ଆପଣଙ୍କ ସାମ୍ନାରେ କାହାର ମୁଣ୍ଡ ଫାଟିଲେ କେମିତି ଦେବେ ପ୍ରାଥମିକ ଚିକିତ୍ସା? ଏହାର ଜଟିଳତା ଏବଂ ଚିକିତ୍ସା ବିଷୟରେ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ଦୀପକ ଦାସଙ୍କ ପରାମର୍ଶ, ଜାଣନ୍ତୁ।
- ମୁଣ୍ଡ ଫାଟିଲେ ପ୍ରାଥମିକ ଚିକିତ୍ସା କ’ଣ?
- ହେଡ୍ ଇଞ୍ଜୁରିର ପ୍ରକାର
- ମୁଣ୍ଡରେ ଆଘାତ ହେଲେ କ’ଣ ସମସ୍ୟା ହୁଏ?
- ହେଡ୍ ଇଞ୍ଜୁରିର ଚିକିତ୍ସା
- ଡାକ୍ତରଙ୍କ ପରାମର୍ଶ
ମୁଣ୍ଡ ଫାଟିଲେ ପ୍ରାଥମିକ ଚିକିତ୍ସା କ’ଣ? (First aid of Head injury in Odia)
କୌଣସି ଦୁର୍ଘଟଣା ଯୋଗୁଁ ହେଉ ବା କୌଣସି କାରଣ ଯୋଗୁଁ କାହାର ମୁଣ୍ଡ ଫାଟିଲେ, ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ଆବଶ୍ୟକ। ସାଧାରଣତଃ ଆଘାତ ଲାଗିଥିବା ସ୍ଥାନରେ ଧୂଳିମଳି ଲାଗିଯାଇଥାଏ। ତେଣୁ ସେ ସ୍ଥାନକୁ ସାଧା ପାଣିରେ ସଫା କରିଦେଇ ପାରିବା। ସେହି ସ୍ଥାନକୁ ସଫା କପଡ଼ାରେ ପଟି ଭଳି ଦେଇଦେବା ଆବଶ୍ୟକ।
ମସ୍ତିଷ୍କରେ ଆଘାତ ଲାଗିଲେ ବ୍ୟକ୍ତି ଚେତାଶୂନ୍ୟ ହୋଇଯାଆନ୍ତି। ବ୍ୟକ୍ତିଙ୍କର ବାନ୍ତି ହୋଇଯାଏ। ବେଳେ ବେଳେ ଖାଦ୍ୟ ଛାତିକୁ ପଳାଏ। ତେଣୁ ଯେତେବେଳେ ବି କୌଣସି ବ୍ୟକ୍ତିଙ୍କର ମସ୍ତିଷ୍କରେ ଆଘାତ ଲାଗେ, ତାଙ୍କୁ କଡ଼େଇକି ଶୁଆଇଦେବା ଆବଶ୍ୟକ। ଏହାଦ୍ୱାରା ଖାଦ୍ୟପଦାର୍ଥ ଛାତି ଭିତରକୁ ଯାଏ ନାହିଁ, ଫଳରେ ଛାତିର ସଂକ୍ରମଣକୁ ରୋକିପାରିବା।
କେତେକ ଲୋକଙ୍କର ମୁଣ୍ଡ ମାଡ଼ ହେଲା ପରେ ବାତ ମାରିଥାଏ। ତେଣୁ ଆପଣଙ୍କ ସାମ୍ନାରେ କାହାର ମୁଣ୍ଡରେ ଆଘାତ ଲାଗିଥିଲେ, ତାଙ୍କୁ କଡ଼େଇ ଦେବା ଆବଶ୍ୟକ ଏବଂ ଯଥାଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇବା ବ୍ୟବସ୍ଥା କରିବା ଦରକାର।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ରେନ୍ ଟ୍ୟୁମର?
