୧୯୪୪ ଜୁନ ୧ ତାରିଖ। ଏହି ଦିନରେ କଟକଠାରେ Orissa Medical College ନାମରେ ଏକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହା ଥିଲା ଓଡ଼ିଶାର ପ୍ରଥମ ମେଡିକାଲ କଲେଜ।ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ଵିତୀୟ ଓଡ଼ିଶା ମନ୍ତ୍ରୀମଣ୍ଡଳ ଏଦିଗରେ ଉଦ୍ୟମ କରିଥିଲେ।

ଏସସିବି କେମିତି ହେଲା

ମୟୂରଭଞ୍ଜ ମହାରାଜା ଏବଂ କୋରାପୁଟ ଜୟପୁର ମହାରାଜା ଶ୍ରୀ ବିକ୍ରମଦେବ ବର୍ମା ଏହି କଲେଜକୁ ଆର୍ଥିକ ଅନୁଦାନ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି କଲେଜ ଏକ ବଡ଼ ମେଡ଼ିକାଲ କଲେଜରେ ପରିଣତ ହୋଇଥିଲା। ୧୯୫୧ ମସିହାରେ ମୟୂରଭଞ୍ଜ ମହାରାଜା ଶ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ନାମାନୁସାରେ ଏହାର ନାମ ରଖାଗଲା SCB Medical College। ବର୍ତ୍ତମାନ ଏହା ଓଡ଼ିଶାର ପ୍ରଥମ ଓ ସର୍ବବୃହତ ମେଡିକାଲ କଲେଜ। ଇତି ମଧ୍ୟରେ ସରକାର ବିଭିନ୍ନ ଜିଲ୍ଲାରେ ଆହୁରି ୭ଟି ମେଡିକାଲ କଲେଜ ଖୋଲିଛନ୍ତି।

ଡାକ୍ତର ନୁହେଁ ଏଲଏମପି

ଯଦି ଆମେ ଆହୁରି ପଛକୁ ଚାଲିଯିବା ୨,୧୮୭୬ ଫେବୃଆରୀ ୧୫ ତାରିଖରେ ଓଡିଶା ମେଡିକାଲ ସ୍କୁଲ’ ନାମରେ ଏକ Medical Diploma School କଟକ ଠାରେ ପ୍ରତିଷ୍ଠା ହୋଇଥିଲା। ସେତେବେଳେ କାର୍ଯ୍ୟରତ ଥିବା କଟକର ସିଭିଲ ସର୍ଜନ Dr.Stewart ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ। ଏଠାରେ LMP ଅର୍ଥାତ୍ Licentiate Medical Practitioners ଉପାଧିର ଡାକ୍ତର ପାଠ ପଢାଗଲା। ଏହି ଡିପ୍ଲୋମା ସ୍କୁଲର ମୋଟ ଆସନ ସଂଖ୍ୟା ଥିଲା  ୨୦।ପାଠ୍ୟକ୍ରମର ଅବଧି ରଖା ଯାଇଥିଲା ୩ ବର୍ଷ। ୧୮୯୭ ବର୍ଷ ସୁଦ୍ଧା ଏହି ସ୍କୁଲରୁ ୨୯ ଜଣ ପୁରୁଷ ଏବଂ ଜଣେ ମହିଳା ଏଲଏମପି ଡିପ୍ଲୋମା ହାସଲ କରିଥିଲେ।  ପ୍ରଭାବତୀ ଦେବୀ ନାମ୍ନୀ ଜଣେ ମହିଳା ଡାକ୍ତର ଏଠାରୁ ଉତ୍ତୀର୍ଣ୍ଣ ହୋଇଥିଲେ।ପ୍ରଭାବତୀ ଥିଲେ ଓଡ଼ିଶାର  ପ୍ରଥମ ମହିଳା ଡାକ୍ତରାଣୀ। ୧୯୨୧ ମସିହାରେ କୁନ୍ତଳା କୁମାରୀ ସାବତ ଏଠାରୁ ଡାକ୍ତରୀ ପଢି ଓଡ଼ିଶାର ଦ୍ବିତୀୟ ଡାକ୍ତରାଣୀ ହେଲେ।

