ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍‌ତା ଦାସଙ୍କ ପରାମର୍ଶ ଜାଣନ୍ତୁ।

ପ୍ରସବ ପରେ ସ୍ୱାସ୍ଥ୍ୟ ସମସ୍ୟା (Health problems after childbirth in Odia)

ପ୍ରସବ ପରେ ପ୍ରତ୍ୟେକ ମହିଳାଙ୍କର ଶାରୀରିକ ଓ ମାନସିକ ତଥା ଭାବନାରେ ପରିବର୍ତ୍ତନ ହୋଇଥାଏ। ଗର୍ଭାବସ୍ଥାରେ ଶରୀରର ହରମୋନ୍‌ ସ୍ତର ବୃଦ୍ଧି ହୋଇଥାଏ କିନ୍ତୁ ପ୍ରସବ ପରେ ହରମୋନ୍‌ଗୁଡ଼ିକ ଧୀରେ ଧୀରେ କମିବା ଆରମ୍ଭ କରେ।

ପ୍ରସବର ଦୁଇ ତିନି ମାସ ପରେ ମହିଳାଙ୍କର କେଶ ଝଡ଼ିବା ଆରମ୍ଭ ହୁଏ। କାରଣ ଏହି ସମୟରେ ମା’କୁ ବାରମ୍ବାର ରାତିରେ ଉଠି କ୍ଷୀର ଖୁଆଇବାକୁ ପଡ଼େ, ଫଳରେ ମା’କୁ ଅନିଦ୍ରା ହେବାକୁ ପଡ଼ିଥାଏ। ଏହିସବୁ ଷ୍ଟ୍ରେସ୍‌ ଯୋଗୁଁ କେଶ ଝଡ଼ିବା ଭଳି ସମସ୍ୟା ଉପୁଜିଥାଏ। ତେଣୁ ଏହି ସମୟରେ ସନ୍ତୁଳିତ ଆହାର ଖାଇବା ସହ କେଶର ଯତ୍ନ ନେବା ନିହାତି ଆବଶ୍ୟକ।

ପ୍ରସବ ପରେ ତ୍ୱଚାଜନିତ ସମସ୍ୟା ଯେପରିକି ପିଗ୍‌ମେଣ୍ଟେସନ୍‌, ବେକ ପାଖରେ କଳାଦାଗ, ମୁହଁ ସାରା ଦାଗ ହେବା ଭଳି ସମସ୍ୟା ଦେଖାଦେଇଥାଏ। କେତେକ ମହିଳାଙ୍କର ସେହି ଦାଗ ଭଲ ହୋଇଯାଏ, ତ ଆଉ କେତେକ ମହିଳାଙ୍କର ବହୁତ ଦିନ ଧରି ସେହି ଦାଗ ରହିଯାଏ। କେତେକ ମହିଳାଙ୍କର ମୁହଁରେ ବ୍ରଣ ମଧ୍ୟ ବାହାରିଥାଏ। ସେହି ବ୍ରଣରେ ବାରମ୍ବାର ହାତ ମାରିବା ଦ୍ୱାରା କଳାଦାଗ ରହିଯାଏ।

ଯେହେତୁ ପ୍ରସବ ପରେ ମା’ମାନଙ୍କୁ ସ୍ତନ୍ୟପାନ କରାଇବାକୁ ପଡ଼ିଥାଏ, ତେଣୁ ସ୍ତନର ବି ଯତ୍ନ ନେବା ନିହାତି ଜରୁରୀ। ଶିଶୁକୁ ରାତିରେ ୩ରୁ ୪ ଥର ସ୍ତନ୍ୟପାନ କରାଇବେ। ଏହି ସମୟରେ ସ୍ତନ ଢିଲା ହୋଇପାରେ, ବଡ଼ ହୋଇପାରେ। ତେଣୁ ସବୁବେଳେ ଭଲ ଅନ୍ତଃବସ୍ତ୍ର ପିନ୍ଧନ୍ତୁ। ଅଧିକାଂଶ ମହିଳାଙ୍କର ଧାରଣା ଥାଏ ଯେ, ଅନ୍ତଃବସ୍ତ୍ର ପିନ୍ଧିବା ଯୋଗୁଁ କ୍ଷୀର କମିଯାଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ସ୍ତନାଗ୍ର ଶୁଷ୍କ ହୋଇଯାଏ ବା ଦରଜ ବା ଯନ୍ତ୍ରଣା ଯୋଗୁଁ ଛୁଆକୁ ଖୁଆଇ ପାରୁନାହାନ୍ତି, ତେବେ ଡାକ୍ତରଙ୍କୁ ପରାମର୍ଶ ନିଶ୍ଚୟ କରନ୍ତୁ।

ପ୍ରସବ ପରେ ମହିଳାଙ୍କର ପେଟ ଢିଲା ହୋଇଯାଏ। ଯେଉଁମାନଙ୍କର ଦୁଇରୁ ତିନୋଟି ଛୁଆ ହୋଇଥାଏ, ସେହି ମହିଳାଙ୍କର ପେଟ ଅଧିକ ଢିଲା ହୋଇଯାଇଥାଏ। ସାଧାରଣରେ ପ୍ରସବ ହୋଇଥିବା ମହିଳା କିଛି ଦିନ ପରେ ପେଟରେ ବେଲ୍ଟ ବାନ୍ଧିପାରିବେ। କିନ୍ତୁ ସିଜରିଆନ୍‌ ମହିଳାମାନେ ପ୍ରସବର ୬ କିମ୍ବା ୭ ମାସ ପରେ ପେଟରେ ବେଲ୍ଟ ପିନ୍ଧିବେ।

ଅଧିକ ପଢ଼ନ୍ତୁ: ଗର୍ଭବତୀ ମହିଳା କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ?

