ନୀଳାମ୍ବର ରଥ
ରାଜ୍ୟ ସରକାର ନିକଟରେ ଘୋଷଣା କରିଛନ୍ତି ଯେ, ରାଜ୍ୟର ସମସ୍ତ କରୋନା ରୋଗୀଙ୍କର ଚିକିତ୍ସା କେବଳ ସରକାର ପ୍ରସ୍ତୁତ କରିଥିବା କୋଭିଡ୍ ହସ୍ପିଟାଲ୍ରେ ହେବ। ଅର୍ଥାତ୍ ରାଜ୍ୟର କୌଣସି ଘରୋଇ ଡାକ୍ତରଖାନା କିମ୍ବା ଅନ୍ୟ ସରକାରୀ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା କରାଯିବ ନାହିଁ। ସବୁଠାରୁ ବଡ଼ କଥା ହେଉଛି, କରୋନା ଲକ୍ଷଣ ନେଇ ଆସୁଥିବା ରୋଗୀ ବା ସଂଦିଗ୍ଧମାନଙ୍କୁ ମଧ୍ୟ ଏହି କୋଭିଡ୍ ଡାକ୍ତରଖାନାରେ ସ୍କ୍ରିନିଂ କରାଯିବ। ଏହା ଫଳରେ କରୋନା ସଂକ୍ରମଣ ଅନ୍ୟ ସାଧାରଣ ରୋଗୀଙ୍କ ପାଖକୁ ଯିବ ନାହିଁ।
ରାଜ୍ୟରେ ପଜିଟିଭ୍ ସଂଖ୍ୟା ଦିନକୁ ଦିନ ଯେତିକି ବଢ଼ୁଛି, ଲୋକଙ୍କ ମନକୁ ପ୍ରଶ୍ନ ଆସୁଛି ଯେ, ବାସ୍ତବରେ କରୋନା ରୋଗୀଙ୍କର କିପରି ଚିକିତ୍ସା କରାଯାଏ? ଦେଖିବାକୁ ଗଲେ କରୋନାର କୌଣସି ବିଧିବଦ୍ଧ ବା ସିଧାସଳଖ ଚିକିତ୍ସା ନାହିଁ। ତା’ର ପ୍ରତିଷେଧକ ବର୍ତ୍ତମାନ ସୁଦ୍ଧା ମଧ୍ୟ ବାହାରି ନାହିଁ। ସାଧାରଣତଃ ଲକ୍ଷଣ ଅନୁଯାୟୀ କରୋନା ରୋଗୀଙ୍କର ଚିକିତ୍ସା କରାଯାଇଥାଏ। ଡାକ୍ତରମାନେ ଅନ୍ୟ ଫ୍ଲୁ ଭଳି ଏହାର ଚିକିତ୍ସା କରିଥା’ନ୍ତି।
“କରୋନା ଭାଇରସ୍ର କୌଣସି ଚିକିତ୍ସା ନାହିଁ। ଏମିତିରେ ଅଧିକାଂଶ ଭାଇରସ୍ ପାଇଁ ସିଧାସଳଖ ଚିକିତ୍ସା ବାହାରି ନାହିଁ। ତେଣୁ ମୁଖ୍ୟ କଥା ହେଉଛି ସପୋଟିଭ୍ କେୟାର୍। ଧରନ୍ତୁ କାହାର ନିମୋନିଆ ହୋଇଗଲା, କାହାର ଅକ୍ସିଜେନ୍ ଦରକାର ପଡ଼ିଲା କି କାହାର ଭେଣ୍ଟିଲେଟର ଆବଶ୍ୟକ ହେଲା, ସେହି ଅନୁଯାୟୀ ସୁବିଧା ଦିଆଯିବ। ନିମୋନିଆ ଯୋଗୁଁ ଫୁସ୍ଫୁସ୍ ଉପରେ ଯେଉଁ ପ୍ରଭାବ ପଡ଼ିଥିବ ତାହା ଧୀରେ ଧୀରେ ଉନ୍ନତି ହେଲେ ରୋଗୀ ଭଲ ହୋଇ ଘରକୁ ଯିବ। ତେବେ ଅଳ୍ପ କେତେକ କ୍ଷେତ୍ରରେ କରୋନା ଘାତକ ହୋଇପାରେ”, କହିଛନ୍ତି ବିଶିଷ୍ଟ ପଲମୋନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।