ସାମାଜିକ ବାସନ୍ଦ

୧୮୭୩ ମସିହାରେ ଜନାର୍ଦ୍ଦନ ଦାଶ ନାମକ ଜଣେ ଓଡ଼ିଆ ଯୁବକ କଲିକତାରେ ଓଡ଼ିଶାର ସର୍ବପ୍ରଥମ ଡାକ୍ତରୀ ଛାତ୍ର ରୂପେ ନାମ ଲେଖାଇଥିବା ଜଣାଯାଏ। ଆଗ୍ରହର ବିଷୟ ଯେ, ଡାକ୍ତରୀ ପଢ଼ିବା ବେଳେ ସେ ଶବ ବ୍ୟବଚ୍ଛେଦ କରୁଥିବା ଜାଣି ତାଙ୍କ ପରିବାରକୁ ଜାତିରୁ ବାସନ୍ଦ କରା ଯାଇଥିଲା।। ଅଗତ୍ୟା ସେ ଡାକ୍ତରୀ ପାଠ ଛାଡି ଦେଇଥିଲେ। ଏହା ପରେ ୧୮୮୦ ରେ କଟକର ଶ୍ୟାମାଚରଣ ଘୋଷ ନାମକ ଜଣେ ଛାତ୍ର କଲିକତା ଯାଇ ଡାକ୍ତରୀ ପଢିଥିଲେ।

ପ୍ରଥମ ଡ଼ିଗ୍ରୀଧାରୀ

୧୯୨୦ ବେଳକୁ  ଓଡ଼ିଶା ଅନ୍ତର୍ଗତ ସିଂହଭୂମର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ କଲିକତାରୁ MB‌ ଡିଗ୍ରୀ ପାଇ ଡାକ୍ତରୀ ପାଶ କରିଥିଲେ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଡିଗ୍ରୀଧାରୀ ଡାକ୍ତର ‌।

ପ୍ରଥମ ମହିଳା ଏମବିବିଏସ

୧୯୩୪ରେ କଟକର କ୍ୟାପଟେନ କ୍ଷେତ୍ରମୋହନ ରାୟଙ୍କ କନ୍ୟା ଜ୍ୟୋତ୍ସ୍ନାମୟୀ ଦେବୀ Delhi Medical College ରୁ MBBS ପାସ୍ କରିଥିଲେ।ସେ ଥିଲେ ଓଡ଼ିଶାର ପ୍ରଥମ ମହିଳା ଏମବିବିଏସ। ସେ ପାକିସ୍ତାନର ଲାହୋର ହସ୍ପିଟାଲରେ ଡାକ୍ତରାଣୀ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ।

ଜ୍ୟୋତ୍ସ୍ନାମୟୀଙ୍କ ପରେ ଜଗତସିଂହପୁର ଜିଲ୍ଲା ଦାମୋଦର ପାଟଣା ଗ୍ରାମର ନାରାୟଣ ପ୍ରସାଦ ମହାପାତ୍ର ବିହାର ପାଟନାରୁ ଏମବିବିଏସ ପାସ୍ କରି ସେନାବାହିନୀରେ ଡାକ୍ତର ରୂପେ ଯୋଗ ଦେଇଥିଲେ।ସେ ଥିଲେ  ଓଡ଼ିଶାର ପ୍ରଥମ ଏମ ବିବିଏସ।

ଦକ୍ଷିଣ ଓଡ଼ିଶାରୁ ପ୍ରଥମ

୧୯୦୨ ମସିହାରେ ବ୍ରହ୍ମପୁର ଶଙ୍କରପୁର ସାହିର ବ୍ରଜସୁନ୍ଦର ପଟ୍ଟନାୟକ ମାଡ୍ରାସରୁ ଡିପ୍ଲୋମା ଡାକ୍ତରୀରେ ଡିପ୍ଲୋମା କରିଥିଲେ। ସେ ଥିଲେ ଦକ୍ଷିଣ ଓଡ଼ିଶାର ପ୍ରଥମ ଓଡ଼ିଆ ଡାକ୍ତର।