ନବଜାତ ଶିଶୁ କ’ଣ ଖାଇବା ଦରକାର? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ନବଜାତ ଶିଶୁଙ୍କୁ ଦୁଇ ଭାଗରେ ବିଭିକ୍ତ କରାଯାଇଛି। ଯେଉଁମାନେ ଠିକ୍ ସମୟ ଅର୍ଥାତ୍ ୯ ମାସରେ ଜନ୍ମଗ୍ରହଣ କରୁଛନ୍ତି ତାଙ୍କୁ ଟର୍ମ ବେବି କୁହାଯାଏ। ଯେଉଁ ଶିଶୁ ସମୟ ପୂର୍ବରୁ ଜନ୍ମ ନିଏ ତାକୁ ପ୍ରି-ଟର୍ମ ବା ପ୍ରିମାଚ୍ୟୋର ବେବି କୁହାଯାଏ।

ଶିଶୁ ଜନ୍ମ ହେବାର ଅଧଘଣ୍ଟା ଭିତରେ ମା’ କ୍ଷୀର ଖାଇବା ଜରୁରୀ। ସଜରିଆନ୍‌ ଗର୍ଭଧାରଣରେ ଶିଶୁ ଜନ୍ମ ହେବାର ୨ ଘଣ୍ଟା ଭିତରେ ଖାଇବା ଦେବାର ଅଛି। ଯଦି ସେହି ସମୟରେ ଶିଶୁକୁ ଖାଇବାକୁ ଦିଆ ନଯାଏ, ତେବେ ଶିଶୁର ହାଇପୋଗ୍ଲାସେମିୟା ଗ୍ଲୁକୋଜ ସ୍ତର ଶରୀରରେ କମିଯିବ। ଶିଶୁର ଶରୀରରେ ଗ୍ଲୁକୋଜ ସ୍ତର କମିଗଲେ ଶିଶୁକୁ ହାଇପୋଥର୍ମିଆ ହେବା ସହ ବିଭିନ୍ନ ସଂକ୍ରମଣ ହେବାର ଆଶଙ୍କା ରହିଛି। ସେଥିପାଇଁ ଶିଶୁ ଜନ୍ମ ହେବାର ତୁରନ୍ତ ପରେ ମା’ କ୍ଷୀର ନିଶ୍ଚୟ ଦେବା ଦରାକର।

new born baby in corona pandemic

ଅଧିକ ପଢ଼ନ୍ତୁ: ନବଜାତ ଶିଶୁଙ୍କ ଟିକାକରଣ କାହିଁକି ଜରୁରୀ?

ନବଜାତ ଶିଶୁର ଯତ୍ନ ନେବେ କେମିତି? (How to take care of a newborn baby in Odia)

ଗୋଟେ ଶିଶୁ ମା’ ପେଟରେ ୩୭ ଡିଗ୍ରୀ ସେଲସିୟସ୍‌ରେ ରହିଥାଏ। କିନ୍ତୁ ଜନ୍ମ ନେବା ପରେ ଶିଶୁର ଶରୀର ଜଳବାୟୁ ସହ ଖାପଖୁଆଇ ପାରେ ନାହିଁ। ଏଭଳି କ୍ଷେତ୍ରରେ ଶିଶୁକୁ ମା’ କ୍ଷୀର ଦେବା ଫଳରେ ଶିଶୁର ଶରୀରରୁ ଏନର୍ଜି ବାହାରେ ଓ ତା’ର ଶରୀରର ତାପମାତ୍ରା ଜଳବାୟୁ ସହ ଖାପଖୁଆଇ ପାରେ। ତେଣୁ ଶିଶୁ ଜନ୍ମ ହେବା ପରେ ମା’ କ୍ଷୀର ଖୁଆଇବା ଜରୁରୀ ଅଛି। ସେଥିପାଇଁ ପିଲା ଜନ୍ମ ହେବା ପରେ ଡାକ୍ତରମାନେ ପିଲାକୁ ଭଲ କରି ଘୋଡ଼େଇ ରଖିବାକୁ କିମ୍ବା ମା’ କୋଳରେ ଧରିକି ରଖିବାକୁ ପରାମର୍ଶ ଦେଇଥା’ନ୍ତି। ଏଥିପାଇଁ କଙ୍ଗାରୁ କେୟାର ପଦ୍ଧତି ଅବଲମ୍ବନ କରାଯାଏ। ଏଥିରେ ଶିଶୁକୁ ମା’ କୋଳରେ ଧରି ରଖିବାକୁ ହୋଇଥାଏ, ଯାହାଫଳରେ ମା’ଠାରୁ ଶିଶୁକୁ ତାପମାତ୍ରା ମିଳିଥାଏ।

