ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ, ମୋଟାପଣ ଓ ଭାର ବହନ କାର୍ଯ୍ୟ ଯୋଗୁଁ ଅଣ୍ଟା ଉପରେ ଚାପ ପଡ଼ିଥାଏ। ଫଳରେ ଅଣ୍ଟା ଯନ୍ତ୍ରଣା ହୋଇଥାଏ। ଏଥିରୁ କେମିତି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସିମାଞ୍ଚଳ ମହାପାତ୍ର କ’ଣ କହୁଛନ୍ତି, ଜାଣନ୍ତୁ।

ଅଣ୍ଟା ଯନ୍ତ୍ରଣାର କାରଣ କ’ଣ? (Cause of Back Pain in Odia)

ବର୍ତ୍ତମାନର ଜୀବନଶୈଳୀ, ବସିବା ଓ ଶୋଇବାରେ ଭୁଲ ଶୈଳୀ, କାର୍ଯ୍ୟ ମଝିରେ ବିଶ୍ରାମ ନ କରିବା ଦ୍ୱାରା, ବିନା ବେଲ୍ଟରେ ଲମ୍ବା ସମୟ ଧରି ଗାଡ଼ି ଚଳାଇବା ଦ୍ୱାରା ଅଣ୍ଟା ଉପରେ ଚାପ ପଡ଼ୁଛି ଏବଂ ଅଣ୍ଟାର ଆକୃତି ବଦଳିଯାଉଛି।

ଏହାଛଡ଼ା ଲୋକେ ସେମାନଙ୍କ ଅଣ୍ଟାର ଯତ୍ନ ମଧ୍ୟ ନେଉ ନାହାନ୍ତି। ଆଜିକାଲି ସମସ୍ତେ ଚେୟାରରେ ଘଣ୍ଟା ଘଣ୍ଟା ବସି ରହି କାର୍ଯ୍ୟ କରୁଛନ୍ତି। ତେଣୁ ମଝିରେ ମଝିରେ ଉଠି ଅଣ୍ଟାକୁ ସଳଖି ଦେବା ବା ଷ୍ଟ୍ରେଚ୍‌ କରିବା ଦରକାର। ଗାଡ଼ି ଚଳାଇବା ବେଳେ ଅଣ୍ଟାରେ ବେଲ୍ଟ ପିନ୍ଧିବା ଦରକାର। ଚାଷୀମାନେ ଜମିରେ କାମ କଲାବେଳେ ଅଣ୍ଟାରେ ଦୁଇଟା ଗାମୁଛା ବାନ୍ଧୁଥିଲେ। ଏହା ତାଙ୍କର ବେଲ୍ଟ ଭଳି କାମ କରୁଥିଲା। ହେଲେ ବର୍ତ୍ତମାନ ଲୋକେ ବିନା କୌଣସି ବେଲ୍ଟ ବା ସହଯୋଗରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି, ଫଳରେ ଅଣ୍ଟା ଉପରେ ଚାପ ପଡ଼ୁଛି।

ଅଧିକ ପଢ଼ନ୍ତୁ: ଅଫିସ୍‌ରେ ଅଧିକ ସମୟ ବସିରହି କାମ କରୁଛନ୍ତି କି? ଜାଣନ୍ତୁ

ଅଣ୍ଟା ଯନ୍ତ୍ରଣାର ଲକ୍ଷଣ (Symptoms of Back Pain in Odia)

ହାଡ଼, ମାଂସପେଶୀ, ଲିଗାମେଣ୍ଟ ଓ ସ୍ପାଇନାଲ କର୍ଡ ଭଳି ୪ଟି ଜିନିଷରେ ତିଆରି ହୋଇଛି ଅଣ୍ଟା। ଏହି ୪ଟି ଜିନିଷରେ କୌଣସି ସମସ୍ୟା ହେଲେ ଅଣ୍ଟା ବଥା ହୋଇଥାଏ।

ଯଦି ଜଣେ ବ୍ୟକ୍ତି ନଇଁକରି ଗୋଟେ ଜିନିଷ ଉଠାଇବେ ତେବେ ଅଣ୍ଟାର ମାଂସପେଶୀ ଯନ୍ତ୍ରଣା ହେବ। ଲମ୍ବା ସମୟ ଧରି ଗାଡ଼ି ଚଳାଇବା ବେଳେ ବା ଧକଡ଼କଚଡ଼ ରାସ୍ତାରେ ଗାଡ଼ି ଚଳାଇବା ଦ୍ୱାରା ଅଣ୍ଟାର ଲିଗାମେଣ୍ଟ ଉପରେ ଚାପ ପଡ଼େ, ଫଳରେ ଅଣ୍ଟା ଯନ୍ତ୍ରଣା ହୁଏ।

ବୟସ ବେଶୀ ହେଲେ ଅଣ୍ଟାରୁ କ୍ୟାଲସିୟମ୍‌ କମିଯାଏ, ଫଳରେ ଅଷ୍ଟିଓପୋରସିସ୍‌ ହୋଇ ଅଣ୍ଟା ବିନ୍ଧା ହୁଏ।