ଏ ବାବଦରେ କ’ଣ କହୁଛନ୍ତି ଗ୍ଲୋବାଲ୍ ପବ୍ଲିକ୍ ହେଲଥ୍ ଏକ୍ସପର୍ଟ ତଥା ପ୍ରବାସୀ ଓଡ଼ିଆ ଡାକ୍ତର ପିନାକୀ ପାଣିଗ୍ରାହୀ? “ଦେଖିବାକୁ ଗଲେ ଯୋଉମାନଙ୍କୁ କରୋନାରେ ସଂକ୍ରମଣ ହେଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ରୋଗାକ୍ରାନ୍ତ ହେବେ ନାହିଁ। ଯଦି ବ୍ୟାପକ ଗୋଷ୍ଠୀ ସଂକ୍ରମଣକୁ ଆମେ ରୋକି ପାରିବା ତେବେ ହିସାବ କଲେ ଜନସଂଖ୍ୟାର ଯେଉଁ ଗୋଟିଏ ଛୋଟ ପ୍ରତିଶତ ରୋଗାକ୍ରାନ୍ତ ହେବେ ସେମାନଙ୍କ ମଧ୍ୟରୁ ବେଶୀ ଭାଗ ସାମାନ୍ୟ ଚିକିତ୍ସାରେ ବି ଭଲ ହେବେ। ଅନେକଙ୍କୁ ହସ୍ପିଟାଲକୁ ବି ଯିବାକୁ ଦରକାର ନ ପଡ଼ିପାରେ। ଏପରିକି ସମସ୍ତଙ୍କୁ ଭେଣ୍ଟିଲେଟର୍ ବି ଦରକାର ନ ପଡ଼ିପାରେ।” ତେଣୁ ଏହାର ମୋଟାମୋଟି ଅର୍ଥ ହେଉଛି ଯେ ସମସ୍ତେ କରୋନାକୁ ନେଇ ଅତ୍ୟନ୍ତ ଭୟଭୀତ ହେବାର କୌଣସି କାରଣ ନାହିଁ।
ଡାକ୍ତର ପାଣିଗ୍ରାହୀ ଆହୁରି କହିଛନ୍ତି, “କରୋନାରେ ଯଦି କାହାର ଇନଫେକ୍ସନ ହେଲା ତା’ ହେଲେ ଆପଣଙ୍କୁ ଭାବିବାକୁ ପଡ଼ିବ ଯେ ତା’ ଭିତରୁ କୋଉମାନଙ୍କୁ ବାସ୍ତବରେ ଏହା ବିଶେଷ ପ୍ରଭାବିତ କରିବ। ପ୍ରଭାବ ମାନେ ଆପଣଙ୍କୁ ସାଧାରଣତଃ ଟିକେ ଜର ହେବ। ଟିକେ ଛିଙ୍କ ହୋଇପାରେ। ନାକରୁ ପାଣି ବୋହିପାରେ। କିନ୍ତୁ ଆପଣ ଭଲ ହୋଇଯିବେ।” ତେଣୁ ଆମର ବହୁତ ଲୋକଙ୍କୁ ସଂକ୍ରମଣ ହେଲେ ବି ସେମାନେ ରୋଗାକ୍ରାନ୍ତ ହେବେନି କି ହସ୍ପିଟାଲ୍ ଯିବା ମଧ୍ୟ ଦରକାର ହେବ ନାହିଁ। ଯେଉଁମାନଙ୍କର ଦରକାର ହେବ ସେମାନଙ୍କୁ ସରକାର କରିଥିବା କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯିବ।
