heart-attack

ହାର୍ଟ ଫେଲ୍ୟୁଅରକୁ ନେଇ ଲୋକଙ୍କ ମନରେ ଅନେକ ଭ୍ରମ ରହିଛି। ତେବେ, ଏନେଇ କିଛି ଜରୁରୀ ତଥ୍ୟ ଜାଣିରଖନ୍ତୁ।

ହାର୍ଟ ଫେଲ୍ୟୁଅର ହେଉଛି ଏକ ଅବସ୍ଥା ଯେଉଁଥିରେ ହୃଦୟ ପର୍ଯ୍ୟାପ୍ତ ମାତ୍ରାରେ ସଙ୍କୋଚନ ପ୍ରସାରଣ (ପମ୍ପିଙ୍ଗ୍) କରି ନ ପାରିବାରୁ ଆବଶ୍ୟକୀୟ ରକ୍ତ ସଞ୍ଚାଳନର ମାତ୍ରା କମିଯାଏ। ଫଳରେ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଯଥେଷ୍ଟ ପରିମାଣରେ ରକ୍ତ ପାଇପାରନ୍ତି ନାହିଁ। ହୃଦୟର ମାଂସପେଶୀ ବିଭିନ୍ନ କାରଣରୁ ଦୁର୍ବଳ ହୋଇପଡ଼ିବା ଫଳରେ ଏହି ଅବସ୍ଥା ହୋଇଥାଏ। ଅନେକ କିନ୍ତୁ ହାର୍ଟ ଫେଲ୍ୟୁଅରର ଅର୍ଥ ହାର୍ଟ ସଂପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରିଦେଇଥାଏ ବୋଲି ମନେ କରନ୍ତି, ଯାହାକି ଠିକ୍ ନୁହେଁ। ତେବେ ପ୍ରାୟ ସମସ୍ତ ପ୍ରକାରର ହୃଦେରୋଗ ପରବର୍ତ୍ତୀ ପର୍ଯ୍ୟାୟରେ ହାର୍ଟ ଫେଲ୍ୟୁଅର ଆଡ଼କୁ ଗତି କରିଥାଏ, ତେଣୁ ପ୍ରାରମ୍ଭିକ ଅବସ୍ଥାରେ ଠିକ୍ ଭାବେ ରୋଗ ନିରୂପଣ କରି ଚିକିତ୍ସା କରାଯିବା ଆବଶ୍ୟକ।

ହାର୍ଟ ଫେଲ୍ୟୁଅର ଆପଣଙ୍କ ହାର୍ଟର ଡାହାଣ ବା ବାମ କିମ୍ବା ଉଭୟ ପଟକୁ ଗୋଟେ ସମୟରେ ପ୍ରଭାବ ପକାଇପାରେ। ହାର୍ଟ ଫେଲ୍ୟୁଅର ଏକ ଅବସ୍ଥା ଯାହା ଚିକିତ୍ସା ଦରକାର କରେ। ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା କଲେ ଏହା ଆପଣଙ୍କ ଜୀବନକୁ ରକ୍ଷା କରିପାରିବ। ଏଣୁ ହାର୍ଟ ଫେଲ୍ୟୁଅରର ଲକ୍ଷଣ ଜଣାପଡ଼ିଲେ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ।

ହାର୍ଟ ଫେଲ୍ୟୁଅରକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଭ୍ରମ

ହାର୍ଟ ଫେଲ୍ୟୁଅର ଏବଂ ହାର୍ଟ ଆଟାକ ସମାନ: ପ୍ରାୟ ସମସ୍ତଙ୍କ ମନରେ ଧାରଣା ଥାଏ ଯେ, ହାର୍ଟ ଆଟାକ ଏବଂ ହାର୍ଟ ଫେଲ୍ୟୁୟର ସମାନ। କିନ୍ତୁ, ଏହା ଭୁଲ। ହାର୍ଟ ଆଟାକ (ହୃଦଘାତ) ଏବଂ ହାର୍ଟ ଫେଲ୍ୟୁୟର ଦୁଇଟି ଭିନ୍ନ ଭିନ୍ନ ହୃଦରୋଗ। ଏହାର ଚିକିତ୍ସା ଭିନ୍ନ ଓ ଫଳାଫଳ ମଧ୍ୟ ଭିନ୍ନ। ହାର୍ଟଆଟାକରେ ପୀଡ଼ିତ ଥିବା ୪ ଜଣଙ୍କ ମଧ୍ୟରୁ ଜଣେ ହାର୍ଟ ଫେଲ୍ୟୁଅରର ଶିକାର ହୋଇପାରନ୍ତି।

ହାର୍ଟ ଫେଲ୍ୟୁଅରର ଅର୍ଥ ନୁହଁ ଯେ, ହୃଦୟ କାର୍ଯ୍ୟ କରିବା ବନ୍ଦ କରିଦେଇଛି: ଯଦି ଜଣେ ବ୍ୟକ୍ତିଙ୍କର ହାର୍ଟ ଫେଲ୍ୟୁଅର ହୋଇଛି, ତାହା ଅର୍ଥ ନୁହେଁ ଯେ, ହୃତପିଣ୍ଡ ହଠାତ୍‌ କାମ କରିବା ବନ୍ଦ କରିଦେବ। ହାର୍ଟ ଫେଲ୍ୟୁଅରର ଅର୍ଥ ହେଉଛି ରକ୍ତ ପମ୍ପ୍‌ କରିବା ପାଇଁ ହୃଦୟକୁ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ବୃଦ୍ଧାବସ୍ଥାରେ ହାର୍ଟ ଫେଲ୍ୟୁଅର ହୋଇଥାଏ: ଅନେକ ଲୋକଙ୍କର ଧାରଣା ଥାଏ ଯେ, କେବଳ ବୃଦ୍ଧାବସ୍ଥାରେ ହାର୍ଟ ଫେଲ୍ୟୁଅର ହେବାର ଆଶଙ୍କା ଥାଏ, ଯାହାକି ସତ ନୁହେଁ। ଅଳ୍ପ ବୟସର ଲୋକଙ୍କର ବି ହାର୍ଟ ଫେଲ୍ୟୁର ହୋଇପାରେ। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ଖରାପ ଜୀବନଶୈଳୀ ଯୋଗୁଁ ଅଳ୍ପ ବୟସରେ ବି ହାର୍ଟ ଫେଲ୍ୟୁ୍ରର ହୋଇପାରେ।