ଶିଶୁ ପାଇଁ ମା’ କ୍ଷୀର କେତେ ଜରୁରୀ (How important is breast milk for babies in Odia)

ସମସ୍ତେ ଭାବନ୍ତି, ପିଲା କାନ୍ଦୁଛି ମାନେ ତାକୁ ଭୋକ ଲାଗୁଛି। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ। ପିଲା କାନ୍ଦିବାରେ ଅନେକ କାରଣ ରହିଛି, ଯେପରିକି ଭୋକ ଲାଗିବା, ଶରୀରରେ ତାପମାତ୍ରା ନିୟନ୍ତ୍ରଣ ନ ହେଲେ, କୌଣସି ଶବ୍ଦ ହେଲେ ପିଲା କାନ୍ଦିଥାଏ। କେତେକ ଲୋକ ଭାବନ୍ତି, ପିଲାକୁ ଖାଦ୍ୟ ଯଥେଷ୍ଟ ହେଉ ନାହିଁ ବୋଲି ପିଲା କାନ୍ଦୁଛି। ଏଭଳି କ୍ଷେତ୍ରରେ କିଛି ଲୋକ ନବଜାତ ଶିଶୁଙ୍କୁ ଫର୍ମୂଲା କ୍ଷୀର ଖାଇବାକୁ ଦେଇଥା’ନ୍ତି। କିନ୍ତୁ, ଶିଶୁ ପାଇଁ ମା’ କ୍ଷୀର ହିଁ ସବୁଠାରୁ ସର୍ବୋତ୍ତମ। ଶିଶୁ ପାଇଁ ମା’ କ୍ଷୀରଠାରୁ ଭଲ ବିକଳ୍ପ କିଛି ନାହିଁ। ମା’କ୍ଷୀରରେ ଯେଉଁସବୁ ପୋଷଣ ରହିଛି ଏହା କୌଣସି ଫର୍ମୂଲା ପାଉଡରରେ ନଥାଏ। ରିସର୍ଚ୍ଚରୁ ଜଣା ପଡ଼ିଛି ଯେ, ଯେଉଁ ଶିଶୁ କେବଳ ମା’ କ୍ଷୀର ଖାଉଛନ୍ତି, ସେମାନଙ୍କ ବୁଦ୍ଧି ଫର୍ମୂଲା ଖାଉଥିବା ଶିଶୁଙ୍କଠାରୁ ଅଧିକ। ହଁ, ଏଇଟା ସତ ଯେ, ଫର୍ମୂଲା ଖାଇବା ଦ୍ୱାରା ଶିଶୁର ଓଜନ ବଢ଼ିପାରେ, ଶିଶୁ ସୁସ୍ଥ ଦେଖାଯାଇପାରେ, ହେଲେ ମସ୍ତିଷ୍କ ବୃଦ୍ଧି ହେବ ନାହିଁ। ସୁସ୍ଥ ଓ ବୁଦ୍ଧିମାନ ପିଲାପାଇଁ ମା’କ୍ଷୀର ହିଁ ଶ୍ରେଷ୍ଠ।

ଆପଣଙ୍କ ଶିଶୁ ସୁସ୍ଥ ଅଛି ବା ନାହିଁ ଜାଣିବେ କିପରି?

