଅଥୟ ଓ ଉଚ୍ଛନ୍ନ ହେଇପଡ଼େ। ଫଳରେ ମନରେ ଅକାରଣରେ ରାଗ, ବିରକ୍ତି ଭାବ ତ ବଢ଼େ ତା’ ସହିତ ପୁଣି ସେ ସ୍ଵାର୍ଥକୈନ୍ଦ୍ରିକ ହେଇଯାଏ। ବିଶେଷକରି, ଯେଉଁଠି ବଖରାଏ ଘରେ ତିନି ଚାରି ଜଣ ଏକାଠି ରହୁଛନ୍ତି କିମ୍ବା ଫ୍ଲାଟରେ ତିନି ବଖରା ଘରେ ବୁଢ଼ା ବାପା ମାଆ, ସ୍ଵାମୀ ସ୍ତ୍ରୀ ଓ ପିଲାମାନେ ଚଳପ୍ରଚଳ ହେଉଛନ୍ତି ବା କେଉଁଠି ଗୋଟାଏ ବାଥରୁମ୍ ଥିଲାରୁ ଲାଇନ୍ ଲାଗୁଛି – ସେଇ ଅବସ୍ଥାରେ ସୁଖୀ ପରିବାରରେ ମଧ୍ୟ ପ୍ରତିଦିନ ଅଶାନ୍ତି ବଢ଼ିବ।
ଅଧିକାଂଶ ପରିବାରରେ ସ୍ନେହ, ଶ୍ରଦ୍ଧା ଓ ମମତା ଯେମିତି ଅଛି ପରସ୍ପର ପ୍ରତି ସେମିତି ଅଭିମାନ, ଭୁଲ ବୁଝାମଣା, ଦାମୀ ଲୋକଙ୍କୁ ବେଶୀ ପଚାରିବା ଓ ଅଳ୍ପ ଦାମୀ ଏବଂ ଅକାମୀ ଲୋକଙ୍କୁ ଅବହେଳା କରିବା ଇତ୍ୟାଦି କଥା ରହିଛି। ମନରେ ଅବସାଦ ଓ ବିରକ୍ତି ଭାବ ବଢ଼ିଲେ ସ୍ନେହ, ମମତାର ଭାବ ଆପେ ଆପେ କମିଯାଏ। ଅନ୍ୟର ଦୋଷଗୁଡ଼ିକ ସବୁବେଳେ ଆଖିରେ ପଡ଼େ। ତେଣୁ ପାରିବାରିକ ଅଶାନ୍ତି, ଯାହା ଦିନେ ସାମାନ୍ୟ ଦିଶୁଥିଲା ବର୍ତ୍ତମାନ ଅବସ୍ଥାରେ ତାହା ଜଳ ଜଳ ହୋଇ ଦିଶିଉଠେ।
ଆମେ ଯଦି ଏ ବିଷୟରେ ସତର୍କ ହେବା ତାହା ହେଲେ ଘରର ଅଶାନ୍ତି କମେଇ ପାରିବା। ମାତ୍ର ସମ୍ପର୍କର ଅବନତି ବିଷୟରେ ଆଗରୁ ପ୍ରସ୍ତୁତ ନଥିଲେ ଅବସ୍ଥା ଅସମ୍ଭାଳ ହେବ। ଗଦାଗଦି, ଛନ୍ଦାଛନ୍ଦି ହେଇ ରହିବାକୁ ପଡ଼ିଲେ ସାଧୁ ସନ୍ନ୍ୟାସୀ ମଧ୍ୟ ବଦମିଜାଜୀ ହୋଇଯାଆନ୍ତି। ଘର ସଂସାର ଛାଡ଼ି ଆଶ୍ରମରେ ରହନ୍ତି।
ଯେଉଁ ପରିବାର ସାଧାରଣତଃ ଅସୁଖୀ ତାଙ୍କ ସମସ୍ୟା ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର। ଯେଉଁଠି ବଧୂ ନିର୍ଯାତନା ଚାଲିଛି ସେଠି ବର୍ତ୍ତମାନ ନିର୍ଯାତିତା ବୋହୂ ବାପଘରକୁ ଯାଇପାରିବ ନାହିଁ କି ଘରୁ ବାହାରି କୌଣସି ସାହାଯ୍ୟକାରୀ ସଂସ୍ଥା ସହିତ ଯୋଗାଯୋଗ କରିପାରିବ ନାହିଁ। ସେମିତି ଯେଉଁଠି ବୋହୂର ପ୍ରତିପତ୍ତି ବଢ଼ିଲାରୁ ରୋଗିଣା ଅକାମୀ ଶାଶୂ ଅବହେଳାରେ ଅଛି, ସେଠି ଶାଶୂ ମଧ୍ୟ ଘରୁ ବାହାରି ଅନ୍ୟ ପୁଅ ଝିଅ ବା ଆତ୍ମୀୟଙ୍କ ଘରକୁ ଯାଇପାରିବ ନାହିଁ। କେଉଁଠି କେଉଁଠି ଘରର ସମ୍ପର୍କ ଏତେ ବିଷାକ୍ତ ଯେ ତା’କୁ ସଜାଡ଼ିବା ବର୍ତ୍ତମାନ ଅବସ୍ଥାରେ ସମ୍ଭବ ନୁହେଁ। ଯିଏ ଭାବୁଛି “ମରିଗଲେ ତରିଯିବ’’ ଏଇ ଅବସ୍ଥାରେ ନିରୁପାୟ ହୋଇ ସେ ଆତ୍ମହତ୍ୟା କରିବା ବିଷୟ ଭାବିବା ଅସମ୍ଭବ ନୁହେଁ!
