ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଅଛି। ହେଲେ ସବୁଠାରୁ ପ୍ରଭାବଶାଳୀ ଉପାୟ ବାବଦରେ ଆସନ୍ତୁ ଜାଣିବା। 

stressବର୍ତ୍ତମାନ ସବୁ ବୟସର ଲୋକମାନେ ମାନସିକ ଚାପର ଶିକାର ହେଉଛନ୍ତି। ଏହି ମାନସିକ ଚାପ ପାଇଁ ଅନେକ କାରଣ ଦାୟୀ ହୋଇଥିଲେ ମଧ୍ୟ ବ୍ୟକ୍ତି ଏଥିରୁ ମୁକୁଳିବାର ଉପାୟ ଖୋଜି ପାଇପାରେ ନାହିଁ। ଫଳରେ ଆତ୍ମହତ୍ୟା ଭଳି ଖରାପ ଚିନ୍ତାଧାରା ମନକୁ ଆଣିଥାଏ। ମାନସିକ ଚାପରୁ ନିଜକୁ ମୁକ୍ତ ରଖିବାକୁ ହେଲେ ଦୈନନ୍ଦିନ ଜୀବନରେ କିଛି ଟା ପରିବର୍ତ୍ତନ ଆଣିବାକୁ ପଡ଼ିବ। ଯଦ୍ୱାରା ବ୍ୟକ୍ତି ମାନସିକ ସ୍ତରରେ ସୁସ୍ଥ ରହିବା ସହ ବିଭିନ୍ନ କାମ କରିବାକୁ ଇଚ୍ଛା ପ୍ରକାଶ କରିଥାଏ।

ପ୍ରତିଦିନ ଏକ୍ସରସାଇଜ କରନ୍ତୁ

ନିୟମିତ ବ୍ୟାୟମ କରିବା ଫଳରେ ଶାରୀରିକ ଏବଂ ମାନସିକ ଭାବେ ବ୍ୟକ୍ତି ସୁସ୍ଥ ରହିଥାଏ। ତେବେ ଆପଣ ବି ପ୍ରତିଦିନ ଆପଣଙ୍କ ଦିନ ବ୍ୟାୟମରୁ ଆରମ୍ଭ କରନ୍ତୁ। ଏକ୍ସରସାଇଜ ବ୍ୟତୀତ ବିଭିନ୍ନ ଯୋଗ ଏବଂ ଆସନ ଆପଣଙ୍କୁ ଚାପମୁକ୍ତ ରଖିଥାଏ। ଯଦି ବ୍ୟାୟମ କରିବା ପସନ୍ଦ ନୁହେଁ ତେବେ ଏପରି କିଛି ବ୍ୟାୟମ ଅଛି ଯାହା ଆପଣ ବସିବା ସମୟରେ ମଧ୍ୟ କରିପାରିବେ। ବିଭିନ୍ନ ଷ୍ଟ୍ରେଚିଂ ଏକ୍ସରସାଇଜ ଆପଣଙ୍କୁ ମଧ୍ୟ ମାନସିକ ଶାନ୍ତି ଦେଇପାରିବ। ସକାଳୁ ଉଠିବା ପରେ କିଛି ବାଟ ଚାଲିବା ଅଭ୍ୟାସ କରନ୍ତୁ। ଯଦ୍ୱାରା ପ୍ରାକୃତିକ ପରିବେଶ ମଧ୍ୟ ଆପଣଙ୍କ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ।

foodନିୟମିତ ସବୁଜ ପନିପରିବା ଖାଆନ୍ତୁ

ସବୁଜ ପନିପରିବାରେ ବିଭିନ୍ନ ଭିଟାମିନ ରହିଛି, ଯାହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ପ୍ରବାୟୋଟିକ ଖାଦ୍ୟ ମଣିଷକୁ ମାନସିକ ଅବସାଦରୁ ମୁକ୍ତି ଦେଇଥାଏ। ଭିଟାମିନ ଏବଂ ବିଭିନ୍ନ ମିନେରାଲ ଶରୀରକୁ ଶକ୍ତି ଯୋଗାଇବା ସହ ମାନସିକ ସ୍ତରରେ ବ୍ୟକ୍ତିର କାମ ପ୍ରତି ଆଗ୍ରହ ବୃଦ୍ଧି କରିଥାଏ। ସକାଳେ ଆପଣ କାମକୁ ଯିବା ପୂର୍ବରୁ କିଛି ଫଳମୂଳ ଖାଇବା ଆବଶ୍ୟକ। ଏହା ଦ୍ୱାରା ମାନସିକ ସ୍ଥିରତା ଆସିବା ସହ ବ୍ୟକ୍ତି ମାନସିକ ଚାପରୁ ମୁକ୍ତ ରହିଥାଏ।

ସକାରାତ୍ମକ ଚିନ୍ତା କରନ୍ତୁ

ବର୍ତ୍ତମାନ ସମୟରେ ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିବା ପାଇଁ ସକାରାତ୍ମକ ଚିନ୍ତାଧାରର ଆବଶ୍ୟକ ରହିଛି। ଅନ୍ୟ ବାବଦରେ ଖରାପ ଚିନ୍ତାଧାରା, ଇର୍ଷା, ରାଗ, ଅଭିମାନ ଆପଣଙ୍କୁ ଚାପଗ୍ରସ୍ତ କରାଇଥାଏ। ଅଫିସରେ କାମ ଚାପ ହେତୁ ବେଳେ ବେଳେ ରାଗ ଆସିଥାଏ। ଅନେକ ସମୟରେ ଘରର ଦାୟିତ୍ୱ ଯୋଗୁଁ ମଧ୍ୟ ବ୍ୟକ୍ତି ମାନସିକ ଚାପରେ ଶିକାର ହୋଇଥାଏ। ତେଣୁ ନକରାତ୍ମକ ଚିନ୍ତାଧାରା ନକରି ସର୍ବଦା ଭଲ ଚିନ୍ତା କରନ୍ତୁ। ମନକୁ ସକାରାତ୍ମକ ଭାବନା ଆଣିବା ପାଇଁ ଆପଣ ପ୍ରତିଦିନ ଯୋଗ କରିପାରିବେ। ମୋଟିଭେସନାଲ ବିଷୟ ଉପରେ ଆଲୋଚନା ଆପଣଙ୍କୁ ଚାପମୁକ୍ତ ରଖିଥାଏ। କେବଳ ସେତିକି ନୁହେଁ ମ୍ୟୁଜିକ ଥେରାପି ଏବଂ ଆର୍ଟ ଥେରାପି ଦ୍ୱାରା ଆପଣ ମାନସିକ ଭାବେ ଶାନ୍ତି ପାଇ ପାରିବେ।

ମୋବାଇଲଠାରୁ ଦୂରରେ ରୁହନ୍ତୁ

ବ୍ୟକ୍ତି ତା’ ଫୋନରେ ଏତେ ବ୍ୟସ୍ତ ରହିଯାଉଛି ଯେ ପାଖରେ ବସିଥିବା ଲୋକ ସହ କ’ଣ ଘଟୁଛି ସେ ବାବଦରେ କିଛି ଜାଣିପାରୁ ନାହିଁ। ଆଜିକାଲି ଆମ ଆଖି ଖୋଲିବା ମାତ୍ରକେ ଫୋନର ଆବଶ୍ୟକତା କରୁଛୁ। କିନ୍ତୁ ମୋବାଇଲ ଆମ ମସ୍ତିଷ୍କ ଉପରେ କୁପ୍ରଭାଵ ପକାଉଛି। ଅଧିକ ସମୟ ମୋବାଇଲ ବ୍ୟବହାର ଯୋଗୁଁ ବ୍ୟକ୍ତି ଚାପଗ୍ରସ୍ତ ହୋଇପଡ଼ୁଛି। ବିଭିନ୍ନ ସୋସିଆଲ ସାଇଟରେ ଆସୁଥିବା କାଳ୍ପନିକ ବସ୍ତୁକୁ ନିଜ ବାସ୍ତବ ଜୀବନ ସହ ତୁଳନା କରୁଛନ୍ତି। ଫଳରେ ଅବସାଦର ଶିକାର ହେଉଛନ୍ତି। ମୋବାଇଲ ଅଧିକ ସମୟ ବ୍ୟବହାର କରିବା ଯୋଗୁଁ ବିଳମ୍ବ ରାତିରେ ଶୋଉଛନ୍ତି। ଯଦ୍ୱାରା ଶାରୀରିକ ଏବଂ ମାନସିକ ଭାବେ ବ୍ୟକ୍ତି ଦୁର୍ବଳତା ଅନୁଭବ କରୁଛି। ତେଣୁ ଯେତେ ସମ୍ଭବ ମୋବାଇଲର ବ୍ୟବହାରକୁ ନା କୁହନ୍ତୁ।

cold drinksନିଶା ସେବନଠାରୁ ଦୂରରେ ରହନ୍ତୁ

ଅତ୍ୟଧିକ ଧୂମ୍ରପାନ ଏବଂ ନିଶାଦ୍ରବ୍ୟ ସେବନ ଆପଣଙ୍କୁ ଚାପଗ୍ରସ୍ତ କରିଦେଇଥାଏ। ତେଣୁ ଆପଣ ଏସବୁଠାରୁ ନିଜକୁ ଦୂରରେ ରଖନ୍ତୁ। ଆଲକହଲ ଏବଂ ସିଗାରେଟ ମସ୍ତିଷ୍କର ନ୍ୟୁରୋଟ୍ରାନ୍ସମିଟର ଉପରେ ପ୍ରଭାବ ପକାଇ ତାକୁ ସଙ୍କୁଚିତ କରିଦେଇଥାଏ। ଯାହା ଫଳରେ ବ୍ୟକ୍ତି ଧୀରେ ଧୀରେ ମାନସିକ ଅବସାଦର ଆକ୍ରାନ୍ତ ହୋଇଥାଏ।