ଏକଥା ମଧ୍ୟ ଭାବିବା ଠିକ୍ ହେବ ନାହିଁ ଯେ, ଯେତେ ଲୋକ କରୋନାରେ ସଂକ୍ରମିତ ହେବେ ବା ଡାକ୍ତରଖାନରେ ଭର୍ତ୍ତି ହେବେ ସମସ୍ତଙ୍କୁ ଭେଣ୍ଟିଲେଟର ଦରକାର ହେବ। ଯୋଉମାନେ ଅତ୍ୟନ୍ତ ଭାବରେ ଗୁରୁତର ହେବେ ବା ଯାହାର ଅନ୍ୟାନ୍ୟ ପ୍ରି-ଏକଜିଷ୍ଟିଙ୍ଗ୍ କଣ୍ଡିସନ୍ ଥିବ (ଅର୍ଥାତ୍ ବିଭିନ୍ନ ପ୍ରକାର ପୁରଣା ଓ ଜଟିଳ ରୋଗ), ସେମାନଙ୍କର ଭେଣ୍ଟିଲେଟର ଦରକାର ହୋଇପାରେ। କିନ୍ତୁ ସେ ସଂଖ୍ୟାଟା ବହୁତ କମ୍ ହୋଇପାରେ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି।
କରୋନାରେ ମୃତ୍ୟୁ ହାରକୁ ନେଇ ମଧ୍ୟ ଲୋକଙ୍କ ମନରେ ନାନା ପ୍ରଶ୍ନ ରହିଛି। ବିଶେଷଜ୍ଞଙ୍କ କହିବା କଥା ହେଲା, ବିଭିନ୍ନ ଦେଶରେ ଯେଉଁଠି ଅଧିକ ମୃତ୍ୟୁ ହାର ରହିଛି ତା’ ଭିତରେ ବୟସ୍କ ଲୋକ ଅଧିକା ଅଛନ୍ତି। ଏଇ ରୋଗ ପିଲାମାନଙ୍କୁ ହେଉଛି, ମଧ୍ୟବୟସ୍କଙ୍କୁ ବି ହେଉଛି, ଆଉ ଯୋଉମାନଙ୍କ ବୟସ ଅତ୍ୟଧିକ ସେମାନଙ୍କୁ ବି ହେଉଛି। ଇଟାଲି ଅବସ୍ଥା ଦେଖି ସମସ୍ତେ ବ୍ୟତିବ୍ୟସ୍ତ ହୋଇ ଯାଉଛନ୍ତି। ସେଠି ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୧ରୁ ୧୨ ପ୍ରତିଶତ ମୃତ୍ୟୁହାର ଦେଖିବାକୁ ମିଳିଛି। କିନ୍ତୁ ସେ ଦେଶର ଜନସଂଖ୍ୟାର ଯଦି ଆପଣ ହାରାହାରି ବୟସ ଦେଖିବେ ତେବେ ତାହା ହେବ ୪୭ ବା ୪୮। ଆମେରିକାରେ ଯଦି ଆପଣ ଦେଖିବେ ଏଇ ହିସାବରେ ୩୮ ହେବ, ଅର୍ଥାତ୍ ୧୦ କମ୍। କିନ୍ତୁ ସୌଭଗ୍ୟକ୍ରମେ ଭାରତ ହେଉଛି ଏକ ୟଙ୍ଗ କଣ୍ଟ୍ରି। ଏଠାରେ ହାରାହାରି ବୟସ ହେଉଛି ୨୬/୨୭। ତେଣୁ ଆମ ଦେଶରେ କରୋନା ମୃତ୍ୟୁ ହାର ନେଇ ବେଶୀ ନିରୁତ୍ସାହିତ ହେବା ଠିକ୍ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଆମ ରାଜ୍ୟରେ ବିଭିନ୍ନ ସ୍ଥାନରେ ଯେଉଁ କୋଭିଡ୍ ହସ୍ପିଟାଲ୍ ସବୁ ହୋଇଛି ସେଥିରେ ମୁଖ୍ୟତଃ ରୋଗୀମାନେ କ୍ଵାରେଣ୍ଟାଇନ୍ ହେବେ। କାରଣ ଏହା ହେଲେ ରୋଗଟା ଅନ୍ୟମାନଙ୍କୁ ସଂକ୍ରମିତ କରିବେନି। ଏମିତିରେ ଅନେକ ରୋଗୀ ଆପେ ଆପେ ଠିକ୍ ହୋଇଯିବେ। ଡାକ୍ତରଖାନାରେ ସେମାନଙ୍କୁ ଖାଲି ସପୋଟ୍ ଥେରାପି ଦିଆଯିବ। ତା’ ଭିତରୁ କିଛି ରୋଗୀଙ୍କର କିଛି ଦିନ ପାଇଁ ଭେଣ୍ଟିଲେଟର୍ ଦରକାର ପଡ଼ିପାରେ। ସେତେବେଳେ ସେହି ରୋଗୀମାନଙ୍କୁ ଭେଣ୍ଟିଲେଟର୍ ସହ ଚିକିତ୍ସା ଯୋଗାଇଦେବା ସରକାରଙ୍କ ପାଇଁ ସବୁଠାରୁ ବଡ଼ କଥା ହେବ। କୋଭିଡ୍ ହସ୍ପିଟାଲ୍ ପାଇଁ ଆଗକୁ ସେହି ପରୀକ୍ଷାର ସମୟ ଆସିପାରେ। ତେବେ ସେ ସଂପର୍କରେ ଆଜିଠାରୁ କିଛି ଠିକ୍ କରି ହୁଏତ କହିହେବ ନାହିଁ।
ବର୍ତ୍ତମାନ ରାଜ୍ୟ ସରକାର ସବୁ କରୋନା ପଜିଟିଭ୍ ରୋଗୀଙ୍କୁ ସରକାରୀ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରୁଛନ୍ତି। କିନ୍ତୁ ହୁଏତ ସମୟ ଆସିଲେ ରୋଗୀଙ୍କ ବୟସ, ଶାରୀରିକ ଅବସ୍ଥା ଏବଂ କରୋନର ଲକ୍ଷଣ ଦେଖି ଡାକ୍ତରମାନେ ସ୍ଥିର କରିପାରନ୍ତି ଯେ କାହାକୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରିବେ ଏବଂ କାହାକୁ ଘରେ ରଖି ଚିକିତ୍ସା କରିବାକୁ ପରାମର୍ଶ ଦେବେ।
ଏ ଭିତରେ ରାଜ୍ୟ ସରକାର ଲକ୍ଡାଉନ ସମୟସୀମାକୁ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ରାଜ୍ୟରେ କରୋନାକୁ ରୋକ୍ ଦେବାରେ ଏହା ଏକ ବଡ଼ ପଦକ୍ଷେପ ହେବ। ରାଜଧାନୀ ଭୁବନେଶ୍ଵର କରୋନାର ହଟ୍ସ୍ପଟ୍ ହୋଇଯାଇଥିବାରୁ ସହରର ବିଭିନ୍ନ ଅଞ୍ଚଳ ଏବେ କଣ୍ଟେନ୍ମେଣ୍ଟ୍ ଜୋନ୍ରେ ପରିଣତ ହୋଇଛି। ଆଗାମୀ ଦିନରେ ରାଜ୍ୟର ଅନ୍ୟ ଅଞ୍ଚଳ ଏ ଦୃଷ୍ଟିରୁ କେତେଦୂର ସୁରକ୍ଷିତ ରହିପାରୁଛି ତା’ ଉପରେ ସରକାରଙ୍କ ବିଭିନ୍ନ କରୋନା ମୁକାବିଲା କାର୍ଯ୍ୟକ୍ରମର ସଫଳତା ନିର୍ଭର କରିବ।