ପ୍ରତି ଅଣ୍ଟା ବିନ୍ଧାରେ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକତା ନାହିଁ। ପ୍ରଥମେ ଦୁଇରୁ ତିନି ଦିନ ଘରେ ରହି ଚିକିତ୍ସା କଲେ ଅଣ୍ଟା ବିନ୍ଧା କମିଯିବ। ଏହି ଚିକିତ୍ସା ପଦ୍ଧତିକୁ ରାଇସ୍‌ (RICE) କୁହାଯାଏ। ଏଥିରେ ଅଣ୍ଟା ବିନ୍ଧା ରୋଗୀ ବିଶ୍ରାମ ନେବା ସହ ଅଣ୍ଟାରେ ବରଫ ସେକ, ଗରମ ସେକ ଏବଂ ଏକ୍ସରସାଇଜ୍‌ କରିବା ଦ୍ୱାରା ଅଣ୍ଟା ବିନ୍ଧା କମିଯାଏ। ଏହି ଚିକିତ୍ସା କରିବା ଦ୍ୱାରା ଯଦି ୬ ଦିନ ମଧ୍ୟରେ ଯନ୍ତ୍ରଣା କମିଯାଉଛି, ତେବେ ଏହା ସାମାନ୍ୟ। ଯଦି ତିନି ସପ୍ତାହ ଭିତରେ ଯନ୍ତ୍ରଣା ନ କମେ, ତେବେ ଏହା ଗୁରୁତର ସମସ୍ୟା ହୋଇପାରେ ଓ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକତା ରହିଛି।

ଯେତେବେଳେ ଅଣ୍ଟା ବିନ୍ଧା ଅସହ୍ୟ ହୋଇ ରାତିରେ ନିଦ ହେବ ନି, ନିଜ କାମ କରିପାରିବେ ନି, ଝାଡ଼ା ପରିସ୍ରାରେ ଅସୁବିଧା ହେବ, କୋଷ୍ଠକାଠିନ୍ୟ ହେବ, ଏତେମାତ୍ରାରେ ଯନ୍ତ୍ରଣା ହେବ ଯେ, ଔଷଧ ଦେଲେ ବି କାମ ଦେବ ନାହିଁ, ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

କାହାକୁ ହେବାର ଆଶଙ୍କା ଅଧିକ? (Who is more at risk in Odia)

ଯେଉଁ ଲୋକମାନେ ନିଜ ଦୈନନ୍ଦୀନ ଜୀବନରେ ଅଧିକ କ୍ରିୟାଶୀଳ ଥାଆନ୍ତି। ସେମାନଙ୍କର ୩୦ରୁ ୫୦ ବର୍ଷ ବୟସ ମଧ୍ୟରେ ଅଣ୍ଟା ବିନ୍ଧା ବେଶୀ ହୋଇଥାଏ। କାରଣ ସେମାନେ ଗାଡ଼ିରେ ଯାତାୟତ ଅଧିକ କରିଥାଆନ୍ତି, ଅଧିକ ସମୟ କାର୍ଯ୍ୟ କରିଥାଆନ୍ତି, ଘର କାମ କରିବା କାର୍ଯ୍ୟ, ଚାଷ ଆଦି କରିଥାଆନ୍ତି। ଫଳରେ ଅଣ୍ଟା ବିନ୍ଧା ହୋଇଥାଏ।

୬୦ ବର୍ଷ ବୟସ ପରେ ଲୋକଙ୍କର ହାଡ଼ରୁ କ୍ୟାଲସିୟମ୍‌ କମିଯାଏ, ଫଳରେ ହାତ ଦୁର୍ବଳ ହୋଇଯାଏ ଓ ଅଣ୍ଟା ବଥା ହୋଇଥାଏ।

ଅଧିକ ପଢ଼ନ୍ତୁ: ପିଠି ଯନ୍ତ୍ରଣା ହେଉଛି କି? ଜାଣିରଖନ୍ତୁ

ଅଣ୍ଟା ଯନ୍ତ୍ରଣାର ଉପଶମ ପାଇଁ RICE ଥେରାପି (RICE Therapy to relieve Back Pain in Odia)

ରୋଗୀର ଅବସ୍ଥାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ। ଯଦି ବ୍ୟକ୍ତିଙ୍କର କୌଣସି ସଂକ୍ରମଣ ନ ଥାଏ, ରୋଗୀ ଠିକ୍‌ ଭାବେ ଚଲାବୁଲା କରୁଥାଆନ୍ତି, ତେବେ ରାଇସ୍‌ (RICE) ଥେରାପି ଦିଆଯାଏ।

