ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର ବୋଲି କୁହାଯାଏ। କାରଣ ଏହା ଧୀରେ ଧୀରେ ଶରୀରରେ କ୍ଷତି କରିବା ଆରମ୍ଭ କରିଥାଏ। ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପ ସାଂଘାତିକ ହୃଦଘାତ, ଷ୍ଟ୍ରୋକ୍, କିଡ୍ନି ଫେଲ୍ୟୁୟର, ଆଡ୍ରିନାଲ ଗ୍ରନ୍ଥିରେ ସମସ୍ୟା, ଧମନୀର ସଙ୍କୋଚନ, ନିଦ୍ରାହୀନତା ଓ ନାନା ରୋଗ ସୃଷ୍ଟି କରିଥାଏ। ଉପଯୁକ୍ତ ଚିକିତ୍ସା ଓ ଜୀବନଶୈଳୀରେ ପରବର୍ତ୍ତନ କଲେ ହିଁ ଏଥିରୁ ମୁକୁଳିପାରିବେ। ତେବେ ଜାଣନ୍ତୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ନ କଲେ କେଉଁ ଭଳି ସମସ୍ୟା ଉପୁଜିଥାଏ।
ଧମନୀକୁ ନଷ୍ଟ କରିଥାଏ:
ଧମନୀରେ ପ୍ରବାହିତ ହେଉଥିବା ରକ୍ତପ୍ରବାହର ବେଗକୁ ରକ୍ତର ଚାପ କୁହାଯାଏ। ହେଲେ ଉଚ୍ଚରକ୍ତଚାପ ରହିଲେ ଧମନୀ ସଙ୍କୋଚିତ ହୋଇଯାଏ ଓ ରକ୍ତ ପ୍ରବାହର ବେଗ ବଢ଼ିଥାଏ।
ଉଚ୍ଚ ରକ୍ତଚାପ ପାଇଁ ହୋଇପାରେ ହାର୍ଟ ଆଟାକ
ଉଚ୍ଚ ରକ୍ତଚାପ ଦ୍ୱାରା ଧମନୀ ସଙ୍କୋଚିତ ଓ ନଷ୍ଟ ହୋଇ ଆପଣଙ୍କ ହୃଦୟକୁ ରକ୍ତ ଯୋଗାଇବାରେ ଅସୁବିଧା ହୋଇଥାଏ। ଯେତେବେଳେ ହାର୍ଟକୁ ରକ୍ତ ମୁକ୍ତ ଭାବରେ ଭାବରେ ପ୍ରବାହିତ ହେବ ନାହିଁ, ସେତେବେଳେ ତୁମର ଛାତି ଯନ୍ତ୍ରଣା, ହୃଦସ୍ପନ୍ଦନରେ ଅନିୟମିତତା ଓ ହାର୍ଟ ଆଟାକ୍ ହେବାର ଆଶଙ୍କା ଅଧିକ ହୋଇଥାଏ।
ଉଚ୍ଚ ରକ୍ତଚାପ ହେବା ଫଳରେ ଶରୀରର ଅନ୍ୟ ଅଙ୍ଗକୁ ରକ୍ତ ପମ୍ପ କରିବା ପାଇଁ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଫଳରେ ହୃଦୟର ବାମ ଅଂଶ (ଭେଣ୍ଟ୍ରିକଲ୍) ମୋଟା ହୋଇଯାଏ। ମୋଟା ଭେଣ୍ଟ୍ରିକଲ କାରଣରୁ ହାର୍ଟ ଆଟାକ, ହାର୍ଟ ଫେଲ୍ୟୁୟର ହେବାର ଆଶଙ୍କା ଥାଏ। ଏଭଳି କ୍ଷେତ୍ରରେ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ।
ମସ୍ତିଷ୍କ ଉପରେ ପଡ଼ିଥାଏ ପ୍ରଭାବ
ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ମସ୍ତିଷ୍କକୁ ମୁକ୍ତ ରକ୍ତ ପ୍ରବାହ ହେବା ଆବଶ୍ୟକ। ହେଲେ ଉଚ୍ଚରକ୍ତଚାପ ହେଲେ ଏହାର ସିଧାସଳଖ ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଯେତେବେଳେ ତୁମର ମସ୍ତିଷ୍କର କିଛି ଅଂଶ ଅମ୍ଳଜାନ ଓ ପୋଷକ ତତ୍ୱରୁ ବଞ୍ଚିତ ହୁଏ, ସେତେବେଳେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ। ମସ୍ତିଷ୍କରେ ଥିବା କୋଷଗୁଡ଼ିକ ମରିଯାଏ। ଉଚ୍ଚ ରକ୍ତଚାପ ଦ୍ୱାରା ମସ୍ତିଷ୍କକୁ ଯାଉଥିବା ଧମନୀରେ ରକ୍ତଜମାଟ ବାନ୍ଧିପାରେ ଓ ରକ୍ତ ପ୍ରବାହକୁ ରୋକିପାରେ ଫଳରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ।