ତେଣୁ ଏଭଳି ପରିବାର ବିଷୟରେ ଯେଉଁମାନେ ଜାଣନ୍ତି, ସାହି ପଡ଼ିଶା ଯିଏ ପାଟିତୁଣ୍ଡ ଶୁଣୁଛନ୍ତି, ସେମାନେ ଫୋନ୍ କରି କେମିତି ଅଛ ବା କ’ଣ କରୁଛ ବୋଲି ପଚାରିଲେ ଲୋକଲଜ୍ଜା ଭୟରେ ଘରେ ବାଡ଼ିଆପିଟା ସାମୟିକ ଭାବରେ ବନ୍ଦ ହୋଇଯାଏ। ସାଙ୍ଗ ଆତ୍ମୀୟ, ସହକର୍ମୀ – ଏମାନେ ସମସ୍ତେ ଏ ବିଷୟରେ କମ୍ ବେଶୀ ଜାଣିଥାଆନ୍ତି। ମାତ୍ର ଅନ୍ୟର ଘର କଳିରେ ପଶିବେ ନାହିଁ ବୋଲି ଓ ଏମାନେ କାହା କଥା ଶୁଣିବେ ନାହିଁ ଭାବି କରଛଡ଼ା ହୋଇ ରହନ୍ତି।
ଅନ୍ୟପକ୍ଷରେ ଘରେ ବନ୍ଦ ହେଇ ରହିଲା ବେଳେ ବାହାର ଲୋକ ପଚରାଉଚରା କଲେ ସାମୟିକ ଉପକାର ହୁଏ। କାରଣ ଘରର ପ୍ରତାପୀ ଲୋକମାନେ ଅନ୍ୟମାନଙ୍କର ଦୋଷ ଓ ଖରାପ ବ୍ୟବହାର ବିଷୟରେ କହିଲାରୁ ନିଜ ମନର ରାଗ କମେ। ଅନ୍ୟମାନେ ତା’ଙ୍କ କଥାଶୁଣି ତା’ଙ୍କ ପଟ ହେବେ ଭାବି ସେ ମନେ ମନେ ଖୁସି ହୁଅନ୍ତି।
ଯେଉଁମାନେ ନିର୍ଯାତିତ ହୁଅନ୍ତି ତାଙ୍କ ଫୋନ୍ ଘର ଲୋକେ ନେଇ ଯାଆନ୍ତି ଓ କାହା ସହିତ ସେ ଯେମିତି ଯୋଗାଯୋଗ କରିପାରିବେ ନାହିଁ, ସେଥିପାଇଁ ଗୋଡ଼େ ଗୋଡ଼େ ଜଗିଥାଆନ୍ତି। ତେଣୁ କହିବାକୁ ପଡ଼ିବ, ଟିକେ ବୁଢ଼ୀକୁ ଫୋନ୍ଟା ଦିଅ, ମୁଁ ଦିପଦ କଥା ହେବି। ସିଏ ହୁଏତ ଡରରେ ନିଜର ଅସୁବିଧା କଥା କହିବେ ନାହିଁ, ମାତ୍ର ଆପଣଙ୍କ ସହ କଥା ହୋଇ ଭରସା ପାଇବେ। ବୁଝିବେ ଯେ ତାଙ୍କ ପ୍ରତି ଜଣେ କାହାର ମମତା ଅଛି।
ପରିବାର କହିଲେ ଆମ ମନରେ ଗୋଟିଏ ଚିରାଚରିତ ପୂର୍ଣ୍ଣ ପରିବାରର ଛବି ଭାସି ଉଠେ। ମାତ୍ର ବର୍ତ୍ତମାନ ସେଭଳି ପରିବାର କ୍ରମଶଃ ବଦଳି ଯାଉଛି। କେଉଁଠି ମଧ୍ୟବୟସ୍କ ଅଭିଆଡ଼ୀ ଝିଅ ବୁଢ଼ୀ ମାଆ ସହିତ ଅଛି; କେଉଁ ପରିବାରରେ ବୁଢ଼ା