ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ଥିଲେ କୌଣସି ଭୂତାଣୁ ସହଜରେ ମଣିଷ ଶରୀରରେ ପ୍ରବେଶ କରିପାରେ ନାହିଁ। କରୋନାର ଦ୍ୱିତୀୟ ଲହରୀ ଏବେ ଦାଉସାଧୁଥିବା ବେଳେ ବିଶେଷଜ୍ଞମାନେ ନିଜର ରୋଗ ପ୍ରତିରୋଧକାରୀ ଶକ୍ତିକୁ ବଢ଼ାଇବାକୁ ମତ ଦେଇଛନ୍ତି। କିପରି ନିଜର ପ୍ରତିରୋଧକାରୀ ଶକ୍ତିକୁ ବଢ଼ାଇବେ, ଜାଣନ୍ତୁ।

ରଶୁଣ

ବ୍ୟାକ୍ଟେରିଆ ସହିତ ଲଢ଼ିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ରସୁଣ। ଏହା ଭିଟାମିନ-ସି, ଭିଟାମିନ-ବି- ୬, ଆଣ୍ଟିଫଙ୍ଗଲ୍,  ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲରେ ପରିପୁର୍ଣ୍ଣ। ପ୍ରତିଦିନ ୨ରୁ ୩ଟି ରସୁଣ କୋଲଶ ଖାଲି ପେଟରେ ଖାଇପାରିବେ କିମ୍ବା ରସୁଣକୁ ଛେଚି ତରକାରୀରେ ମିଶାଇପାରିବେ।

ହଳଦି ଗୁଣ୍ଡ 

ହଳଦିରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ଏହା ରୋଗ ପ୍ରତିରୋଧକାରୀ ଶକ୍ତିକୁ ବଢ଼ାଇବା ସହିତ ଶରୀରକୁ ସୁସ୍ଥ ରଖିଥାଏ। ଏଣୁ ଗରମ କ୍ଷୀରରେ ହଳଦି ଗୁଣ୍ଡ ମିଶାଇ ପିଇଲେ ଶରୀର ସୁସ୍ଥ ରହିଥାଏ। ଏହାଛଡ଼ା ରୋଷେଇରେ ଯଥେଷ୍ଟ ପରିମାଣର ହଳଦିଗୁଣ୍ଡ ମିଶାଇ ରୋଷେଇ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। 

ଲେମ୍ବୁରସ 

ଲେମ୍ବୁରେ ଭିଟାମିନ-ସି ରହିଛି। ଭିଟାମିନ-ସି ଶରୀରର ଶ୍ୱେତ ରକ୍ତ କଣିକାକୁ ଠିକ୍ ଭାବରେ କାର୍ଯ୍ୟ କରାଇବାରେ ସାହାଯ୍ୟ କରେ। ଏହା ଶରୀରର ଓଜନ ହ୍ରାସ କରିବାରେ ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଭୂମିକା ନେଇଥାଏ। ଏଣୁ ଅଧା ଲେମ୍ବୁକୁ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଚିପୁଡ଼ନ୍ତୁ, ଏଥିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ, ଠିକ୍ ଭାବରେ ଗୋଳେଇବା ପରେ ଏହାକୁ ସକାଳୁ ଖାଲି ପେଟରେ ପିଅନ୍ତୁ। ଏହି ପାଣି ପିଇବାର ୩୦ ମିନିଟ ପରେ ବ୍ରେକଫାଷ୍ଟ ଖାଇପାରିବେ।

ଅଦା ଚା

ରୋଗ ପ୍ରତିରୋଧକାରୀ ଶକ୍ତି ବଢ଼ାଉଥିବା ଅନ୍ୟ ଏକ ଘରୋଇ ଉପକରଣ ହେଉଛି ଅଦା। ଏହା ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ମାରିବାରେ ସାହାଯ୍ୟ କରେ। ଅଦା ଶରୀରରେ ରକ୍ତ ସଞ୍ଚାଳନା ବୃଦ୍ଧି କରିବା ସହିତ ସଂକ୍ରମଣଠାରୁ ଦୂରେଇ ରଖିଥାଏ।

ଅଦା ଚା’ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ ହେଲା – ଗୋଟିଏ ଚାମଚ ଅଦା ଛେଚାରେ ୨ କପ୍ ପାଣି ମିଶାଇ ୧୦ ମିନିଟ ପର୍ଯ୍ୟନ୍ତ ଫୁଟେଇସାରିବା ପରେ, ସେଥିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ଏହାକୁ ପିଅନ୍ତୁ।  

ଏହାସହ ରୋଗ ପ୍ରତିରୋଧକ ଶକ୍ତି ଦିନେ କିମ୍ବା ଦୁଇ ଦିନରେ ବୃଦ୍ଧି ପାଏନି। ନିୟମିତ ସନ୍ତୁଳିତ ଆହାର ଖାଇଲେ, ୭ରୁ ୮ ଘଣ୍ଟା ଶୋଇଲେ ଓ ୩୦ରୁ ୬୦ ମିନିଟ୍ ବ୍ୟାୟାମ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇଥାଏ।