ବର୍ତ୍ତମାନ ସାରା ଦେଶ କରୋନାର ଦ୍ୱିତୀୟ ଲହରୀରେ ପ୍ରଭାବିତ। ପୂର୍ବ ଅପେକ୍ଷା ଏଥର ଭୂତାଣୁ ଅଧିକ ସଂକ୍ରାମକ ହୋଇପଡ଼ିଛି। ତେବେ ଏଭଳି ପରିସ୍ଥିତିରେ ଶିଶୁମାନଙ୍କୁ କିଭଳି ସୁରକ୍ଷିତ ରଖିବା? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
କରୋନାର ପ୍ରଥମ ଲହର ବୟସ୍କ ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ଆକ୍ରାନ୍ତ କରୁଥିଲା। ହେଲେ ବର୍ତ୍ତମାନ ଏହା ଶିଶୁ ଓ ଯୁବକ ଶ୍ରେଣୀର ଲୋକଙ୍କୁ ମଧ୍ୟ ପ୍ରଭାବିତ କରୁଛନ୍ତି। ଯେହେତୁ ଶିଶୁମାନେ ଘର ଭିତରେ ନିଜ ପରିବାର ସଦସ୍ୟଙ୍କ ଗହଣରେ ରହୁଛନ୍ତି, ଏଣୁ ପରିବାର ସଦସ୍ୟ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ। ତେଣୁ କୋଭିଡ୍ରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ନିହାତି ଜରୁରୀ।
କୋଭିଡ୍ ଆକ୍ରାନ୍ତ ଶିଶୁଙ୍କଠାରେ ଲକ୍ଷଣ (Symptoms of COVID in children in Odia)
କୋଭିଡ୍ ଦ୍ୱିତୀୟ ଲହରରେ ଛୋଟ ପିଲାମାନେ ଆକ୍ରାନ୍ତ ହେବାର ଦେଖାଦେଉଛି। ହେଲେ ପିଲାଙ୍କୁ କୋଭିଡ୍ ସଂକ୍ରମିତ ହେଲେ ଏହାର ଭୟାଭୟତା କମ୍ ପରିମାଣରେ ରହୁଛି।
ବୟସ୍କ ଲୋକ କୋଭିଡ୍ରେ ଆକ୍ରାନ୍ତ ହେଲେ ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ହେବା, ଜ୍ୱର ହେବା ଭଳି ଲକ୍ଷଣ ଦେଖାଦେଉଛି। ଏଥିସହ ସେମାନଙ୍କଠାରେ ଅନ୍ୟ କୌଣସି ସମସ୍ୟା ଯେପରିକି ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଭଳି ସମସ୍ୟା ରହୁଛି, ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାର ଆଶଙ୍କା ଥାଏ।
ପିଲାମାନଙ୍କୁ କୋଭିଡ୍ ହେଲେ ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣ ଦେଖାଦେଉଛି। ୮୦ରୁ ୯୦ ପ୍ରତିଶତ ପିଲାଙ୍କଠାରେ କୌଣସି ଲକ୍ଷଣ ଦେଖାଦେଉ ନାହିଁ। ଫଳରେ ଛୋଟ ପିଲାମାନେ ବହୁତ ପରିମାଣରେ ଆକ୍ରାନ୍ତ ହେଉନାହାନ୍ତି ତଥା ସେମାନଙ୍କଠାରେ ଭୟାଭୟତା ଦେଖାଦେଉ ନାହିଁ।
ଅଧିକ ପଢ଼ନ୍ତୁ: ନବଜାତ ଶିଶୁକୁ ଜଣ୍ଡିସ୍ ହେଲେ କ’ଣ କରିବେ?
