ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଦ୍ୱାରା ଯେ କେହି ସଂକ୍ରମିତ ହେବାର ଆଶଙ୍କା ରହିଛି। ହେଲେ, ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସଂକ୍ରମଣ ଯୋଗୁଁ ପରିସ୍ଥିତି ଜଟିଳ ହେବା ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ଏହା ମରଣାନ୍ତକ ପ୍ରମାଣିତ ହୋଇପାରେ।

‘ଦ ଲାନ୍‌ସେଟ୍‌’ ଜର୍ଣ୍ଣାଲ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ବ୍ୟକ୍ତି ବ୍ଲଡ୍‌ପ୍ରେସର୍‌, ଡାଇବେଟିସ୍ ଭଳି ରୋଗରେ ପୀଡ଼ିତ, କରୋନାରେ ସଂକ୍ରମିତ ହେଲେ ଅନ୍ୟ ସଂକ୍ରମିତଙ୍କ ତୁଳନାରେ ସେମାନଙ୍କ ପ୍ରତି ଅଧିକ ବିପଦ ରହିଥାଏ।

ଏଣୁ ଏହି ରୋଗୀମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ସତର୍କ ରହିବାକୁ ହେବ। ଡାଇବେଟିସ୍ ରୋଗୀଙ୍କ ପାଇଁ କରୋନା ସଂକ୍ରମଣ କେତେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ଓ ସେମାନେ ଏହାର ମୁକାବିଲା କିପରି କରିବେ, ଚାଲନ୍ତୁ ସେ ବିଷୟରେ ଜାଣିବା। ଏନେଇ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟାଙ୍କ ସହ ଆଲୋଚନା କରିଛନ୍ତି ସମ୍ବିତ ପ୍ରଜ୍ଞା ମିଶ୍ର।

diabetes patient

 ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କରୋନା ଭୂତାଣୁ ଜନିତ ସଂକ୍ରମଣ କାହିଁକି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥାଏ?

ଡାଇବେଟିସ୍ ରୋଗରେ ଶରୀରରେ ରକ୍ତ ଶର୍କରା ସ୍ତର ସବୁବେଳେ ହ୍ରାସ ବୃଦ୍ଧି ହେବା ଫଳରେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁଁ ସଂକ୍ରମଣଜନିତ ଜଟିଳତା ବଢିଯାଏ । ସଂକ୍ରମଣ ଯୋଗୁ ରୋଗୀର ରକ୍ତ ଶର୍କରାସ୍ତର ଅଧିକ ପ୍ରଭାବିତ ହେବା ଯୋଗୁ ମୃତ୍ୟୁର ଆଶଙ୍କା ବଢିଯାଏ ।

କୋଭିଡ୍‌-୧୯ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଡାଇବେଟିସ୍ ରୋଗୀ କେଉଁ ସବୁ ସତର୍କତା ଅବଲମ୍ବନ କରିବା ଉଚିତ?

ଜଣେ ସାଧାରଣ ବ୍ୟକ୍ତି ଯେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତି, ଜଣେ ଡାଇବେଟିସ୍ ରୋଗୀକୁ ମଧ୍ୟ ସେହି ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ହେବ। ଯେପରି-

  • ବାରମ୍ବାର ନିଜ ହାତକୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ଘଷି ଘଷି ଧୁଅନ୍ତୁ ବା ୬୦% ଆଲ୍‌କହଲ୍‌ ଯୁକ୍ତ ସାନିଟାଇଜର୍‌ ହାତରେ ରଗଡନ୍ତୁ ।
  • ବାରମ୍ବାର ହାତରେ ମୁହଁ, ନାକ, ଆଖିକୁ ସ୍ପର୍ଶ କରନ୍ତୁ ନାହିଁ ।
  • ଛିଙ୍କିବା ଓ କାଶିବା ବେଳେ ନିଜ ମୁହଁରେ ଟିସୁ ପେପର୍‌ ବା କପଡା ରଖନ୍ତୁ। ଏସବୁ ଉପଲବ୍ଧ ନଥିଲେ ନିଜ ହାତକୁ ବୁଲାଇ କହୁଣିରେ ମୁହଁକୁ ଘୋଡାନ୍ତୁ। ବ୍ୟବହାର କରିସାରିବା ପରେ ଟିସୁକୁ ଡଷ୍ଟବିନ୍‌ରେ ଫୋପାଡି ଦିଅନ୍ତୁ କିମ୍ବା କପଡାକୁ ଭଲ ଭାବେ ଧୁଅନ୍ତୁ।
  • ଟେବୁଲ୍‌, ଚେୟାର୍‌, ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌ ଭଳି ଜିନିଷ ଯାହା ଆପଣ ପ୍ରାୟ ସମୟରେ ବ୍ୟବହାର କରନ୍ତି, ସେ ସବୁକୁ ଭଲ ଭାବେ ପରିଷ୍କାର କରନ୍ତୁ।
  • ନିଜକୁ ପରିଷ୍କାର ରଖନ୍ତୁ ତଥା ବ୍ୟବହାର କରୁଥିବା ପୋଷାକ, ଚାଦର ଆଦି ପ୍ରତିଦିନ ସଫା କରନ୍ତୁ।
  • ଅତ୍ୟାବଶ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ। ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରନ୍ତୁ।
  • ଜର, କାଶ, ଶର୍ଦ୍ଦି, ଶ୍ୱାସ ରୁଦ୍ଧ ହେବା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଲୋଡନ୍ତୁ। ନିଜର ଭ୍ରମଣ ସମ୍ବନ୍ଧୀୟ ତଥ୍ୟ ସଠିକ୍‌ ଭାବେ ଡାକ୍ତରଙ୍କୁ ଜଣାନ୍ତୁ।

