କୋଭିଡ୍‌ରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ବି ବିଭିନ୍ନ ସମସ୍ୟା ଲାଗିରହୁଛି। ତେଣୁ, କୋଭିଡ୍‌ରୁ ସୁସ୍ଥ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ।

କୋଭିଡ୍‌ରୁ ସୁସ୍ଥ ହେବା ପରେ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଗାଇଡ୍‌ଲାଇନ୍‌କୁ ମାନିବାକୁ ପଡ଼ିବ। ଯେପରିକି ବାହାରକୁ ଗଲେ ମାସ୍କ ପିନ୍ଧିବେ, ହାତ ବାରମ୍ବାର ଧୋଇବେ ଓ ସାମାଜିକ ଦୂରତା ରଖିବାକୁ ହେବ।

ସୁସ୍ଥ, ସୁଷମ, ତାଜା ଓ ସହଜ ପାଚ୍ୟ ଖାଦ୍ୟ ଖାଆନ୍ତୁ। ଫଳ, ସବୁଜ ପନିପରିବା, ଘର ତିଆରି ଖାଦ୍ୟ ଖାଆନ୍ତୁ। ଖାଦ୍ୟରେ ରସୁଣ, ହଳଦୀ ଓ ଅଦା, କ୍ଷୀର, ଦହିକୁ ସାମିଲ କରନ୍ତୁ। ଆମିଷ, ଜଙ୍କଫୁଡ୍‌ ଖାଆନ୍ତୁ ନାହିଁ।

ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହର୍ବାଲ ଚା’, କାଢ଼ା ପିଇପାରିବେ। କାଶ ହେଉଥିଲେ ଗରମ ପାଣି ବାମ୍ପ ନେଇପାରିବେ। ଗୋଟେ ଚାମଚ ଚ୍ୟବନ୍‌ ପ୍ରାଶ ଖାଇପାରିବେ।

କୋଭିଡ୍‌ରୁ ସୁସ୍ଥ ହେବାର ତୁରନ୍ତ ପରେ ବ୍ୟାୟାମ କରନ୍ତୁ ନାହିଁ। ଶରୀରକୁ କିଛି ଦିନ ବିଶ୍ରାମ ଦିଅନ୍ତୁ। ହାଲୁକା ବ୍ୟାୟାମ, ଯୋଗ, ପ୍ରାଣାୟାମ କିମ୍ବା ଚାଲନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନୁଲୋମ ବିଲୋମ ବା ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ନେବା ଭଳି ବ୍ୟାୟାମ କରନ୍ତୁ। ଏଥିରେ ଆପଣଙ୍କ ଶରୀରର ସ୍ନାୟୁ ସକ୍ରିୟ ରହିବ।

କୋଭିଡ୍‌ରୁ ସୁସ୍ଥ ହେବା ପରେ ପଲ୍ସ ଅକ୍ସିମିଟର ବ୍ୟବହାର କରି ଅମ୍ଳଜାନ କେତେ ରହୁଛି ଜାଣିପାରିବେ।

ଏହାଛଡ଼ା କୋଭିଡ୍‌ରୁ ସୁସ୍ଥ ହେବାର ୭ ଦିନ ମଧ୍ୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଯଦି କୌଣସି ସମସ୍ୟା ହୁଏ, ତେବେ ସେହି ଅନୁଯାୟୀ ଡାକ୍ତର ଚିକିତ୍ସା ପରାମର୍ଶ କରିବେ।

କୋଭିଡ୍‌ ପିଜିଟିଭ୍‌ ଥିବା ବେଳେ ଯେଉଁଭଳି ଆଇସୋଲେସନ୍‌ରେ ରହୁଥିଲେ, ସୁସ୍ଥ ହେବା ପରେ ବି ଆଇସୋଲେସନ୍‌ରେ ରହିବା ଦରକାର। ଆଇସୋଲେସନ୍‌ରେ ରହିବା ପାଇଁ ଆପଣଙ୍କର ଅଲଗା ଘର, ଅଲଗା ଶୌଚାଳୟ ରହିବା ଜରୁରୀ। ଯେଉଁମାନେ ଆପଣଙ୍କୁ ଖାଇବାକୁ ଦେବେ, ସେମାନେ ଖଲି ଥାଳିର ବ୍ୟବହାର କରିପାରିବେ। ଫଳରେ ତାକୁ ସଠିକ୍‌ ଭାବରେ ନିଷ୍କାସନ କରିପାରିବେ।

ଆଇସୋଲେସନ୍‌ରେ ରହୁଥିବା ବ୍ୟକ୍ତି କଥାବାର୍ତ୍ତା ହେବା ପାଇଁ ଫୋନ୍‌ର ବ୍ୟବହାର କରିପାରିବେ। ପରିବାର ଲୋକ ସେମାନଙ୍କ ସହ କଥା ହେବା ବେଳେ ଦୁଇ ମିଟରର ଦୂରତା ରକ୍ଷା କରି ଏବଂ ମାସ୍କ ପିନ୍ଧି କଥା ହୋଇପାରିବେ। ଯେହେତୁ ଆଇସୋଲେସନ୍‌ରେ ଏକୁଟିଆ ରହୁଛନ୍ତି, ତେବେ ଆପଣଙ୍କ ମାନସିକ ଚାପ ବଢ଼ିବାର ସମ୍ଭାବନା ରହିଛି। ଏଭଳି କ୍ଷେତ୍ରରେ ଆପଣ ଭଲ ଲାଗୁଥିବା କାମ କରିପାରିବେ ଅଥବା ମୋବାଇଲ ବ୍ୟବହାର କରି ସାଙ୍ଗସାଥୀଙ୍କ ସହ ଭିଡିଓ କଲ୍‌ କରିପାରିବେ, ମ୍ୟୁଜିକ୍‌ ଶୁଣିପାରିବେ, ଅନୁଲୋମ ବିଲୋମ କରିପାରିବେ ବା ସେହି ଘରେ ବ୍ୟାୟାମ କରିପାରିବେ। ଏହାଛଡ଼ା ୬ରୁ ୮ ଘଣ୍ଟା ଶୋଇବା ଜରୁରୀ। ଏହାଦ୍ୱାରା ଆପଣଙ୍କ ମାନସିକ ସ୍ଥିତି ଠିକ୍‌ ରହିବ।