ଏକୁଟିଆ ଅଛନ୍ତି। କାରଣ ବୁଢ଼ୀ ଅନ୍ୟ ଜାଗାରେ ରହି ବୋହୂ ବା ଝିଅର ପିଲାମାନଙ୍କ କଥା ବୁଝୁଛନ୍ତି। କିମ୍ବା ଘରେ କେହି ଯୁବା ବୟସର ଲୋକ ନାହାନ୍ତି। ଗାଆଁଗଣ୍ଡାରେ ଅଧିକାଂଶ ବୁଢ଼ାବୁଢ଼ୀଙ୍କ ପାଇଁ ପାଖ ସହରରୁ ଔଷଧ କିଣି ଆଣିବା ପାଇଁ ଗାଆଁ ପିଲା ମଧ୍ୟ ନାହାନ୍ତି। ଔଷଧ ମଧ୍ୟ ସବୁବେଳେ ଦୋକାନରେ ମିଳୁନାହିଁ। କାହା ଘରେ ପୁଅର ବିବାହ ବିଚ୍ଛେଦ ଯୋଗୁଁ ଘରେ ଘରଣୀ ନାହିଁ। ତେଣୁ ପୁଅ ବାହାରେ କାମ କଲାରୁ ଘରର ଭଲ ମନ୍ଦ ବୁଝିବାକୁ ବା ଘର ଲୋକଙ୍କର ଦାୟିତ୍ଵ ନେବାକୁ କେହି ନାହାନ୍ତି। ପୁଣି ବର୍ତ୍ତମାନ ଅବସ୍ଥାରେ କାମ କଲା ଲୋକ ମଧ୍ୟ ଘରକୁ ଆସିପାରିବେ ନାହିଁ। ବିଶେଷକରି, ଯାହା ଘରେ ପକ୍ଷାଘାତ ରୋଗୀ ଅଛନ୍ତି କିମ୍ବା ଗାଉଟ, ରିଉମାଟିଜିମ୍ ପରି ବାତ ଯୋଗୁଁ ସାମୟିକ ଭାବରେ ଶଯ୍ୟାଶାୟୀ ହେଉଛନ୍ତି, ତାଙ୍କ ଅବସ୍ଥା ବେଶୀ ଖରାପ। ଯାହାର ସାନପିଲା ଅଛି ବା ପିଲା ହେବାର ଅଛି ସେମାନେ ରୋଗ ଭୟ ସହିତ ଡାକ୍ତରଖାନାରେ ଜାଗା ନ ମିଳିବା ଭୟ, ଅର୍ଥବ୍ୟୟର ଭୟ ଇତ୍ୟାଦି – ବିଭିନ୍ନ ଆଶଙ୍କାରେ ପଡ଼ି କାହା ପାଖକୁ ଯାଇ ପଚରାଉଚୁରା କରିବେ ଜାଣିପାରୁ ନାହାନ୍ତି। କେବେ ପୁଣି ସାଧାରଣ ଅବସ୍ଥା ଫେରିବ ସେ ବିଷୟ ଜଣାନାହିଁ।
ଏପରି ସ୍ଥିତିରେ ମନର ଅବସ୍ଥାର ଯେଉଁ ଅବନତି ଘଟିଛି ତାହା କେମିତି ଭଲ ଆଡ଼କୁ ଯିବ ସେ ବିଷୟରେ ପରସ୍ପର ସହିତ କଥାବାର୍ତ୍ତା କରି ନିଜ ଅବସ୍ଥା ଅନୁସାରେ ସମାଧାନ କରିବାକୁ ପଡ଼େ। ଏସବୁ ବିଷୟରେ ଅଧିକ ଜନସଚେନତନା ପାଇଁ ବିଶେଷଜ୍ଞମାନେ ସାମ୍ବାଦିକଙ୍କ ସହିତ ମିଶି ତତ୍ପର ହେଲେ ସମସ୍ତଙ୍କର ଭଲ ହେବ।
(ପ୍ରସ୍ତୁତି: ନୀଳାମ୍ବର ରଥ)