କୋଭିଡ୍ ଆକ୍ରାନ୍ତ ହେଲେ ଶିଶୁଙ୍କଠାରେ ଜଟିଳତା (Complications for children with COVID in Odia)
ଯେଉଁ ପିଲାମାନେ ନେଫ୍ରୋଟିକ୍ ସିଣ୍ଡ୍ରୋମ୍, ଆଜ୍ମା, ଆଲର୍ଜି ରୋଗ ପାଇଁ ଲମ୍ବା ସମୟ ଧରି ଔଷଧ ଖାଉଛନ୍ତି, ସେମାନେ କୋଭିଡ୍ରେ ଆକ୍ରାନ୍ତ ହେଲେ ତା’ର ଭୟାଭୟତା ଅଧିକ ଦେଖାଦେଉଛି। ଏହାଛଡ଼ା ମଲ୍ଟିସିଷ୍ଟମ୍ ଇନ୍ଫ୍ଲାମେଟୋରି ସିଣ୍ଡ୍ରୋମ୍ ଦ୍ୱାରା ପିଲାମାନେ ଆକ୍ରାନ୍ତ ହେଲେ ତାଙ୍କୁ ଆଇସିୟୁରେ ଆଡ୍ମିଟ୍ କରିବାକୁ ପଡ଼ୁଛି।
ତେଣୁ ଯେଉଁ ପିଲାଙ୍କଠାରେ ସାଧାରଣ ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ଘରେ ରହି ଚିକିତ୍ସା କରିବା ଦରକାର। ଯଦି ପିଲାର ୫ରୁ ୭ ଦିନ ଧରି ଜ୍ବର ଛାଡ଼ୁନାହିଁ, ବାନ୍ତି ହେଉଛି, ଥକ୍କା ଲାଗୁଛି କିମ୍ବା ଖାଦ୍ୟ ଖାଉନାହିଁ, ତାହେଲେ ଡାକ୍ତରଙ୍କୁ ପରାମର୍ଶ କରି ହସ୍ପିଟାଲରେ ଆଡମିଟ୍ କରିବାର ଆବଶ୍ୟକତା ରହିଛି।
କୋଭିଡ୍ ଆକ୍ରାନ୍ତ ମହିଳାଙ୍କଠୁ ଜନ୍ମିତ ଶିଶୁ ବିପଦମୁକ୍ତ କି? (Is a baby born from COVID positive mother safe in Odia)
ଗର୍ଭବତୀ ମହିଳାଙ୍କୁ ମଧ୍ୟ କରୋନା ସଂକ୍ରମିତ କରିପାରେ। ହେଲେ ଛାନିଆ ହେବାର କୌଣସି ଆବଶ୍ୟକତା ନାହିଁ। ସେମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା ରହିଛି।
ଯେଉଁ ମା’ମାନେ କରୋନା ସଂକ୍ରମିତ ହେଉଛନ୍ତି, ତାଙ୍କଠାରୁ ପିଲାମାନଙ୍କୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ବହୁତ କମ୍। ଯଦି ବି ସଂକ୍ରମିତ ହେଉଛନ୍ତି, ତାଙ୍କର ଚିକିତ୍ସା କରିବା ପରେ ପିଲା ସମ୍ପୂର୍ଣ୍ଣ ସୁସ୍ଥ ହେଉଛନ୍ତି।
ଅଧିକ ପଢ଼ନ୍ତୁ: ନବଜାତ ଶିଶୁଙ୍କ ଟିକାକରଣ କାହିଁକି ଜରୁରୀ?
କରୋନା ଆକ୍ରାନ୍ତ ମହିଳା ସ୍ତନ୍ୟପାନ କରାଇପାରିବେ କି? (Is it Safe to Breastfeed if mother has Coronavirus in Odia)
ଜଣେ କରୋନା ପଜିଟିଭ୍ ମହିଳା ହାତକୁ ସାନିଟାଇଜ୍ କରି, ମାସ୍କ ପିନ୍ଧି ସ୍ତନ୍ୟପାନ କରାନ୍ତି, ତାହେଲେ ମା’ଙ୍କଠାରୁ ପିଲାକୁ ରୋଗ ବ୍ୟାପି ନଥାଏ। ଯଦି ମା’ଠାରୁ ଶିଶୁକୁ କୋଭିଡ୍ ସଂକ୍ରମିତ କରେ, ତେବେ ଭୟାଭୟତା ଦେଖାଦେବାର ଆଶଙ୍କା କମ୍।
ପିଲାଙ୍କୁ କିପରି ରଖିବେ ସୁରକ୍ଷିତ? (How to keep your child safe in Odia)
କରୋନା ସମୟରେ ପିଲାମାନଙ୍କୁ ସୁରକ୍ଷିତ ରଖିବାର ଦାୟିତ୍ବ ହେଉଛି ବାପାମା’ଙ୍କର। ତେଣୁ ପିଲାମାନଙ୍କୁ ବାହାରକୁ ନିଅନ୍ତୁ ନାହିଁ। ପାରିବାରିକ ଉତ୍ସବରେ ପିଲାମାନଙ୍କୁ ନିଅନ୍ତୁ ନାହିଁ।