ଆପଣଙ୍କୁ ଡାଏବେଟିସ୍ ହୋଇଛି କି ନାହିଁ, ଜାଣିବେ କେମିତି? ଡାଏବେଟିସ୍‌ର ପ୍ରକାର ଓ ଲକ୍ଷଣ ଜାଣିଲେ ସିନା ଏହାର ଚିକିତ୍ସା କରିବେ। ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ ଏନେଇ ଅଧିକ ଜାଣନ୍ତୁ।

ରକ୍ତରେ ଗ୍ଲୁକୋଜ୍‌ ବା ଶର୍କରା ବଢ଼ିଯିବାକୁ ଡାଏବେଟିସ୍‌ କୁହାଯାଏ। ଯଦି ଖାଇବା ପୂର୍ବରୁ ରକ୍ତ ଶର୍କରା ୧୨୬ ମିଲିଗ୍ରାମ୍‌/ଡେସିଲିଟରରୁ ଅଧିକା ବା ଖାଇବାର ଦୁଇ ଘଣ୍ଟା ପରର ରକ୍ତ ଶର୍କରା ୨୦୦ ମିଲିଗ୍ରାମ୍‌/ଡେସିଲିଟରରୁ ଅଧିକା ଅଛି ବା ଦିନର ଯେକୌଣସି ସମୟରେ ରକ୍ତ ଶର୍କରା ୨୦୦ରୁ ଅଧିକା ଥିବ ଓ ଡାଏବେଟିସ୍‌ର ଲକ୍ଷଣ ଥିବ ବା HbA1c ୬.୫ ପ୍ରତିଶତରୁ ଅଧିକା ଅଛି, ତେବେ ବ୍ୟକ୍ତିଙ୍କୁ ଡାଏବେଟିସ୍‌ ଅଛି ବୋଲି କହିପାରିବା। ଥରୁଟିଏ ପରୀକ୍ଷା କରିଦେଲେ ଜାଣି ହୁଏନି ଡାଏବେଟିସ୍‌ ଅଛି କି ନାହିଁ। ଦ୍ଵିତୀୟ ଥର ପରୀକ୍ଷା କଲେ ନିଶ୍ଚିତ ହୋଇପାରିବା ଯେ ଡାଏବେଟିସ୍‌ ଅଛି କିମ୍ବା ନାହିଁ।

ଟାଇପ୍‌-ଡାଏବେଟିସ୍‌ଲକ୍ଷଣ ଏବଂ ଚିକିତ୍ସା (Symptoms and treatment of Type-1 Diabetes in Odia)

ଡାଏବେଟିସ୍‌ ୪ ପ୍ରକାରର। ଯଥା: ଟାଇପ୍‌-୧, ଟାଇପ୍‌-୨, ଜେଷ୍ଟେସ୍‌ନାଲ ଡାଏବେଟିସ୍‌ ଓ ସେକେଣ୍ଡାରୀ ଡାଏବେଟିସ୍‌।

ଟାଇପ୍‌-୧ ଡାଏବେଟିସ୍‌ ହେଉଛି ଅଟୋ ଇମ୍ୟୁନ୍‌ ଡାଏବେଟିସ୍‌। ଏହାର ଅର୍ଥ ହେଲା ଶରୀରରେ ଗୋଟେ ଆଣ୍ଟିବଡି ତିଆରି ହୁଏ, ଯାହା ଧୀରେ ଧୀରେ ପାନ୍‌କ୍ରିୟାଜ୍‌ ବା ଅଗ୍ନାଶୟରେ ଥିବା ବିଟା ସେଲ୍‌କୁ ନଷ୍ଟ କରିଦିଏ। ସାଧାରଣତଃ ୯୦ ପ୍ରତିଶତ କ୍ଷେତ୍ରରେ ଟାଇପ୍‌-୧ ଡାଏବେଟିସ୍‌ ଛୋଟ ପିଲାଙ୍କୁ ହୋଇଥାଏ।

ଯେହେତୁ ଟାଇପ୍‌-୧ ଡାଏବେଟିସ୍‌ରେ ପାନ୍‌କ୍ରିୟାଜ୍‌ରେ ବିଟା ସେଲ୍‌ ୯୦ ପ୍ରତିଶତ କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ତେଣୁ, ଟାଇପ୍‌-୧  ଡାଏବେଟିସ୍‌ ଥିବା ଲୋକଙ୍କୁ ଜୀବନସାରା ଇନ୍‌ସୁଲିନ୍‌ ନେବାକୁ ପଡ଼ିଥାଏ। ଏହି ଡାଏବେଟିସ୍‌ ଥିଲେ ବ୍ୟକ୍ତିଙ୍କୁ ପ୍ରବଳ ଭୋକ ଲାଗିଥାଏ, ଅଧିକ ଶୋଷ ହେବା ସହ ଅଧିକଥର ପରିସ୍ରା ଲାଗିଥାଏ।