ପ୍ରସବ ପରେ ମା’ମାନେ କିପରି ନେବେ ନିଜର ଯତ୍ନ? (How do mothers take care of themselves after childbirth in Odia)

ପ୍ରସବ ପରେ ରାତି ଅନିଦ୍ରା ହେବାକୁ ପଡ଼ିଥାଏ, ସିଜରିଆନ୍‌ ପ୍ରସବ ପରେ କିଛି ଦିନ ଯନ୍ତ୍ରଣା ରହିପାରେ। ଆଉ ଅଧିକାଂଶ ମହିଳା ପୋଷ୍ଟପାର୍ଟମ ଡିପ୍ରେସନ୍‌କୁ ଯାଇପାରନ୍ତି।

ପ୍ରସବ ପରେ ଯଥେଷ୍ଟ ପାଣି ପିଇବାର ଆବଶ୍ୟକତା ରହିଛି, ସନ୍ତୁଳିତ ଆହାର ଯେପରିକି କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫ୍ୟାଟ୍‌, ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ଓ ପାଣି ପ୍ରଚୁର ପରିମାଣର ନେବା ଦରକାର।

ଯଦି ରାତିରେ ଶୋଇପାରୁ ନାହାନ୍ତି, ତେବେ ଦିନରେ ଶୋଇବାକୁ ଚେଷ୍ଟା କରନ୍ତୁ।

ପ୍ରସବ ପରେ କ’ଣ ଖାଇବେ ନାହିଁ? (What not to eat after childbirth in Odia)

ପ୍ରସବ ପରେ ବି ମହିଳାଙ୍କୁ ବିଭିନ୍ନ ଖାଦ୍ୟରେ ବାରଣ କରାଯାଏ। ହେଲେ ପ୍ରସବ ପରେ ମହିଳାମାନେ ମସଲା ଜାତୀୟ ଖାଦ୍ୟ, ରାଗ ଜିନିଷ, ଜଙ୍କ୍‌ଫୁଡ୍‌, ତେଲ ଛଣାଛଣି ଜିନିଷ ଖାଇବାକୁ ମନା କରାଯାଇଥାଏ। ଯଦି କୌଣସି ଖାଦ୍ୟ ଖାଇବା ପରେ ମା’କୁ କିମ୍ବା ଛୁଆକୁ ଆଲର୍ଜି ବା ଡାଇରିଆ ହେଉଛି, ତେବେ ସେହି ଖାଦ୍ୟ ଖାଆନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ଗର୍ଭଧାରଣ ପୂର୍ବରୁ ପରାମର୍ଶ

ମା’ର କ୍ଷୀର ନ ହେଲେ କ’ଣ କରିବେ? (No Breast Milk after delivery in Odia)

 ଯଦି ଶିଶୁ ମା’ର କ୍ଷୀର ଟାଣୁନି, ତେବେ ମା’ର କ୍ଷୀର ଝରେ ନାହିଁ। ପୂର୍ବରୁ ପିଲାମାନଙ୍କୁ କେବଳ ମା’ କ୍ଷୀର ଦିଆଯାଉଥିଲା। ଶିଶୁ କ୍ଷୀର ଟାଣିଲେ ହିଁ କ୍ଷୀର ଝରିଥାଏ। କିନ୍ତୁ ମାନସିକ ଚାପ ଓ ଅନ୍ୟାନ୍ୟ କାରଣ ଯୋଗୁଁ ମା’ର କ୍ଷୀର କ୍ଷରଣ ହୋଇ ପାରୁ ନାହିଁ।

ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ପ୍ରସବ ପରେ ପ୍ରତ୍ୟେକ ମହିଳା ସନ୍ତୁଳିତ ଆହାର, ଯଥେଷ୍ଟ ପାଣି ଓ ଯଥେଷ୍ଟ ବିଶ୍ରାମ ନେବା ଜରୁରୀ। କିନ୍ତୁ, ସିଜରିଆନ୍‌ ଜାଗାରେ ଯନ୍ତ୍ରଣା ହେଲେ, ଲାଲ ପଡ଼ିଗଲେ, ସ୍ତନରେ ଗେଟାଳିଆ ହୋଇ ଜ୍ୱର ଆସିଲେ, ମାସକରୁ ଅଧିକ ରକ୍ତସ୍ରାବ ହେଲେ କିମ୍ବା ଦୁର୍ଗନ୍ଧ ଯୁକ୍ତ ଧଳାସ୍ରାବ ହେଲେ ତାକୁ ଅଣଦେଖା ନ କରି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅଲକ୍‌ତା ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Post Pregnancy Care, in Odia language, is based on an extensive interview with Gynaecologist Dr Alakta Das.