୨୪ ଘଣ୍ଟା ମଧ୍ୟରେ ଯଦି ପିଲା ୧୦ ଥରରୁ ଅଧିକା ପରିସ୍ରା କରୁଛି, ତେବେ ଜାଣିବେ ଯେ ପିଲା ଯଥେଷ୍ଟ ପରିମାଣର ଖାଉଛି। ମା’ କ୍ଷୀର ଖାଇବା ପରେ ଶିଶୁ ଘଣ୍ଟେ ବା ଦୁଇଘଣ୍ଟା ଆରାମରେ ଶୋଉଛି। ଏହାଛଡ଼ା ମାସକୁ ମାସ ଛୁଆ ଗୋଟେ କେଜି ଓଜନ ବଢ଼ୁଥିବ, ତେବେ ଶିଶୁ ସୁସ୍ଥ ଅଛି। ତଥାପି ବି ଯଦି ପିଲା କାନ୍ଦେ, ତେବେ ବାହାର ଖାଦ୍ୟ ଦେବା ଅନୁଚିତ। ବାହାର ଖାଦ୍ୟ ଦେଲା ମାନେ ଶିଶୁକୁ ଆପଣ ବିପଦରେ ପକାଉଛନ୍ତି।

breastfeeding

ଅଧିକ ପଢ଼ନ୍ତୁ: କରୋନା ସମୟରେ କିଭଳି ନେବେ ନବଜାତ ଶିଶୁର ଯତ୍ନ?

ସ୍ତନ୍ୟପାନ ମା’ର ସ୍ୱାସ୍ଥ୍ୟ ପାଇଁ ଭଲ (Breastfeeding is good for mother’s health in Odia)

 ବର୍ତ୍ତମାନ ସମୟରେ ୩୦ରୁ ୪୦ପ୍ରତିଶତ ମହିଳା କର୍ମଜୀବୀ। ସେମାନଙ୍କୁ ୬ମାସ ପ୍ରସବକାଳୀନ ଛୁଟି ଦିଆଯାଉଛି। ସେମାନେ ନିଜ ଶିଶୁକୁ ଛଅମାସ ମା’ କ୍ଷୀର ଦେଇପାରିବେ। ଛଅମାସ ପରେ ସେମାନେ ଅଲଗା ଖାଦ୍ୟ ଦେଇପାରିବେ। ହେଲେ, ଯଦି ମା’ ଘର ପାଖରେ କାର୍ଯ୍ୟରତ ଅଛନ୍ତି ଓ ସେ ଘରକୁ ଆସି ପିଲାକୁ ସ୍ତନ୍ୟପାନ କରାଇପାରିବେ, ତେବେ ତାହା ଭଲ। ନଚେତ୍‌ ମା’ମାନେ ସେମାନଙ୍କ ପିଲା ପାଇଁ କ୍ଷୀର କାଢ଼ିକି ରଖିପାରିବେ ଓ ଶିଶୁକୁ ତାଙ୍କ ପରିବାର ଲୋକ ଦେଇପାରିବେ, ତାହାହେଲେ ଶିଶୁ ପାଇଁ ଲାଭଦାୟକ।

କେତେକ ମହିଳାଙ୍କର ଧାରଣା ରହିଛି ଯେ, ସ୍ତନ୍ୟପାନ କରାଇବା ଦ୍ୱାରା ଶାରୀରିକ ଗଠନରେ ପରିବର୍ତ୍ତନ ଆସିବ ଓ ସେମାନେ ଅସୁନ୍ଦର ଦେଖାଯିବେ। ରିସର୍ଚ୍ଚ କହୁଛି, ସ୍ତନ୍ୟପାନ କରାଇବା ଦ୍ୱାରା ମା’ର ଶାରୀରିକ ଗଠନ ଭଲ ରହିବା ସହ ସର୍ଭାଇକାଲ କ୍ୟାନ୍‌ସର ଓ ବ୍ରେଷ୍ଟ କ୍ୟାନ୍‌ସର ହେବାର ଆଶଙ୍କା ବହୁତ କମ୍‌।

ଶିଶୁ ଜନ୍ମ ପରେ ମା’ମାନେ କ’ଖାଇବେ? (What will mothers eat after the baby is born in Odia)

ଗର୍ଭଧାରଣ ପରେ ମା’ମାନେ ଶାରୀରିକ ଭାବେ ଦୁର୍ବଳ ହୋଇଯାଆନ୍ତି। ଗର୍ଭଧାରଣ ସମୟରେ ରକ୍ତସ୍ରାବ ଯୋଗୁଁ ଏବଂ ସ୍ତନ୍ୟପାନ କରାଇବା ଯୋଗୁଁ ମା’ମାନେ ଦୁର୍ବଳ ହୋଇଯାଆନ୍ତି। ଏଥିପାଇଁ ମା’କୁ ଯଥେଷ୍ଟ ପୋଷଣର ଆବଶ୍ୟକତା ରହିଛି। କ୍ଷୀର, ଡାଲି, ସବୁଜ ପନିପରିବା ଆଦି ଖାଦ୍ୟରେ ସାମିଲ କରିପାରିବେ। ମା’ ଯାହାବି ଖାଇବ ତାହା କ୍ଷୀର ରୂପରେ ଛୁଆ ଖାଇଥାଏ। ତେଣୁ, ମା’ ଯଦି ଆମିଷ ଖାଇବା ପରେ ଛୁଆ ଭିଡ଼ିମୋଡ଼ି ହେଉଛି, ତେବେ ମା’ ଆମିଷ ଖାଇବା ଅନୁଚିତ। ଯଦି ମା’ ଆମିଷ ଖାଇବା ପରେ ବି ଛୁଆର କିଛି ନ ହୁଏ, ତେବେ ମା’ ଖାଇପାରିବେ। ଯଦି ମହିଳା ଆମିଷ ଖାଇବାକୁ ଚାହୁଁଛନ୍ତି, ତେବେ ସିଝା ଅଣ୍ଡା, ମାଛ ଭଜା ଖାଇପାରିବେ। କିନ୍ତୁ, ରାଗ ମସଲା ତରକାରୀ ଖାଇବା ଠିକ୍‌ ନୁହେଁ।

କେତେକ କ୍ଷେତ୍ରରେ ପିଲାର ପେଟ ଫୁଲିଲା ଭଳି ହୋଇଥାଏ। ଏଭଳି କ୍ଷେତ୍ରରେ ବର୍‌ପିଂ କରିବା ଦରକାର। କିଛି ଖାଦ୍ୟ ଯେପରିକି ଟମାଟୋ, ବିରି, ବରା, କୋବି, ମିକ୍ସର, ରାଗମସଲା ତରକାରି ଖାଇବା ଦ୍ୱାରା ପିଲାମାନଙ୍କର ଗ୍ୟାସ୍‌ ହୋଇଥାଏ।

ଅଧିକ ପଢ଼ନ୍ତୁ: କିପରି ନେବେ ନବଜାତ ଶିଶୁର ଚର୍ମର ଯତ୍ନ?

ଶିଶୁର ପେଟ ଫାମ୍ପିଲେ କ’ଣ କରିବେ? (What to do if the baby has a stomach ache in Odia)

ଶିଶୁର ପେଟ ଫାମ୍ପିବାର ଉପଚାର ହେଲା ବରଫିଂ। ଶିଶୁର ପେଟକୁ କାନ୍ଧ ଉପରକୁ ନେଇକରି ତା’ର ପିଠି ପଟକୁ ହାତରେ ଥାପୁଡେଇବେ। ଏହାଦ୍ୱାରା ପବନ ତା’ର ପାଟିପଟେ ବାହାରିଯିବ। ଯଦି ବରଫିଂ ନକରାଯାଏ, ପିଲାମାନେ କାନ୍ଦନ୍ତି ଓ ଭିଡ଼ିମୋଡ଼ି ହୁଅନ୍ତି।

ପ୍ରାୟ ଶିଶୁମାନେ ଦିନରେ ଦୁଇରୁ ତିନି ଥର ବାନ୍ତି କରନ୍ତି, ତିନି ଚାରି ଥର ଛିଙ୍କିବେ କିମ୍ବା ପତଳା ଝାଡ଼ା କରନ୍ତି, ତେବେ ଭୟଭିତ ହେବାର କିଛି କଥା ନାହିଁ। ଯଦି ଛୁଆର ଓଜନ ଦିନକୁ ୩୦ ଗ୍ରାମ ଲେଖାଏଁ ବଢ଼ୁଛି, ତେବେ ପିଲା ୮ରୁ ୧୦ ଥର ଝାଡ଼ା କଲେ ବି କୌଣସି ଅସୁବିଧା ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିର୍ମଳ କୁମାର ମହାକୁଡ଼ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on nutrition & care for Newborn baby, in Odia language, is based on an extensive interview with Pediatrician Dr Nirmal Kumar Mohakud.