ଟାଇପ୍‌-୧ ଡାଏବେଟିସ୍‌ରେ ବେଳେ ବେଳେ ବ୍ୟକ୍ତିଙ୍କର ପେଟ ଯନ୍ତ୍ରଣା ହୋଇ ବାନ୍ତି ହୋଇଥାଏ, ନିଶ୍ଵାସ ଜୋର ଜୋର ହୋଇଥାଏ। ଏଭଳି କ୍ଷେତ୍ରରେ ତୁରନ୍ତ ପରୀକ୍ଷା କରି ଚିକିତ୍ସା କରିବା ଆବଶ୍ୟକ। ଯଦି ଛୋଟ ଛୁଆଙ୍କର ଏଭଳି ଲକ୍ଷଣ ଦେଖାଦେଉଛି, ତେବେ ତୁରନ୍ତ ଚିକିତ୍ସା ଦରକାର। ନଚେତ୍ ଛୋଟ ପିଲାଙ୍କୁ ‘ଡାଏବେଟିକ୍ କିଟୋଏସିଡୋସିସ୍‌’ ହୋଇଥାଏ। ଏହା ହେବା ଦ୍ଵାରା ଛୁଆଙ୍କୁ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରିବାକୁ ପଡ଼ିଥାଏ।

diabetes

ଟାଇପ୍-ଡାଏବେଟିସର ଲକ୍ଷଣ (Symptoms of Type-2 Diabetes in Odia)

ସାଧାରଣତଃ ୯୦ ପ୍ରତିଶତ ଲୋକଙ୍କୁ ଟାଇପ୍‌-୨ ଡାଏବେଟିସ୍‌ ହୁଏ। ୩ରୁ ୫ ପ୍ରତିଶତ ଲୋକଙ୍କୁ ଟାଇପ୍‌-୧ ଡାଏବେଟିସ୍‌, ୫ରୁ ୭ ପ୍ରତିଶତ ଲୋକଙ୍କୁ ଜେଷ୍ଟେସ୍‌ନାଲ ଡାଏବେଟିସ୍‌ ଓ ୩ରୁ ୪ ପ୍ରତିଶତ ଲୋକଙ୍କୁ ସେକେଣ୍ଡାରୀ ଡାଏବେଟିସ୍ ହୁଏ।

ଟାଇପ୍-୨ ଡାଏବେଟିସ୍‌ରେ ୬୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଜଣାପଡ଼ିନଥାଏ। କିନ୍ତୁ, ଏହାର ସାଧାରଣ ଲକ୍ଷଣ ହେଲା, ଓଜନ କମିଯାଏ, ପରିସ୍ରା ଦ୍ଵାର ସଂକ୍ରମଣ ହେବା, ଦାନ୍ତ ମାଢ଼ି ବିନ୍ଧା ହେବା, ଅଧିକ ପରିସ୍ରା ଲାଗିବା, ଭୋକ ଲାଗିବା, ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପଡ଼ିବା।

ଗର୍ଭାବସ୍ଥାରେ ଡାଏବେଟିସ୍ କ’ଣ? (Diabetes in Pregnancy in Odia)

ଗର୍ଭାବସ୍ଥାର ୧୨ ସପ୍ତାହ ମଧ୍ୟରେ ଡାଏବେଟିସ୍‌ ବାହାରିଲେ ତାକୁ ଜେଷ୍ଟସ୍‌ନାଲ ଡାଏବେଟିସ୍‌ କୁହାଯାଏ ନାହିଁ। ପୂର୍ବରୁ ମହିଳାଙ୍କର ଡାଏବେଟିସ୍‌ ଥିଲା ଓ ଗର୍ଭାବସ୍ଥାରେ ପରୀକ୍ଷା କରିବାରୁ ଜଣାପଡ଼ିଲେ ତାହା ଟାଇପ୍‌-୨ ଡାଏବେଟିସ୍‌। ଯଦି ଗର୍ଭାବସ୍ଥାର ୧୮ରୁ ୨୦ ସପ୍ତାହ ଭିତରେ ଡାଏବେଟିସ୍‌ ଜଣାପଡ଼େ, ତେବେ ତାକୁ ଜେଷ୍ଟେସ୍‌ନାଲ ଡାଏବେଟିସ୍‌ କହିଥାଉ। ଗର୍ଭଧାରଣର ପାଖାପାଖି ୭ମାସ ବା ୨୪ରୁ ୨୮ ସପ୍ତାହରେ ଜେଷ୍ଟେସ୍‌ନାଲ ଡାଏବେଟିସ୍‌ ଜଣାପଡ଼ିଥାଏ।