ଡିମେନ୍ସିଆ
ସଙ୍କୋଚିତ ଓ ଅବରୋଧିତ ଧମନୀ ମସ୍ତିଷ୍କକୁ ରକ୍ତ ପ୍ରବାହ କରିବାରେ ବାଧକ ହୋଇଥାଏ, ଯାହା ଡିମେନ୍ସିଆର କାରଣ ହୋଇପାରେ। ଡିମେନ୍ସିଆ ହେଉଛି ସ୍ମୃତିଶକ୍ତିରେ ହ୍ରାସ ହେବା ବା କିଛି ମନେ ନ ରହିବା। ଯେତେବେଳେ ମସ୍ତିଷ୍କକୁ ସୀମିତ ରକ୍ତ ପ୍ରବାହିତ ହୋଇଥାଏ, ସେତେବେଳେ ଡିମେନ୍ସିଆ ସମସ୍ୟା ବି ସୃଷ୍ଟି ହୋଇଥାଏ। ଡିମେନ୍ସିଆ ସାଧାରଣତଃ ବୃଦ୍ଧ ଲୋକଙ୍କୁ ହୋଇଥାଏ।
କିଡ୍ନି ସମସ୍ୟା
ଉଚ୍ଚ ରକ୍ତଚାପ ହେଉଛି କିଡ୍ନି ଫେଲ୍ର ଅନ୍ୟତମ କାରଣ। କିଡ୍ନି ଆପଣଙ୍କ ରକ୍ତରୁ ବର୍ଜ୍ୟବସ୍ତୁକୁ ଛାଣିଥାଏ। ରକ୍ତରୁ ବର୍ଜ୍ୟବସ୍ତୁ ଛାଣିବା ପାଇଁ କିଡ୍ନିକୁ ସୁସ୍ଥ ରକ୍ତବାହୀ ଆବଶ୍ୟକ ହୋଇଥାଏ। ଉଚ୍ଚ ରକ୍ତଚାପ ଯୋଗୁଁ ରକ୍ତବାହୀ ନଳୀ ସଙ୍କୋଚିତ ହୋଇଯାଏ ଫଳରେ କିଡ୍ନି ରକ୍ତକୁ ଫିଲଟର କରିପାରି ନଥାଏ ଫଳରେ ବର୍ଜ୍ୟବସ୍ତୁ କିଡ୍ନିରେ ଜମା ହୋଇଯାଏ। ଫଳରେ କିଡ୍ନି ଫେଲ୍ ହୋଇଥାଏ।
ଆଖି ଦୁର୍ବଳ
ଉଚ୍ଚ ରକ୍ତଚାପ କ୍ଷୁଦ୍ର ଓ ସୁକ୍ଷ୍ମ ରକ୍ତବାହୀକୁ କ୍ଷତି ପହଞ୍ଚାଇଥାଏ, ଯାହା ଆପଣଙ୍କ ଆଖିକୁ ରକ୍ତ ଯୋଗାଇଥାଏ। ଉଚ୍ଚ ରକ୍ତଚାପ ହେବା ଫଳରେ ଆଖି ଫଛ ପଟେ ଥିବା ରେଟିନା ନଷ୍ଟ ହୋଇଥାଏ। ଫଳରେ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇପାରେ ବା ଅସ୍ପଷ୍ଟ ଦୃଷ୍ଟି ଶକ୍ତି ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ଉଚ୍ଚ ରକ୍ତଚାପ ବ୍ୟତୀତ ଯଦି ଆପଣଙ୍କର ମଧୁମେହ ଅଛି, ତେବେ ଏହା ଆପଣଙ୍କ ଆଖି ଖରାପ ମଧ୍ୟ କରିପାରେ।
ଅବରୋଧିତ ରକ୍ତପ୍ରବାହ ଅପ୍ଟିକ୍ ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ। ଫଳରେ ଆପଣଙ୍କ ଆଖିରେ ରକ୍ତସ୍ରାବ ବା ଦୃଷ୍ଟିଶକ୍ତି ହ୍ରାସ ପାଇବାର ଆଶଙ୍କା ଥାଏ।
ଉଚ୍ଚ ରକ୍ତଚାପ ଲକ୍ଷଣ ବେଳେବେଳେ ଦେଖାଦେଇଥାଏ ଓ ବେଳେବେଳେ ଏହାର ଲକ୍ଷଣ ଜଣାପଡ଼ି ନଥାଏ। କିନ୍ତୁ ବର୍ଷ ବର୍ଷ ଧରି ଏହା ଶରୀରରେ କ୍ଷତି ଘଟାଇଥାଏ। ଏଭଳି କ୍ଷେତ୍ରରେ ସ୍କ୍ରିନିଂ କରାଇନେବା ଆବଶ୍ୟକ। ରୋଗ ଥାଉ ବା ନଥାଉ ବା କୌଣସି ଲକ୍ଷଣ ନ ଦେଖାଗଲେ ବି ୩୦ ବର୍ଷ ବୟସ ପରେ ନିଜ ଶରୀରର ଚେକ୍ଅପ୍ କରାଇନେବା ଉଚିତ। ସ୍କ୍ରିନିଂ କଲେ ପ୍ରାଥମିକ ଭାବେ ଜଣାପଡ଼ିଥାଏ ଯେ ସେମାନେ ଉଚ୍ଚ ରକ୍ତଚାପରେ ପୀଡ଼ିତ ନା ନାହିଁ। ୬ ମାସକୁ ଥରେ ନିଜର ଚେକ୍ଅପ୍ କରାଇନେବା ନିହାତି ଜରୁରୀ ହୋଇଥାଏ।