corona_Oldpeople

କେତେବେଳେ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଥାଏ ?

  • କୋଭୋଡ୍‌-୧୯ ରୋଗୀଙ୍କ ସହିତ ଘରେ ରହୁଥିଲେ
  • କୋଭିଡ୍‌-୧୯ ରୋଗୀଙ୍କ ସଂସ୍ପର୍ଶରେ ଆସିଲେ
  • ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ଥାନକୁ ଯାତ୍ରା କରିଥିଲେ
  • ବସ୍‌, ଟ୍ରେନ୍‌ ବା ଉଡ଼ାଜାହଜରେ ଯାତ୍ରା କରିଥିଲେ

କେତେବେଳେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ?

ଯଦି ଆପଣଙ୍କ ପାଖରେ କୋଭିଡ-୧୯ର ଲକ୍ଷଣ ଦେଖାଯାଉଛି ଯେପରିକି ଶ୍ୱାସ କ୍ରିୟାରେ ଯନ୍ତ୍ରଣା ଅନୁଭବ ହେବ, ଛାତିରେ ଯନ୍ତ୍ରଣା ଅନୁଭବ ହେବା, ଓଠ ବା ଚେହେରା ନୀଳ ପଡିଯିବା ଆଦି ଲକ୍ଷଣ ଦେଖାଯାଉଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

corona home time

ସଙ୍ଗରୋଧରେ ଡାଇବେଟିସ୍ ରୋଗୀମାନେ କ’ଣ କରିବା ଉଚିତ୍?

  • ବାରମ୍ବାର ସାବୁନ୍‌ରେ ହାତ ଧୁଅନ୍ତୁ।
  • ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖନ୍ତୁ।
  • ଘରର ଅନ୍ୟମାନଙ୍କଠାରୁ ୧ମିଟର ବ୍ୟବଧାନ ରଖନ୍ତୁ, (ବିଶେଷ କରି ପିଲା ଓ ବୟସ୍କଙ୍କ ଠାରୁ । )
  • ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା ବେଳେ ମୁହଁରେ ମାସ୍କ ବ୍ୟବହାର କରନ୍ତୁ। ପ୍ରତି ୬ ଘଣ୍ଟାରେ ମାସ୍କ ବଦଳାନ୍ତୁ।
  • ନିଜର ପୋଷାକ, ଚାଦର ଆଦି ଦୈନନ୍ଦିନ ଧୁଅନ୍ତୁ।
  • ନିଜର ଖାଇବା ବାସନ ତଥା କମ୍ପ୍ୟୁଟର୍‌, ଲାପ୍‌ଟପ୍‌, ଆଦିକୁ ସାନିଟାଇଜ୍‌ କରନ୍ତୁ।
  • ମର୍ଣ୍ଣିଙ୍ଗ ୱାକ୍‌ କରିବା ପାଇଁ ବାହାରକୁ ଯାଆନ୍ତୁ ନାହିଁ।
  • ସଠିକ୍‌ ସମୟରେ ଔଷଧ ଖାଆନ୍ତୁ।
  • ନିଜେ ରହୁଥିବା ବଖରାର ଚଟାଣକୁ ୦.୧% ବ୍ଲିଚିଂରେ ପୋଛି ପରିଷ୍କାର କରନ୍ତୁ।

insulin

ସଙ୍ଗରୋଧ ପାଇଁ ଡାଇବେଟିସ୍ ରୋଗୀମାନେ ନିଜକୁ କିଭଳି ପ୍ରସ୍ତୁତ କରିବେ?