ଯଦି ଖାଇବା ପୂର୍ବରୁ ରକ୍ତ ଶର୍କରା ୧୦୦ରୁ ଅଧିକା ଏବଂ ୭୫ ଗ୍ରାମ୍‌ ଗ୍ଲୁକୋଜ୍‌ ଖାଇବା ପରେ ରକ୍ତ ଶର୍କରା ୧୪୦ରୁ ଅଧିକା ଅଛି, ତେବେ ଜାଣିବା ଜେଷ୍ଟେସ୍‌ନାଲ ଡାଏବେଟିସ୍‌ ଅଛି। ଗର୍ଭାବସ୍ଥାରେ ଡାଏବେଟିସ୍‌ ଥିଲେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ଜନ୍ମ ହେବାର ଆଶଙ୍କା ଥାଏ।

ଯେଉଁ ମହିଳାଙ୍କର ପ୍ରଥମ ଥର ପାଇଁ ଜେଷ୍ଟେସ୍‌ନାଲ ଡାଏବେଟିସ୍‌ ବାହାରେ, ସେମାନଙ୍କର ଭବିଷ୍ୟତରେ ଡାଏବେଟିସ୍‌ ରହିବାର ସମ୍ଭାବନା ଅଧିକା।

ସେକେଣ୍ଡାରୀ ଡାଏବେଟିସ୍ ଲକ୍ଷଣ ଚିକିତ୍ସା (Symptoms and Treatment of Secondary Diabetes in Odia)

ଜଣେ ବ୍ୟକ୍ତିଙ୍କର ଅନ୍ୟ କୌଣସି ରୋଗ ଅଛି, ସେହି ରୋଗ ଯୋଗୁଁ ଯଦି ଡାଏବେଟିସ୍‌ ବାହାରେ। ଉଦାହରଣ ସ୍ଵରୁପ: କାହାର ପାନ୍‌କ୍ରିୟାଜ୍‌ରେ କିଛି ରୋଗ ଅଛି ବା କୌଣସି କାରଣ ଯୋଗୁଁ ପାନ୍‌କ୍ରିୟାଜ୍‌ କଢ଼ା ହୋଇଯାଇଛି ବା ପାନ୍‌କ୍ରିୟାଜ୍‌ରେ କ୍ୟାନ୍‌ସର ହୋଇଥିବା ଯୋଗୁଁ ଡାଏବେଟିସ୍‌ ହୋଇଛି, ତେବେ ଏହାକୁ ସେକେଣ୍ଡାରୀ ଡାଏବେଟିସ୍‌ ବୋଲି କହିବା। କେତେକ ଔଷଧ ଯେପରିକି ଷ୍ଟେିରୋଏଡ୍‌, ବିଟା ବ୍ଲକର୍‌ ଯୋଗୁଁ ମଧ୍ୟ ଡାଏବେଟିସ୍‌ ହୋଇପାରେ।

diabetes neuropathy

ଡାଏବେଟିସ୍ ରୋଗର ଜଟିଳତା (Complications of Diabetes in Odia)

ଡାଏବେଟିସ୍‌ ଯୋଗୁଁ ଦୁଇ ପ୍ରକାରର ଜଟିଳତା ଦେଖାଦିଏ।

୧- ମାଇକ୍ରୋଭାସ୍କୁଲାର : ଡାଏବେଟିସ୍‌ରେ ପୀଡ଼ିତ ରୋଗୀଙ୍କ ଆଖିରୁ ରକ୍ତସ୍ରାବ (ରେଟିନୋପାଥୀ), ଗୋଡ଼ର ସ୍ନାୟୁ ପ୍ରଭାବିତ ହେବା, କିଡ୍‌ନି ଉପରେ ଖରାପ ପ୍ରଭାବ (ନେଫ୍ରୋପାଥୀ) ପଡ଼ିଥାଏ।

୨- ମାକ୍ରୋଭାସ୍କୁଲାର : ଡାଏବେଟିସ୍‌ରେ ପୀଡ଼ିତ ରୋଗୀଙ୍କୁ ହୃଦ୍‌ଘାତ, କରୋନାରି ଆର୍ଟେରୀ ଡିଜିଜ୍‌, ଷ୍ଟ୍ରୋକ୍‌, ପେରିଫେରାଲ ଭାସ୍କୁଲାର ରୋଗ (ଗୋଡ଼କୁ ରକ୍ତ ସଞ୍ଚାଳନ କମିଯିବା) ହେବାର ଆଶଙ୍କା ଥାଏ।