ହେଡ୍ ଇଞ୍ଜୁରିର ପ୍ରକାର (Type of head injury in Odia)
ହେଡ୍ ଇଞ୍ଜୁରି ମୁଖ୍ୟତଃ ଦୁଇ ପ୍ରକାର। ପୂରା ମୁଣ୍ଡରେ ଆଘାତ ହେଲେ, ତାକୁ ଡିଫ୍ୟୁଜ୍ ଇଞ୍ଜୁରି କୁହାଯାଏ। ମସ୍ତିଷ୍କର କୌଣସି ଭାଗରେ ଆଘାତ ହୋଇଥିଲେ, ତାକୁ ଫୋକାଲ ହେଡ୍ ଇଞ୍ଜୁରି ବୋଲି କୁହାଯାଏ।
ଡିଫ୍ୟୁଜ୍ ଇଞ୍ଜୁରି ହେଲେ ବ୍ୟକ୍ତିଙ୍କର ବଞ୍ଚିବାର ସମ୍ଭାବନା କମ୍ ଥାଏ। ଫୋକାଲ ଇଞ୍ଜୁରିରେ ମୁଣ୍ଡ ଭିତରେ ରକ୍ତସ୍ରାବ ହୋଇଯାଏ, ରକ୍ତ ଜମାଟ ବାନ୍ଧିଯାଏ।
ମୁଣ୍ଡରେ ଆଘାତ ହେଲେ କ’ଣ ସମସ୍ୟା ହୁଏ? (A complication of head injury in Odia)
ମସ୍ତିଷ୍କରେ ଆଘାତ ଲାଗିଲେ ବ୍ୟକ୍ତି ଚେତାଶୂନ୍ୟ ହୋଇଯାଆନ୍ତି। କେତେକ କ୍ଷେତ୍ରରେ ବ୍ୟକ୍ତି କୋମାକୁ ଚାଲିଯାଆନ୍ତି। ତା’ଛଡ଼ା ହାତ ଗୋଡ଼ରେ ପାରାଲିସିସ୍ ହୋଇପାରେ କିମ୍ବା ବାତ ମାରିପାରେ। ବହୁତ ଲୋକଙ୍କର ମୁଣ୍ଡରେ ଆଘାତ ହୋଇ ଖପୁରୀ ଦବି ହୋଇଯାଇଥାଏ।
ଅଧିକ ପଢ଼ନ୍ତୁ: ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢ଼ାଇବେ କିପରି?
ହେଡ୍ ଇଞ୍ଜୁରିର ଚିକିତ୍ସା (Treatment of Head Injury in Odia)
ମାଇନର ହେଡ୍ ଇଞ୍ଜୁରି ହେଲେ ବ୍ୟକ୍ତି ଚେତାଶୂନ୍ୟ ହୋଇଯାଆନ୍ତି ଓ କିଛି ସମୟ ପରେ ଚେତା ପଳାଇ ଆସେ। ମାଇନର ହେଡ୍ ଇଞ୍ଜୁରିରେ ଚିକିତ୍ସା କରିବା ପରେ ବ୍ୟକ୍ତି ଘରକୁ ଯାଇଥାଆନ୍ତି।
ମେଜର ହେଡ୍ ଇଞ୍ଜୁରିରେ ସହଜରେ ଚେତା ଫେରେ ନାହିଁ। ହେଲେ ମେଜର ହେଡ୍ ଇଞ୍ଜୁରିରେ ଲୋକ ବହୁତ ଦିନ ଧରି ହସ୍ପିଟାଲରେ ରହନ୍ତି ଏବଂ ତାଙ୍କ ଜଟିଳତା ଦେଖି ଚିକିତ୍ସା କରାଯାଇଥାଏ।
ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)
ହେଡ୍ ଇଞ୍ଜୁରିକୁ ଆମେ ରୋକିପାରିବା। ଗାଡ଼ି ଚଳାଇବା ବେଳେ ହେଲମେଟ୍, ସିଟ୍ ବେଲ୍ଟର ବ୍ୟବହାର କରିବା ଆବଶ୍ୟକ। ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥାବାର୍ତ୍ତା ହୁଅନ୍ତୁ ନାହିଁ। ସତର୍କତାର ସହ ଗାଡ଼ି ଚଳାଇବାକୁ ପଡ଼ିବ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦୀପକ ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Head Injury, in Odia language, is based on an extensive interview with Neurosurgeon Dr Deepak Das.