  • ଆପଣ ବ୍ୟବହାର କରୁଥିବା ଔଷଧ, ଇନ୍‌ସୁଲିନ୍‌ ଷ୍ଟ୍ରୀପ୍‌, ଛୁଞ୍ଚି, ଗ୍ଲୁକୋମିଟର୍‌ ଆଦି ମାସକ ପାଇଁ ଗଚ୍ଛିତ କରି ରଖନ୍ତୁ।
  • ସାବୁନ୍‌, ଆଲ୍‌କହଲ୍‌ ନିଜ ପାଖରେ ସବୁବେଳେ ମହଜୁଦ୍‌ ରଖନ୍ତୁ।
  • ଇନ୍‌ସୁଲିନ୍‌ ବ୍ୟବହାର କରୁଥିବା ରୋଗୀ ବା ଟାଇପ୍‌ ୧ ଡାଇବେଟିସ୍ ରୋଗୀମାନେ ନିଜ ପାଖରେ ୟୁରିନ୍‌ କିଟୋନ୍‌ ଷ୍ଟ୍ରୀପ ରଖନ୍ତୁ।
  • ଇନ୍‌ଫ୍ଲୁଏଞ୍ଜା ଓ ନିଉମୋକୋକାଲ୍‌ ଟିକା ନିଅନ୍ତୁ।
  • ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ପରିବର୍ତ୍ତନ କରନ୍ତୁ ନାହିଁ।
  • ଅତ୍ୟଧିକ ରକ୍ତ ଶର୍କରା ହ୍ରାସ କରୁଥିବା ଓ ଦେହରୁ ଜଳୀୟ ଅଂଶ କମ୍‌ କରୁଥିବା ଭଳି ଔଷଧ ଖାଆନ୍ତୁ ନାହିଁ।
  • ଆଇବ୍ରୁଫେନ୍‌ ଭଳି ପେନ୍‌କିଲର୍‌ ବ୍ୟବହାର କରନ୍ତୁ ନାହିଁ।
  • ନିୟମିତ ଭାବେ ରକ୍ତଚାପ ଯାଞ୍ଚ କରନ୍ତୁ।

corona awareness

ଡାଇବେଟିସ୍ ରୋଗୀମାନେ କେଉଁ ସବୁ ସତର୍କତା ଅବଲମ୍ବନ କରିବା ଉଚିତ?

  • ଶ୍ୱେତସାର ଯୁକ୍ତ ଖାଦ୍ୟ ଖାଇବା କମ୍‌ କରନ୍ତୁ। ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଯଥେଷ୍ଟ ପରିମାଣର ସବୁଜ ପନିପରିବା ଖାଦ୍ୟରେ ସାମିଲ୍‌ କରନ୍ତୁ।
  • ଶରୀରରୁ ଜଳୀୟ ଅଂଶ କମିବାକୁ ଦିଅନ୍ତୁ ନାହିଁ। ଦିନକୁ ୭-୮ ଗ୍ଲାସ୍‌ ପାଣି ପିଅନ୍ତୁ।
  • ଅତି କମ୍‌ରେ ଦିନକୁ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ।
  • ରକ୍ତ ଶର୍କରା ବେଶୀ ପରିମାଣରେ ହ୍ରାସ ବା ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ । ରକ୍ତ ଶର୍କରା ହ୍ରାସ ବୃଦ୍ଧିର ଲକ୍ଷଣଗୁଡିକ ପ୍ରତି ସଜାଗ ରୁହନ୍ତୁ। ରକ୍ତ ଶର୍କରା ବଢିଲେ ରୋଗୀକୁ ଅତ୍ୟଧିକ ଭୋକ, ଶୋଷ, ପରିସ୍ରା ଲାଗିବା ସହିତ ମୁଣ୍ଡବ୍ୟଥା ହୋଇଥାଏ, ଥକ୍କା ଲାଗିଥାଏ। ସେହିପରି ରକ୍ତ ଶର୍କରା କମ୍‌ ହେଲେ ରୋଗୀକୁ ଅଚାନକ ଭୋକ ଲାଗେ, ଝାଳ ବୁହେ, ହାତ ଥରେ, ହୃଦ୍‌ ସ୍ପନ୍ଦନ ବଢିଯାଏ। ବେଳେବେଳେ ରୋଗୀ ଚେତାଶୂନ୍ୟ ହୋଇଯାଆନ୍ତି।
  • ଇନ୍‌ସୁଲିନ୍‌ ବ୍ୟବହାର କରୁଥିଲେ ନିୟମିତ କିଟୋନ୍‌ ଷ୍ଟ୍ରୀପ୍‌ ପରୀକ୍ଷା କରନ୍ତୁ।
  • ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।