ଡାଏବେଟିସ୍‌ରେ ଅଧିକାଂଶ ଲୋକଙ୍କର ଅଭିଯୋଗ ଥାଏ ଯେ, ସେମାନଙ୍କର ପାଦ୍‌ ଝିମ୍‌ଝିମ୍‌ ହୋଇଥାଏ, ଛୁଞ୍ଚି ଫୋଡ଼ିବା ଭଳି ଲାଗିଥାଏ, ପାଦ ପୋଡ଼ିବା ଭଳି ଲକ୍ଷଣ ଦେଖାଦିଏ। ଏଭଳି ଲକ୍ଷଣ ଦେଖାଦେଲେ କିଛିଟା ଔଷଧ ଖାଇ ଏହି ସମସ୍ୟାର ସମାଧାନ କରିହେବ। ହେଲେ ଏହାର ଚିକିତ୍ସା ନ କଲେ ଧୀରେ ଧୀରେ ପାଦ ବଧିରା ହୋଇ ଗୋଦରା ହୋଇଯାଏ। ଥରେ ପାଦ ଗୋଦର ହୋଇଗଲେ, ତାହା ଆଉ ପୂର୍ବାବସ୍ଥାକୁ ଫେରିବ ନାହିଁ, କିନ୍ତୁ ଏହି ସମୟରେ ଔଷଧ ଖାଇଲେ ଏହି ସମସ୍ୟା ଆଉ ଅଧିକ ବଢ଼ିବ ନାହିଁ।

ଏହାଛଡ଼ା ଡାଏବେଟିସ୍‌ ଯୋଗୁଁ ଦୁଇ ତୃତୀୟାଂଶ ଲୋକଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥାଏ। ତେଣୁ, ଯାହାର ଟାଇପ୍‌-୨ ଡାଏବେଟିସ୍‌ ରହିଛି ବର୍ଷକୁ ଥରେ ଇସିଜି ଏବଂ ଇକୋ କରିବା ଜରୁରୀ। ଇକୋ, ଇସିଜିରେ ଅନିୟମିତତା ଆସିଲେ ଆଞ୍ଜିଓ କରିବା ଜରୁରୀ।

ଡାଏବେଟିସ୍‌ର ଆଉ ଏକ ଜଟିଳତା ହେଲା ପରାଲିସିସ୍‌। ରକ୍ତ ଶର୍କରା, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ନ କଲେ ଷ୍ଟ୍ରୋକ୍‌ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ।

ନେଫ୍ରୋପାଥୀ ପାଇଁ ପରିସ୍ରାରେ ପ୍ରୋଟିନ୍‌ ଓ ଆଲ୍‌ବୁମିନ୍‌ ଯାଉଛି କି ନାହିଁ ପରୀକ୍ଷା କରାଯାଏ। ଯଦି ପରିସ୍ରାରେ ମାଇକ୍ରୋ ଆଲବୁମିନ୍‌ ବା ଆଲବୁମିନ୍ ଯାଉଛି, ତେବେ କିଛିଟା ଔଷଧ ଖାଇବା ଯୋଗୁଁ ଏହା ଠିକ୍‌ ହୋଇପାରିବ।

ଗୋଡ଼ରେ ଘା’ ହୁଏ କାହିଁକି? (Why does the leg wound in Odia)

ଯେଉଁମାନଙ୍କର ଡାଏବେଟିସ୍‌ ଓ ଉଚ୍ଚ ରକ୍ତଚାପ ଅଛି, ସେମାନଙ୍କର ଗୋଡ଼କୁ ରକ୍ତ ସଞ୍ଚାଳନ କମିଯାଏ। ତାହାସହିତ ଯେଉଁମାନେ ଧୂମପାନ କରନ୍ତି, ସେମାନଙ୍କର ଘା’ ହେବାର ଆଶଙ୍କା ବହୁତ ଅଧିକ। ତେଣୁ ଗୋଡ଼ର ଯତ୍ନ ନେବା ନିହାତି ଜରୁରୀ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ ପାଣିରେ ପାଦ ବୁଡ଼ାଇବେ। ସବୁବେଳେ ପାଣିକୁ ହାତ ବୁଡ଼ାଇ ଦେଖିବେ ଯେ, ପାଣିର ତାପମାତ୍ରା ସୁହାଇବା ଭଳି ଅଛି କି ନାହିଁ। ତାହାପରେ ପାଦକୁ ୧୦ ମିନିଟ୍‌ ବୁଡ଼ାଇ ରଖିବେ। ପାଦକୁ ଏକ ଶୁଖିଲା କପଡ଼ାରେ ପୋଛି କୌଣସି ତେଲ ମାଲିସ୍‌ କରି ଶୋଇବେ। ଏହାଯୋଗୁଁ ପାଦ ନରମ ରହିବା ସହ କୌଣସି ସଂକ୍ରମଣ ହେବ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅଭୟ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Diabetes, in Odia language, is based on an extensive interview with Diabetologist Professor Dr. Abhay Kumar Sahoo.