R – (Rest) – ବିଶ୍ରାମ

I – (ICE Compress) – ବରଫ ସେକ

C – (Heat Compress) – ଗମର ସେକ

E – (Exercise) – ବ୍ୟାୟାମ

ଏହି ଥେରାପି କରିବା ଦ୍ୱାରା ୩ ସପ୍ତାହ ମଧ୍ୟରେ ଯଦି ଅଣ୍ଟା ଯନ୍ତ୍ରଣା କମିଯାଏ, ତା’ହେଲେ ଏହା କୌଣସି ସମସ୍ୟା ନୁହେଁ। ଯଦି ଭଲ ନ ହୁଏ, ତେବେ ଏକ୍ସରେ, ଏମ୍‌ଆର୍‌ଆଇ, ସିଟି ସ୍କାନ ଓ ରକ୍ତ ପରୀକ୍ଷା କରିବାକୁ ପଡ଼ିଥାଏ। ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ କିମ୍ବା ରୁମାଟୋଏଡ୍‌ ଆର୍ଥ୍ରାଇଟିସ୍‌ ଭଳି ସମସ୍ୟା ଥାଏ, ତାହେଲେ କେବଳ ମେଡିସିନ୍ ଦିଆଯାଏ। ଏହାଛଡ଼ା ଫିଜିଓଥେରାପି ମଧ୍ୟ କରାଯାଏ।

କେଉଁ କ୍ଷେତ୍ରରେ ସର୍ଜରିର ଆବଶ୍ୟକତା ପଡ଼େ? (When surgical treatment needed in Odia)

ଯେଉଁ ରୋଗୀଙ୍କର ସର୍ଜିକାଲ ସମସ୍ୟା ରହିଛି, ରାତିରେ ଯନ୍ତ୍ରଣା ଲାଗି ଶୋଇପାରୁନି, ପାରାଲିସିସ୍‌, ଗୋଡ଼ ଝିମ୍‌ ଝିମ୍‌ ହେଉଛି ବା ଛୁଞ୍ଚି ମାରିଲା ଭଳି ଲାଗୁଛି, ଝାଡ଼ା ପରିସ୍ରାରେ ଅସୁବିଧା ହେଉଛି, ଆତ୍ମହତ୍ୟା ଭଳି ଭାବନା ମନକୁ ଆସୁଛି, ତେବେ ସର୍ଜରିର ଆବଶ୍ୟକତା ପଡ଼ିଥାଏ।

ଅଣ୍ଟା ଯନ୍ତ୍ରଣାର ନିରାକରଣ (Prevention of Back Pain in Odia)

ଅଣ୍ଟା ଯନ୍ତ୍ରଣାକୁ ରୋକିବାକୁ ହେଲେ ମୋଟାପଣକୁ ନିୟନ୍ତ୍ରଣ କରିବାକୁ ହେବ। ଯେଉଁ ଲୋକଙ୍କର ପେଟ ବଡ଼, ତାଙ୍କର ନିଶ୍ଚୟ ଅଣ୍ଟା ବିନ୍ଧା ହେବ, ତେଣୁ ପେଟ କମାନ୍ତୁ। ଯେଉଁମାନେ ଧୂମପାନ କରନ୍ତି, ସେମାନଙ୍କର ଅଣ୍ଟାବିନ୍ଧା ହୁଏ। କାରଣ ସିଗାରେଟ୍‌, ତମାଖୁ ଆଦିରେ ନିକୋଟିନ୍‌ ଥାଏ, ଯାହା ମେରୁଦଣ୍ଡରେ ରକ୍ତ ପ୍ରବାହ କମାଇଦିଏ ଓ ଡିସ୍କ ଫାଇବ୍ରୋସିସ୍‌ ହୋଇଯାଏ। ଫଳରେ ଅଣ୍ଟା ବିନ୍ଧା ହୁଏ। ଏହାସହ ବସିବା, ଶୋଇବାର ଶୈଳୀକୁ ଠିକ୍‌ କରିବେ। ସିଧାସଳଖ ତଳକୁ ନଇଁ କୌଣସି ଜିନିଷ ଉଠାନ୍ତୁ ନାହିଁ।

ଏହାଛଡ଼ା ଯେଉଁମାନେ ବସି ରହି ଲମ୍ବା ସମୟ ଧରି କାର୍ଯ୍ୟ କରୁଛନ୍ତି, ସେମାନେ ମଝିରେ ମଝିରେ ଷ୍ଟ୍ରେଚିଂ ଏକ୍ସରସାଇଜ୍‌ କରିବା ଦରକାର। କାମ କରିବା ମଝିରେ ମଝିରେ ବ୍ରେକ୍‌ ଦେଇ ଚଲାବୁଲ ବା ରିଲାକ୍ସ ହେବା ଆବଶ୍ୟକ।

ଏହାଛଡ଼ା ଫିଜିଓଥେରାପି କରିବା ଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଥାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସିମାଞ୍ଚଳ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on  Low Backache, in Odia language, is based on an extensive interview with Neurosurgeon Dr Simanchala Mahapatra.